Unknown

 

 

 

 

 

 

 

 

 

୧୧୨ତମ ସଂଖ୍ୟା କୋଣାର୍କ ୧୯୯୯

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ତ୍ରୈମାସିକ ସାରସ୍ୱତ,ମୁଖପତ୍ର

ବିଷୁବ ସଂଖ୍ୟା

ଫେବୃୟାରୀ – ଅପ୍ରେଲ – ୯୯

 

ସମ୍ପାଦନା ମଣ୍ଡଳୀ :

ଶ୍ରୀ ରବି ସିଂ

ମୁଖ୍ୟ ସମ୍ପାଦକ

 

ଡକ୍ଟର ପ୍ରଫୁଲ୍ଲ କୁମାର ମହାନ୍ତି

ଡକ୍ଟର ବିଜୟାନନ୍ଦ ସିଂହ

ସମ୍ପାଦକ

 

କୋଣାର୍କ : ୧୧୨

ଫେବୃୟାରୀ – ଅପ୍ରେଲ – ୯୯

ବିଷୁବ ସଂଖ୍ୟା

 

ପ୍ରକାଶକ :

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର – ୭୫୧୦୧୪

ଫୋନ୍‌/ଫ୍ୟାକ୍ସ : ୪୩୧୮୪୦, ୪୩୩୮୫୩

ପ୍ରଚ୍ଛଦ :

ଶ୍ରୀ ଅସୀମ ବସୁ

ମୁଦ୍ରାକର :

ଶ୍ରୀ ମା’ ପ୍ରିଣ୍ଟର୍ସ

୨ଜି, ବି.ଜେ.ବି ନଗର, ଭୁବନେଶ୍ୱର - ୧୪

 

ଏକାଡେମୀ କର୍ତ୍ତୃ ସର୍ବସ୍ୱତ୍ୱାଧିକାର ସଂରକ୍ଷିତ । ପ୍ରକାଶିତ ଲେଖାଗୁଡ଼ିକର ପୁନର୍ମୁଦ୍ରଣ ଲେଖକ/ଅନୁବାଦକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀଙ୍କ ଅନୁମତି ସାପେକ୍ଷ । ରଚନାରେ ପ୍ରକାଶିତ ମତାମତ ଲେଖଙ୍କ ନିଜସ୍ୱ ମତ ।

 

 

ବିଷୟ ସୂଚୀ

୧.

ବିମ୍ବ ନିର୍ମାଣରେ କାବ୍ୟିକ ପ୍ରୋତ୍ସାହନ

ଡକ୍ଟର ଆଦିକନ୍ଦ ସାହୁ

୨.

ମଧ୍ୟଯୁଗୀୟ ଓଡ଼ିଆ କାବ୍ୟସାହିତ୍ୟର ଦୌତ୍ୟବିଭବ

ଡକ୍ଟର ଅଶୋକ କୁମାର ତ୍ରିପାଠୀ

୩.

ବିୟୋଗାନ୍ତକ ନାଟକ ଓ ମହାକାବ୍ୟରେ ନାରୀ

ଶ୍ରୀ ରମାକାନ୍ତ ରାଉତ

୪.

ପିଲାମାନଙ୍କ ପାଇଁ ଅନୁବାଦ ରଚନା

ଶ୍ରୀ ରମେଶ ଚନ୍ଦ୍ର ଦାସ

୫.

କବି ଉପେନ୍ଦ୍ର ନାୟକଙ୍କ କବିତାର ଦିଗ : ଦିଗନ୍ତ

ଡକ୍ଟର ବିଜୟ କୁମାର ମହାନ୍ତି

୬.

ଓଡ଼ିଶାର ଲୋକପର୍ବ ଡାଲ୍ ଖାଇ

ଡକ୍ଟର ଚିତ୍ରସେନ ପଶାୟତ ଶର୍ମିଷ୍ଠା ବାରିକ

୭.

ଓଡ଼ିଆ ଫାର୍ସ ବିବର୍ତ୍ତନ : ଭୂମି ଓ ଭୂମିକା

ଡକ୍ଟର ଲଳିତ ରଞ୍ଜନ ଦାସ

୮.

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ପ୍ରଥମ

ଓଡ଼ିଆ ସାପ୍ତାହିକ ସମ୍ବାଦପତ୍ର

‘ଉତ୍କଳ ଦୀପିକା’ର ଭୂମିକା

ଅଧ୍ୟାପକ ପ୍ରଦୀପ ମହାପାତ୍ର

୯.

ଏକାଡେମୀ ସମାଚାର

 

 

ବିମ୍ବ ନିର୍ମାଣରେ କାବ୍ୟିକ ପ୍ରୋତ୍ସାହନ

ଡକ୍ଟର ଆଦିକନ୍ଦ ସାହୁ

 

ଶିଳ୍ପୀ ଆତ୍ମାର ପୁଲକ ସହିତ ବିମ୍ବର ସମ୍ପର୍କ ଅତି ନିବିଡ଼ । ଶିଳ୍ପୀର ଆତ୍ମା ପ୍ରବୋଧିତ ହେଲେ ପ୍ରାଣରେ ସେ ଯେଉଁ ବିରଳ ପୁଲକ ଅନୁଭବ କରେ ତାହା ବିମ୍ବ ଦୃଷ୍ଟିରେ କ୍ଷେତ୍ର ପ୍ରସ୍ତୁତ କରେ ।

 

ଆଷାଢ଼ରେ କଦମ୍ବ ବିକଶିତ ହେଲାପରି ପ୍ରାଣର ପୁଲକ ତାକୁ ଅଧୀର କରେ । ଶିଳ୍ପୀର ଆତ୍ମା ଈପ୍‌ସିତ ସୁନ୍ଦର ବସ୍ତୁ ପ୍ରତି ସମ୍ମୋହିତ ନହେଲେ, ନିବିଡ଼ଭାବେ ପ୍ରେମାସ୍ପଦର ସାନିଧ୍ୟ କାମନା ନକଲେ ସେ ନିମଜ୍ଜିତ ହୋଇପାରେନା । ଏମିତି ସମ୍ମୋହିତ ହେବା, ଉଚ୍ଚାଟିତ ହେବା ହେଉଛି ଶିଳ୍ପୀର ଏକ ସୃଜନଶୀଳ ଅନ୍ୟମନସ୍କତା ।

 

ଜୀବନ ବଞ୍ଚିବା ଗୋଟେ ବଳଶାଳୀ ଜୈବିକ ଅନୁଭବ । ଯାହାର ଚରମ ଅଭିଳାଷ ସ୍ଥୂଳ ଜାନ୍ତବତା ନିରପେକ୍ଷ ଏକ ସନିର୍ବନ୍ଧ ନାନ୍ଦନିକ ପୁଲକ ଓ ଆଧ୍ୟାତ୍ମିକ ପ୍ରଶାନ୍ତି । ସ୍ଥୂଳ ବିଷୟ ବାସନା ତଥା ଅକଲ୍ୟାଣକର ଇତରତାରୁ ମୁକ୍ତ ନହେଲେ କେହି ପ୍ରାଣରେ ପରମ ପ୍ରଶାନ୍ତି ଅନୁଭବ କରିପାରେନା । ଆତ୍ମାର ଚିରନ୍ତନ ଐଶ୍ୱର୍ଯ୍ୟ ହେଉଛି ପ୍ରାଣର ସେହି ଗଭୀର ପ୍ରଶାନ୍ତି; ଯାହା ସନ୍ନ୍ୟାସ ସହିତ ହୁଏତ ସମ୍ବନ୍ଧିତ ।

 

ପ୍ରଶାନ୍ତ ଚିତ୍ତଭୂମିରେ ମୂର୍ତ୍ତ ସହିତ ଅମୂର୍ତ୍ତର ସଙ୍ଗମ ହୁଏ । ରହସ୍ୟକୁ ଭେଦିବାର ବାସନା ଲାଗେ । ଦୂରପ୍ରାନ୍ତ ନିକଟତମ ମନେହୁଏ । ଅନୁଭବର, ଜୀବନାନୁଭୂତିର ସମୁନ୍ନତ ଶୀର୍ଷକୁ ଯିବାର ଅଭିଳାଷ ସୃଷ୍ଟି ହୁଏ ।

 

ବିମୋହିତ ହେବା ପୁଣି ଜୀବନ ବଞ୍ଚିବାର ଏକାନ୍ତ ବିରଳ ଓ ପରିବୋଧନୀୟ ଅନୁଭବ । ବିମୋହିତ ହେଲେ ଯାଇ ଜଣକର ସୃଜନଶୀଳ ମନ କଳ୍ପନା ପ୍ରଣୋଦିତ ହୁଏ । ଉଚ୍ଚାଟିତ ମନ କଳ୍ପନା କରେ, ରୌଦ୍ରଦଗ୍ଧ ପ୍ରଚଣ୍ଡ ବୈଶାଖରେ ପଦ୍ମପୋଖରୀର ଜଳକୁ ତର୍କଣା କରେ । ଛାୟାସ୍ନିଗ୍ଧ କୁଞ୍ଜ ମନରେ ସ୍ୱତଃ ଉଦ୍‌ଭାସିତ ହୋଇଉଠେ ।

 

ଜଣେ ଶିଳ୍ପୀ ଅନନ୍ତ ଦୂରତା ସତ୍ତ୍ୱେ ଅନ୍ତଶ୍ଚତେନରେ ତଦାତ୍ମ୍ୟଭାବ ଅନୁଭବ କରେ । ଖରାକାଳ ପରି ଦୁଃଖ ଦୁଃସ୍ଥିତି ତାକୁ ଆଉ ଦାରୁଣ ମନେହୁଏ ନାହିଁ । ସ୍ୱପ୍ନ ଓ କଳ୍ପନା ଭାରି ନିବିଡ଼ ଓ ଭୂମିସଂଲଗ୍ନ ଲାଗେ । ସେ ତା’ ମନ ଓ ଆତ୍ମାକୁ ତା’ସ୍ମୃତି ଓ ପରିବେଶରେ ବିଚ୍ଛୁରିତ କରିଦିଏ । ଏହି ବିଚ୍ଛୁରଣ ବି ସେହି ରୂପାନ୍ତର ପ୍ରକ୍ରିୟାର ଏକ ଅଂଶ ।

 

ମର୍ତ୍ତ୍ୟର କବି ସେତେବେଳେ ଅମରାବତୀର କଳ୍ପନା କରେ; କଳ୍ପନା କରେ ନୀଳପରି ଓ ପାରିଜାତର ପ୍ରସ୍ଫୁଟନକୁ । କବିମନ ଦୂରସଞ୍ଚାରୀ ହୁଏ । ଜୀବନର ଭାବ ପରିମଣ୍ଡଳ ସବୁ ସ୍ୱତଃ ପ୍ରସାରିତ ହୋଇଯାଏ । ଚେତନା କ୍ରମଶଃ ବୃହତ୍ତର ପରିମଣ୍ଡଳକୁ ସଂପ୍ରସାରିତ ହୁଏ । ତା’ର ଚିତ୍ରରୂପ ଆହୁରି ଦୀପ୍ତ ହୁଏ । ବସ୍ତୁ ପ୍ରତୀକ ଯେତେ ମନ୍ମୟ ହେବ ବୃତ୍ତୀୟ ପରିମଣ୍ଡଳ ସବୁ ସେତିକି ସମ୍ବେଗାତ୍ମକ ଓ ଛାୟାଚ୍ଛନ୍ନ ହୋଇଯିବ । ଛାୟାଚ୍ଛନ୍ନ ପରିମଣ୍ଡଳରେ ମୂର୍ତ୍ତ ଚିତ୍ର ସବୁ ଅଧିକ ଅସ୍ପଷ୍ଟ ଓ ରହସ୍ୟମୟ ମନେହେବ । ସେହି କାରଣରୁ ତାହା ହୁଏତ ଦୁର୍ବୋଧ୍ୟ ଲାଗିବ ।

 

ଏପରି ବିମ୍ବ ବା ଚିତ୍ରରୂପସବୁ କେତେବେଳେ ବି ଆଦୌ ଜ୍ୟାମିତିକ ନୁହେଁ । ଜାଗତିକ ଅବଶ୍ୟ । ତାହା ବାସ୍ତବ ଜଗତରୁ ରୂପାନ୍ତରିତ ହୋଇ ଅମୂର୍ତ୍ତ ଜଗତ ଆଡ଼କୁ କ୍ରମଶଃ ଗତିକରେ । ଏକ ପରିମିତ ଲୌକିକବୋଧ ବା ଅନୁଭୂତି ସେହି ପ୍ରକ୍ରିୟା ଭିତରେ ଅଲୌକିକ ଓ ମହାଜାଗତିକ ହୁଏ ।

 

ବିମ୍ବ ଏକ ରସନିବିଡ଼ ସଂକ୍ଷେପଣ । ଯଥାସମ୍ଭବ ପ୍ରକୃତ ବସ୍ତୁର ଏହି ବିମ୍ବ ଏକ କ୍ଷୁଦ୍ରତମ ରୂପ ବା ପ୍ରତୀକ । ତାହା ଏକ ନିହାତି ବର୍ଣ୍ଣନାତ୍ମକ ଅଙ୍କନ ନୁହେଁ; ଏକ ରୂପକୁ ଚିତ୍ର ମାତ୍ର । ଯେତିକି ବ୍ୟକ୍ତିକି ସେତିକି ସାର୍ବଜନୀନ । ତାହା ଦୃଶ୍ୟମାନ ଏକ ଆଞ୍ଚଳିକ ଭୂଗୋଳରେ ମାତ୍ର ସୀମିତ ହୋଇ ରହେନାହିଁ ।

 

ବିମ୍ବ ଭାବାତ୍ମକ, କଳ୍ପନା ସମର୍ପିତ ତଥା ହୃଦୟାବେଗର ପ୍ରତୀକ । ବିମ୍ବ ବିସ୍ତୃତ ଅତୀତକୁ ବେଳେବେଳେ ଉଦ୍ଭାସିତ କରିଦିଏ । ଆର୍ଜେଣ୍ଟାଇନାର କଣ୍ଟା ଗୁଳ୍ମ ପରିବେଷ୍ଟିତ ବାଲିବନ୍ତ ପ୍ରାନ୍ତରର ଖରା କାଳକୁ କାମ୍ୟୁ ନିଜର ସମ୍ବେଗ ଓ ସମ୍ମୋହନ ଦେଇ ଏକ ଚମତ୍କାର ବିମ୍ବରେ ପରିଣତ କରି ଦେଇଛନ୍ତି । କେଉଁଠିକେଉଁ ଗ୍ରନ୍ଥରେ ସମୁଦ୍ର ତ କେଉଁଠି ଆକାଶ, କେଉଁଠି ସର୍ପିଳଗତିରେ ବହି ଯାଇଥିବା ଗ୍ରାମ୍ୟ ନଦୀଟିଏ ତ କେଉଁଠି ଟାଙ୍ଗର ପାହାଡ଼ଟିଏ ଅବା ସେହିପରି ଗଡ଼ଜାତି ପଥୁରିଆ ଲେଣ୍ଡସ୍କେପଟିଏ ଭାବଦ୍ୟୋତକ ବିମ୍ବରେ ପରିଣତ ହୋଇ ପାଠକର ରସଚେତନା ତଥା ତା’ର ପରିଚିତ ସ୍ମୃତି ଓ ଅନୁଭୂତିକୁ ଆର୍ଦ୍ର ଓ ଉଦ୍ରିକ୍ତ କରିଦିଏ ।

 

କେଉଁଠି ବଣ ତ କେଉଁଠି ପାହାଡ଼, କେଉଁଠି ନଈ ତ କେଉଁଠି ନାରୀ, କେଉଁଠି ସୁଶୀତଳ ପଦ୍ମ ପୋଖରୀତ, କେଉଁଠି ଧୂଧୂ ଖରାକାଳ ପାଠକର ସମଗ୍ର ଚେତନାକୁ ଆବୋରି ବସେ, ପାଠକକୁ ଆବିଷ୍ଟ ଓ ଉଲ୍ଲସିତ କରିଦିଏ । ଚିତ୍ରଗୁଡ଼ିକ ବିମ୍ବର ସେତେବେଳେ ସମଗୋତ୍ରୀୟ ହୋଇପଡ଼ନ୍ତି । ପଦ୍ମ ପୋଖରୀଟିଏ କହିଲେ ଗୋଟିଏ ସୁନ୍ଦରୀ ଗୌରାଙ୍ଗୀ ଯେପରି ଉଦ୍‌ଭାସିତ ହୋଇଉଠେ ସେମିତି ନୀଳକଇଁ ଗୋଟେ ଶ୍ୟାମଳୀ ବାଳିକାକୁ ସ୍ମରଣକୁ ଆଣେ । ସଞ୍ଜବେଳ, ସଜନାଗଛର ଛାଇ ହୁଏତ ପ୍ରାଣରେ ଗୋଟେ ନୀରବିତ ବିରହକୁ ସଂଚାଳିତକରିଦିଏ । ଚଇତ ରାତିରେ ବାଜାଗୀତ, ବଂଶୀଧ୍ୱନି, ବଣପକ୍ଷୀର ଗୀତ, କାମିନୀ ନାରୀର କଟାକ୍ଷ କେତେ ଉଚ୍ଚାଟନ କେତେ ବେପଥୁର ଭାବ ଆଣିଦିଏ ।

 

ବିମ୍ବ ଭାବ ସଂପ୍ରେରକ ଏକ ଆଲମ୍ବନ । ବିମ୍ବ ଜ୍ଞାନ, କଳ୍ପନା ଓ ଚେତନାର ଏକ ପ୍ରତିସାମ୍ୟାତ୍ମକ ରସରୂପ । ତାହା ପାଠକ ବା ଦ୍ରଷ୍ଟାର ରସ ଚେତନାକୁ ନିମିଷକେ ସିକ୍ତ କରିଦିଏ । ସେ ବିହ୍ୱଳ ହୁଏ । ଗଦ୍‌ଗଦ୍‌ ହୁଏ । ବିମୋହିତ ହୋଇଯାଏ । ଏକ ଶୁଦ୍ଧ ନାନ୍ଦନିକ ଅନୁଭବ ତାକୁ ଆବିଷ୍ଟ କରିଦିଏ । ଗୋଟିଏ ରୂପାନ୍ତର ପ୍ରକ୍ରିୟାରେ ସେ ଯେପରି ଗୋଟିଏ ଅନିବାର୍ଯ୍ୟ ଅଂଶ ବା ଗୋଟିଏ ଅବଲମ୍ବନ ହୋଇଯାଏ ।

 

ବିମ୍ବ ଏକ ମନୋହର ପ୍ରକଟନ । ରଙ୍ଗରେ ଶବ୍ଦରେ ସେ ପ୍ରକଟନ ସର୍ବଦା ବର୍ଣ୍ଣାଢ଼୍ୟ ହୋଇଛି । ରସାପ୍ଲୁତ ଭାବ ହିଁ ତା’ର ବିଭା ।

 

କବି ମନର ଅତଳ ଗହ୍ୱର ସ୍ଥଳ, ନଭମଣ୍ଡଳ, ନଗାଧିରାଜ, ବନ ଉପବନର ବର୍ଣ୍ଣାଢ଼୍ୟ ଛବି ଦ୍ୱାରା ଉଦ୍‌ଭାସିତ । ସେ ସ୍ମୃତି କୂପର ଅତଳ ଗହ୍ୱରରେ କେତେ ଯେ ବର୍ଣ୍ଣବିଭା, କେତେ ଯେ ପୁଲକ କେତେ ଯେ ସ୍ୱପ୍ନ ଓ ସଂକଳ୍ପର ଶତଦଳ ପଦ୍ମ ପ୍ରସ୍ଫୁଟିତ ହେଉଥାଏ । ସେ ଏକ ନିତ୍ୟଲୀଳା-

 

ବିମ୍ବର ଅଭ୍ୟନ୍ତରଟି ତ ସ୍ମୃତିର ନରମପାଖୁଡ଼ାରେ ତିଆରି । ଭାରି ସ୍ନିଗ୍ଧ ଓ ସ୍ପର୍ଶକାତର । ତାସ୍‌ର ଘର ପରି । କାଚ କାନ୍ଥ ପରି । ଅଭ୍ୟନ୍ତର ସତତ୍‌ ଦିଶି ହୋଇ ଯାଉଥାଏ । ପ୍ରିୟାର ଗାଁ ପରି ଏ ଜୀବନର ଯାବତୀୟ ସ୍ମୃତି । ଭାରି ମନଲୋଭା । ଜୀବନ ତମାମ ଭୁଲି ହୁଏ ନାହିଁ । ଅପଶୋରା ହୋଇ ରହିଯାଏ ସେ ଗାଁର ନଦୀ, ପୌର୍ଣ୍ଣମାସୀ ରଜନୀ, ଉଦାସ ସଞ୍ଜରେ କପୋତୀର ବାହୁନା, ସୁନା ସକାଳର ହଳଦୀ ବସନ୍ତର ଖଣ୍ଡିଉଡ଼ା, ଶରଦ୍ ଆକାଶ ତଳେ ଅସୁମାରୀ ଧାନବିଲ, ବର୍ଷା ବସନ୍ତର ଛବିଳ ଶୋଭା, ସ୍ନେହ ସାନିଧ୍ୟର କିଞ୍ଚିତ ପୁଲକ ଆଉ ତା’ ସହିତ କିଛି ବ୍ୟଥାବେଦନାର ପ୍ରସିକ୍ତ ଅନୁଭବ ।

 

ଜୁଇ ଜଳିବା ପର୍ଯ୍ୟନ୍ତ ଗତାୟୁ ସ୍ମୃତିର ନିତ୍ୟଲୀଳା । ତା’ର ଆରମ୍ଭ ଓ ଶେଷ ବଡ଼ ଇତସ୍ତତଃ । ସୁପ୍ତ ସ୍ମୃତି ନିମିଷକେ ବିମୋହିତ କରିଦିଏ । ବୈଶାଖରେ ବି କବି ଅନ୍ତରରେ ହଠାତ୍‌ ସୁଶୀତଳ ଜଳଧାରଟିଏ ବହିଯାଏ । ଶ୍ରାବଣର ବର୍ଷାମୁଖର ଶୀତଳ ରାତିଟିଏ ଯେପରି ନଇଁ ଆସେ-। କୁହୁକ ପରି ଲାଗେ ସବୁକିଛି । ପ୍ରାଣର ସବୁ ତନ୍ତ୍ରୀ ଝଙ୍କୃତ ହୁଏ । ଜୀବନର ସବୁ ସ୍ୱପ୍ନ ଓ ସାନିଧ୍ୟ ବାସନ୍ତିକ ଲାଗେ ।

 

କବି ଜୀବନର ସୁପ୍ତ ସ୍ମୃତି ଚିତ୍ରାକଳ୍ପାବଳୀକୁ ସହସା ପ୍ରତିମା କରି ସ୍ଥାପନ କରିଦିଏ । ଗୋଟେ ସଦୃଶ ବସ୍ତୁର ବିମ୍ବ ହଠାତ୍‌ ଜୀବନ୍ତ ହୋଇଯାଏ । ଦାରୁଣ ନିଦାଘର ଗୋଟେ ପତ୍ରହୀନ ବୃକ୍ଷ ହଠାତ୍‌ ପଲ୍ଲବିତ ହେଲାପରି ।

 

ସମ୍ବେଗର ମୂଳାଧାର ହେଉଛି ଜୀବନର ଏକାନ୍ତ ବିରଳ ଓ ପରିବୋଧନୀୟ ସ୍ମୃତି । ସ୍ମୃତି କେବେ ଜୀବନ ପାଦପରୁ ଚ୍ଛିନ୍ନମୂଳ ହୁଏ ନାହିଁ । ଗୋଟେ ସଜୀବ କଞ୍ଚା ଗଛ ପଲ୍ଲବିତ, ପୁ‌ଷ୍ପ ସ୍ତବକିତ ତଥା ଫଳ ଭରାନତ ହେଲାପରି ସ୍ମୃତିର ବର୍ଣ୍ଣାଢ଼୍ୟ ବିବର୍ତ୍ତନ ଜୀବନର ଅନେକ ମୁହୂର୍ତ୍ତକୁ ପ୍ରାଣବାନ ଓ ପ୍ରବୋଧିତ କରିଦିଏ ।

 

ବିମ୍ବ ହେଉଛି ସ୍ମୃତିକୋଷରେ ସାଇତା ଅନୁପମ ବୀଜର ପଲ୍ଲବିତ ବୃକ୍ଷଟିଏ ଯେପରି । ଅମୂର୍ତ୍ତ ଅଶରୀରୀ ସ୍ମୃତି ଗୋଟେ ମାନସିକ ଉଦ୍‌ଗମନ ଭିତରେ ନିମିଷକେ ରୂପମୟ ହୋଇଯାଏ । ଶବ୍ଦରେ ବା ରଙ୍ଗରେ ସେ ରୂପଟିକୁ ଆଙ୍କିଦିଏ ଧ୍ୟାନସ୍ଥ ଶିଳ୍ପୀ । ସ୍ମୃତିବିନା ରୂପ କାହିଁ ? କାହିଁ କଳ୍ପନାର କୁଞ୍ଜବନ ?

 

କବି ମନର ରମ୍ୟବୋଧ ଓ ଆନନ୍ଦବୋଧ ଯେଉଁ ଅପୂର୍ବ ଭାବଜଗତ ନିର୍ମାଣ କରନ୍ତି ସେହି ଜଗତର ଅମୃତମୟ ଫଳ ତ ଏ ବିମ୍ବ ସମୂହ । ନାରୀର ସ୍ତନ ଯୁଗ୍ମକୁ ବର୍ଷା ଧୌତ ପର୍ବତ ପରି କହିବାରେ କବି ମନର ସମ୍ବେଗ ଆନନ୍ଦ ଓ ସୌନ୍ଦର୍ଯ୍ୟବୋଧ ଦ୍ୱାରା ସଞ୍ଚାଳିତ ।

 

ନାରୀର ସ୍ତନକୁ ଚୂତଫଳ, ନାରଙ୍ଗୀ ଓ ନାରୀକେଳ ବୋଲି ତର୍କଣା କରିବା କିମ୍ବା ତା’କୁ ପଦ୍ମଫୁଲ ବା ପର୍ବତ ଜ୍ଞାନ କରିବା ପଶ୍ଚାତରେ ଆଦିମ ମଗ୍ନ ଚୈତନ୍ୟର ପ୍ରଭାବ ହୁଏତ ରହିଛି । ନାରୀ, ନର୍କ, ସ୍ୱର୍ଗ, ପର୍ବତ, ଈଶ୍ୱର ଆଦି ରୂପକଳ୍ପନାରେ ମଣିଷ ମନର ଆଦିମତାକୁ ଅସ୍ୱୀକାର କରି ହେବନାହିଁ । ବଣ ପାହାଡ଼ ସହିତ ମିଣିଷର ସମ୍ପର୍କ ଅତ୍ୟନ୍ତ ଆଦିମ । ସେହିପରି ଆକାଶ ଓ ସମୁଦ୍ର ସହିତ । ନାରୀ, ମାଟି ଓ ମହାକାଳ ସହିତ । ମଣିଷ ମନର ବାସନାଲୋକରେ ଗତଜନ୍ମର ସଂସ୍କାର ପ୍ରସୁପ୍ତ ହୋଇ ରହିଛି । ତା’ସହିତ ଅନିବାର୍ଯ୍ୟ ଭାବେ ରହିଛି ତା’ର ପ୍ରଜନନ ଓ ବଂଶ ବିସ୍ତାରର କାମନା । ରତି, ହାସ, ଶୋକ, କ୍ରୋଧ, ଭୟ ବିସ୍ମୟ ଆଦି ସ୍ଥାୟୀଭାବ ମଣିଷ ଭିତରେ ଦୃଢ଼ମୂଳ ହୋଇରହିଛି ।

 

ଗୋଟିଏ ଜନପଦର ଜଣେ ମଣିଷ ଆଉ ଜଣକ ସହିତ ସମ୍ବନ୍ଧିତ ହେବାର ଅଭିଳଷ ବି ଶାଶ୍ୱତ । ବିମ୍ବ ଏ ସବୁ ଜାଗତିକ ଅନୁଭବ ଓ ପାର୍ଥିବ ବାସନାର ଏକ ରସବଦ୍ଧ ପ୍ରକାଶ । ଆନନ୍ଦ ମଣିଷର ଇନ୍ଦ୍ରିୟାଗ୍ରାହ୍ୟ ଭାବାନୁଭୂତିକୁ ରସାନୁଭୁତିରେ ପରିଣତ କରିଦିଏ । ଆନନ୍ଦବୋଧ ଓ ତତ୍‌ସଞ୍ଜାତ ମାନସିକ ବିଳାସ ବିମ୍ବ ନିର୍ମାଣରେ ସହାୟତା କରେ । କବି ଚିତ୍ତକୁ ଉଜ୍ଜ୍ୱଳ ଓ ଉଜ୍ଜାଗ୍ରତ କରେ । ତା’ର ଆତ୍ମା ଓ ଅନ୍ତରକୁ ପ୍ରବୋଧିତ କରିଦିଏ । ଏକ ପ୍ରସୁପ୍ତ ବୀଜର ଉଦ୍‌ଗମନ ପାଇଁ ପାଣି ପେଯିର ମାଟିକୁ ଭିଜାଇ ଦିଏ ।

 

ବିମ୍ବ ହେଉଛି ସ୍ୱଳ୍ପତମ ଶବ୍ଦରେ ଏକ ଜଟିଳ ଗଳ୍ପ ବା ଗାଥା; ଯାହରା ଅକଳନ୍ତ ଅର୍ଥ ବିସ୍ତାର ରହିଛି । ଦୂରସ୍ଥ ନଈ, ଦୂର ପାହାଡ଼ ଜିଣିଗଲା ପରି ଜୀବନର ମଣ୍ଡଳ ସବୁ ଦିଶିଯାଏ । ଏକ ଛାୟାଚ୍ଛନ୍ନ, ପରିମଣ୍ଡଳରେ ବସ୍ତୁ ଦୃଶ୍ୟମାନ ହେଲା ପରି । ପ୍ରଚ୍ଛାୟା ଭିତରେ ବସ୍ତୁର ଦୃଶ୍ୟମାନତା ଯେପରି ପୁଣି ଏକ ଛାୟାଚ୍ଛନ୍ନ ପରିମଣ୍ଡଳରେ ଦୃଶ୍ୟବସ୍ତୁ ଯେତିକି ରହସ୍ୟ ବିଜଡ଼ିତ ମନେହୁଏ ବିମ୍ବ ସ୍ମୃତିଚୟନ ଭିତରେ ସେହିପରି ସେତିକି ପ୍ରତ୍ୟକ୍ଷ ହୁଏ ।

 

ଏପରି ହୋଇଛି ଏ ବିଶାଳ ବିପୁଳ ପୃଥିବୀ । ମହୋବ୍ୟୋମ, ମହାସମୁଦକ୍ରୁ ନିଜ ଅଙ୍ଗରେ ମିଶାଇ ଦେବାର ଇଚ୍ଛା ଜଣେ ଶିଳ୍ପୀକୁ ଆତ୍ମମଗ୍ନ କରିରଖିଛି । ଯେତେ ଦୁର୍ମିଳ ଓ ଅବାସ୍ତବ ହେଉପଛେ ଶିଳ୍ପୀଟିଏ ନିଜ ପାଇଁ ସୁନ୍ଦର ସ୍ୱପ୍ନଟିଏ ଖୋଜିନିଏ । ତା’ର ଏହି ଅନ୍ୱେଷଣ ସମୁଦ୍ର ଗର୍ଭରେ ମୁକ୍ତା ଖୋଜଲା ପରି । ଜୀବନର ସବୁଠାରୁ ବଡ଼ ଉପଲବ୍ଧି ହେଉଛି ଏ ପୃଥିବୀକୁ ନିଜର ସମସ୍ତ ଦୁର୍ଭାମ୍ୟ ସତ୍ତ୍ୱେ ମୃତ୍ୟୁ ପର୍ଯ୍ୟନ୍ତ ଗଭୀରଭାବେ ଭଲପାଇବା ।

 

ନିରନ୍ତର ଏଠି ମୋହଭଙ୍ଗ ହେଉଥିବା, ବାର ବାର ସ୍ୱପ୍ନ ଉଜୁଡ଼ି ଯାଉଥିବା ସତ୍ତ୍ୱେ ଏ ପୃଥିବୀ ସ୍ୱର୍ଗ ସମାନ । ଏମିତି ଭାବନା ଓ ସଦିଚ୍ଛା କେବଳ ସୃଜ୍ୟମାନ ବିମ୍ବ ନିର୍ମାଣ କରିପାରେ; ଯାହାକୁ ସେମିତି ସୁମନ୍ନତ କାବ୍ୟାନୁଭୂତି ଭିତରେ ବୁଝିହୁଏ । ପାଠକର ପ୍ରଚୁର କଳ୍ପନାଶକ୍ତି ଓ ନାନ୍ଦନିକ ଅନୁଭବ ଉପରେ ବିମ୍ବର ଅର୍ଥ ପ୍ରକରଣ ସମ୍ଭବ ହୁଏ । ପାଠକର ରସବୋଧ ନଥିଲେ; ତା’ର କାବ୍ୟାନୁଭବ ନିସ୍ପନ୍ଦ ହୋଇଥିଲେ ବିମ୍ବ ତା’କୁ ଗତାନୁଗତିକ ପୁରୁଣାମୃତ ମେଟାଫର ପରି କେବଳ ମନେହବ ।

 

ଜଣେ ଶିଳ୍ପୀର ମୁକ୍ତମନ ସୀମିତ ଇଲାକାରେ ବନ୍ଦୀ ହେବାକୁ ଚାହେଁନି । ସେ ଅନ୍ୱେଷଣ କରେ । ବିରାମ ବିହୀନ ଭାବେ ଆପଣାକୁ ଓ ଆପଣାର ଅନ୍ତଶ୍ଚେତନକୁ ଦିନର ଆଲୁଅରେ ଜାଣିବା ପାଇଁ । ଏ ଜିଜ୍ଞାସା, ଏ ଅନ୍ୱେଷଣ ତା’କୁ ଜଗତ ସହିତ ଜୀବନର ପ୍ରତିଟି ସଂପର୍କ ବିଷୟରେ ସ୍ୱଚ୍ଛ ବିମ୍ବ ସୃଷ୍ଟି ପାଇଁ ପ୍ରୋତ୍ସାହିତ କରିଥାଏ ।

 

ମଖମଲି ମହଲ ବାହାରେ ଯେଉଁଠି ପ୍ରଚୁର ଫୁଲର ବାସ୍ନା ଓ ସୂର୍ଯ୍ୟକିରଣ ବିଛାଡ଼ି ହୋଇପଡ଼ିଛି, ଯେଉଁଠି ଶୀତଳ ପବନ ବହୁଛି, ଯେଉଁଠି ଫୁଲ ବସନ୍ତ, ମେଘପବନ, ମଣିଷର ହସକାନ୍ଦ ଲାଗି ରହିଛି ସେଇଠି ସେଇ ସତେଜ ଆନନ୍ଦାନୁଭୂତି ଭିତରେ ଶିଳ୍ପୀ ନିମଜ୍ଜିତ ହୋଇଯାଏ-

 

ଫୁଲଟିଏ ଝରିପଡ଼ିଲେ, ଜହ୍ନ ଅସ୍ତ ହେଲେ, ଆକାଶରେ ହଠାତ୍‌ କଳାମେଘ ଘୋଟିଗଲେ ଜଣେ ତା’ ଭିତରେ ଜୀବନକୁ ଦେଖେ । ନିର୍ବାଣୋନ୍ମୁଖୀ ଦୀପ ଭିତରେ ସେ ମୃତ୍ୟୁକୁ ଦେଖେ । ଜୀବନ ଦେଖେ ଚୈତ୍ର ବନର ରକ୍ତାଭ କୃଷ୍ଣଚୂଡ଼ା ଅବା ବନସ୍ତର ନବପଲ୍ଲବରେ । ଅସ୍ତରାଗର ମଣିଷ ତା’ର ପ୍ରଭାହୀନ ଉତ୍ତର ଜୀବନକୁ ଦେଖେ । ପ୍ରଭାତର ଉଦୟଭାନୁ ନବଜୀବନ ପାଇଁ ତା’କୁ ପୁଲକିତ କରେ ।

 

ଏମିତି କେତେ ମଧୁଝରା ମଧୁଜାମିନୀର ମହୋତ୍ସବ, କେତେ କୂଜନ ଓ କଳରୋଳ ତା’କୁ ମିଳାଇଦିଏ । ଜୀବନ ପାଇଁ ସେ ଶ୍ରଦ୍ଧା ଲୋଡ଼େ, ସମ୍ପର୍କ ଲୋଡ଼େ । ଜୀବନ ପ୍ରେମପୂର୍ଣ୍ଣ ମନେହେଲେ ତା’ର ସ୍ୱର ଓ ଉଚ୍ଚାରଣ ଗାଢ଼ ଓ ଗୀତିମୟ ହୁଏ । ଅସୀମ ଆନନ୍ଦରେ ପ୍ରାଣ ପୁଲକିତ ହେଲେ ଜଣେ ସ୍ୱତଃ କବି ପାଲଟିଯାଏ, ତା’ର ସ୍ୱପ୍ନାଚ୍ଛନ୍ନ ତଥା ସୃଜନଶୀଳ ମନଗୂଢଗୁଡ଼ ଇଙ୍ଗିତ ଥିବା ବିମ୍ବା ନିର୍ମାଣ କରେ ।

 

ରସପରି ବିମ୍ବର ସୃଜ୍ୟମାନ ମୁହୂର୍ତ୍ତ ଅଖଣ୍ଡ ଓ ଐକ୍ୟତାନିକ । ବିମ୍ବ ସୃଷ୍ଟିର ପ୍ରେରଣା ସର୍ବଦା ଶୀର୍ଷତମ ଓ ବିଶିଷ୍ଟତମ । ବିଶିଷ୍ଟତମ ମୁହୂର୍ତ୍ତରେ ସୃଷ୍ଟି ପ୍ରକ୍ରିୟା ଗାଢ଼ ଓ ଘନବଦ୍ଧ ହୁଏ । କବି ମନର ଶିଳ୍ପୀ ସଚେତନତା ଓ ସମ୍ବେଦନଶୀଳତା, ସେହି ଶୀର୍ଷ ବିନ୍ଦୁରେ, ବିଶିଷ୍ଟତମ ମୁହୂର୍ତ୍ତରେ କେନ୍ଦ୍ରାଭିମୁଖୀ ହୋଇପଡ଼ନ୍ତି । ଶ୍ରୁତ ଓ ଅନୁଭୂତ ପ୍ରତିଟି ଅନୁଭବ ଏକ ଅସାଧାରଣ କାବ୍ୟ ପ୍ରକ୍ରିୟା ଭିତରେ ଦାନାବାନ୍ଧି ଓ ଚିତ୍ରରୂପ ପରିଗ୍ରହଣ କରେ ।

 

କଥାର ଛବି ବା କାବ୍ୟବିମ୍ବ ଦୂର ଓ ନିକଟ, ଭିତର ବାହାରକୁ ନିମିଷକେ ଯୋଡ଼ିଦିଏ । ବାକ୍‌ ପ୍ରତିମାଟିଏ ସ୍ୱତଃ ସେଠାରେ ମହାବିଶ୍ୱ, ମହାମିଳନର ପ୍ରତିଭୂ ହୋଇଯାଏ । ଶିଳ୍ପୀର ଇନ୍ଦ୍ରିୟାନୁଭବ ବ୍ୟାପ୍ତ ଓ ପ୍ରସାରଣଶୀଳ ହୋଇ ମହାଜୀବନର ସନ୍ଧାନ କରେ । ବିଶ୍ୱବିଖ୍ୟାତ ନାଟ୍ୟଶିଳ୍ପୀ ମ୍ୟୁରିସ୍‌ ମେଟରଲିଙ୍କ ଦି ବ୍ଲିୁ ବାର୍ଡ଼ (ନୀଳ ଚଢ଼େଇ) ଏକ ବିମ୍ବ; ଯାହା ଭାବଜଗତର ଏକ ପ୍ରତୀକ ଚିତ୍ର । ସେ ନୀଳ ଚଢ଼େଇ ଆଉକିଛି ନୁହେଁ - ସେ ଆନନ୍ଦର ବିଗ୍ରହ । ଆନନ୍ଦ ଏ ସଂସାରର କ୍ଷୁଦ୍ର ବିଷୟରେ ବି ଅଛି । ତାକୁ ଅନ୍ୱେଷଣର କରିବାର ଅଛି । ଆନନ୍ଦ ସ୍ମୃତି ଭିତରେ, ରହସ୍ୟ ଭିତରେ ଲୁଚି ରହିଛି । ଜୀବନର ଦୈନନ୍ଦିନ ସଂଗ୍ରାମ ଭିତରେ ବି ମହାନନ୍ଦ ଭରି ରହିଛି । ଜଣେ ପରିବ୍ରାଜକ ହେଲେ ଯାଇ ଜୀବନର ସେ ମହାନନ୍ଦ ଲାଭ କରିପାରିବ । ତା’କୁ ଉଭୟ ମରୁପ୍ରାନ୍ତର ଓ ନନ୍ଦନବନ ମୋହାଚ୍ଛନ୍ନ କରି ରଖିପାରିବ । ନଈଟିଏ, ନାରୀଟିଏ, ବଣଟିଏ, ପାହାଡ଼ଟିଏ, ନଈପଠାରେ ଚରୁଥିବା ଗୋରୁଗୋଠ, ଚଇତାଳି ପବନ, ଦୂରଗାଁର ବାଜାଗୀତ ସବୁକିଛି ଜଣକର ଆନନ୍ଦ ବିଭୋର ସୃଜନାତ୍ମକ ମନ ପାଇଁ ରୂପକାତ୍ମକ ମନେହେବ ।

 

କବିକବିତା ଯେଉଁଠି ମେଜିକ୍‌ ପରି ଲାଗେ ବିମ୍ବ ସେଠି ବର୍ଣ୍ଣାଢ଼୍ୟ ବଳୟ ଭିତରେ ଗର୍ଭ ଗୃହସ୍ଥ ଦେବୀ ପ୍ରତିମା ପରି ଥାଏ । କବିତା ଯେଉଁଠି ମନ୍ତ୍ରର ପ୍ରଭାବ ସୃଷ୍ଟିକରେ ବିମ୍ବ ସେଠି ଯବକାଚ ପରି ବିଚିତ୍ର ଲାଗେ । ଆଉ ଯେଉଁ କବିତା ମହାମୁକ୍ତିର ପ୍ରସ୍ରବଣ ପରି ଲାଗେ ସେଠି କବିତାର ରୂପ ଚିତ୍ର ସବୁ ତୀର୍ଥତ୍ୱ ଲାଭ କରିଥାଏ ।

 

ବିମ୍ବ ଅତିମାତ୍ରାରେ ସଞ୍ଚରଣଶୀଳ । ବିମ୍ବର ଭାଷା ସେମିତି ଜାହ୍ନବୀ ପରି ବହିଯାଏ । ଭାଷା ତା’ର ଏକ ଚତ୍ମକାର ପ୍ରବହମାନତା । ବିମ୍ବ ସପ୍ତରଙ୍ଗୀ ଇନ୍ଦ୍ରଧନୁ ପରି । ରଙ୍ଗସବୁ ମିଶାମିଶି ହୋଇଥାଏ । ସେ ରଙ୍ଗ ବେଳେ ବେଳେ ଶବ୍ଦମୟ ହୁଏ । ଶବ୍ଦ ସବୁ ରେଖା ହୋଇଯାଏ । ଶବ୍ଦମୟ ଭାଷା ପ୍ରାର୍ଥନା ପରି ଲାଗେ । ଉଚ୍ଚାରିତ ମନ୍ତ୍ରପରି, ମୋହନର ବଂଶୀଧ୍ୱନି ପରି ଲାଗେ ।

 

ଚିତ୍ର ସବୁ କ୍ରମଶଃ ମହାଆନନ୍ଦର ଜଗତ ଆଡ଼କୁ ନେଇଯାଏ । ବାଟ ସରେ ନାହିଁ । ଚତୁର୍ଦ୍ଦିଗରେ ଫୁଲବଣ । ପକ୍ଷୀର ଗୀତ । କାମିନୀ ନାରୀର କଟାକ୍ଷ । ସେଠି ବି ମହୋତ୍ସବ । ମାଣପୁରେ, ସେର ପୂରେ । ପୁତା ଉଠେ ନାହିଁ । ନିର୍ଧୁମ ପବନ ବହେ । ଚାଷୀଘରେ ଶସ୍ୟ ଭର୍ତ୍ତି ହୋଇଥାଏ । ଫୁଲକୁଣ୍ଡ ସଜା ହୋଇଥାଏ । ରାତି ହେଉଥାଏ । ପୁଣି ସକାଳ ହେଉଥାଏ ଯୁଗ ଯୁଗ ଧରି କାହିଁ କେତେକାଳରୁ ଏ ରାତିଦିନ । ଅୟୁତ ଅୟୁତ ବର୍ଷଧରି ସକାଳ ହେଉଥିଲେ ବି ସବୁ ସକାଳ ନୂଆପରି ଲାଗେ । ସେଇ ପୁରୁଣା ପରିଚିତ ଜଗତ । ନୂଆ ଓ ଭାରି ଅପରିଚିତ ଲାଗେ । ସେ ପୃଥିବୀର ଭାଷା ତ ସ୍ୱର ଓ ସଙ୍କେତ । କେତେ ଘନ ପୁଣି କେତେ ସାନ୍ଦ୍ର । କେତେ ନିରୋଳା ନିର୍ଜ୍ଜନ ଅନୁଭବର, କେତେ ଶିହରଣର ସେ ଭାଷା ।

 

ବିମ୍ବ ଯେମିତି ସମ୍ବେଗର ସେମିତି ପ୍ରକାର । ବହୁଅର୍ଥ ବୋଧକ । ବେଣ୍ଟ ପୋଖରୀର ଅଜାତକାତ ପାଣି ପରି, ଜେମାଙ୍କ ଚନ୍ଦ୍ରାହାରର ନୀଳ ପୋହଳା ପରି । ଘୋର ବନସ୍ତକୁ ବାହୁଡୁଥିବା ଶୁଆଶାରୀଙ୍କ ଗୀତପରି ବାଟ ଜାଣି ନ ପାରିବା, ଦୂର ନଭକୁ ଭେଦି ନପାରିବା । ‘ଶାରୀ ପଚାରିଲା ଶୁଆଲୋ କେଉଁ ବାଟରେ ଯିବା, ଶୁଆ ବୋଲେ ଶାରୀ ଚାଲଗୋ ସ୍ୱର୍ଗଦାଣ୍ଡରେ ଯିବା ।’ ଏମିତି ବହୁ ଅର୍ଥ ବୋଧକ ପଦାବଳୀ ସବୁ । ମଧୁର ଲାଗେ; ଅଥଚ ଭାରି ଗମ୍ଭୀର ତା’ର ଭାବ ।

 

ସିସିଫସ ପୁଣି ମୃତ୍ୟୁପରେ ମର୍ତ୍ତ୍ୟକୁ ଆସିବା, ଏମାଟି, ଆକାଶ ଓ ସାଗରର ଶୋଭାରେ ବିମୋହିତ ହେବା । ସତେଇଶ ବର୍ଷ ଗତ ହୋଇ ଯାଇଥିଲେ ବି ବିଗତ ଯୌବନା ପତ୍ନୀଙ୍କ ସହିତ ସମୁଦ୍ର କୂଳ ବାଲିରେ ବୁଲିବା, ଗୋଟେ ଦିଗନ୍ତବ୍ୟାପୀ ଫାଙ୍କା, ସମତଳ ଲେଣ୍ଡସ୍କ୍ୟାପକୁ ଟିକା ଖୋଲି ବାରବାର ଦେଖିବା । ଆଖିର ଲୁହ ଶୁଖୁ ନଥିଲେ ବି ଜହ୍ନାରତିରେ ରତି କ୍ରୀଡ଼ା ପାଇଁ କେଉଁ ଅସତୀ ନାରୀକୁ ଆମନ୍ତ୍ରଣ କରିବାରେ ଯେଉଁ ସ୍ୱପ୍ନ ଓ ଆବେଗ ଅଙ୍କୁରିତ ଓ ବିନ୍ୟସ୍ତ ସେ ସବୁକୁ ଏ ପର୍ଯ୍ୟନ୍ତ ଆମ କଳା ଓ କବିତାରେ କେତେ ସହସ୍ର ରୂପକାତ୍ମକ ଏପିସୋଡ଼ରେ ପ୍ରକାଶ କରିଛୁଁ । ଗୋଟେ ମୌଳ ସମ୍ବେଗ, ଗୋଟେ ରସନିବିଡ଼ ଚିରନ୍ତନ ସାନିଧ୍ୟ କାମନାକୁ କେତେ ସରସ ଚିତ୍ରରେ ଅୟୁତ ଅୟୁତ ବର୍ଷ ଧରି ଆମେ ଲେଖିଛୁଁ ।

 

ଗୋଟେ ଇଭ ଓ ଗୋଟେ ଆଡାମ ଈଶ୍ୱରଙ୍କ ବାରଣ ନମାନି ନିଷିଧ ବୃକ୍ଷର ଫଳ ଖାଇଲା ପରେ ମିଳନ ପାଇଁ ପ୍ରୀତିପୂର୍ଣ୍ଣ ନୟନରେ ଯେପରି ଛିଡ଼ା ହୋଇଛନ୍ତି ସେତ ଗୋଟେ ଜଟିଳ ପ୍ରବୋଧିତ ଗଳ୍ପ । ସରସ ଓ ସୃଜନଶୀଳ । ଆମ ଆଦିମ ଓ ଏକାନ୍ତ ଅନିବାର୍ଯ୍ୟ ଶୃଙ୍ଗାର ଓ ସାନିଧ୍ୟର ସ୍ମାରକୀ ।

 

ହ୍ରଦ ପାହାଡ, ନଦୀ ପୁଷ୍କରିଣୀ, ଉଦ୍ୟାନ ଓ ଉପବନ, ମାଲ୍ୟାଣୀ ଝିଅ ଗାଲରେ ତିଳଚିହ୍ନ, ଜେମାଦେଈଙ୍କ ଉଆସ, କେଉଁ ବନଜା ମଞ୍ଜରୀର ମୀନ ନୟନ, ପୀନସ୍ତନ, କେଉଁ ସୁନନ୍ଦା ସାଧବାଣୀର ହରିଡ଼ା ଲେପିତ ତନୁଲତା, ଜଳସିକ୍ତ ଶଙ୍ଖଧବଳ ସ୍ତନ, ନୀଳକଇଁ ପରି ଆଖି ଯୋଡ଼ିଏ ଥିବା କେଉଁ ନଳିନୀର ଘନକୃଷ୍ଣ କାନ୍ତିର ବିଶ୍ଳଥ କବରୀ ସବୁକୁତ ଆମେ ଆମର ସ୍ୱପ୍ନ ଓ କଳ୍ପନା ଦେଇ ସହସ୍ର ସହସ୍ର ଚିତ୍ରରେ ପରିଣତ କରି ଦେଇଛୁଁ । ସେଇଥି ପାଇଁ ତ ଆମେ ଧନଦାତ୍ରୀ, ବିଦ୍ୟାଦାତ୍ରୀ ଆଦି ପୂଜନୀୟା ହିରଣ୍ମୟୀ, ବାକ୍‌ଦେବୀମାନଙ୍କୁ ତୁଙ୍ଗସ୍ତନୀ, ଶୁଭ୍ରାଙ୍ଗୀ ଓ ଲାବଣ୍ୟବତୀ କରି ପୂଜା କରୁଛୁଁ ।

 

ଗଭୀରତର ବ୍ୟାପକତର ଚେତନା ଦ୍ୱାରା ହିଁ ମଣିଷ ତା’ ଭିତରେ ଥିବା ଅପାପବିଦ୍ଧ ନିରୀହସତ୍ତା ଓ ପ୍ରବଣତାକୁ ହିଁ ଛୁଇଁ ପାରିବ । ଭୟ ଓ ବିଫଳତା ଭିତରେ ବି ଜୀବନର ଅର୍ଥ ଖୋଜିବ । ଏ କ୍ଳେଦାକ୍ତ ପୃଥିବୀର ବିକ୍ଷତ ଜୀବନ ତଥାପି ହତାଶା, ଧ୍ୱଂସ ଓ ଅନ୍ଧାରରେ ଜିଉଁଥିବା ମଣିଷ ପାଇଁ ସ୍ୱପ୍ନ ଓ ଆକର୍ଷଣ ହେଉ । ଏ ଆତ୍ମ ଅନ୍ୱେଷଣର ଶେଷ କାହିଁ? ଏ ସ୍ୱପ୍ନର ପୃଥିବୀ ଏ ଛାଇ ଆଲୁଅର ପୃଥିବୀର ଶେଷ କାହିଁ ?

 

ସାହିତ୍ୟରେ କେଉଁଠି ମହନୀୟ ଶ୍ରଦ୍ଧାଶୀଳତା ତ କେଉଁଠି ସାନିଧ୍ୟ କାମନା, କେଉଁଠି ନିଷ୍କପଟ ମୁକ୍ତିକାମନା ତ କେଉଁଠି ମୃତ୍ୟୁଚିନ୍ତା । ସଞ୍ଜ ପୂର୍ବରୁ ଅଜଣା ଅପରିଚିତ ଗାଁରେ ଜଣେ ବିଦେଶୀ ହଠାତ୍‌ ଗୋଟେ ବିମ୍ବ ପାଲଟି ଯାଏ । ଯେମିତି ଦିନ ଦିନ ଧରି ମଝି ସମୁଦ୍ରକୁ ସେ ବିପତ୍ନୀକ କୈବର୍ତ୍ତବୃଦ୍ଧ ଜଣକ ମାଛ ମାରି ଯାଇ ନିରାଶରେ ଫେରେ, ଯେମିତି ପାହାଡ଼ର ଶୀର୍ଷକୁ ବାରବାର ସେ ପଥର ଖଣ୍ଡକୁ ନେଉଥିବା ସତ୍ତ୍ୱେଖସି ପଡ଼ୁଥାଏ ଆଉ ଖସି ପଡୁଥିବା ସତ୍ତ୍ୱେପୂର୍ବ ଅଭିସମ୍ପାତ ଯୋଗୁଁ ପୁଣି ପଥର ଖଣ୍ଡିକୁ ପାହାଡ଼ ଉପରକୁ ନେବାର ଚେଷ୍ଟା ଜାରି ରଖୁଥିବା ମଣିଷଟି, ଯେମିତି କ୍ରୁଶବିଦ୍ଧ ହୋଇ ରକ୍ତକ୍ଷରଣ ହେଉଥିବା ମୁହୂର୍ତ୍ତରେ ବି ସେ କାଠୁରିଆର ଯୁବକ ପୁତ୍ରଟି ପ୍ରେମର କଥା କହି ପାରୁଥିଲା, ଯେମିତି ସେ ଅପ୍ରଶସ୍ତ କୂଅର ପଙ୍କ କାଦୁଅରେ ଅସହାୟଭାବେ ବୁଡ଼ି ଯାଉଥିଲା ବେଳେ ‘ବାପା ମୁଁ ଜୀବନକୁ କେତେ ଭଲପାଏ, ତୁମମାନଙ୍କୁ କେତେ ଭଲପାଏଁ ବୋଲି କହୁଥିବା ସେ ଶିଶୁପୁତ୍ର ଜଣକ, ଯେମିତି ସପ୍ତରଥୀଙ୍କ କପଟ ଯୁଦ୍ଧର ବ୍ୟୁହ ଭିତରେ ସେଦିନ ବୀର ବାଳକର ପ୍ରାଣବଳି, ଯେମିତି ନବତରୁଣୀ ପ୍ରିୟତମା ପତ୍ନୀଙ୍କୁ ବରଦେବାର ପ୍ରତିଶ୍ରୁତି ଅନ୍ୟପକ୍ଷରେ କାଲି ପ୍ରଭାତରେ ଜ୍ୟେଷ୍ଠପୁତ୍ରର ରାଜାଭିଷେକ ମଧ୍ୟରେ କିଂକର୍ତ୍ତବ୍ୟ ବିମୂଢ଼ ବୃଦ୍ଧ ପିତା, ଯେମିତି ଅନ୍ଧ ପିତାମାତାଙ୍କୁ ତୀର୍ଥାଟନରେ ନେଇ ଯାଉଥିବା ପିତୃ ମାତୃଭକ୍ତ ପୁତ୍ର ଜଣକ ଯେମିତି ସତ୍ୟରକ୍ଷା କରିବା ପାଇଁ ଋଷିଙ୍କୁ ସର୍ବସ୍ୱ ଦାନ କରି ଅବଶେଷରେ ନିଜର ପତ୍ନୀ ଓ ପୁତ୍ରକୁ ଚଣ୍ଡାଳ ହାତରେ ଟେକି ଦେଇଥିବା ମହାଦାନୀ ରାଜା ଜଣକର ଭାଗ୍ୟ ବିଡ଼ମ୍ବନା ଏମିତି ଅସଂଖ୍ୟ ଚିତ୍ର ସ୍ୱତଃ ପ୍ରତୀକ ପାଲଟି ଯାଇଛି । ଭାବଗତ କାବ୍ୟିକ ଉନ୍ମାଦନା କ୍ରମଶଃ କଥାଚିତ୍ର ଭିତରେ ବିମ୍ବକୁ ରୂପାନ୍ତରିତ ହୋଇଯାଏ ।’

 

ଅନୁଭୂତି ପୁଂଜର ଐକ୍ୟବୋଧ (Unification of Sensibility) କବିତାର ଧ୍ୟେୟ-। ଏହି ଅନୁଭୂତି ପୁଂଜ କ୍ରମଶଃ ଏକ ଗାଡ଼ ଓ ନିବିଡ଼ କାବ୍ୟିକ ତନ୍ମୟତାରେ ପରିଣତ ହୁଏ । ଏହି ଗାଢ଼ ଭାବାତ୍ମକ ତନ୍ମୟତା ଗୋଟେ ନିଛିଦ୍ର ରୂପକର ତର୍କଣା କରେ । ତାହା ହୁଏ କାବ୍ୟାତ୍ମକ ପ୍ରଗାଢ଼ତା ସଂପ୍ରେରିତ ଏକ ବିମ୍ବ; ଯାହାର ଅନ୍ତସ୍ଥଳରେ ଗୋଟେ ଗଛର ମଞ୍ଜିପରି ସ୍ମୃତି ଓ ସମ୍ବେଦନା ଭରି ହୋଇ ରହିଥାଏ । ଦୃଷ୍ଟ, ଶ୍ରୁତ ଓ ଅନୁଭୂତ ବହୁବିଚିତ୍ର ଅନୁଭୂତି ବିମ୍ବକୁ ସଜୀବ କରିଥାଏ । ବିମ୍ବ ସବୁଠାରୁ ଅଧିକ ସଞ୍ଚରଣଶୀଳ ଓ ଅନ୍ତର୍ମୁଖୀ ।

 

କବିଙ୍କ ପ୍ରବୋଧିତ ତଥା ଏକାନ୍ତ ସମ୍ବେଦନଶୀଳ ଜୀବନବୋଧରୁ ବିମ୍ବର ସୃଷ୍ଟି । ତୀବ୍ର ଏକ ମାନବିକ ଅନୁଭୂତି ଚିତ୍ର ସୃଷ୍ଟି ପଶ୍ଚାତରେ କ୍ରିୟାଶୀଳ ହୋଇଥାଏ ।

 

ସର୍ବତ୍ର ସାହିତ୍ୟର ସବୁଚିତ୍ର ସବୁ ଚରିତ୍ର କେମିତି ବିମ୍ବରେ ପରିଣତ ହୋଇଯାଏ । ଜନ୍ମ, ମୃତ୍ୟୁ, ଆଶା ଓ ଆନନ୍ଦ, ଜରା ଓ ଯୌବନ, ସୁନ୍ଦରୀଝିଅ, ରବିବାର ଛୁଟିଦିନ, ବାପାଙ୍କ ମୃତ୍ୟୁ, କୃପଣ ଲୋକର ଗୋଟେ ବନ୍ଦ କୋଠରୀ, ଗୋଟେ ମାୟାବିନୀ ନାରୀ, କାମୁକ ଅଥଚ ଛଳଛଳ ଲାଗୁଥିବା ଗୋଟେ ବିଦେଶୀ ପରିବ୍ରାଜକ ପାଠକର ବୋଧ ଓ ରସଦୃଷ୍ଟିରେ ଏକ ଏକ ବିମ୍ବ ପାଲଟି ଯାଆନ୍ତି । ଏ ସମସ୍ତଙ୍କର ତର୍କଣାରେ ସ୍ୱତଃ ଏକ ବିଶେଷ ଅର୍ଥ ବିଶେଷ ଇଙ୍ଗିତ ପ୍ରତିପନ୍ନ ହୁଏ । ସେପରି ବଳଶାଳୀ ଇଙ୍ଗିତ ସୃଷ୍ଟି କରିବା ତ ବିମ୍ବର ଉଦ୍ଦେଶ୍ୟ ।

 

ଶକ୍ତିଶାଳୀ ମେଟାଫର ସବୁ ନିଛିଦ୍ର ରୂପକାତ୍ମକତା ଭିତରେ ବିମ୍ବ ହୋଇଯାଏ । ସେହି କାବ୍ୟିକତା କାରଣରୁ କ୍ଷୁଦ୍ରତମ ଚ୍ଛିନ୍ନ ଚିତ୍ରଟିଏ ସେମିତି ପାଠକର ରସଚେତନାକୁ ଆଲୋଡ଼ିତ କରିଦିଏ । ଗୋଟିଏ କିଂଷୟ ପିଣ୍ଡର ପ୍ରଭାବ ବା ଆବେଦନ ତ ନିର୍ଭର କରେ ସଂଯୋଜିତ ଶକ୍ତିଶାଳୀ ଚ୍ଛିନ୍ନଚିତ୍ରଗୁଡ଼ିକ ଉପରେ । ଇଙ୍ଗିତ ଧର୍ମିତା ଯୋଗୁଁ ଚ୍ଛିନ୍ନଚିତ୍ରର ଭାବବଳୟ ଭାବ ସଞ୍ଚରଣଶୀଳତା ଭିତରେ ବିଶିଷ୍ଟତମ ହୋଇପଡ଼େ । ଏହି ଚ୍ଛିନ୍ନଚିତ୍ର କେଉଁଠି ଅଧିକ ବ୍ୟକ୍ତିକ (esoteric) ଅବା କେଉଁଠି ଅଧିକ ସାର୍ବିକ ହୋଇଥାଏ । ସବୁଚିତ୍ର ବିନ୍ୟାସ ପଛରେ କିନ୍ତୁ କମ୍‌ ବେଶୀରେ କାବ୍ୟିକ ଵିଚାରଣା (Poetic Logic) ଥାଏ ।

 

ଯେଉଁ ବିମ୍ବ ମଣିଷର ମଗ୍ନ ଚୈତନ୍ୟ ସହିତ, ସାମୂହିକ ସ୍ମୃତି ସହିତ ସମ୍ବନ୍ଧିତ ପାଠକର ମନ ଉପରେ ତା’ର ଯାଦୁକର ଶକ୍ତିଥାଏ । ବର୍ଣ୍ଣନା ଅପେକ୍ଷା ପ୍ରତୀକାତ୍ମକ ଚିତ୍ର ଯେଉଁଥି ପାଇଁ ଏତେ ଚିତ୍ର ପ୍ରବୋଧକ ଓ ଶକ୍ତିଶାଳୀ ସେଇଥି ପାଇଁ ବିମ୍ବ ପାଠକକୁ ନିବିଡ଼ ସ୍ମୃତିର ବଳୟ ଆଡ଼କୁ ନେଇଯାଏ ।

 

କାବ୍ୟ ଜଗତରେ ବିମ୍ବ ସର୍ବଦା ନୂତନ ଲାଗେ; ସଜୀବ ଲାଗେ । ପୁରୁଣା ଶବ୍ଦସବୁ ସୂକ୍ଷ୍ମତର ଭାବ ଚେତନାକୁ ପ୍ରାୟ ବହନ କରି ପାରନ୍ତିନି । ପୁରୁଣା ବିମ୍ବସବୁ ସେମିତି ରାଜାଙ୍କ ନଅର ପରି ପରିତ୍ୟକ୍ତ; ଅଥଚ ଅଭିଜାତ ହୋଇ କାଳକାଳ ପାଇଁ ରହିପାରିଥାଏ । ତାହା ଆଉ ଚିତ୍ତ ଉଲ୍ଲାସକ ସୃଜନଶୀଳ ସାରସ୍ୱତ ଅଭିଳାଷର ମାଧ୍ୟମ ହୋଇପାରେ ନାହିଁ । ଗଚ୍ଛିତଶବ୍ଦ ଓ ଗତାନୁଗତିକ ଅଭିବ୍ୟକ୍ତିକୁ ବର୍ଜନ କରିବା ଅଭିଳାଷରୁ ବିମ୍ବର ସୃଷ୍ଟି ହୋଇଛି । ବିମ୍ବର ଇଙ୍ଗିତକୁ କବିତାରେ ନୂତନ ଶବ୍ଦ ଯୁଗ୍ମ ସବୁ ପ୍ରକଟକ କରିଥାଆନ୍ତି । ଆଧୁନିକ ସାହିତ୍ୟର ବିମ୍ବ ଅଧିକ କଂକ୍ରିଟ ଓ ଇନ୍ଦ୍ରିୟନିଷ୍ଠ ହୋଇଛି । ପ୍ରାକ୍ତନ ସ୍ୱୈରବାଦୀ କବିତାର ବିମ୍ବସବୁ ମୁଖ୍ୟତଃ ରହସ୍ୟାତ୍ମକ ଓ ଅମୂର୍ତ୍ତ ଥିଲା ।

 

ସର୍ବତ୍ର ସବୁ ସାହିତ୍ୟରେ ପୁଣି ନାରୀ ନାନା ଭାବରେ ଚିତ୍ରିତ ହୁଏ - କେଉଁଠି ଜାୟା, ଜନନୀ, ଭଗିନୀ ତ ପୁଣି କେଉଁଠି ପ୍ରିୟା ଓ ପ୍ରଣୟିନୀ । ମାତ୍ର ଖଣ୍ଡେ ଖଣ୍ଡେ ଉପନ୍ୟାସରେ ବା ଗୋଟେ ଗୋଟେ ନାଟକରେ ନାରୀ ବହୁ ଇଙ୍ଗିତପୂର୍ଣ୍ଣ ବିମ୍ବଟିଏ ହୋଇଯାଇଥାଏ । ନାରୀ ଚରିତ୍ରଟି କେନ୍ଦ୍ର ଚିତ୍ରକଳ୍ପ ପରି ପ୍ରଭାବ ବିସ୍ତାର କରିଥାଏ । ଏମିତି ଖଣ୍ଡେ ଖଣ୍ଡେ ବହିପୁଣି ଥାଏ ତା’ର ସମୁଦାୟ ଜଗତଟି ଓ ତା’ର ସମୁଦାୟ ଭାବବୃତ୍ତଟି ନିର୍ନାରୀ ହୋଇଯାଇଥାଏ ।

 

ରୋଲାଁଙ୍କ ‘ଜନକ୍ରିଷ୍ଟୋଫର’ ଅନୁପମ ନାରୀପ୍ରେମର ଏକ ଅତି ହୃଦୟସ୍ପର୍ଶୀ ଭାଷ୍ୟ ଯେପରି । ନାରୀସତ୍ତାକୁ ଜୀବନ ପରିଧି ଭିତରେ ସେ ଯେପରି ଏକ ବିମ୍ବରେ ପରିଣତ କରି ଦେଇଛନ୍ତି । ନାରୀର ମନ ନ ପାଇବା, ପ୍ରେମ ନ ପାଇବା କାରଣ ଯୋଗୁଁ ଜୀବନ କିପରି ଦୁର୍ବହ ଓ ଶୂନ୍ୟଗର୍ଭ ହୋଇଯାଏ ଜୋଲାଙ୍କ ଜନକ୍ରିଷ୍ଟୋଫର ତା’ର ଏକ ରୂପକ ଚିତ୍ର ।

 

ରୋଲାଁ ନିଜେ ନିଜର ବ୍ୟକ୍ତିଗତ ଜୀବନ ପରିଧି ଭିତରେ ଜଣେ ବୟସ୍କା ନାରୀବନ୍ଧୁଙ୍କ ପ୍ରେମରେ ବିହ୍ୱଳ ହୋଇ ଯାଇଥିଲେ । ନାରୀର ଅନନ୍ୟ ପ୍ରେମ ଓ କରୁଣାକୁ ଲେଖିବା ପାଇଁ ସେ ଯେପରି ଅତୁଳନୀୟ ପ୍ରୋତ୍ସାହନ ପାଇ ଉଲ୍ଲସିତ ହୋଇ ଉଠିଛନ୍ତି । ରୋଲାଁ ଯେପରି ଅନୁଭବ କରିଛନ୍ତି ଜୀବନର ସତ୍ୟାନୁସନ୍ଧାନକୁ ନାରୀ ପ୍ରେମ ସୁଗମ କରିଦିଏ ।

 

ଯୁଗେ ଯୁଗେ ବହୁ କବି ଓ କଳାକାର ନାରୀକୁ ସ୍ୱର୍ଗ, ଅମରାବତୀ ଓ ମହାନ ପୁଲକର ଉତ୍ସ ବୋଲି ଜ୍ଞାନ କରିଛନ୍ତି । ନୋବେଲ ପୁରସ୍କାର ବିଜେତା ଆମେରିକାର ପ୍ରସିଦ୍ଧ କଥାଶିଳ୍ପୀ ସିନ କ୍ଲେୟାର ଲୁଇ ତାଙ୍କ ପ୍ରଧାନ ଗଳି (ମେନ୍‌ଷ୍ଟ୍ରିଟ) ଉପନ୍ୟାସରେ ନାରୀ ମନସ୍ତତ୍ତ୍ୱର ଚରମ ସତ୍ୟ ପ୍ରକାଶ କରିଛନ୍ତି । ମନେ ହୋଇଛି ନାରୀ ଯେପରି କେବଳ ଜଣେ ପୁରୁଷକୁ ପ୍ରେମ ଦେଇ ରହିପାରେ ନାହିଁ । ଜୀବନରେ ଏପରି ସମୟ ଆସେ ଯେତେବେଳେ ନାରୀ ଅନ୍ୟ ପୁରୁଷକୁ ବି ଭଲପାଏ ।

 

ନାରୀ ଯେପରି ସ୍ୱର୍ଗଦ୍ୱାର ସେହିପରି ନର୍କକୁ ମଧ୍ୟ ବାଟ ଫିଟାଇଦିଏ । ନାରୀ କବି କଳ୍ପନାରେ ମସ୍ତବଡ଼ ବିମ୍ବଟିଏ ହୋଇ ଯାଇଛି ଯେପରି ଆକାଶ ଓ ପୃଥିବୀ । ଅନାତଲେ ଫ୍ରାନ୍‌ସ ତାଙ୍କ ‘ମାଇଁ ଫ୍ରେଣ୍ଡସ୍‌ ବୁକ୍‌’ ଉପନ୍ୟାସରେ ସନ୍ନ୍ୟାସୀ ହୋଇଥିଲେ ବି ଏ ସଂସାରର ସୁପୁରୁଷମାନେ ଈଶ୍ୱରଙ୍କୁ ଭୁଲି ନାରୀ ପ୍ରେମରେ ପଡ଼ିଥାଆନ୍ତି ବୋଲି କହି ନାରୀକୁ ଚରମ ସ୍ୱପ୍ନ ଓ ଆକର୍ଷଣର ବିଷୟ ବୋଲି ବର୍ଣ୍ଣନା କରିଛନ୍ତି । ଅନାତଲେ କହିଛନ୍ତି, ଜଣେ ନାରୀର ପ୍ରେମକଥା ଲେଖାଥିବା ବହି ପଢ଼ି ସାରିଲା ପରେ ପାଠକ ମାଧୁରୀ, ସୌନ୍ଦର୍ଯ୍ୟ ଓ ବିଶ୍ୱସ୍ତତା ପାଇବେ ।

 

ଏ ପ୍ରକାର ଅଭିମତ ତାଙ୍କର ବୋଧ, ମନ୍ତବ୍ୟ ଓ ଧାରଣାର ପ୍ରଚୁର ସ୍ୱାଧୀନତା ଘୋଷଣା କରେ । ଏମିତି ଧାରଣାଗତ ଅବା ଅନ୍ତରଙ୍ଗ ଏସଥେଟିକ ଉଚ୍ଛ୍ୱାସ ସବୁ ଶିଳ୍ପୀଙ୍କ ମାନସିକ ସ୍ୱାଧୀନତାର ବିଷୟ; ଯାହାକୁ ସର୍ବଦା ହୁଏତ ତର୍କ ବା ଅନୁଶାସନ ଭିତରେ ଆଦୌ ବାନ୍ଧି ହେବନି ।

 

ଶବ୍ଦ ଧ୍ୱନିର ରେଖାଙ୍କିତ ଚିତ୍ର ମାତ୍ର ନୁହେଁ । ତାହା କବିର ସମ୍ବେଗ ସମନ୍ୱିତ ହୋଇ ବନ୍ଧ୍ୟାଭୂମି ଶସ୍ୟଶ୍ୟାମଳା ହେଲା ପରି ଅର୍ଥ ପୂର୍ଣ୍ଣ ହୁଏ । ଅନେକ ଶବ୍ଦ ଯୁଗ୍ମର ଭାବ ବଳୟ ସବୁ ଯେଉଁ ପ୍ରତୀକ ସୃଷ୍ଟି କରନ୍ତି ତାହା କୌଣସି ସୁନ୍ଦରବସ୍ତୁ ସଂପର୍କରେ ସ୍ଥୂଳ ବିବରଣୀ ମାତ୍ର ପ୍ରଦାନ କରେ ନାହିଁ । କବିତାର ଭାଷା ତେଣୁ ଏହି ବଳୟ ରଚନା ଭିତରେ ଏତେ ସରସ ଓ ସମ୍ବେଗାତ୍ମକ-। ଭାଷାର ଏହି ଶକ୍ତିଶାଳୀ ପ୍ରତୀକାତ୍ମକ ବଳୟ ସବୁ ଗ୍ରହଣ ଶୀଳତାର ଏକ ଏକ ବ୍ୟାପ୍ତି । ସେହି ବ୍ୟାପ୍ତି ଏକ ଏକ ମଧୁର ଓ ହୃଦୟ ନିବିଡ଼ ସଞ୍ଚରଣଶୀଳତା ।

 

ବିମ୍ବର ମୂଳାଧାର ହେଉଛି ବିରଳ ତଥା ପରିବୋଧନୀୟ ମୁହୂର୍ତ୍ତଗୁଡ଼ିକୁ ନାନାମତେ ସଞ୍ଚାଳିତ କରିବା; ଯାହା ହୁଏତ ଶୁଦ୍ଧ ରସାନୁଭୂତି ଆଡ଼କୁ ପାଠକକୁ ନେଇଯିବ । ରସ ଜଗତରେ ରହି ତଥାପି ବାସ୍ତବ ଜଗତର ସ୍ଥିତିକୁ ସେ ଅନୁଭବ କରି ପାରୁଥିବ । ଅନୁଭୂତିର ଏହି ବିବିଧତା ଭିତରେ କବିତା ସର୍ବୋତ୍ତମ କଳା ।

 

ଅର୍ଥର ଚରମ ଗତି ଓ ବିସ୍ତାର ଶବ୍ଦ ଭିତରେ । ଶବ୍ଦର ଅର୍ଥ ମାର୍ଗ ଅତ୍ୟନ୍ତ ବଜ୍ର ଓ ଜଟିଳ-। ପ୍ରତୀକାତ୍ମକ ଶବ୍ଦର ସରଳ ଅର୍ଥ ଖୋଜିବା ସର୍ବଦା ବିଡ଼ମ୍ବନାର ବିଷୟ । ଆନନ୍ଦାନୁଭୂତିର ସାଧାରଣ ସ୍ଥୂଳ ଅର୍ଥ ପ୍ରକରଣ ନାହିଁ । କେବଳ ସଞ୍ଚରଣଶୀଳ ପ୍ରଭାବ ଯା’ ଆବିଷ୍ଟ କରେ କେବଳ । ବିରଳ, ପରିବୋଧନୀୟ ମୁହୂର୍ତ୍ତମାନଙ୍କୁ ଆଙ୍କିଥିବା କବିତାର ଭାଷାକୁ ସ୍ୱଚ୍ଛନ୍ଦରେ ତେଣୁ ଅନୁବାଦ କରିହେବ ନାହିଁ । କାରଣ କବିତାରେ ପ୍ରତୀକିତ ବିମ୍ବର ଧାରଣା ସାଧାରଣତଃ ପାଠକର ଚିନ୍ତନରେ ଆଦୌ ସ୍ପଷ୍ଟ ହୁଏ ନାହିଁ । କାରଣ ବିମ୍ବର ଭାବଗତ ବିସ୍ତାର ଆଦୌ ସରଳରୈଖିକ ନୁହେଁ । ତାହା ସର୍ବଦା ଶିଳ୍ପୀର ଅନ୍ତର୍ଲୀନ ମଗ୍ନଚୈତନ୍ୟ ସଂଜାତ ।

 

ବହୁପ୍ରସ୍ଥଯୁକ୍ତ ଭାବବସ୍ତୁର ଆବରଣ ପରେ ଆବରଣକୁ ହୁଏତ ଉନ୍ମୋଚନ କରାଯାଇପାରିବ । ମାତ୍ର ଅନ୍ତର୍ଲୀନ ପ୍ରାଣସ୍ପୂର୍ତ୍ତିର ପରିମଣ୍ଡଳକୁ ବ୍ୟବଚ୍ଛେଦ କରି ଦେଖାଇ ଦେଇ ହେବନି । କବି ଚିତ୍ତର ଯେଉଁ ଯୌଗିକ ସ୍ପୂର୍ତ୍ତି ବିମ୍ବର ଏନ୍ତୁଡ଼ିଶାଳ ସେହି ସ୍ପୂର୍ତ୍ତିକୁ ମଧ୍ୟ ବର୍ଣ୍ଣନା କରି ହେବନି । କବି ଚିତ୍ତର ନିବିଡ଼ ବିଷାଦକୁ ସେହପରି ତା’ ମଧୁରତର ସଙ୍ଗୀତରୁ ଆଦୌ ପୃଥକ କରି ହେବନି । ଯେମିତି କବିର ମନ ଉପବନରେ ବିଷାଦ ଜର୍ଜ୍ଜରିତ ସନ୍ନ୍ୟାସର ଭାବ ବି ବହୁରଙ୍ଗୀ ଫୁଲ ହୋଇ ଫୁଟିଥାଏ ।

 

ବସନ୍ତର ଚୈତ୍ର ଉପବନ ଯେପରି ବିମ୍ବ ହୋଇଯାଏ ଗୃହଜୀବନରେ ଚରମ ସାର୍ଥକତା ଲାଭ କରୁଥିବା, ଘରକୁ ଶ୍ରେଷ୍ଠ ଲୀଳାଭୂମି ଜ୍ଞାନ କରୁଥିବା ନାରୀଟିଏ ବି ଗୋଟେ ମେଟାଫର ପାଲଟିଯାଏ ଯେ ପତିପୁତ୍ର, ଜ୍ଞାତିବନ୍ଧୁଙ୍କ ଚରମ ପ୍ରତ୍ୟାଖ୍ୟାନ ଭିତରେ ଏକାନ୍ତ ନିଃସଙ୍ଗ ହୋଇ ଯାଇଥିଲେ ବି କହେ, ‘ଏହିଭଳି ହ୍ରଦ କୂଳରେ, ଏତେ ସୁନ୍ଦର ଜହ୍ନ ଆଲୁଅ ଭିତରେ ମୋର କ’ଣ କେହି ନାହାନ୍ତି ଯେ ମତେ ଟିକେ ତା’ର ଦୁଇବାହୁ ଭିତରେ କ୍ଷଣକ ପାଇଁ ହେଲେ ଆଶ୍ରୟ ଦିଅନ୍ତା ।

 

କବିଚିତ୍ତ ଭାବରେ ମତ୍ତ ନହେଲେ, ପୁଲକିତ ନହେଲେ ଚରମ ଦୁଃଖରେ ମଧୁରଚର ଗୀତ ପାଇ ପାରିବନି କି ଅନନ୍ୟ ରୂପ ଆଙ୍କି ପାରିବନି ।

 

ଚିତ୍ରରୂପ ଏକ ପ୍ରସାରଣଶୀଳ ସାଙ୍କେତିକ ଭାଷାରେ ପ୍ରକଟିତ ହୁଏ । ଗୋଟେ ଅଙ୍କନ, ଗୋଟେ ଶାବ୍ଦିକ ବ୍ୟଞ୍ଜନା ଇଙ୍ଗିତଧର୍ମୀ ଭାବ ଭାବନାରେ ହିଁ ଅଧିକ ଗତିଶୀଳ ଓ ଆବେଦନ ଯୁକ୍ତ ହୋଇଥାଏ । ଗୋଟେ ସକାଳକୁ ଓ ସକାଳର କୋମଳ ସ୍ପର୍ଶକୁ ଜଣେ ବୁଦ୍ଧି ବଳରେ, କିମ୍ବା ତର୍କର ସାହାଯ୍ୟ ନେଇ ଉପଲବ୍ଧି କରେ ନାହିଁ । ଜ୍ୟାମିତିକ ଅନୁଶୀଳନ ଜରିଆରେ ମାପ୍‌ଚୁପ କରି ଗୋଟିଏ ଜଳ ବା ସ୍ଥଳର ଛବିଳ ମାନଚିତ୍ରକୁ କେହି ଉପଭୋଗ କରେ ନାହିଁ ।

 

ରୂପଚିତ୍ର ଆଙ୍କିବା ପାଇଁ ପୂର୍ବ ନିର୍ଦ୍ଧାରିତ କୌଣସି ଅନୁଜ୍ଞା ନଥାଏ । କବି ଚିତ୍ତର ସୃଜନଶୀଳ ଉଚ୍ଛ୍ୱାସ, ତଦ୍‌ଜନିତ ପ୍ରବୋଧିତ ଅନ୍ତର, ସ୍ୱପ୍ନଶୀଳତା ଓ ସେବୁର ଏକ ନିବିଡ଼ ପାରସ୍ପର୍ଯ୍ୟାତ୍ମକତା ବୁଦ୍ଧି ଊଦ୍ଧ୍ୱର୍ତ୍ୱର ସ୍ତରକୁ ନେଇଯାଏ । ମାମୁଲି ଶବ୍ଦମାନେ ବର୍ଣ୍ଣନା କରି ସେ ସ୍ତରର ଅନ୍ତର୍ଲୀନ ଅନୁଭବକୁ ଆଦୌ ବ୍ୟକ୍ତ କରି ପାରନ୍ତିନି । ସେଥିପାଇଁ ଲୋଡ଼ାହୁଏ ଚିତ୍ରକଳ୍ପ ଓ ଚିତ୍ରକଳ୍ପ ପରି ସମଗୋତ୍ରୀୟ ବିମ୍ବସବୁ ।

 

ବିମ୍ବସବୁ ସତରେ କୁହୁକ ଦର୍ପଣମାନଙ୍କ ପରି; ଯାହା ଭିତରେ କେତେ ଭିତରଖଞ୍ଜାର ଦୃଶ୍ୟ ଅଙ୍କିତ ହୋଇ ରହିଥାଏ । କେତେ ଅଦ୍ଭୁତ ଲାଗେ ସୁବିନ୍ୟସ୍ତ ମେଟାଫର ଯାହା ସବୁ ମଣ୍ଡଳକୁ ସଂଯୋଗିତ କରିଦିଏ । ମୂଳଗ୍ରନ୍ଥରୁ ତାହା କୌଣସି ବିଷୟକୁ ବିୟୋଗିତ କରିଦିଏନା ।

 

ଚିତ୍ରକଳ୍ପ ବା ବିମ୍ବ ଯଥାର୍ଥରେ ଏକ ସ୍ମୃତିବୋଧ ବା ଅତୀତର ଏକ ସମ୍ବେଦନାତ୍ମକ ଅନୁଭୂତି । ମଣିଷର ବହିର୍ବିଶ୍ୱ ସମ୍ପର୍କିତ ଜ୍ଞାନ ଏକାନ୍ତ ମନୋମୟ । ମଣିଷ ମନରେ ଏ ପରିଦୃଶ୍ୟମାନ ଜଗତ କେତେ ଯେ ଛବିଳ, କେତେ ଯେ ଆନଆନ ପ୍ରକାରର ଦୃଶ୍ୟସବୁ ନିରନ୍ତର ଏଠି ସବୁ ରହିଛି କବିତା ସେସବୁ ଚିତ୍ତଉଲ୍ଲାସକ ଦୃଶ୍ୟାବଳୀର ଏକ ସରସ ଶାବ୍ଦିକ ପ୍ରତୀକ ।

 

ଏ ସବୁ ବ୍ୟାପାର ମଣିଷର ତୀବ୍ର ମାନବିକ ଅନୁଭୂତିଠାରୁ କଦାପି ଭିନ୍ନ ନୁହେଁ । ଏହି ତୀବ୍ର ମାନବିକ ଅନୁଭୂତିର ଗାଢ଼ତା ଓ କିଛି ସ୍ମୃତିବୋଧ ହିଁ ବିମ୍ବ ସୃଷ୍ଟିର ପ୍ରେରଣା ସୃଷ୍ଟି କରେ । ଶିଳ୍ପୀ ମନର ଅସଲ ସୃଜନଶୀଳତା ବସ୍ତୁତଃ ଏକ ରୂପାନ୍ତର ପ୍ରକ୍ରିୟା, ଏକ ପ୍ରଗାଢ଼ ସ୍ମୃତି ରୋମନ୍ଥନ; ଯାହା ସର୍ବୋତ୍ତମ କାବ୍ୟ ବିମ୍ବକୁ ଜନ୍ମଦିଏ ।

 

 

ପ୍ରାଧ୍ୟାପକ,

ଉପାଧ୍ୟୁତ୍ତର ଓଡ଼ିଆ ବିଭାଗ,

ସମ୍ବଲପୁର ବିଶ୍ୱ ବିଦ୍ୟାଳୟ,

ଜ୍ୟୋତି ବିହାର

 

 

ମଧ୍ୟଯୁଗୀୟ ଓଡ଼ିଆ କାବ୍ୟସାହିତ୍ୟର

ଦୌତବିଭବ

ଡକ୍ଟର ଅଶୋକ କୁମାର ତ୍ରିପାଠୀ

 

ମଧ୍ୟଯୁଗୀୟ ଓଡ଼ିଆ କାବ୍ୟସାହିତ୍ୟ ମୁଖ୍ୟତଃ ପ୍ରଣୟଭାବମୂଳକ । ନାୟକ ନାୟିକାଙ୍କର ପୂର୍ବଜନ୍ମଠାରୁ ଆରମ୍ଭ କରି ଏ ଜନ୍ମରେ ସେମାନଙ୍କର ବାଲ୍ୟ, ପୌଗଣ୍ଡ, କୈଶୋର, ଯୌବନ, ପୂର୍ବରାଗ, ମିଳନ, ବିଚ୍ଛେଦ ଓ ପୁର୍ନମିଳନର ବର୍ଣ୍ଣନାରେ କାବ୍ୟ କଳେବର ଭାରାକ୍ରାନ୍ତ । ଏ ସମସ୍ତ ବିଭାଗ ମଧ୍ୟରୁ ନାୟକ-ନାୟିକାଙ୍କ ମିଳନ-ସଂଘଟନର ବର୍ଣ୍ଣନା ଅଧିକ ଦୀର୍ଘ ଓ ରସାଳ ରୂପ ପରିଗ୍ରହ କରିଥାଏ | ଏହି ପର୍ଯ୍ୟାୟରେ ନାୟକ-ନାୟିକାଙ୍କ ମିଳନ ସଙ୍ଘଠନ ନିମିତ୍ତ ଯେଉଁ ଦୂତ, ଦୂତୀ, ସଖା, ସଖୀ, ସନ୍ନ୍ୟାସୀ, ସନ୍ନ୍ୟାସିନୀ, ମାଲ୍ୟାଣୀ ପ୍ରଭୃତି ସହାୟକ ଚରିତ୍ରମାନଙ୍କର ଆଶ୍ରୟ ନିଆଯାଇଥାଏ, ସେମାନଙ୍କୁ ସଂଯୋଜକ ଚରିତ୍ର କୁହାଯାଇପାରେ । ଏମାନଙ୍କର ବିବିଧରୂପ ସମ୍ପର୍କରେ ଭରତମୁନି ଲେଖିଛନ୍ତି, ପ୍ରତିବେଶିନୀ, ସଖା, ଦାସୀ, ବାଳିକା, ବଢ଼େୟାଣୀ, ଧାଈ, ପାଖଣ୍ଡିନୀ ପ୍ରଭୃତିଙ୍କୁ ଦୂତୀରୂପରେ ନିର୍ବାଚନ କରାଯାଇଥାଏ । ୧। ଆଳଙ୍କାରିକ ବିଶ୍ୱନାଥ କବିରାଜଙ୍କ ମତରେ ସଖୀ, ନର୍ତ୍ତକୀ, ଭୃତ୍ୟା, ଧାତ୍ରୀ ବା ଧାତ୍ରୀପୁତ୍ର, ପଡ଼ୋଶିନୀ, କୁମାରୀ, ପରିବ୍ରାଜିକା ବା ସନ୍ନ୍ୟାସିନୀ, ରଜକିନୀ, ଚିତ୍ରକାରାଦି ସ୍ତ୍ରୀ ଓ ସ୍ୱୟଂନାୟକ, ନାୟିକା ଦୌତ୍ୟକାର୍ଯ୍ୟ ସଂପାଦନ କରିଥାଆନ୍ତି । ।୨|ଏତଦ୍‌ ବ୍ୟତୀତ ‘ଗଥାସପ୍ତଶତୀ’ର ବିଭିନ୍ନ ଗାଥାରେ ମାଇଁ, ପିଉସୀ, ମାଉସୀ ପ୍ରଭୃତି ବୟୋଜ୍ୟେଷ୍ଠା ସମ୍ପର୍କୀୟମାନଙ୍କର ଦୌତ୍ୟକର୍ମ ସମ୍ପର୍କରେ ଉଲ୍ଲେଖ ରହିଛି । ।୩I

 

ଲକ୍ଷ୍ୟ କରିବାର କଥା, ଉଭୟ ଆଳଙ୍କାରିକ ଓ ସଂଗ୍ରାହକଙ୍କ ଦ୍ୱାରା ପ୍ରଦତ୍ତ ଏହି ରୂପଭେଦ ମଧ୍ୟରେ ପୁରୁଷ ଚରିତ୍ରର ସ୍ଥାନ ନାହିଁ । ଶୃଙ୍ଗାରରସ ସଂଯୋଜନାରେ ଦୂତ ବା ପୁରୁଷ ସଂଯୋଜକ ଚରିତ୍ରର ଭୂମିକାଠାରୁ ଦୂତୀ ବା ନାରୀ ସଂଯୋଜକ ଚରିତ୍ରର ଭୂମିକା ଅଧିକ ମହତ୍ତ୍ୱପୂର୍ଣ୍ଣ ହୋଇଥିବା ଯୋଗୁଁ ଏମାନେ ନାରୀ ଚରିତ୍ର ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଛନ୍ତି । ମଧ୍ୟଯୁଗୀୟ ଓଡ଼ିଆ କାବ୍ୟ ସାହିତ୍ୟରେ ମଧ୍ୟ ନାରୀ ସଂଯୋଜକ ଚରିତ୍ରର ଅଧିକତର ଅବଲମ୍ବନ ହୋଇଥିବା ଦେଖାଯାଏ । ମଧ୍ୟଯୁଗୀୟ ଓଡ଼ିଆ କାବ୍ୟ ସାହିତ୍ୟ ଅନୁରୂପ ଭାବେ ଶୃଙ୍ଗାରାଶ୍ରୟୀ ହୋଇଥିବାରୁ ଏଥିରେ ସଖା ଅପେକ୍ଷା ସଖୀ, ଦାସ ଅପେକ୍ଷା ଦାସୀ ଏବଂ ଦୂତ ଅପେକ୍ଷା ଦୂତୀ ଅଧିକ ମାତ୍ରରେ ମଧ୍ୟସ୍ଥ ବୃତ୍ତି ଆଚରଣ କରିଛନ୍ତି । ପୁଣି ମଧ୍ୟଯୁଗୀୟ କାବ୍ୟର ନାୟକ, ନାୟିକାମାନେ ବିଶେଷତଃ ରାଜକୁମାର ଓ ରାଜକୁମାରୀ । ଏହି ସମ୍ଭ୍ରାନ୍ତ ବଂଶୀୟାରାଜଜେମାନଙ୍କର ଅନ୍ତଃପୁରକୁ ପ୍ରବେଶ କରିବାର ସୁଯୋଗ ପୁରୁଷ ପକ୍ଷେ ଦୁର୍ଲଭ । ଉପେନ୍ଦ୍ରଭଞ୍ଜଙ୍କ ‘ଲାବଣ୍ୟବତୀ’ରେ ନାୟକ ଚନ୍ଦ୍ରଭାନୁର ଟିଟାଉ ନେଇ ବ୍ରହ୍ମଚାରୀ ଯେତେବେଳେ ନାୟିକା ଦରବାରରେ ଉପସ୍ଥିତ ହୋଇଛି, ସେତେବେଳେ ଦ୍ୱାରପାଳାଦି ରାଜକର୍ମଚାରୀମାନେ ତାକୁ ଅନ୍ତଃପୁରକୁ ପ୍ରବେଶ କରିବା ପାଇଁ ସୁଯୋଗ ଦେବେ ନାହିଁ ଭାବି ସେ ଚକ୍ଷୁବନ୍ଧନ ବିଦ୍ୟାଳୟରେ ନାରୀ ରୂପ ଧାରଣ ପୂର୍ବକ ଅନ୍ତଃପୁର ମଧ୍ୟରେ ପ୍ରବେଶ କରିଛି । ୪Iସେହିପରି ବ୍ରଜନାଥ ବଡ଼ଜେନାଙ୍କ ‘ଚତୁରବିନୋଦ’ ଅନ୍ତର୍ଗତ ରସବିନୋଦରେ ମାଲୁଣୀର ସହାୟତାରେ ଗିରିଧାରୀ ଦତ୍ତ ନାରୀବେଶ ଧାରଣ ପୂର୍ବକ ନୀଳସୁନ୍ଦର ସେଠର ଅନ୍ତଃପୁର ମଧ୍ୟରେ ପ୍ରବେଶ କରି ମଞ୍ଜରୀ ସହିତ ମିଳିତ ହୋଇଛି । ।୫I

 

ପୁରୁଷ ନିଳୟକୁ ଯିବାରେ ନାରୀ ପାଇଁ ସେହିପରି କଠୋର ପ୍ରତିବନ୍ଧକ ନାହିଁ । ପୁଣି କୋମଳା, ସ୍ନେହଶୀଳା ନାରୀ ପ୍ରେମିକା ପ୍ରେମିକାଙ୍କ ବିଚ୍ଛେଦଜନିତ ବିଷାଦବୋଧ ତଥା ଅନୁରାଗ ଜନିତ ଆକର୍ଷଣକୁ ହୃଦୟଙ୍ଗମ କରିବାରେ ଅଧିକ ସମର୍ଥା । ତେଣୁ ଉଭୟଙ୍କ ପ୍ରତି ସମ୍ବେଦନଶୀଳା ହୋଇ ଉଭୟଙ୍କ ମିଳନ ସଂଘଟନରେ ସେ ଆନ୍ତରିକତା ପ୍ରଦର୍ଶନ କରିଥାଏ ।

 

ତଥାପି ପୁରୁଷ ସଂଯୋଜକ ଚରିତ୍ର ଯେ ସର୍ବାଦୌ ଅନାବଶ୍ୟକ, ତାହା କୁହାଯାଇପାରେ-। ‘ଲାବଣ୍ୟବତୀ’ରେ ନାୟକ ଚିତ୍ରପଟ ଘେନି ସନ୍ନ୍ୟାସୀର ଯାତ୍ରା, ଐନ୍ଦ୍ରଜାଲିକର ଯାଦୁବିଦ୍ୟା ପ୍ରଦର୍ଶନ, ବ୍ରହ୍ମଚାରୀର କାର୍ଯ୍ୟ ତଥା ‘କୋଟିବ୍ରହ୍ମାଣ୍ଡ ସୁନ୍ଦରୀ’ରେ ମନ୍ତ୍ରୀ ଓ ରାଜପୁରୋହିତ ଏବଂ ଦେବର୍ଷି ନାରଦ ପ୍ରଭୃତି ଚରିତ୍ର ଅପରିହାର୍ଯ୍ୟ ମନେହୁଅନ୍ତି । ସେହିପରି କୃଷ୍ଣକାବ୍ୟମାନଙ୍କରେ ଅକ୍ରୂର, ଉଦ୍ଧବ ଏବଂ ରାମକାବ୍ୟଗୁଡ଼ିକରେ ଅଙ୍ଗଦ, ହନୁମାନ ପ୍ରଭୃତି ପୁରୁଷ ସଂଯୋଜକ ଚରିତ୍ରମାନଙ୍କ ସ୍ଥାନରେ ନାରୀ ଚରିତ୍ରର ପରିକଳ୍ପନା କରିହେବ ନାହିଁ । ଯେଉଁ ପରିସ୍ଥିତିରେ କୌଣସି ନାରୀ ସଂଯୋଜକ ଚରିତ୍ରର ଆଶ୍ରୟ ନେଇଥାଏ । ସେହିପରି ଯେଉଁ ପରିସ୍ଥିତିରେ କୌଣସି ମାନବୀୟ (ପୁରୁଷ ଓ ନାରୀ) ସଂଯୋଜକ ଚରିତ୍ର ଦେଇ ସ୍ରଷ୍ଟା ତା’ର ଉଦ୍ଦେଶ୍ୟ ସାଧନ କରିପାରେ ନାହିଁ ବା ଉଚିତ ମନେକରେ ନାହିଁ, ସେଠାରେ କୌଣସି ଅଦ୍ଭୂତକର୍ମା ସନ୍ନ୍ୟାସୀ (ମାଙ୍ଗଲ୍ୟା, ଚିତ୍ରପୁଂସ, ଜାଙ୍ଗଳିକ, ଐନ୍ଦ୍ରଜାଲିକ) କିମ୍ବା କୌଣସି ଅତିମାନବୀୟ ସଂଯୋଜକ ଚରିତ୍ର (ଇନ୍ଦ୍ର, ପବନ, ଯୋଗମାୟା)ର ଆଶ୍ରୟ ନେଇଥାଏ । ବେଳେବେଳେ କାବ୍ୟ-ବିଷୟବସ୍ତୁର ପରିବେଶ ଭିତରୁ କୌଣସି ମାନବେତର ପ୍ରାଣୀ (ପଶୁ, ପକ୍ଷୀ)ଙ୍କୁ ମଧ୍ୟ ଏ କ୍ଷେତ୍ରରେ କାବ୍ୟକାରମାନେ ଗ୍ରହଣ କରିଥିବା ଦେଖାଯାଏ ।

 

ତଥାପି ପ୍ରୀତିକାର୍ଯ୍ୟ ସାଧନରେ ଏ ସମସ୍ତଙ୍କ ଅପେକ୍ଷା ଦୂତୀର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ । ଏଣୁ ନିମ୍ନରେ ଦୂତୀର ରୂପଭେଦ ସଂପର୍କରେ ବିଚାର କରାଯାଉଛି ।

 

ପ୍ରୀତି କାର୍ଯ୍ୟ ସାଧନରେ ଯେ ନିପୁଣା, ତାକୁ ଦୂତୀ କୁହାଯାଏ ।୬I ଏମାନଙ୍କୁ ଦୁଇଭାଗରେ ବିଭକ୍ତ କରାଯାଇଥାଏ । ଯଥା, ଆପ୍ରଦୂତୀ ଓ ସ୍ୱୟଂଦୂତୀ । ।୭I ନାୟକ, ନାୟିକା ଦ୍ୱାରା ନିଯୁକ୍ତ ଯେଉଁ ଦୂତୀମାନେ କାର୍ଯ୍ୟକାରଣ ସମ୍ବନ୍ଧ ଦର୍ଶାଇ ଦୌତ୍ୟକର୍ମ ସମ୍ପାଦନ କରନ୍ତି, ସେମାନଙ୍କୁ ଆପ୍ତଦୂତୀ କୁହାଯାଏ । କାର୍ଯ୍ୟ-ସାଧନ- ପ୍ରଣାଳୀ ଭେଦରେ ଏମାନେ ତ୍ରିବିଧା ଅଟନ୍ତି । ଯଥା : କ, ପତ୍ରହାରିଣୀ-ଯେଉଁ ଦୂତୀ ନାୟିକାଦତ୍ତ ପତ୍ରିକା ନେଇ ନାୟକ ହସ୍ତରେ ଅର୍ପଣ କରିଥାଏ-। ପତ୍ରଦାନର ପ୍ରଣାଳୀ ଭେଦରେ ଏମାନେ ପୁଣି ତିନିଭାଗରେ ବିଭକ୍ତ । ଯଥା : ବିବେକରୂପୀ - ସସ୍ନେହ ଅଭିଭାଷଣ ପୂର୍ବକ ପତ୍ରଦାନକରେ, ଜ୍ଞାନରୂପା-ପ୍ରୀତିରୀତିମାନ କହି ପତ୍ରଦାନକରେ ଏବଂ ଅବିବେକରୂପା - ପତ୍ରଦାନ ପରେ ବିଭିନ୍ନ ପ୍ରସଙ୍ଗ କହି ନାୟକକୁ ଅନୁକୂଳ କରାଏ । ଖ. ଅମିତାର୍ଥା- ଇଙ୍ଗିତ ବାକ୍ୟ ମାଧ୍ୟମରେ ଯେ ଦୌତ୍ୟକର୍ମ, ସମ୍ପାଦନ କରେ । ବିଷୟ କଥନ ଭେଦରେ ଏମାନେ ପୁଣି ତିନିଭାଗରେ ବିଭକ୍ତ । ଯଥା, ଦୈନ୍ୟା-ନାୟିକାର ଆତୁରତା ଓ ଦୁଃଖ ପ୍ରକାଶ କରେ, ପ୍ରେମା-ନାୟିକାରସୁଗୁଣ କଥନରେ ତତ୍ପରା ଏବଂ ଚତୁରା-ନାୟିକାର ଶୋଭା କଥନରେ ପ୍ରବୀଣା । ଗ. ନିସୃଷ୍ଟାର୍ଥା-ନାୟିକା ଅନୁରୂପ ୟୁକ୍ତି ଉପସ୍ଥାପନା କରି ଯେଉଁ ଦୂତୀ ନାୟକର ଚିତ୍ତହରଣ କରିଥାଏ । ୟୁକ୍ତି ଉପସ୍ଥାପନାଭେଦରେ ଏମାନେ ମଧ୍ୟ ତ୍ରିବିଧା । ଯଥା : ଛାୟାବିମ୍ବା - ନାୟିକାର ଛାତାତୁଲ୍ୟ, ପ୍ରତିବିମ୍ବା - ନାୟିକାର ପ୍ରତିବିମ୍ବ ତୁଲ୍ୟ ଏବଂ ସ୍ୱୟଂବିମ୍ବ ସ୍ୱୟଂ ନାୟିକା ପରି ଯୁକ୍ତି କରିଥାଆନ୍ତି । ଓଡ଼ିଆ କାବ୍ୟସାହିତ୍ୟରୁ ଏ ସମସ୍ତ ପ୍ରକାର ଦୂତୀର ପରିଚୟ ଲାଭ କରିବା ଦୁସ୍କର ନୁହଁ ।

 

ଦୂତୀର ଦ୍ୱିତୀୟ ରୂପ ହେଉଛି ସ୍ୱୟଂଦୂତୀ । ନାୟିକା ଯେଉଁଠି ନିଜେ ନାୟକକୁ ସନ୍ଦେଶ ପ୍ରଦାନ କରେ କିମ୍ବା ମିଳନ ନିମିତ୍ତ ସଂକେତ ଦିଏ, ସେଠାରେ ତାକୁ ସ୍ୱୟଂଦୂତୀ ରୂପେ ଗ୍ରହଣ କରାଯାଏ । ବୋଧହୁଏ ବାତ୍ସାୟନଙ୍କ କାମସୂତ୍ରରେ ଥିବା କଷ୍ଟସାଧ୍ୟା ଓ ସୁଖସାଧ୍ୟା ନାରୀ ବିଭାଜନର ଭିତ୍ତି ଉପରେ କାବ୍ୟକାରମାନେ ସ୍ୱୟଂ ଦୂତୀର ପରିକଳ୍ପନା କରିଛନ୍ତି ।

 

ବର୍ତ୍ତମାନ ପ୍ରଶ୍ନ ଉଠେ, ନାୟକ-ନାୟିକାଙ୍କ ମିଳନ-ସଂଘଟନ ନିମିତ୍ତ ଏତେ ପ୍ରକାର ସଂଯୋଜକ ଚରିତ୍ର ଥିବା ସତ୍ତ୍ୱେ ନାୟିକା କାହିଁକି ନିଜେ ନିଜର ଦୌତ୍ୟ କାର୍ଯ୍ୟ ସମ୍ପାଦନ କରେ ? ଏହାର ଉତ୍ତରରେ କୁହାଯାଇପାରେ ଯେ ଉତ୍କଟ-ବିରହ ବେଦନା କିମ୍ବା ସାମାଜିକ ବାଧାବନ୍ଧନ କିମ୍ବା ଅନ୍ୟ ନିକଟରେ ନିଜର ଲଜ୍ଜା ଓ ଦୁର୍ବଳତାକୁ ପ୍ରକାଶ କରିବାର ଭୀତି ହିଁ ନାୟିକାକୁ ନିଜେ ନିଜର ଦୌତ୍ୟ କର୍ମ କରିବା ପାଇଁ ପ୍ରରୋଚିତ କରିଥାଏ । ।୮I ବିଶେଷତଃ ପ୍ରଗଜ୍ଜା ଓ ପ୍ରୌଢ଼ା ନାୟିକାମାନଙ୍କର ସ୍ୱୟଂଦୌତ୍ୟ ବର୍ଣ୍ଣନାରେ ସଂସ୍କୃତ ଓ ପ୍ରାକୃତ ଭାଷାର କବିମାନେ ବହୁ ରମଣୀୟ ପଦାବଳୀ ସୃଷ୍ଟି କରାଯାଇଛି । ରାଧାସପ୍ତଶଚୀ ଅମରୁଶତକ, ଶୃଙ୍ଗାରଶତକ, ରସମଞ୍ଜରୀ, ଆର୍ଯ୍ୟାସପ୍ତଶଚୀ ପ୍ରଭୃତି ଗ୍ରନ୍ଥରେ ସ୍ୱୟଂଦୌତ୍ୟର ବହୁ ରୂପବିଭବ ଦେଖିବାକୁ ମିଳେ ।

 

ଆପ୍ତଦୌତ୍ୟ ଅପେକ୍ଷା ସ୍ୱୟଂଦୌତ୍ୟ ଅଧିକ ଚାତୁର୍ଯ୍ୟପୂର୍ଣ୍ଣ ଓ ବ୍ୟଞ୍ଜନାତ୍ମକ ହୋଇଥିବା ଯୋଗୁଁ ଆଳଙ୍କାରିକମାନେ କାବ୍ୟିକ ଧ୍ୱନି କିମ୍ବା ବକ୍ରୋକ୍ତିର ବିଚାର ବେଳେ ଉଦାହରଣ ଭାବେ ସ୍ୱୟଂଦୌତ୍ୟ ବର୍ଣ୍ଣନା ଭିତ୍ତିକ ଶ୍ଳୋକଗୁଡ଼ିକୁ ବିଶ୍ଳେଷଣ କରିଛନ୍ତି । ।୯I ଫଳରେ ପରବର୍ତ୍ତୀ କାଳରେ ସଂସ୍କୃତ ଓ ଅନ୍ୟାନ୍ୟ ଭାଷା ସାହିତ୍ୟର କାବ୍ୟକାରମାନେ ନିଜନିଜ ସୃଷ୍ଟିରେ ଏହାର ଅନୁକରଣ କରିବା ଶ୍ରେୟସ୍କର ମନେ କରିଛନ୍ତି । ଓଡ଼ିଆ କାବ୍ୟସାହିତ୍ୟ ମଧ୍ୟରୁ ଉପେନ୍ଦ୍ର ଭଞ୍ଜଙ୍କ ‘ସୁଭଦ୍ରା ପରିଣୟ’, ଦୀନକୃଷ୍ଣ ଦାସଙ୍କ ‘ରସକଲ୍ଲୋଳ’, ଯଦୁମଣିଙ୍କ ‘ପ୍ରବନ୍ଧପୂର୍ଣ୍ଣଚନ୍ଦ୍ର’ ପ୍ରଭୃତି ଗ୍ରନ୍ଥରେ ସ୍ୱୟଂଦୌତ୍ୟର ଉଦାହରଣ ବିରଳ ନୁହେଁ ।

 

ଦୌତ୍ୟକର୍ମ ପାଇଁ ବିନିଯୁକ୍ତ ଶାରୀରିକ ପ୍ରଚେଷ୍ଟା ଦୃଷ୍ଟିରୁ ସ୍ୱୟଂଦୂତୀମାନଙ୍କୁ ତିନିଭାଗରେ ବିଭକ୍ତ କରାଯାଇଥାଏ । ଯଥା : ବାଚିକା, ଆଙ୍ଗିକା ଓ ଚାକ୍ଷୁକ୍ଷା । ।୧୦I ଯେଉଁ ନାୟିକା ଚାତୁର୍ଯ୍ୟୋକ୍ତି ବା ଶ୍ଳେଷୋକ୍ତି ମାଧ୍ୟମରେ ନାୟକକୁ ମିଳନ ସ୍ଥାନ ଓ କାଳର ସଙ୍କେଚ ପ୍ରଦାନ କରେ, ତାକୁ ବାଚିକା ସ୍ୱୟଂଦୂତୀ କୁହାଯାଏ ।

 

ଯଥା-

କେଉଁ ପଥିକ ନଦୀ ତଟରେ ବସେ ଯେ ।

କରଇ ଚିନ୍ତା ତରଣା ପାଇଁ             କେଉଁ ତରୁଣୀ ପଚାରେ ଯାଇ

କେମନ୍ତ ହୋଇଯିବ ପୂରିଛି ଏ ଘନର ସେ ଯେ ।

କୁମ୍ଭଭେଳାରେ ହୁଅନ୍ତ ପାରି             ତାହାତ ଏଥି ନାହାନ୍ତି କରି

ମୋହନାୟକ ନାହାନ୍ତି ଯାଇଛନ୍ତି ସେପାରି ଯେ ।

କରନ୍ତେ ଅବା ଥିଲେ ଉପାୟେ            ଏବେ ଯାଅଯା ନଗର ଯାଏ

ଦେଖୁତ ଅଛ ଆସୁଛି ଅନ୍ଧକାର ଶର୍ବରୀ ଯେ ।” ।୧୧I

 

ବାଚିକା ସ୍ୱୟଂଦୂତୀମାନେ ସ୍ୱାମିନୀ ପରି ପ୍ରଣୟୀକୁ ଆଦେଶ ପ୍ରଦାନ କରିପାରନ୍ତି, ବନ୍ଧୁପରି ସ୍ନେହପୂର୍ଣ୍ଣ ବାକ୍ୟରେ ସୂଚନା ଦେଇପାରନ୍ତି କିମ୍ବା ଅର୍ଥଦାନ ଦ୍ୱାରା ଉପନାୟକକୁ ନିଜପ୍ରତି ଆକୃଷ୍ଟ କରିପାରନ୍ତି । ଏଣୁ ଏମାନଙ୍କୁ ସ୍ୱାମିନୀବାଚିକା, ସ୍ନେହବାଚିକା ଓ ଅର୍ଥବାଚିକା ରୂପେ ତିନିଭାଗରେ ବିଭକ୍ତ କରାଯାଇପାରେ ।

 

ଯେଉଁଠାରେ ନାୟିକା ପ୍ରତ୍ୟକ୍ଷ ଭାବରେ ନିଜର ମନୋଭାବକୁ ବ୍ୟକ୍ତ କରିବାର ସୁଯୋଗ ପାଇପାରେ ନାହିଁ, ସେଠାରେ ସେ ଚକ୍ଷୁର ଇଙ୍ଗିତ ଦ୍ୱାରା ନାୟକ ବା ଉପନାୟକକୁ ମିଳନ ସନ୍ଦେଶ ଦେଇଥାଏ । ଉଦ୍ଧ୍ୱର୍ଦୃଷ୍ଟି, ଅଧୋଦୃଷ୍ଟି କିମ୍ବା ବକ୍ରଦୃଷ୍ଟି ଦ୍ୱାରା ଏମାନେ ନିଜର ମନୋଭାବ ବ୍ୟକ୍ତ କରିଥାଆନ୍ତି ବୋଲି ଏମାନଙ୍କୁ ବିବେକରୂପା, ବିସ୍ମୟରୂପା ଓ ଆଶାୟୀରୂପା ଭାବରେ ତ୍ରିଧା ବିଭକ୍ତ କରାଯାଇଥାଏ ।

 

ଅନେକ ସମୟରେ ଅଭିଳଷିତ ନାୟକ ବା ପୁରୁଷ ପ୍ରତି ବାଚିକା ବା ଚାକ୍ଷୁଷ ଇଙ୍ଗିତ ଦେବା ଦୂରତା, ପରିବେଶ କିମ୍ବା ଗୁରୁଜନମାନଙ୍କ ଉପସ୍ଥିତି ଯୋଗୁଁ ସମ୍ଭବ ହୋଇନଥାଏ । ତେଣୁ ସ୍ୱୟଂଦୂତୀମାନଙ୍କୁ ଅଙ୍ଗବିକ୍ଷେପର ସାହାଯ୍ୟ ଗ୍ରହଣ କରିବାକୁ ପଡ଼େ । ଏପ୍ରକାର ସ୍ୱୟଂଦୂତୀମାନଙ୍କୁ ଆଙ୍ଗିକା ସ୍ୱୟଂଦୂତୀ କୁହାଯାଏ ।

 

ଯଥା –

“ସ୍ୱୟଂଦୂତୀ ବଡ଼ଚେଷ୍ଟା ହୋଇଲା ପ୍ରକାଶ

ଚାହେଁ ନଚାହିଁଲା ପ୍ରାୟ ମୁଖେ ମନ୍ଦହାସ

ହାଇମାରି ଅଳ୍ପମୋଡ଼ି ହେଲା ଅୟସରେ

ଭୂଜତୋଳି ଅଙ୍ଗୁଷ୍ଠି ଫୁଟାଇଲା ସଧୀରେ

କର୍ଣ୍ଣକଣ୍ଡୁଛଳେ ଦେହେ ରୋମାଞ୍ଚ ବହିଲା

ପଦ ମୁର୍ଦ୍ଧାଙ୍ଗୁଷ୍ଠିରେ ଧରାକୁ ଗାର ଦେଲା ।” ।୧୨I

 

ଏମାନଙ୍କ ମଧ୍ୟରୁ କେତେବେଳେ କେଶରେ ହସ୍ତଚାଳନା କରି ରାତ୍ରି, ଅଧରରେ ଅଙ୍ଗୁଳି ସ୍ଥାପନକରି ସଂଧ୍ୟା ଏବଂ ଦନ୍ତରେ ଅଙ୍ଗୁଳି ସ୍ଥାପନ କରି ଦିବସର ସୂଚନା ଦେଇଥାଆନ୍ତି । ବିଟପୁରୁଷ ସଙ୍କେତକାଳ ସମ୍ପର୍କରେ ଇଚ୍ଛା କରୁଥିବା ଅନୁଭବ କରି ଜନୈକା ସ୍ୱୟଂଦୂତୀ ସାନନ୍ଦ ସାଭିପ୍ରାୟ ଦୃଷ୍ଟିରେ ଲୀଳା ପଦ୍ମଟିକୁ ମୁଦ୍ରିତ କରିଦେଇ ପ୍ରଦୋଷକାଳ ସଙ୍କେତ କରିଛି ।

 

“ସଙ୍କେତ କାଳ ମନସଂ ବିଚଂ ଜ୍ଞାତ୍ୱା ବିଦଗ୍ଧୟା

ହସନ୍ନେତ୍ରାର୍ପିତାକୂତଂ ଲୀଳାପଦ୍ମଂ ନିମୀଳିତଂ ।।” ।୧୩ ।

 

ଏପରି ସ୍ୱୟଂଦୂତୀମାନଙ୍କୁ ପ୍ରଗଲ୍ଭା କୁହାଯାଏ । କେତେକ ସ୍ୱଂୟଂଦୂତୀ ନିକଟସ୍ଥ ସଖୀକୁ ଚୁମ୍ବନ ଆଲିଙ୍ଗନ ଆଦି ଦ୍ୱାରା ନାୟକସହ ମିଳିତ ହେବାର ଉତ୍ସୁକତାକୁ ବ୍ୟକ୍ତ କରିଥାଆନ୍ତି । ଏମାନଙ୍କୁ କଳ୍ପିତା ସ୍ୱୟଂଦୂତୀ କୁହାଯାଏ । ଯଥା –

 

“ସ୍ୱୟଂଦୂତୀହିଁ ଚିତ୍ତେ ଆଦରି

ନାଗରେ ଦୃଷ୍ଟିପାତ ନକରି

କହେକେ ସଖୀ ହସ୍ତକୁ ଧରି

ଚାତୁରୀ କରି ଯେ ।

ଶାଶୁ ଶ୍ୱଶୁର ପୁଲକେ ଶୋଇ

ବର ଅଛନ୍ତି ବିଦେଶ ଯାଇ

ଏକା ମୁଁ ଥାଇ ନିଦ୍ରା ନୁହଁଇ

ରାତ୍ରକୁ ଡରି ଯେ

ଭୁବନେ ରହିଛି ଭୂତ ମନ୍ମଥ

ସ୍ଥିତ ହୋଇଛି ଯେଣୁ ଦ୍ୱାରେ ଅଶ୍ୱସ୍ତଯେ ।” । ୧୪ ।

 

ଆଉ କେତେକ ଆଙ୍ଗିକା ସ୍ୱୟଂଦୂତୀ ସ୍ମିତହାସ୍ୟ, ଅଧୋଜାନୁ ଓ ସ୍ତନମୂଳ ପ୍ରଦର୍ଶନ ପୂର୍ବକ ନାୟକକୁ ନିଜର ମନୋଭାବ ବ୍ୟକ୍ତ କରିଥାଆନ୍ତି । ଏମାନଙ୍କୁ ସୁସ୍ନେହବତ୍ତା ସ୍ୱୟଂଦୂତୀ କୁହାଯାଏ । ଯଥା-

 

“କରୁଥିଚ ଦୃଷ୍ଟି ସୁଧାପ୍ରାୟେ ଦୃଷ୍ଟି

ଦୂରରୁ ପକାଇ ଅବଳା

କୂଚମୂଳୁଁବାସ ଅଳସ ଉଶ୍ୱାସ

କରି ଦେଖାଉଥିବ ଲୀଳା ।

କରି ମନ୍ଦହାସ, ନୟନ ପ୍ରକାଶ

କରି କରୁଥବ ଅନ୍ତର

କାମୁକ ଅଙ୍ଗରେ ସେହିଟି ଅନଙ୍ଗ

ଭୂତ ଲଗାଇବା ମନ୍ତର ।” ।୧୫

 

ରାଧାକୃଷ୍ଣଙ୍କ ପ୍ରଣୟଭିତ୍ତିରେ ରଚିତ କୃଷ୍ଣ-କାବ୍ୟମାନଙ୍କରେ ଏହି ବର୍ଣ୍ଣନା ଭିନ୍ନ ରୂପ ନେଇଥିବା ପରିଲକ୍ଷିତ ହୁଏ । କୃଷ୍ଣେତର କାଳ୍ପତିକ କାବ୍ୟମାନଙ୍କରେ ପ୍ରୌଢ଼ା, ପ୍ରଗଜ୍ଜା ନାୟିକାମାନେ କୌଣସି ସଂଯୋଜକ ଚରିତ୍ରର ରୂପ ଗ୍ରହଣ ନକରି ନିଜ ରୂପରେ ହିଁ ସ୍ୱୟଂଦୌତ୍ୟ କାର୍ଯ୍ୟ ସମ୍ପାଦନ କରିଥାଆନ୍ତି ଏବଂ ବଚନ, ଅଙ୍ଗ ଓ ଚକ୍ଷୁର ବିନ୍ୟାସ ଭଙ୍ଗୀରେ ନାୟକ କିମ୍ବା ଉପନାୟକକୁ ମିଳନ-ଇଙ୍ଗିତ ଦେଇଥାଆନ୍ତି । କିନ୍ତୁ କୃଷ୍ଣବାକ୍ୟରେ ନାୟିକା ଶ୍ରୀରାଧା ଓ ଚନ୍ଦ୍ରାବଳୀ ସ୍ୱୟଂଦୌତ୍ୟ ସମ୍ପାଦନ ବେଳେ ନିଜରୂପ ପରିବର୍ତ୍ତେ କୌଣସି ସଖୀ ବା ଦୂତୀର ରୂପ ଧାରଣ କରିଥାଆନ୍ତି । ।୧୬I ଅବଶ୍ୟ ରୂପଗୋସ୍ୱାମୀଙ୍କ ‘ଉଜ୍ଜ୍ୱଳନୀଳମଣି’ ଏବଂ ଅଭିମନ୍ୟୁ ସାମନ୍ତସିଂହାରଙ୍କ ‘ପ୍ରେମଚିନ୍ତାମଣି’ ପରି କେତେକ ତତ୍ତ୍ୱଗ୍ରନ୍ଥରେ ସ୍ୱୟଂଦୂତୀ ଶ୍ରୀରାଧାଙ୍କର ବାଚିକ, ଆଙ୍ଗିକ ଓ ଚାକ୍ଷୁଷ ଲକ୍ଷଣମାନ ଉପସ୍ଥାପିତ ହୋଇଛି । ଏଥିରେ ଶ୍ରୀରାଧା ନିଜରୂପରେ ସ୍ୱୟଂଦୌତ୍ୟ ସାଧନ କରିଥିବାର ବର୍ଣ୍ଣନା ପରିବର୍ତ୍ତେ ସ୍ୱୟଂଦୂତୀ ରାଧାଙ୍କର କେତେକ ଲକ୍ଷଣ ମାତ୍ର ପ୍ରଦତ୍ତ । ।୧୭I

 

କୃଷ୍ଣବାକ୍ୟର ନାୟିକା ଶ୍ରୀରାଧା, ଚନ୍ଦ୍ରାବଳୀଙ୍କ ସ୍ୱୟଂଦୌତ୍ୟ ଏବଂ ତାଙ୍କର ଅଭିସାର ଏକ ଏବଂ ଅଭିନ୍ନ ନୁହେଁ । ଅଭିସାର ବେଳେ ଏମାନେ ନିଜ ରୂପରେ ହିଁ ସଖୀମାନଙ୍କ ସହ ମିଳନସ୍ଥଳ ପର୍ଯ୍ୟନ୍ତ ଯାଇଥାଆନ୍ତି । ।୧୮I ଏବଂ ଶୁକ୍ଳ କିମ୍ବା କୃଷ୍ଣ ବସନ ପରିଧାନ କରି ଶୁକ୍ଳ ବା କୃଷ୍ଣଭିସାରିକା ସାଜିଥାଆନ୍ତି ।୧୯। କିଂତୁ ସ୍ୱୟଂଦୌତ୍ୟ ସାଧନ ବେଳେ ଏମାନେ କୌଣସି ସଖୀରବସନ, ଭୂଷଣ ପରିଧାନ ପୂର୍ବକ ସେହି ନିର୍ଦ୍ଦିଷ୍ଟ ସଖୀର ଛଦ୍ମରୂପରେ ଏକାକୀ ନାୟକ ନିକଟକୁ ପ୍ରୟାଣ କରିଥାନ୍ତି । ସ୍ୱୟଂଦୌତ୍ୟର ପରବର୍ତ୍ତୀ ପଦକ୍ଷେପ ଅଭିସାର ହୋଇପାରେ ।

 

ଓଡ଼ିଆ କାବ୍ୟ ସାହିତ୍ୟରେ ଦୂତୀ, ସଖୀ ପ୍ରଭୃତି ନାରୀ ସଂଯୋଜକ ଚରିତ୍ର ବ୍ୟତୀତ ଦୂତ, ସଖାପ୍ରଭୃତି ସଂଯୋଜକ ଚରିତ୍ରମାନଙ୍କର ଦୌତ୍ୟକର୍ମର ବର୍ଣ୍ଣନା ଥିବାପରି ନାୟିକାମାନଙ୍କର ସ୍ୱୟଂଦୌତ୍ୟ ସହିତ ନାୟକମାନଙ୍କର ସ୍ୱୟଂଦୌତ୍ୟର ବର୍ଣ୍ଣନା ମଧ୍ୟ ସ୍ଥାନ ପାଇଛି । କୃଷ୍ଣ ଓ କୃଷ୍ଣେତର କାଳ୍ପନିକ କାବ୍ୟର ନାୟକମାନେ ସ୍ୱୟଂଦୌତ୍ୟ କାର୍ଯ୍ୟ ସାଧନ କଲାବେଳେ ବହୁ ସମୟରେ କୌଣସି ଏକ ନାରୀର ରୂପ ଧାରଣ କରିଥାଆନ୍ତି । ନାୟିକାର ଅନ୍ତଃପୁରରେ ପ୍ରବେଶ କରିବାର ସୁଯୋଗ କେବଳ ନାରୀ ବା ସଖୀ ହିଁ ପାଇପାରୁଥିବା ଯୋଗୁଁ ନାୟକମାନେ ସଖୀର ରୂପ ଧରି ନାୟିକା ପାଶରେ ଉପସ୍ଥିତ ହୋଇଥାଆନ୍ତି । ଯଥା - “ଦିନେ ଋଷିଥିଲା ଜୀବଜୀବେଶ

 

ଚିନ୍ତି ମୁଁ ହୋଇଲି ସଜନୀ ବେଶ

ଜାଣିଲା ପାଶରେ ହେଉଁ ପ୍ରବେଶ

ମୁଁ ବୋଇଲି କାନ୍ତେ ହୁଅ ଆବେଶ

ବୋଇଲା ଜୀବେଶ

ତୁମେ ତାଙ୍କଠାରେ ଚିତ୍ତ ନିବେଶ ।” ।୨୦

 

ଓଡ଼ିଆ କୃଷ୍ଣକାବ୍ୟମାନଙ୍କର ଶ୍ରୀକୃଷ୍ଣ ସଖୀ ରୂପରେ ରାଧାଙ୍କ ପାଶରେ ଉପସ୍ଥିତ ହୋଇ ଆପଣା ମନସ୍କାମନା ବ୍ୟକ୍ତି କରିଥିବା ବର୍ଣ୍ଣନାର ଅଭାବ ନାହିଁ । ।୨୧I କାଳ୍ପନିକ କାବ୍ୟ ଅପେକ୍ଷା କୃଷ୍ଣବାକ୍ୟମାନଙ୍କରେ ଶ୍ରୀକୃଷ୍ଣ ସ୍ୱୟଂଦୌତ୍ୟ ବର୍ଣ୍ଣନା ବେଶ୍‌ ରମଣୀୟ ରୂପ ପରିଗ୍ରହ କରିପାରିଛି । କେବଳ ସଖୀ ରୂପରେ ନୁହଁ, କାଚରା, ନାଉରିଆ, ଭୂତ, ବଣିକ, ପାନରା ପ୍ରଭୃତି ରୂପରେ ମଧ୍ୟ ଶ୍ରୀକୃଷ୍ଣ ସ୍ୱୟଂଦୌତ୍ୟ ସାଧନ କରିଥିବାର ବର୍ଣ୍ଣନା ଓଡ଼ିଆ କୃଷ୍ଣବାକ୍ୟ ଜଗତରେ ଅପ୍ରତୁଳ ନୁହଁ ।

 

କେତେକ ଗ୍ରନ୍ଥରେ ସ୍ୱୟଂଦୂତୀ ଓ ଆପ୍ତଦୂତୀ ବ୍ୟତୀତ ନଷ୍ଟଦୂତୀମାନଙ୍କର ପରିକଳ୍ପନା ମଧ୍ୟ ପରିଦୃଷ୍ଟ । ନଷ୍ଟଦୂତୀମାନେ ଆପ୍ତଦୂତୀମାନଙ୍କର ବିପରୀତ କାର୍ଯ୍ୟ କରିଥାଆନ୍ତି । ଅର୍ଥାତ୍‌ ଏମାନେ ନାୟିକାର ସୁଖଦୁଃଖ ଜଣାଇ ବା ସନ୍ଦେଶ ପ୍ରଦାନ କରି ନାୟକକୁ ନାୟିକାପ୍ରତି ଅନୁକୂଳ କରାଇବା ପରିବର୍ତ୍ତେ ନିଜେ ନାୟକ ସହିତ ମିଳିତ ହୋଇଥାଆନ୍ତି । ଜୀବନ ନାଶ ହେଲେ ବି ଆପ୍ତଦୂତୀମାନେ ନାୟିକାର ବିଶ୍ୱାସ ଭଙ୍ଗ କରନ୍ତି ନାହିଁ, କିନ୍ତୁ ନଷ୍ଟଦୂତୀମାନେ ହୁଏତ ନାୟକର ବାଧ୍ୟବାଧକତାରେ ଶୀକାର ହୋଇ କିମ୍ବା ସ୍ୱଇଚ୍ଛାରେ ନାୟକ ସହିତ ମିଳିତ ହୋଇଥାଆନ୍ତି ।

 

ସଂସ୍କୃତ ଓ ପ୍ରାକୃତ ସାହିତ୍ୟରେ ନଷ୍ଟଦୂତୀର ଦୃଷ୍ଟାନ୍ତ ବିରଳ ନୁହେଁ । ତନ୍ମଧ୍ୟରୁ ଗୋଟିଏ ଦୃଷ୍ଟାନ୍ତ ନିମ୍ନରେ ଉଦ୍ଧାର କରାଯାଉଛି । ନାୟିକା ପ୍ରେରିତ ଦୂତି ନାୟକ ସହିତ ସହବାସ କରି ଫେରିଛି ଏବଂ ତଜ୍ଜନିତ ଚିହ୍ନମାନ ଦୂର କରିବା ଉଦ୍ଦେଶ୍ୟରେ ବାଟରେ ସ୍ନାନ କରି ଆସି ନାୟିକାକୁ କହୁଛି, “ମୁଁ ତାଙ୍କୁ ଦେଖି ପାରିଲି ନାହିଁ, ବାଟରେ ସ୍ନାନ କରି ଫେରି ଆସିଲି ।” ଚତୁରୀ ନାୟିକା ଏହା ଶୁଣି ଦୂତୀକୁ କହୁଛି, “ସଖୀର ଦୁଃଖକୁ ଜାଣିପାରୁନଥିବା ଆଲୋ ମିଛେଇ ଦୂତୀ ! ତୋ ସ୍ତନ ପାଶ୍ୱର୍ରୁ ଚନ୍ଦନ ପ୍ରଲେପ ଏବଂ ଅଧରରୁ ତାମ୍ବୁଳ-ରକ୍ତିମା ତଥାପି ସଂପୂର୍ଣ୍ଣ ଲିଭିଯାଇନି, କେବଳ ନେତ୍ରଦ୍ୱୟର ପ୍ରାନ୍ତଭାଗରୁ ଅଞ୍ଜନ ପୋଛି ହୋଇଯାଇଛି, ସ୍ନାନଜନିତ ଶୈତ୍ୟ ହେତୁ ତୁ ରୋମାଞ୍ଚିତ ହେଉଛୁ ।” ।୨୨Iଏହି ପ୍ରସଙ୍ଗରେ ଉପେନ୍ଦ୍ର ଭଞ୍ଜଙ୍କ କବିତ୍ୱ ଲକ୍ଷ୍ୟ କରାଯାଉ । ଦୂତୀର ସର୍ବାଙ୍ଗରେ ସମ୍ଭୋଗଶକୁଳ ଲକ୍ଷ୍ୟ କରି ନାୟିକା ତାକୁ ପରିହାସ କରନ୍ତେ ଦୂତୀ କହୁଛି-

 

ଚତୁରୀ ଦୂତୀ କହେ ରାମାକତି,

ଚନ୍ଦ୍ରଭାଗାତୀରେ ଦେଖି ତୋ ପତି

ଚରିଚ ତୋର କହୁଁ ଆଗର,

ଚାଲିଯାଇ ଜନେ ଲଭିଲି ଡର

ଚପଳେ ଯାଇ ଲୁଚିଲି ମୁହଁ,

ତୋର ପ୍ରାୟ କୁଞ୍ଜ ଭିତରେ ରହି

ଚୋଖ କଣ୍ଟକ ଲାଗି ଜାନୁବୁକ,

ଚାଷ ଭୂମି ପ୍ରାୟେ ହୋଇଛି ଦେଖ

ଚଞ୍ଚଳହୋଇ ନିଃଶ୍ୱାସ ବହି,

ଚମକେ ବୁକୁ ଦେଖ କର ଦେଇ

ଚତୁରୀ ଖରେ କହିଲା ଧୀରେ,

ଚିରି ନଗଲା ଶାଢ଼ୀ କି ଭାଗ୍ୟରେ

ଚାରୁ ଅଧର ପ୍ରବାଳ ତୋର,

ଛଟକେ ନଖେ ଚିରିଲା ପ୍ରକାର

ଚିରି କ୍ଷୁଧାରେ କୁଞ୍ଜେ ଥିଲା କୀରେ,

ତୋବାଇଲା ଓଷ୍ଠ ବିମ୍ବ ଭ୍ରମରେ ।୨୩।

 

ଓଡ଼ିଆ ସାହିତ୍ୟରେ ଏଇ ନଷ୍ଟଦୂତୀମାନଙ୍କର ଆଦ୍ୟ ଉତ୍ସ ସମ୍ପର୍କରେ ଅନୁସନ୍ଧାନ କଲେ ସାରଳା ଦାସଙ୍କ ସହଜସୁନ୍ଦରୀଟି ପ୍ରଥମେ ଦୃଷ୍ଟି ଆକର୍ଷଣ କରେ ।୨୪I ଶ୍ରୀରାଧାଙ୍କ ଦ୍ୱାରା ଦୂତୀ ରୂପେ ପ୍ରେରିତ ଏହି ସହଜସୁନ୍ଦରୀ ଯମୁନା କୂଳରେ କୃଷ୍ଣଙ୍କ ସହ ସହବାସ କରି ଫେରିବା ପରେ ଶ୍ରୀରାଧା ଓ ଦୂତିକା ମଧ୍ୟରେ ଯେଉଁ ନାଟକୀୟ ବାର୍ତ୍ତାଳପ ହୋଇଛି, ତାହା ପରବର୍ତ୍ତୀ ଓଡ଼ିଆ କାବ୍ୟକାରମାନଙ୍କୁ ନଷ୍ଟଦୂତୀ ଚିତ୍ରଣରେ କମ୍‌ ଉତ୍ସାହ ଦେଇନାହିଁ । ଓଡ଼ିଆ କୃଷ୍ଣକାବ୍ୟମାନଙ୍କରେ ନଷ୍ଟଦୂତୀ ପ୍ରସଙ୍ଗ ଏକାନ୍ତ ବିରଳ ହେଲେ ହେଁ ଉପେନ୍ଦ୍ର ଭଞ୍ଜଙ୍କ ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’ରେ ଯେଉଁ ପରିହାସପୁଷ୍ଟ ବିଦ୍ରୂପର ଇଙ୍ଗିତ ରହିଛି (୨୫) ସେଥିରୁ ସ୍ପଷ୍ଟ ଅନୁମିତଯେ, ଉପେନ୍ଦ୍ରଙ୍କ ପୂର୍ବବର୍ତ୍ତୀ କିମ୍ବା ସମକାଳୀନ କୌଣସି କୃଷ୍ଣବାକ୍ୟରେ ଏପରି ବର୍ଣ୍ଣନା ବିଦ୍ୟମାନ । ପ୍ରତାପରାୟଙ୍କ ‘ଶଶିସେଣା’ ପରି କେତେକ କାଳ୍ପନିକ କାବ୍ୟ ଏବଂ ‘ଚାରି ସଙ୍ଗୀତ ଆଉ ରଜାଝିଅ କଥା’ ପରି କେତେକ ଲୋକଗଳ୍ପରେ ଏପରି ନଷ୍ଟଦୂତୀ ମାଲୁଣୀମାନଙ୍କୁ ଦେଖିବାକୁ ମିଳେ ।

 

ବାସ୍ତବରେ ଦେଖିବାକୁ ଗଲେ, ଓଡ଼ିଆ କାବ୍ୟ ସାହିତ୍ୟ ଦୌତ୍ୟ ଏବଂ ସ୍ୱୟଂଦୌତ୍ୟ କ୍ରିୟାର ବିଭିନ୍ନ ରୂପ ବିଭବରେ ଯେତିକି ବଳିଷ୍ଠ ସେତିକି ରମଣୀୟ । କାବ୍ୟ ବିଭବର ଏହି ଅପରିହାର୍ଯ୍ୟ ଉପାଦାନ ଭିତରେ ସମକାଳୀନ ସଂସ୍କୃତି, ସମାଜ ଓ ଲୋକ ବିଶ୍ୱାସ ପ୍ରଭୃତିର ସନ୍ଧାନ କରାଯାଇପାରେ । ମଧ୍ୟଯୁଗୀୟ ଓଡ଼ିଆ କାବ୍ୟ ସାହିତ୍ୟ ମୁଖ୍ୟତଃ ଶୃଙ୍ଗାରାଶ୍ରୟୀ ଏବଂ ଦରବାରୀ ଚରିତ୍ର ଭିତ୍ତିକ । ତଥାପି ଦୌତ୍ୟ ଓ ସ୍ୱୟଂଦୌତ୍ୟ ବର୍ଣ୍ଣନା ମଧ୍ୟରେ ସନ୍ନ୍ୟାସୀ, ସନ୍ନ୍ୟାସିନୀ, ବ୍ରାହ୍ମଣୀ, ରଜକ, ରଜକିନି, ଐନ୍ଦ୍ରଜାଲିକ, ଜାଙ୍ଗଳିକ, ନାବିକ, ପାନରା, ମାଲ୍ୟାଣୀ, ଶବର, ଶବରିଣୀ, ଭୂତ ପ୍ରଭୃତି ଚରିତ୍ରର ଉପସ୍ଥାପନା ମାଧ୍ୟମରେ ଯେଉଁ ସ୍ୱଳ୍ପ ସାମାଜିକ ମୂଲ୍ୟବୋଧର ଅବତାରଣା କରାଯାଇଛି, ତାହା ଆଦୌ ବିସ୍ମୃତ ହେବାର ନୁହଁ । ମଧ୍ୟଯୁଗୀୟ ଓଡ଼ିଆ କାବ୍ୟସାହିତ୍ୟର ସାମାଜିକ ମୂଲ୍ୟବୋଧ ଏବଂ କାବ୍ୟ ରମଣୀୟତା ଏହି ବିଭବ ଭିତରେ ହିଁ ଅଧିକ ମାତ୍ରାରେ ବିଦ୍ୟମାନ ବୋଲି ନିଦ୍ୱର୍ନ୍ଦ୍ୱରେ କହିହେବ ।

 

ପୃଷ୍ଠଟିକା

୧.

“ପ୍ରତିବେଶ୍ୟା ସଖୀଦାସୀ କୁମାରୀ ଦାରୁଶିଳ୍ପିକା

ଧାତ୍ରୀ ପାଖଣ୍ଡିନୀ ଚୈବ ଦୂତ୍ୟାସ୍ତ୍ଵିକ୍ଷଣିକା ତଥା ।”

ନାଟ୍ୟଶାସ୍ତ୍ର, ୨୫/୧୦

୨.

“ଦୂତ୍ୟଃସଖୀ ନଟୀଦାସୀ ଧାତ୍ରେନ୍ଦୀ ପ୍ରତିବେଶିନୀ

ବାଳା ପ୍ରବ୍ରଦିତା କାରୁଃ ଶିଳ୍ପିନ୍ୟାଦ୍ୟାଃ ସ୍ୱୟଂ ତଥା ।”

ସାହିତ୍ୟଦର୍ପଣ, ୩ୟ ପରି ପୃ.୧୮୨

୩.

ହାଳ, ସାତବାହନ, ଗାହାସତ୍ତସଲି, ୧/୯୩, ୨/୧୦, ୩/୪, ୪୬, ୯୫

୪.

ଲାବଣ୍ୟବତୀ, ୧୮/୫୧-୫୨

୫.

ଚତୁରବିନୋଦ, ପୃ.୨୭

୬.

“ପ୍ରୀତିକାର୍ଯ୍ୟ ସାଧନେ ଯେ ଅଟେ ନିପୁଣ

ଦୂତୀ ବୋଲି ତାକୁ ଆଗ କରି ପ୍ରମାଣ ।”

ସାମନ୍ତସିଂହାର, ଅଭିମନ୍ୟୁ, ବିଦଗ୍ଧଚିନ୍ତାମଣି, ୯୪/୧୦

୭.

“ଦୂତୀ ସ୍ୱୟଂ ତଥାପ୍ରାଚ ଦ୍ୱିଧାତ୍ର ପରିକୀର୍ତ୍ତିତା ।”

ଗୋସ୍ୱାମୀ, ରୂପ. ଉଜ୍ଜଳନୀଳମଣି, ଦୂତୀଭେଦ ପ୍ରକରଣ/୧

୮.

“ଅତ୍ୟୋତ୍ସଳ୍ୟ ତ୍ରୂଟଦ୍‌ବ୍ରୀଡ଼ାୟାଚ ରାଗାଚିମୋହିତା

ସ୍ୱୟମେବାଭି ଯୁଗ୍ମେସା ସ୍ୱୟଂଦୂତୀ ତତଃ ସ୍ମୃତା ।” ତତ୍ରୈବ, ୨-୩

୯.

 

କ). ମମ୍ମଟଭଟ୍ଟ, କାବ୍ୟ ପ୍ରକାଶ, ୪/ଟ. ପୃ.୧୩୯

ଖ). ଆନନ୍ଦବର୍ଦ୍ଧନ, ଧ୍ୱନ୍ୟାଲୋକ, ୧/୨୪, ୨୬ ଏବଂ ୨/୧୪୫ ପ୍ରଭୃତି

ଗ). କବିରାଜ, ବିଶ୍ୱନାଥ, ସାହିତ୍ୟଦର୍ପଣ, ୪ର୍ଥ ପରିଚ୍ଛେଦ୍ୟ ଦ୍ରଷ୍ଟବ୍ୟ

୧୦.

“ସାଭିୟୋଗା ସ୍ତ୍ରିଧା ପ୍ରୋକ୍ତା ବାଚିକା ଆଙ୍ଗିକା ଚାକ୍ଷୁଷାଃ ।”

ଉଜ୍ଜ୍ୱଳନୀଳମଣି ଦୂତୀଭେଦପ୍ରକରଣ/୩

୧୧.

ଦାସ, ଦୀନକୃଷ୍ଣ, ରସକଲ୍ଲୋଳ, ୧୬/୧୨-୧୩

୧୨.

କବିସୂର୍ଯ୍ୟ, ସଦାନନ୍ଦବ୍ରହ୍ମା, ମୋହନକଳ୍ପଲତା, ୧୬ ଛାନ୍ଦ

୧୩.

ଆନନ୍ଦବର୍ଦ୍ଧନ ଧ୍ୱନ୍ୟାଲୋକ, ୨/୧୪୦

୧୪.

ଭଞ୍ଜ, ଉପେନ୍ଦ୍ର ସୁଭଦ୍ରାପରିଣୟ, ୬/୧୨

୧୫.

ଗୋପାଳକୃଷ୍ଣ ଗ୍ରନ୍ଥାବଳୀ, ୧ମ ଭାଗ, ପୃ.୪୪୦ (ଆଜି ନୂଆଁ ତୋରୀତି ଶୀର୍ଷକ ଗୀତ), ପୃ.୪୪୧(ରେ ସଜନୀ ଦେଖ ମଧ୍ୟ ରୀତି ଗତିକି ଶୀର୍ଷକ ଗୀତ) ଏବଂ ପୃ. ୪୪୫(ରେ ସଙ୍ଗିନୀ କୃଷ୍ଣାନୁରାଗିଣୀ ଗୋରୀ ଶୀର୍ଷକ ଗୀତ)

୧୬.

କ). ଉଜ୍ଜ୍ୱନୀଳମଣି, ଦୂତୀପ୍ରକରଣ, ସ୍ୱୟଂଦୂତୀ ପର୍ଯ୍ୟାୟ

ଖ). ପ୍ରେମଚିନ୍ତାମଣି, ୩୦ଶ ଛାନ୍ଦ

୧୭.

ବନମାଳୀ ପଦ୍ୟାବଳୀ, ପୃ.୧୫୦

୧୮.

ଗୋସ୍ୱାମୀ, ରୂପ, ବିଦଗ୍ଧମାଧବ, ଚତୁର୍ଥ ଅଙ୍କ, ପୃ.୧୬୮-୧୭୨

୧୯.

ଭଞ୍ଜ, ଉପେନ୍ଦ୍ର, ରସିକ ହାରାବଳୀ, ୧୦/୧୬

୨୦.

କ. ଦାସ, କପିଳେଶ୍ୱର, ପକଟକେଳି (ଶ୍ରୀକୃଷ୍ଣ ଜନୈକା ସଖୀର ରୂପ ଧାରଣ କରି ଚନ୍ଦ୍ରସେଣା ପୁରରେ ରାଧାଙ୍କୁ ସାକ୍ଷାତ କରିଛନ୍ତି ।)

ଖ. ଗୋପାଳକୃଷ୍ଣ ଗ୍ରନ୍ଥାବଳୀ, ୧ମ ଭାଗ, ପୃ.୨୨୩ (ଶ୍ରୀକୃଷ୍ଣ ଶ୍ୟାମାସଖୀର ବେଶଧାରଣ କରି ସ୍ୱୟଂଦୌତ୍ୟ ସାଧନ କରିଛନ୍ତି ।)

ଗ. ବନମାଳୀ ପଦ୍ୟାବଳୀ, ପୃ.୧୫୧.

୨୧.

“ନିଃଶେଷଚ୍ୟୁତ ଚନ୍ଦନ ସ୍ତନତଟଂ ନିର୍ମୃଷ୍ଟ ରାଗୋଽଧରୋ

ନେତ୍ରେଦୂର ମନଞ୍ଜନେ ପୁଲକିତା ତନ୍ୱୀ ତବେୟଂତନୁଃ

ମିଥ୍ୟାବାଦିନୀ ଦୂତୀ ବାନ୍ଧବଃଜନସ୍ୟାଜ୍ଞାତ ପୀଡ଼ାଗମେ

ବାପୀଂସ୍ନାତୁମିତୋ ଗତାସି ନପୁନସ୍ତସ୍ୟାଧମ ସ୍ୟାନ୍ତିକମ୍‌ ।”

ମମ୍ମଟଭଟ୍ଟ. କାବ୍ୟପ୍ରକାଶ, ୨/ଟ.ପୃ.୨୭

୨୨.

ରସପଞ୍ଚକ, ପୃ.୭୧-୭୨

୨୩.

ମହାଭାରତ, ଆଦିପର୍ବ

୨୪.

“ଯେଉଁ ଯୁବତୀ ଯେଉଁ ବୃଦ୍ଧାର ତହିଁ, ଯେ ଥିଲେ ପରିହାସୀ ସେ ତାହାଙ୍କୁ କହି ହେବ ତୁମ୍ଭର ଯୋଗରେ ଯୋଗ, ଆମ୍ଭ ମଧ୍ୟସ୍ଥ ହୁଅଗୋ ବେଗ ରାଧିକା ଦୂତୀ କୃଷ୍ଣରେ ଭୋଗ ତମସେ ହୋଇ ଯେ ।”

କୋଟିବ୍ରହ୍ମାଣ୍ଡସୁନ୍ଦରୀ, ୨୭/୨୨

 

 

ଅଧ୍ୟାପକ, ଓଡ଼ିଆ ବିଭାଗ, ଏରୋନଟିକ୍ସ କଲେଜ,

ସୁନାବେଡ଼ା, କୋରାପୁଟ

***

 

ବିୟୋଗାନ୍ତକ ନାଟକ ଓ ମହାକାବ୍ୟରେ ନାରୀ

ଶ୍ରୀ ରମାକାନ୍ତ ରାଉତ

 

ବିୟୋଗାନ୍ତକ ନାଟକ ସମ୍ପର୍କରେ ଆରିଷ୍ଟଟଲ୍‌ କହନ୍ତି : ଏହା କ୍ରିୟାକଳାପର ଅନୁକୃତି ଏବଂ ଅତିଗମ୍ଭୀର (୧) ଯଦିଓ ଏଥିରେ ଭଲ ଓ ମନ୍ଦ ଉଭୟର ପ୍ରଭାବ ନିହିତ । ପତନ, ଅବକ୍ଷୟ ଓ ମୃତ୍ୟୁ ଅନ୍ତିମ ପରିଣତି । ବିୟୋଗାନ୍ତକ ମହାସ୍ରୋତରେ ଚରିତ୍ରମାନେ ଶୁଷ୍କପତ୍ର ସମ ଛିନ୍‌ଛତ୍ର ହୋଇଯାନ୍ତି । ବିୟୋଗାନ୍ତକ ନାଟକର ପରିଣତି ଝଡ଼ର ଶେଷଦୃଶ୍ୟ ଧ୍ୱଂସ ଓ ବିଭୀଷିକାର ବାତାବାରଣ । ବିୟୋଗାନ୍ତକ ମହୋସ୍ରୋତକୁ ଇନ୍ଧନ ଯୋଗାଇଥାନ୍ତି ଚରିତ୍ରମାନଙ୍କ ଇଚ୍ଛାକୃତ ଭ୍ରମ ବା ଅପରାଧ, (୨) ସେମାନଙ୍କ ଅନ୍ତଃ ସଂଘର୍ଷ, ନାୟକଙ୍କ ଉଚ୍ଚାଭିଳାଷ ଏବଂ ସର୍ବୋପରି ନିୟତିର ଅଙ୍କୁଶଚୋଟ । ନିୟତିକି ନାଟକର ଚତୁର୍ଥ ଚରିତ୍ର (୩) ଭାବେ ଗ୍ରହଣ କରାଯାଇଥାଏ । ଏହା ଦର୍ଶକଙ୍କୁ ପ୍ରତାରିତ, ପ୍ରବଞ୍ଚିତ କରି ଏକ ବିଦ୍ରୂପ ଓ ଶ୍ଳେଷଚାହାଣିରେ ଉପହାସ କରେ । ସମବେତ ସଙ୍ଗୀତ, ଆକସ୍ମିକତା ଏବଂ ଭାଗ୍ୟ ନିୟତିପରି ବିୟୋଗାନ୍ତକ ନାଟକର ଗତି ନିୟନ୍ତ୍ରଣ କରିଥାଆନ୍ତି-। ଏସବୁକୁ ଅନେକ ସମୟରେ ଏକାରକମ ଉପଚାର ଭାବେ ଗ୍ରହଣ କରାଯାଇଥାଏ । ଊଦ୍ଧ୍ୱର୍ରେ ଥିବା ନକ୍ଷତ୍ରମାନେ ଆମେ ପରିସ୍ଥିତିକି ନିୟନ୍ତ୍ରଣ କରନ୍ତି ବୋଲି ସେକ୍ସପିୟର କହିଛନ୍ତି । (୪) ସେ ଭୂତପ୍ରେତ ଆଦି ଦ୍ୱାରା ଭୌତିକ ପ୍ରକ୍ରିୟା ବା ଅଲୌକିକତା ପ୍ରଦର୍ଶନ କରିଥାଆନ୍ତି । Macbeth ର ତିନୋଟି କାହାଣୀଙ୍କ ଆଗମନ ଏବଂ ସେମାନଙ୍କ ମୁଖରୁ ଉଚ୍ଚାରିତ ‘ Fair is Foul,Foul is Fair '(୫) ନାଟକର ଅନ୍ତିମ ପରିଣତିର ସୂଚନା ଦିଏ । ସେହିପରି ‘Romeo and guliet’ ରେ ନାୟକ ନାୟିକାଙ୍କ ପ୍ରେମର ଦୁଃସଙ୍କେତ (୨) ପ୍ରଦର୍ଶିତ ହୋଇଛି । ମନ୍ଦ ଚରିତ୍ରମାନଙ୍କ ମୁଖରେ ସେକ୍ସପିୟର ନିୟତି ବିରୋଧୀ ସଂଳାପ ଖଞ୍ଜିଥାଆନ୍ତି । ଏତଦ୍ୱାରା ଟ୍ରାଜିକ ସ୍ରୋତ ଦ୍ରୁତତର ହୋଇଥାଏ । ବିୟୋଗାନ୍ତକ ନାଟର ଲକ୍ଷ୍ୟ, ସେହି ଆରିଷ୍ଟଟଲ୍‌ଙ୍କ ମତରେ ଅନୁକମ୍ପା ଓ ଭୀଷଣତା, ମୃତ୍ୟୁ, ଧ୍ୱଂସ, ବିଚ୍ଛେଦ ଓ ଭୟଙ୍କର ବାତାବରଣ ସତ୍ତ୍ୱେ । ଆରିଷ୍ଟଟଲ୍‌ ତା’ର ଅପନୋଦନ କଥା ଚିନ୍ତା କରିଥିଲେ, ଯହିଁରୁ ‘Theory of Katharsis (୩)ର ଆରୋପ କରାଯାଇଛି । ଏହା ବିୟୋଗ ପ୍ରଭାବକୁ ଅନେକାଂଶରେ ହ୍ରାସ କରି ଦର୍ଶକକୁ ଆଶ୍ୱସ୍ତ ହେବାର ଉପାଦାନ ଯୋଗାଇଥାଏ ।
 

୧.

Tragedy is an imitation of action that is serious…..Aristotle: Poeties

୨.

Unconscious error and Thoughtless Folly: The Theory of Drama Allardyce Nicholl

 

ଏପରି ସାହିତ୍ୟିକ ପରିବେଶରେ ନାରୀର ଭୂମିକା ଆଲୋଚନାର ପରିସରକୁ ଆସିବା ଏକାନ୍ତ ଅପରିହାର୍ଯ୍ୟ । ସମାଜ ପରି ସାହିତ୍ୟରେ ନାରୀ ଗୁରତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଅଧିକାଂଶ ବିୟୋଗାନ୍ତକ ନାଟକକୁ ନାରୀ ନିୟନ୍ତ୍ରଣ କରି ବିୟୋଗ ବହ୍ନିକୁ ଭୟାନକ ରୂପ ଦେଇଥାଏ । ଯେଉଁଠି ନାୟକ ସାଲିସ କରେନା ସେଠି ଅନ୍ତଃସଂଘର୍ଷ ଭୟଙ୍କର ରୂପନିଏ । ସାଲିସ କଲେ ମଧ୍ୟ ଅନ୍ତିମ ପରିଣତି ଭୟଙ୍କର ରୂପଧାରଣ କରେ, ଯାହା ମାକ୍‌ବେଥ୍‌ରେ ଘଟିଛି । ସବୁ ଠିକ୍‌ ଠାକ ଚାଲି ମଧ୍ୟ ନାଟକର ମୋଡ଼ ଅନେକ ସମୟରେ କୌଣସି ଅଦୃଷ୍ଟର ଇଙ୍ଗିତ ପରିବର୍ତ୍ତିତ ହୋଇଯାଏ, ଯାହା ‘Oedipus Tyrannus’ରେ ନିରବଚ୍ଛିନ୍ନ ଭାବେ ଘଟିଛି । ରାମାୟଣ ଓ ମହାଭାରତରେ ମଧ୍ୟ ତାହା ହିଁ ହୋଇଛି । ଅବଶ୍ୟ ମନ୍ଥରା, କୈକେୟୀ ଏବଂ ଶକୁନୀମାନେ ଅନେକାଂଶରେ ବିୟୋଗାନ୍ତକ ଅନଳକୁ ଶୁଷ୍କକାଷ୍ଠ ସଂଯୋଗରେ ତେଜୀୟାନ୍‌ କରିଛନ୍ତି । ସେମାନେ ଦୃଶ୍ୟପଟରୁ ଅନ୍ତର୍ହିତ ହେବା ପରେ ମଧ୍ୟ ତାହା ନିର୍ବାପିତ ହୋଇନାହିଁ । ଏହି ମହାନାଟକର କେନ୍ଦ୍ରବିନ୍ଦୁ ଭାବେ ସୀତା ବା ଦ୍ରୌପଦୀଙ୍କି ଗ୍ରହଣ କରାଯାଇଥାଏ । ସେହିପରି, ହୋମରଙ୍କ ମହାକାବ୍ୟରେ ସେହି ନାରୀ ହେଲେନ ହିଁ ଅଣୁଘଟକ । ‘ଲେଡା଼’ ଆଉ ‘ହଂସ’ (Leda and swan) ଙ୍କ ସଂଯୋଗରୁ ଯେଉଁ ଦୁଇଟି ଡିମ୍ବ ଉଦ୍ଭବ ହେଲା, ତାହାହିଁ ସେଇ ନିୟତି, ଯାହା ପରବର୍ତ୍ତୀ କାଳରେ ବିୟୋଗାନ୍ତକ ପର୍ବକୁ ଭୟଙ୍କର ରୂପ ଦେଲା । ଠିକ୍‌ ସେଇ ଅବସ୍ଥା ଘଟିଲା ଆଦାମ ଏବଂ ଇଭଙ୍କ କ୍ଷେତ୍ରରେ । ଇଭ୍‌ଙ୍କୁ ପ୍ରଲୋଭିତ କରି ସାଟାନ ବିଷମଞ୍ଜି ବୁଣିଦେଲା । ଈଶ୍ୱରଙ୍କ ଆଦେଶ ଉଲଙ୍ଘନ କରି ସେମାନେ ନିଷିଦ୍ଧ ବୃକ୍ଷର ଫଳ (Fruit of forbidden tree) ଭକ୍ଷଣ କଲେ । ପାପର ପ୍ରାୟଶ୍ଚିତ ସ୍ୱରୂପ ଇଡେନରୁ ନିର୍ବାସନ ଓ ନର୍କବାସ ଅନ୍ତିମ ପରିଣତି ମାନବ ଜାତିର ପଚନ (Fall of man) (୭) ।

 

୩.

Ibid

୪.

The stars above us govern our conditions: Othello: William Shakespeare

୫.

Macbeth-Scene I –Act-I William Shakespeare

୬.

Aristotle’s Poetics: Humphry House-Kalyani Publishers, 1970

୭.

Paradise Lost- Book I –John Milton

 

ଏସବୁ ସତ୍ତ୍ୱେ ନାରୀ ଅସାଧ୍ୟ ସାଧନ କରିପାରେ । ସେ ପୁରୁଷକୁ ଖାଲି ବଶୀଭୂତ ବା ସମ୍ମୋହିତ କରେ ତାହାନୁହେଁ, ତା’ର ବିଷଦାନ୍ତ ଭାଙ୍ଗି ନିଜ ଅକ୍ତିୟାରରେ ରଖିବାର ଶକ୍ତି ତା’ଠାରେ ଅଛି । ଯାହା ପୁରୁଷ ଦ୍ୱାରା ସମ୍ଭବ ନୁହେଁ, ନାରୀ ତାହା ଅନାୟାସରେ କରିପାରେ । ତା’ର ଅନ୍ୟନାମ ତେଣୁ ଶକ୍ତି । ମହିଷାସୁରକୁ ପରାସ୍ତ କରିବାରେ ଅସମର୍ଥ ଦେବକୂଳ ଏକ ଅପୂର୍ବ ଶକ୍ତିମୟୀ ମା’ ଦୁର୍ଗାଙ୍କ ସର୍ଜନା କଲେ ନିଜ ନିଜର ତେଜଦୀପ୍ତିରେ ଦିପ୍ତୀମାନ କରି ଏବଂ ନିଜ ନିଜ ଅସ୍ତ୍ରଶସ୍ତ୍ର ପ୍ରଦାନ କରି । ସେ ଶକ୍ତି, ଶାନ୍ତି ଓ ମାତୃତ୍ୱର ସମନ୍ୱୟ । ନାରୀ ମୋହିନୀ, କାମିନୀ ଓ ରହସ୍ୟମୟୀ । ସମସ୍ତ ସଙ୍କଟର କେନ୍ଦ୍ର ବିନ୍ଦୁ ନାରୀ । ନାରୀ ମନସ୍ତତ୍ତ୍ୱ ଅଧ୍ୟୟନ ସାଂପ୍ରତିକ ସମୟରେ ଏକ ଚମତ୍କାର ଉଦ୍ୟମ । ଫ୍ରୟେଡ୍‌, ୟୁଙ୍ଗଙ୍କଠୁ (୧) ଆରମ୍ଭ କରି କଥାକାର ଓ ନାଟ୍ୟକାର ସମସ୍ତେ ଏ ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି । ଇବ୍‌ସେନ ଓ ‘ଜର୍କ ବର୍ଣ୍ଣାଡ଼ସ’ଙ୍କ ନାଟକରେ ନାରୀ ସମସ୍ୟାର ବିବିଧ ଦିଗ ପ୍ରତି ଆଲୋକପାତ କରାଯାଇଛି । ଇବ୍‌ସେନଙ୍କ ତିନୋଟି ନାଟକ A Doll’s House’ The Lady Fromthe Sea’ ଏବଂ Wild Duck’ ରେ ନାରୀ ମୁଖ୍ୟ ଭୂମିକା ଗ୍ରହଣ କରିଛି । Doll’s House ର ନାୟିକା ନୋରା ସୁଧାର ଆଉ ବାଧ୍ୟ ଗୃହିଣୀଟିଏ, ଶାନ୍ତ ସରଳ ଅମାୟିକା (୮) ସେଇ ଦୃଶ୍ୟମାନ ଚଉଠକରେ ଯାହା ପ୍ରତୀତ ହେଉଥାଏ । ଅପର ତିନି ଚଉଠ ପାଣିତଳେ ଛପିଥିବା ବରଫ ଖଣ୍ଡ ପରି ଅଭେଦ୍ୟ-। ତେଣୁ କଳନା କରିହୁଏନା ସେ ଗହନ ଚରିତ୍ରକୁ । ନୋରା ଏଇ ସହଜ ସୁପ୍ତ ଆବରଣତଳୁ ହଠାତ୍‌ ବିସ୍ଫୋରିତ ହୋଇଛି ।

 

ନାଟକର ଗତି ପରିବର୍ତ୍ତିତ ହେଲା ହେଲ୍‌ମର ଚେୟାରମେନ ହେବା ପରେ । ନିଲମ୍ବିତ ହେଇଥିବା କ୍ରଗ୍‌ଷ୍ଟଡ଼ ସ୍ଥାନରେ ନୋରାର ସହପାଠିନୀ ଶ୍ରୀମତୀ ଲିଣ୍ଡେଙ୍କ ନିଯୁକ୍ତି ଦେବା କଥ୍ୟା ଏକରକମ ସ୍ଥିର ହୋଇସାରିଥାଏ । ଅକସ୍ମାତ ଧୂମକେତୁ ପରି କ୍ରଗ୍‌ଷ୍ଟଡ଼ ନୋରାକୁ ବ୍ଳାକ୍‍ମେଲ୍‌ କରିଛି । ହୁଏତ ହେଲମରଙ୍କ ଚିକିତ୍ସା ନିମନ୍ତେ ନୋରା କ୍ରଗ୍‌ଷ୍ଟଡ଼ଠାରୁ ନେଇଥିବା ଋଣ ବଣ୍ଡକୁ ସେ ତାରିଖ ବଦଳେଇ ସାକ୍ଷୀଥିବା ନୋରାର ବାପାଙ୍କ ଦସ୍ତଖତକୁ ତାଙ୍କ ମୃତ୍ୟୁର ତିନିଦିନ ପରେ ଲେଖାଇଛି । ଏଥିରେ ନୋରା ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହେବା ସଙ୍ଗେ ହେଲ୍‌ମରଙ୍କ ସାମାଜିକ ସ୍ଥିତି ଓ ବ୍ୟକ୍ତିଗତ ମର୍ଯାଦାହାନି ହେବ । ଟଙ୍କା ନିଜ ବାପାଙ୍କଠାରୁ ଆଣିଥିବା କଥା ନୋରା ନିଜ ସ୍ୱାମୀଙ୍କି କହିଥିଲା । ତା’ ନିଜର ପ୍ରତିକ୍ରିୟା –I’ve been so proud of my secret. I could not bear to have him hear it like that brutally and clumsily and from you.(୯) ତେଣୁ ନୋରା ଦ୍ୱାରା ହେଲମରଙ୍କ ସିଦ୍ଧାନ୍ତ ବଦଳେଇ ନିଜର ପୁନର୍ନିଯୁକ୍ତ ଦାବିରେ କ୍ରଗ୍‌ଷ୍ଟଡ଼ ଅଟଳ । ନୋରା, ଏଣୁ ମାଇଲେ ଗୋ ହତ୍ୟା ତେଣୁ ମାଇଲରେ ବ୍ରହ୍ମହତ୍ୟାର ମଝିଛକରେ । ନିଜ ସହପାଠିନୀ ନିମନ୍ତେ ସେ ନିଜେ ହେଲମରଙ୍କୁ ରାଜିକରାଇଛନ୍ତି । ଏବେ କିପରି ମତ ବଦଳେଇବ? କି ଯୁକ୍ତି ତାଙ୍କ ପାଖରେ । ଯିମିତି ହେଲେ କଥାଟା ପ୍ରକଟିତ ହେବ । ତାହାହିଁ ହେଲା । କ୍ରଗ୍‌ଷ୍ଟଡ ଚିଠି ବାକ୍ସରେ ସମସ୍ତ ଲେଖି ହେଲମର ପାଇଁ ଛାଡ଼ିଗଲା । ଚିଠି ବାକ୍ସ ଖୋଲା ହେବାଯାଏ ସମୟତକ ନୋରା ଜୀବନର ଅତ୍ୟନ୍ତ ରୋମାଞ୍ଚକର ମୁହୂର୍ତ୍ତ, ଶଙ୍କାକୂଳ ପରିଣତି । ତା’ ପରେ ଚରମ ମୁହୂର୍ତ୍ତ । ନୋରା ଜୀବନର ଧାରା ବଦଳି ଯାଇଛି । ସେ ଏକ ଭିନ୍ନ ମଣିଷକୁ ରୂପାନ୍ତରିତ ହୋଇଯାଇଛି ।

 

ଆକସ୍ମିକ ଭାବେ ନୋରାଙ୍କ ଚାରିତ୍ରିକ ପରିବର୍ତ୍ତନ ଘଟିଛି । ତାଙ୍କ ଦୁର୍ବଳ ଅବଳା ସ୍ୱଭାବ କଟିଯାଇଛି । ପ୍ରଥମେ ସେ ପ୍ରଶ୍ନ କରିଛନ୍ତି ହେଲ୍‌ମରଙ୍କୁ ତାଙ୍କ ହିପୋକ୍ରିସି ବା ଛଳନାଶ୍ରିତ ବ୍ୟବହାର ପାଇଁ- ‘You’ve never loved me.You’ve only found it pleasant to be in love with me” (୧୦) ଅବଶ୍ୟ ଏ ପ୍ରକାର ଆଚରଣରେ ଟିକିଏ ହଡ଼ବଡ଼ ହେଇଛନ୍ତି ହେଲମର । କିନ୍ତୁ ପରବର୍ତ୍ତୀ ସଂଳାପ ତାଙ୍କୁ ବିସ୍ମିତ କରିଛି । “I’ve been your doll wife here as I was Papa’s doll child. And the children have been my doll in their turn.” (୧୧) ଏକ କଣ୍ଡେଇ ଘରର ବାତାବରଣରେ ସେ ଯିମିତି ରୁନ୍ଧି ହୋଇ ପଡ଼ୁଛନ୍ତି । ସେଥିରୁ ମୁକ୍ତି ଏକମାତ୍ର କାମ୍ୟ ଏବେ ନୋରା ପାଇଁ । ମଣିଷ ବା ପୁରୁଷର ବଳୟ ମଧ୍ୟରୁ ସେ ଦୂରେଇ ଯିବାକୁ ବ୍ୟଗ୍ର । ତେଣୁ ସେ ରୋକ୍‌ଠୋକ୍‌ ହେଲମରଙ୍କୁ ଶୁଣେଇ ଦେଇଛନ୍ତି- “I must try to educate myself .And you are not the man to help me. I must do it alone that is why I am leaving you.” (୧୨) ଏହା ତାଙ୍କର ଶେଷ ସିଦ୍ଧାନ୍ତ । ଅନେକ ଆତ୍ମପ୍ରତ୍ୟୟ ଆସିଯାଇଛି ନୋରାଠାରେ । ପୁରୁଷ ଭିନ୍ନେ ନିଜକୁ ଜାହେର କରିବାର ଏହା ଯେପରି ଏକ ଦୁର୍ବାର ଶପଥ । ପ୍ରଥମ କରି ଇବ୍‌ସେନ ଏପରି ଏକ ଚରିତ୍ର ସୃଷ୍ଟି କଲେ, ଯାହା ସମଗ୍ର ନାରୀ ଜାତି ପାଇଁ ମୁକ୍ତିର ମଶାଲ ଧରି ଏରୁଣ୍ଡିବନ୍ଧ ଡେଇଁବାର ସାହାସ ବାନ୍ଧିଛି । ଖାଲି ସେତିକି ନୁହେଁ ପୁରୁଷ ସଙ୍ଗେ ସମାସ୍କନ୍ଧ ହେବାର ଦାବି ଉପସ୍ଥାପନ କରିଛି । I am a human being just as must as you are” (୧୩) ତେଣୁ ସମାଜରେ ନାରୀ ପୁରୁଷ ସଙ୍ଗେ ସମାନ୍ତରାଳ ଗତିରେ ଚାଲିପାରିବ ।

 

ହେଲମରଙ୍କ ସମସ୍ତ ଅନୁରୋଧ ବ୍ୟର୍ଥ ହୋଇଛି । ନୋରା ଆଜି ଦୁର୍ବାର । କେହି ତା’ ଗତିରୋଧି ପାରିବେ ନାହିଁ । ହେଲମରଙ୍କୁ ଅନ୍ତିମ ବିଦାୟ ଜଣେଇବାବେଳେ ନିଜ ପିଲାମାନଙ୍କୁ ଶେଷ ବିଦୟା ଦେବାର ମୋହକୁ ସେ ନିଷ୍ଠୁର ଭାବେ ପରିହାର କରିଛନ୍ତି । ଏପରିକି ଚିଠି ଲେଖିବା ପାଇଁ ମଧ୍ୟ ସେ ମନାକରି ଦେଇଛନ୍ତି । ସେ ନିଷ୍କ୍ରାନ୍ତ ହେବାର ବିକଟ ଶବ୍ଦ ‘The noise of a door slamming’ ଯେପରି ସବୁଦିନ ପାଇଁ ନାରୀମାନଙ୍କ ପାଇଁ ଦ୍ୱାର ଉନ୍ମୁକ୍ତ କରି ଦେଲା ଏବଂ ପୁରୁଷ ସୌଖୀନ୍‌ ମିନାରକୁ ଭାଙ୍ଗି ଚୁର୍‌ମାର କରିଦେଲା ।

 

ସେତେବେଳେ ଏ ଚରମ ପରିବର୍ତ୍ତନକୁ ୟୁରୋପର ଜନସାଧାରଣ ସହ୍ୟ କରିପାରିଲେ ନାହିଁ । ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଲା । ନିଜେ ଇବସେନ ଲେଖିଛନ୍ତି –I revil in adverse criticism.’ଅବଶ୍ୟ ତା’ ସତ୍ତ୍ୱେ ଜନଗହଳି ବଢ଼ିଗଲା । କିନ୍ତୁ ପରିସ୍ଥିତି ଅନ୍ୟ ପକ୍ଷରେ ଭିନ୍ନମୋଡ଼ ନେଲା, ଯାହାକୁ ନିଜେ ଇବ୍‌ସେନ ବର୍ଣ୍ଣନା କରନ୍ତି : ‘an act of barbarous violence against the play’ (୧୪) ରକ୍ଷଣଶୀଳ ଲୋକ ଘୋର ପ୍ରତିବାଦ କଲେ । ଫଳରେ ନାଟକର ଶେଷାଂଶକୁ ପରିବର୍ତ୍ତନ କରାଗଲା । ଇବ୍‌ସେନ ଏପରି କଲେ ଯେ ସୁପ୍ତ ପିଲାମାନଙ୍କୁ ଦେଖି ନୋରାଙ୍କ ପାଦ ଅଟକିଗଲା ଏବଂ ତାଙ୍କ ବ୍ୟାଗ୍‌ ଖସିପଡ଼ିଲା-। ସେ ତଳେ ପଡ଼ିଗଲେ ସାଙ୍କେତିକ ଭାବରେ ନାଟକର ଯବନିକା ପଡ଼ିଗଲା । ଯାହାହେଲେ ବି ୟୁରୋପୀୟ ନାରୀ ଜାଗରଣର ରାସ୍ତା ଖୋଲିଗଲା । ତା’ର ଗତିଥିଲା ଅବାରିତ । ନୋରା ଚରିତ୍ର ଏକ ଗତିଶୀଳ ଚରିତ୍ର । ନାରୀ ମନସ୍ତତ୍ତ୍ୱର ଉପାଦାନ ଏଥିରେ ନିହିତ । ଜୀବନର ସବୁ ତ୍ୟାଗ କରିବା ପରେ ଯଦି ସାମାନ୍ୟ ତ୍ରୁଟିର ସମ୍ବେଦନଶୀଳ ବିଚାର ନାହିଁ, ତେବେ ସେ ଜୀବନର ଅର୍ଥ କ’ଣ ? ସେ ସୁଖର ସଂଜ୍ଞା କ’ଣ ? ବରଂ ସବୁ ଗୋପନୀୟତାର ଆବ୍ରୁ ଖୋଲିଦେବା ଶ୍ରେୟ । ସେଥିପାଇଁ ନୋରା କଣ୍ଢେଇ ଘରର ସୌଖିନୀ ମିନାର ଭାଙ୍ଗି ରାଜରାସ୍ତାକୁ ଓହ୍ଲେଇ ଆସିଛନ୍ତି । ପୁରୁଷର ମନଗଢ଼ା ସମାଜକୁ ଭାଙ୍ଗି ଚୁର୍‌ମାର କରିଦେଇଛନ୍ତି । ଅବଶ୍ୟ ‘Pillar of the society’ରେ ଇବ୍‌ସେନ ଏହାର ମୂଳଦୁଆ ପକାଇଥିଲେ ଏବଂ ମହିଳା ଭୋଟ ଅଧିକାର ପ୍ରସଙ୍ଗ ଉତ୍‌ଥାପନ କରିଥିଲେ ତା’ର ଚୂଡ଼ାନ୍ତ ରୂପ ‘A Doll’s house’ରେ ରୂପାୟିତ ହେଲା ।

 

ପରେ ଜର୍ଜ ବର୍ଣ୍ଣାଡ ଶ’ ଅନେକ ସାମାଜିକ ସମସ୍ୟା ଭିତ୍ତିକ ନାଟକ ଲେଖିଛନ୍ତି । ନାରୀ ଚରିତ୍ରର ବିବିଧ ସମସ୍ୟା ସେ ଆଲୋକପାତ କରିଛନ୍ତି । ‘Saint goaw’, ‘Mrs Waren’s Profession’ ଏବଂ ‘Pigmalion’ ପ୍ରଭୃତିରେ ଏହି ସମସ୍ୟା ପ୍ରଚ୍ଛନ୍ନ ଭାବେ ଚିତ୍ରଣ କରାଯାଇଛି । ଜୋଆନ ନିଜର ବୀରତ୍ୱ ଓ ତ୍ୟାଗ ବଳରେ ଦେଶକୁ ଶତ୍ରୁ କବଳରୁ ଉଦ୍ଧାର କରିଛି । କିନ୍ତୁ ତାହା ଯେପରି ପୁରୁଷମାନଙ୍କ ପୁରୁଷାକାରକୁ ବିଦ୍ରୂପ କରିଛି । ତେଣୁ ତାକୁ ‘Witch’ ବୋଲି ଘୋଷଣା କରି ମାରି ଦିଆଯାଇଛି । ନାରୀ ଏପରି କାର୍ଯ୍ୟ କରିନପାରେ । ଯଦି କରେ ତେବେ ସେ ପିଶାଚୀ । ପୁରୁଷ ଅଧ୍ୟୁଷିତ ସମାଜରେ ପ୍ରତିଭାର ସ୍ଥାନ ନାହିଁ । ନାରୀର କେବଳ ଗୋଟିଏ ପରିଚୟ ସେ ପୁରୁଷର ପିଲା ଗର୍ଭରେ ଧାରଣ କରିବ, ଲାଳନ ପାଳନ କରିବ ଓ ତା’ ହାତର କଣ୍ଢେଇ ହୋଇ ନାଚିବ । ପିଗ୍‌ମେଲିୟନର ନାୟିକା ‘Eliza’ ଭିନ୍ନ ଏକ ଚରିତ୍ର । ସେ ନର୍ଦ୍ଦମାରୁ ଆସି ଯେତେବେଳେ ଖାନ୍ଦାନି ଚେହେରା ଓ ରୁଚିବୋଧରେ ରୂପାନ୍ତରିତ ହୋଇଯାଇଛି ସେତେବେଳେ ତା’ର ମୌଳିକ ପ୍ରଶ୍ନ ‘What is of me?” (୧୫) ଇୟାପରେ ତା’ର ଗତି କୁଆଡ଼େ? ଏପରି ଅବସ୍ଥାକୁ ଆସିବା ପରେ ସମାଜ ତା’ ଲାଗି କ’ଣ କରିଛି । ଏହିଭାବେ ବର୍ଣ୍ଣାର୍ଡ ଶ’ ନାରୀର ମନସ୍ତାତ୍ତ୍ୱିକ ତଥା ସାମାଜିକ ସମସ୍ୟାମାନ ନାଟକମାନଙ୍କରେ ପ୍ରକାଶ କରିଛନ୍ତି । ସମସ୍ୟାକୁ ଖୁବ୍‌ ବଳିଷ୍ଠ ଭାବେ ପ୍ରତିପାଦନ କରିଥିଲେ ହେଁ ସମାଧାନର ସୂତ୍ର ସେ ଖୋଜିନାହାନ୍ତି । ତେବେ ତାଙ୍କ ନାଟକରେ ନାରୀ ଚରିତ୍ରର ବହୁ ଦିଗ ଉଦ୍‌ଘାଟିତ ।

 

ସେକ୍ସପିୟରଙ୍କ ନାଟକରେ ନାରୀ ଚରିତ୍ରର ବହୁ ଦିଗ ଉନ୍ମୋଚିତ ହୋଇଛି । ବହୁ ସମୟରେ ନାରୀର ଅନମନୀୟ ଆଚରଣ ତଥା ପୁରୁଷକୁ ନିୟନ୍ତ୍ରଣ କରିବାର ଦୁର୍ବାର ପ୍ରୟାସ ବିୟୋଗାନ୍ତକ ସ୍ରୋତକୁ ତ୍ୱରାନ୍ୱିତ କରିଛି । ପୁଣି କେତେବେଳେ ନାରୀ ଯୂପପଶୁ ଭଳି ସେ ଧ୍ୱଂସସ୍ତୂପରେ ବଳିପଡ଼ିଛି । ‘Macbeth’ ନାଟକର ନାୟିକା ଶ୍ରୀମତୀ ମାକ୍‌ବେଥ୍‌ ସମଗ୍ର ନାଟକର କେନ୍ଦ୍ରବିନ୍ଦୁ । ସେହିଁ ସୃଷ୍ଟି କରିଛନ୍ତି ବିୟୋଗାନ୍ତକ ମହାସ୍ରୋତ । ମାକ୍‌ବେଥ୍‌ଙ୍କ ବୀରତ୍ୱରେ ଆତ୍ମହରା ରାଜା ଡନ୍‌କାନ୍‌ ତାଙ୍କ ଆତିଥ୍ୟ ଗ୍ରହଣ କରିଛନ୍ତି । ସେହି ରାତ୍ରିରେ ରାଜାଙ୍କୁ ହତ୍ୟାକରାଯାଇଛି ଶ୍ରୀମତୀ ମାକ୍‌ବେଥ୍‌ଙ୍କ ପ୍ରରୋଚନାରେ । ଏପରି ଜଘନ୍ୟ ପାପ ନିମନ୍ତେ ମାକ୍‌ବେଥ୍‌ ଆଦୌ ପ୍ରସ୍ତୁତ ନୁହଁନ୍ତି ମାନସିକ ବାର ଶାରୀରିକ ସ୍ତରରେ । ଶ୍ରୀମତୀ ମାକ୍‌ବେଥ୍‌ ଏକ ରକମ ତାଙ୍କ ହାତରେ ଛୁରୀ ଧରେଇ ଦେଇଛନ୍ତି । ତାଙ୍କର ମନ୍ତବ୍ୟ ‘ସେ ମୋ ବାପା ପରି ଦିଶୁ ନଥିଲେ ମୁଁ ନିଜେ ହିଁ ଶେଷ କରିଦିଅନ୍ତି ।’ ଏଥିରେ ତାଙ୍କ ଚରିତ୍ରର କେତେକ ମାନବିକ ସମ୍ବେଦନା ପ୍ରତିଫଳିତ । ସବୁ ହଳାହଳ ସତ୍ତ୍ୱେ ନାରୀ କିଛି ମାନବିକ ଆଚରଣ ନିହିତ ଥାଏ, ଶେଷରେ ଅତି ଦୟନୀୟ ଚରିତ୍ରରେ ପରିଣତ ହୋଇଛନ୍ତି ଶ୍ରୀମତୀ ମାକ୍‌ବେଥ୍‌ । ମଣିଷର ଅସହାୟତା ଓ ଜୀବନର ଅସାରଣ ପ୍ରତିପାଦନ କରିଛନ୍ତି ସେକ୍ସପିୟର ଶ୍ରୀମତୀ ମାକ୍‌ବେଥ୍‌ଙ୍କ ପରିପ୍ରେକ୍ଷୀରେ । ଜୀବନ ଏକ ଚଳନ୍ତି ଦୀପଶିଖା ପରି ଦିକ୍‌ଦିକ୍‌ ହେଉଥାଏ ମହାକାଳର ଧ୍ୱାନ୍ତବତାଶ ତାକୁ କୋଉ ମୁହୂର୍ତ୍ତରେ ନିଃଶେଷ କରିଦିଏ, ତା'ର ଇୟତ୍ତା ନାହିଁ । ଜୀବନ ବୋକା ମୁହଁରେ ଉଚ୍ଚାରିତ ଏକ ଗୁଲିଗପ - ‘a tale told by an idiot’ ଯାହାର ଅନ୍ତିମ ପରିଣତି ଅଗତ୍ୟା କେତୋଟି ଅବୋଧ୍ୟ ଶବ୍ଦ ଆଉ ଅସ୍ପଷ୍ଟ ଧ୍ୱନିରେ ମିଳେଇ ଯାଏ । ସେ ଆଲୋକ ମୃତ୍ୟୁର ଘନ ଅନ୍ଧକାରରେ ମିଳେଇ ଯାଏ । କବି ପଦ୍ମଚରଣ ପଟ୍ଟନାୟକଙ୍କୁ ଉଦ୍ଧାର କରି କହିଲେ

 

“ଆଲୋକବର୍ତ୍ତିକା ପରି ଜଳେ ଏ ଜୀବନ

ମାନବ ଜୀବନାଲୋକ ଜଳେ କିଛି କ୍ଷଣ

ଆଲୋକ ମିଶଇ ଯେହ୍ନେ ଗଭୀର ଅନ୍ଧାରେ

ମାନବ ହରାଏ ସବୁ ମୃତ୍ୟୁ ପାରାବାରେ ।” (୧୬)

 

ଏମିତି ଏକ ବିୟୋଗାନ୍ତକ ଜୀବନର ଅନ୍ତିମ ପରିଣତି ଶ୍ରୀମତୀ ମାକ୍‌ବେଥ୍‌ ଯାହାଙ୍କୁ ଲକ୍ଷ୍ୟ କରି ସେକ୍ସପିୟର ଜୀବନର ଏକ ବିସ୍ତୃତ ସଂଜ୍ଞା ଦେଲେ :

 

ତାଙ୍କ ମତରେ ଜୀବନ :

“Life is but a walking stick

A tale told by an idiot full of sound and furry

Signifying nothing” (୧୭)

 

ଏତେ ଦ୍ୱନ୍ଦ୍ୱ ସଂଘର୍ଷ ଓ ଉଚ୍ଚାଭିଳାଷର କରୁଣ ପରିଣତି କେବଳ ନାହିଁରେ ହିଁ ମିଳେଇଗଲା । ପଡ଼ିରହିଲା ରାଜ୍ୟ, ଧନ, ସିଂହାସନ, ଧୂଳିମାଟିରେ ମିଶିଗଲା ଯଶଖ୍ୟାତି କୀର୍ତ୍ତିର ଅହମିକା । ଶ୍ରୀମତୀ ମାକ୍‌ବେଥ୍‌ ଅସହାୟଭାବରେ ଟଳିପଡ଼ିଲେ । ମିଞ୍ଜିମିଞ୍ଜି ଡିବିରିଟି କାଳବତାଶରେ ଲିଭିଗଲା । ସବୁ ହଜିଗଲା ମୃତ୍ୟୁ ପାରାବାରରେ । ସେହିପରି ‘king Lear’ ନାଟକରେ ଅନ୍ତିମ ପରିଣତିରେ ଅଲିଭିଆଙ୍କ କରୁଣ ସମ୍ପର୍କରେ ଭାଓଲାଙ୍କ ସଂଳାପ ‘She sat like patience on a monument laughing at her grief’ King Lear ଏବଂ ‘Othelo’ ନାଟକରେ ନାୟିକାମାନେ କରୁଣତମ ପରିସ୍ଥିତିକୁ ମୁକାବିଲା କରିଛନ୍ତି । ଅଥେଲୋ ନାଟକର ନାୟିକା ଡେସ୍‌ଡେମ୍ନା ନିୟତିର କ୍ରୀଡ଼ନକ ସାଜିଛି । ଖଳନାୟକ ଇୟାଗୋର କପଟ ଜାଲରେ ଛନ୍ଦିହୋଇ ମୁକୁଳିବାର ରାହାପାଇନି । ଅନ୍ତିମ ପରିଣତି ହୋଇଛି ନିଜସ୍ୱାମୀ ହାତରେ ଜଘନ୍ୟଭାବେ ହତ୍ୟା ଚାରିତ୍ରିକ କଳଙ୍କର ଅପବାଦରେ । ‘ମାକ୍‌ବେଥ ଓ କିଙ୍ଗଲିୟର’ର ଟ୍ରାଜେଡ଼ୀ ବହୁମାତ୍ରାରେ ମନୁଷ୍ୟକୃତ । ଏଥିପାଇଁ ଚରିତ୍ରମାନେ ପରିଣତିକି ପୁଷ୍ଟ କରିଛନ୍ତି । କିନ୍ତୁ ‘ଅଥେଲୋ’ରେ ପରିଣତି ବାହ୍ୟଶକ୍ତି ବା ନିୟତି ଦ୍ୱାରା ନିୟନ୍ତ୍ରିତ । ଚରିତ୍ରମାନେ ସେଠି ଉପଲକ୍ଷ୍ୟ ମାତ୍ର । ଖଣ୍ଡିଏ ରୁମାଲ ହେତୁ ସବୁ ଭଲ ବୁଝାମୁଣା ସୃଷ୍ଟି ହୋଇ ନାଟକର ଗତି ଭିନ୍ନ ମୋଡ଼ ନେଇଛି । ନାୟିକା ଅସହାୟଭାବେ କରୁଣ ଓ ବିଚ୍ଛେଦସ୍ରୋତରେ ଉବୁଟୁବୁ ହୋଇଛି । ସମସ୍ତେ ନିର୍ଦ୍ଦୋଷତା, ନିଷ୍ପାପ ଓ ନିରପରାଧ ସତ୍ତ୍ୱେ ଡେସ୍‌ଡେମ୍ନା ବଳିପଡ଼ିଛି । ହୁଏତ ନିଜେ ଅଥେଲୋ ଏ କଥା ଅଙ୍ଗୀକାର କରିବା ସତ୍ତ୍ୱେ ସେ ଦଣ୍ଡର ଶେଷ ହୋଇନାହିଁ । ମର୍ଡର ସିନ୍‌ରେ ଅଥେଲୋଙ୍କ ସ୍ୱଗତୋକ୍ତି : “ I kissed thee are killed thee no way but this killing myself, to die upon a kiss.” (୧୮)

 

ଟମାସ୍‌ ହାର୍ଡିଙ୍କ ଉପନ୍ୟାସର ପରିଣତି ଅନୁରୂପ ବିୟୋଗାନ୍ତକ ଦୃଶ୍ୟପଟରେ ଜର୍ଜ୍ଜରିତ । ତାଙ୍କର ଅଧିକାଂଶ ଉପନ୍ୟାସ ପ୍ରକୃତିର ମହାବେଦୀରେ ଉତ୍ତୋଳିତ ଏବଂ ପ୍ରକୃତିର ଅଙ୍କୁଶରେ ନିୟନ୍ତ୍ରିତ । ନାୟିକାମାନେ ପରିଶେଷରେ ଶୋଚନୀୟଭାବେ ପରାହତ ହୋଇଛନ୍ତି । (୧୯) “The Return of the Native’ର ଇଉଷ୍ଟେସିଆ ଭାଏକୁ ନିଜର ଭାବେ ଗ୍ରହଣ କରାଯାଇପାରେ । ହାର୍ଡି ଗ୍ରୀକ୍‌ ଟ୍ରାଜେଡ଼ୀ ଉପନ୍ୟାସରେ ଆରୋପ କରିଛନ୍ତି । ତାଙ୍କ ମତରେ ପ୍ରକୃତି ହାତରେ ନାୟକ ନାୟିକା ବା ଆଉ ଟିକିଏ ବିସ୍ତାରିତ ଭାବେ କହିଲେ ମନୁଷ୍ୟ ଏକ ପୁତ୍ତଳିକା ମାତ୍ର । ପ୍ରକୃତି ଲଗାମ ଧରିଛି, ଯୁଆଡ଼େ ଝିଙ୍କୁଛି ମନୁଷ୍ୟ ତଦନୁସାରେ ଗତିକରୁଛି । ଆମ ଧର୍ମଦର୍ଶନରେ ମଧ୍ୟ କୁହାଯାଇଛି : “ଦଇବ ଦଉଡ଼ି ମଣିଷ ଗାଈ । ଯେଣିକି ଓଟାରେ ତେଣିକି ଯାଇ ।” ଦଇବ, ପ୍ରକୃତି, ନିୟତି ସବୁ ଏକଶକ୍ତି-ଏକ ଅଦୃଶ୍ୟ ଓ ଅନିୟନ୍ତ୍ରିତ ମହାଶକ୍ତି, ଯାହା ଉପରେ ମଣିଷର କିଛି ଅକ୍ତିୟାର ବା ନିୟନ୍ତ୍ରଣ ନାହିଁ । ଏଗଡ଼ନ ହିଥ ହାର୍ଡ଼ିଙ୍କ ଉପନ୍ୟାସର ପୃଷ୍ଠଭୂମି, ଯାହା ଉପରେ ବିୟୋଗାନ୍ତକ ନାଟକର ଅନ୍ତିମ, ଯବନିକା ପାତହୋଇ ଇଉଷ୍ଟେସିଆ ପରି ଜିଦ୍‌ଖୋଇ ଚରିତ୍ରମାନେ କରୁଣ ପରିଣତିକି ମୁକାବିଲା କରନ୍ତି ।

 

ମହାକବି କାଳିଦାସଙ୍କ ‘ଅଭିଜ୍ଞାନ ଶାନ୍ତକୁଳମ୍‍’ର ନାୟିକା ଶକୁନ୍ତଳା ନିୟତିର କୁ ପ୍ରଭାବକୁ ଏଡ଼େଇ ପାରିନାହାନ୍ତି । ପ୍ରେମ ସ୍ୱପ୍ନରେ ନିମଗ୍ନା ଓ ଅନ୍ୟମନସ୍କା ଶକୁନ୍ତଳା ଦୁର୍ବାସାଙ୍କ ପ୍ରଚଣ୍ଡ କ୍ରୋଧରେ ଶିକାର ହୋଇ ଅଭିଶାପ ବହନ କଲେ । ତା’ର ପରିଣତି ସ୍ୱରୂପ ଦୁଷନ୍ତଙ୍କ ପ୍ରଦତ୍ତ ପ୍ରେମ ସନ୍ତକ ସୁବର୍ଣ୍ଣ ଅଙ୍ଗୁରୀୟଟି ସଯତ୍ନେ ସାଇତା କାନି ପଣନ୍ତରୁ ଉଭାନ ହୋଇଗଲା । ଦୁଷ୍ମନ୍ତ ତାଙ୍କୁ ପ୍ରତ୍ୟାଖ୍ୟାନ କଲେ, ଚରମ ଅପମାନ ଦେଇ ଘଉଡ଼ାଇ ଦେଲେ । ଚରମ ଦୁଃଖ ଓ ଦୁର୍ବିସହ ବେଦନା ଧାସରେ ନିୟତିର ଏ ଅଲଙ୍ଘ୍ୟ ଦଣ୍ଡକୁ ତିଳେ ତିଳେ ଅଙ୍ଗେନିଭେଇଛନ୍ତି ଶକୁନ୍ତଳା । କାଳିଦାସଙ୍କ ‘ଅଙ୍ଗୁରୀୟ’ ଓ ସେକ୍ସପିୟରଙ୍କ ‘Handkerchief’ ମଧ୍ୟରେ ଅଦ୍ଭୂତ ମେଳଅଛି । ଉଭୟଙ୍କ ଚିନ୍ତାଚେତନା ଓ ସମୟ ମଧ୍ୟରେ ବ୍ୟବଧାନ ଢେର । କାଳିଦାସ ପ୍ରାଚ୍ୟ ଦର୍ଶନ ଅନୁପ୍ରାଣିତ ହୋଇ ବିଶ୍ୱାସ କରନ୍ତି ସବୁ ବିଧିନିର୍ଦ୍ଦିଷ୍ଟ, ମନୁଷ୍ୟ ସେଇ ଅଦୃଶ୍ୟ ଶକ୍ତିର ଇଙ୍ଗିତରେ ନିୟନ୍ତ୍ରିତ । ସେକ୍ସପିୟରଙ୍କ ମତରେ ନିୟତି ଏବଂ ଚରିତ୍ରମାନଙ୍କ ଅନ୍ତଃସଂଘର୍ଷରୁ ବିୟୋଗାନ୍ତକ ମହାସ୍ରୋତର ଗତି ପ୍ରବଳତର ହୋଇଥାଏ ।

 

ଯୋଗାସିଦ୍ଧ ସନ୍ନ୍ୟାସୀଙ୍କର ଭତ୍ତୃହରିଙ୍କୁ ଅଜର ଫଳ ପ୍ରଦାନ ଏବଂ ତାହା ମହାରାଣୀଙ୍କ ରାଜା ଉପହାର ଦେବାପରେ ସେଠୁଁ ଅନ୍ତର୍ହିତ ହୋଇ ଶେଷରେ ଗଣିକାଠାରୁ ରାଜା ଲାଭ ତାହାକରିବା ବିୟୋଗାନ୍ତକ ପର୍ବ ସୃଷ୍ଟି କରିଛି । ଅମୃତଫଳ ନିୟତି ଭୂମିକାରେ ଅବତୀର୍ଣ୍ଣ ।

 

ମହାକାବ୍ୟ ରାମାୟଣର ନାୟିକା ସୀତା ସେଇ ନିୟତି ଦ୍ୱାରା ଚରମ, କଷଣ ଭୋଗ କରିଛନ୍ତି । ଅଭିଷେକର ଅବ୍ୟବହିତ ପୂର୍ବରୁ ବନବାସର କଠୋର ନିଷ୍ପତ୍ତି ଏକ ନିର୍ମମ ବିଡ଼ମ୍ବନା । ସ୍ୱାମୀସହଗାମିନୀ ସୀତା ମାୟାର କବଳିତ ହୋଇ ରାମଚନ୍ଦ୍ରଙ୍କୁ କହିଛନ୍ତି ହେମହରିଣୀଟି ଧରି ଆଣିବାକୁ । କେବଳ ସେତିକି ନୁହେଁ ଅସୁର ଆର୍ତ୍ତ ଚିତ୍କାର ‘ତ୍ରାହି ଲକ୍ଷ୍ମଣ’ ତାଙ୍କୁ ମୋହାଚ୍ଛନ୍ନ କରିଛି ଏବଂ ପୁତ୍ରତୁଲ୍ୟ ଲକ୍ଷ୍ମଣଙ୍କୁ ସେ କଟୁକଥା କହିବାରୁ ନିବୃତ୍ତ ହୋଇନାହାନ୍ତି । ଲକ୍ଷ୍ମଣ ଜ୍ୟେଷ୍ଠଭ୍ରାତାଙ୍କୁ ଅନୁସରଣ କରନ୍ତେ ମାୟାବୀ ରାବଣ କର୍ତ୍ତୃକ ସୀତା ହୋଇଛନ୍ତି ଅପହୃତା । ନିୟତି ଏଠାରେ ଭୂମିକା ଗ୍ରହଣ କରିଛି ବିୟୋଗାନ୍ତକ ନାଟକର ପ୍ରସ୍ତୁତି ନିମନ୍ତେ । ଯଥାର୍ଥରେ କୁହାଯାଇଛି :

 

“ହୈମକୁରଙ୍ଗୀ ନଚ ପୂର୍ବବାର୍ତ୍ତା, ନଶ୍ରୁୟତେ ବେଦ ପୁରାଣ ଗୀତେ

ତଥାପି ରାମ ରଘୁ ନନ୍ଦନେନ ବିନାଶ କାଳେ ବିପରୀତ ବୁଦ୍ଧି ।” (୨୦)

 

ନିୟତିର ସେ ଚକ୍ରବ୍ୟୁହରୁ ମୁକ୍ତି କାହିଁ? ନରଦେହୀ ନାରାୟଣଙ୍କୁ ବି ତା’ର ଶୀକାର ହେବାକୁ ପଡ଼ିଲା । ହେମହରିଣୀ ଏକ ପ୍ରତୀକ । ନିୟତିର ପ୍ରତୀକ । ରାବଣର ନିଧନ ପରେ ମଧ୍ୟ ସୀତାଙ୍କ କଷଣର ଅନ୍ତ ନାହିଁ । ଜୀବନସାରା ସେ ଏକ ଟ୍ରାଜିକ ଚରିତ୍ର ହୋଇ ରହିଗଲେ । ସେ ନିଷ୍ପାପ, ନିର୍ଦ୍ଦୋଷ, ଏକାନ୍ତ ପତି ଅନୁରକ୍ତା । ସାମାନ୍ୟତମ ଦୁର୍ବଳତା ତାଙ୍କଠିଁ ଅନ୍ୟକାହା ପ୍ରତି ସୃଷ୍ଟି ହୋଇନାହିଁ । ରାବଣ ଦ୍ୱାରା ଅପହୃତା ହୋଇ ଲଙ୍କାପୁରୀରେ ପହଞ୍ଚିବାବେଳେ ହର୍ମ୍ୟ, ତୋରଣ, ପ୍ରାସାଦାଦି ଅବଲୋକନ କରି ସୀତାଙ୍କର ଭ୍ରମ ହୋଇଛି । ସେ ନିଜ ସମ୍ବିତକୁ ସନ୍ଦେହ କରିଛନ୍ତି । ଭାବୁଛନ୍ତି, ବୋଧହୁଏ ମୃତ୍ୟୁ ହୋଇଯାଇଛି ତାଙ୍କର । ଯମଦୂତ ଦ୍ୱାରା ଧୃତ ହୋଇ ସେ ଆରପୁରକୁ ଯାଉଛନ୍ତି ଏବଂ ଏସବୁ ସେଇ ଆରଦୃଶ୍ୟର ଅବଚେତନ ଅନୁଭୂତି । କବି ଗଙ୍ଗାଧର ‘ତପସ୍ୱିନୀ’ରେ ତା’ର ମଞ୍ଜୁଳ ଚିତ୍ର ଆଙ୍କିଛନ୍ତି :

 

“ହେଉ ଏ ଯମାଳୟ ଅଥବା ସ୍ୱର୍ଗ

ବିହରୁ ଥାନ୍ତୁ ଏଥି ଦେବତା ବର୍ଗ

କେ କରିପାରିବ ମୋ ଚିତ୍ତ ହରଣ

କୌଶଲ୍ୟାସୁତ ଏକା ଯା’ର ଶରଣ ।” (୨୧)

 

ଏଥିରୁ ତାଙ୍କ ଐକାନ୍ତିକ ପତିଭକ୍ତିର ପରିଚୟ ମିଳେ । ତା’ ସତ୍ତ୍ଵେ ତାଙ୍କୁ ଦୁଇଥର ଅଗ୍ନିପରୀକ୍ଷା ଦେବାକୁ ପଡ଼ିଲା । ଏକ ରଜକ ଦମ୍ପତିଙ୍କ କଳହକୁ କେନ୍ଦ୍ରକରି ଅନ୍ତଃସତ୍ତ୍ୱା ସୀତାଙ୍କୁ ରାମଚନ୍ଦ୍ର ନିର୍ମମ ଭାବେ ଦାରୁଣ ନିର୍ବାସନ ଦଣ୍ଡ ଦେଲେ । ତଥାପି ସୀତାଙ୍କ ମୁହଁରୁ କିଛି ବିରକ୍ତି ବା କଟି ଶବ୍ଦ ବାହାରି ନାହିଁ । ଏହାକୁ ସେ ନିଜ କର୍ମଫଳ ରୂପେ ଗ୍ରହଣ କରିଛନ୍ତି । ଭକ୍ତ କବି ମଧୁସୂଦନଙ୍କ ପରିଭାଷାରେ :

 

“ଚରଣ ପଦ୍ମତଳୁ ଦୟା ସାଗର

ସତେକି ଏ ଦାସୀକି କଲ ଅନ୍ତର?” (୨୨)

 

ରାମଚନ୍ଦ୍ରଙ୍କୁ ହିନ୍ଦୁମାନେ ବିଷ୍ଣୁଙ୍କ ଅବତାର ବୋଲି ଗ୍ରହଣ କରିଥିବା ବେଳେ ଏବଂ ରାମ ରାଜ୍ୟ ଆଦର୍ଶ ଶାସନର ନମୁନା ହୋଇଥିବା ବେଳେ ଅନେକ ଆଧୁନିକ ସମୀକ୍ଷକ ରାମଚନ୍ଦ୍ରଙ୍କୁ ଏଥିପାଇଁ କଠୋର ସମାଲୋଚନା କରିଥାଆନ୍ତି । ସୀତା ଆଉ ଯାହା ହୁଅନ୍ତୁ ପଛେ, ରାମ ରାଜ୍ୟରେ ତ ଜଣେ ନୀରିହା, ଅସହାୟାପ୍ରଜା ଯାହାଙ୍କ ସୁରକ୍ଷା ରାଜାର ଧର୍ମ । ଅନ୍ତଃସତ୍ତ୍ୱା ନାରୀର ନିର୍ବାସନ କ’ଣ ଆଦର୍ଶ ଶାସନର ନମୁନା ? ଆଉ କେହି କେହି ଆଧୁନିକ ମନସ୍ତାତ୍ତ୍ୱିକ ନିକ୍ତିରେ ତାହାକୁ ତନଖି କହନ୍ତି ସୀତାଙ୍କ ରହସ୍ୟାୟିତ ଜନ୍ମ ବୃତ୍ତାନ୍ତ ହୁଏତ ରାମଚନ୍ଦ୍ରଙ୍କ ଅବଚେତନ ମାନସରେ ଏକ ସନ୍ଦେହର ଭୂତାଣୁ ଭରି ଦେଇଛି, ଯୋଉଥି ପାଇଁ ରାବଣ ଦ୍ୱାରା ଅପହୃତା ସୀତା ହୁଏତ ପବିତ୍ରତା ହରାଇ ପାରିଥାଆନ୍ତି ଭାବି ତା’ର ନଗ୍ନ ରୂପ ପ୍ରତିକୂଳ ପରିସ୍ଥିତିରେ ରୂପ ନେଇଛି । କିନ୍ତୁ ଟ୍ରାଜେଡ଼ୀରେ ଚରିତ୍ରମାନଙ୍କର କିଛି ଅସ୍ତିତ୍ୱ ରହେ ନାହିଁ । ସେହିଭାବେ ରାମଚନ୍ଦ୍ର ହୁଏତ ସମସ୍ତ ମାନସିକ ଭାରସାମ୍ୟ ହରାଇ ଏ ବିୟୋଗାନ୍ତକ ମହାସ୍ରୋତର ମହାନାୟକ ହୋଇଛନ୍ତି । ଭବଭୂତି ‘ଉତ୍ତମ ରାମ ଚରିତ’ରେ ସେ କରୁଣ ରସର ଚମତ୍କାର ପରିପ୍ରକାଶ ଘଟାଇଛନ୍ତି । ଧର୍ମାତ୍ମା ଯୁଧିଷ୍ଠିର ଦ୍ୟୁତକ୍ରୀଡ଼ାରେ ଦ୍ରୌପଦୀଙ୍କି ପଣ ରଖିବା ସେହିପରି ଏକ ନିୟତିଗତ ବିଦ୍ରୂପ । ନୈଷଧର ନଳ ମଧ୍ୟ ନିର୍ମମଭାବେ ପତ୍ନୀ ଦମୟନ୍ତୀଙ୍କ ନିର୍ଜ୍ଜଳ ଜଙ୍ଗଲରେ ଛାଡ଼ି ଚାଲିଯାଇଛନ୍ତି । ଅଥେଲୋ ଡେସ୍‌ଡେମ୍ନାଙ୍କୁ ମିଥ୍ୟା ସନ୍ଦେହରେ ହତ୍ୟା କରିବାର ଅବ୍ୟବହିତ ପୂର୍ବରୁ ଅନୁଭବ କରନ୍ତି ସେ ନିଷ୍ପାପ । ତେଣୁ ତାଙ୍କର ଅନ୍ତିମ ଚୁମ୍ବନରେ ଦୁଇଟି ଜୀବନ ଦୀପ ନିର୍ବାପିତ ହୋଇଛି :‘‘to die upon a kiss” ହେଲା ଟ୍ରାଜେଡୀର ପରିଣତି ସେଥିରୁ ନାୟକ ନାୟିକାଙ୍କର ମୁକ୍ତିର ପଥ କାହିଁ ? ମହାକାଳ ଏମିତି ବିୟୋଗାନ୍ତକ ମହାସ୍ରୋତରେ ସେମାନଙ୍କୁ ନିର୍ମମଭାବେ ଅକଚା ମକଚା କରେ ।

 

ମହାଭାରତ ଯୁଦ୍ଧର କେନ୍ଦ୍ରବିନ୍ଦୁ ଦ୍ରୌପଦୀ । ଠିକ୍‌ ଯେପରି ସୀତା ସ୍ୱୟମ୍ବରରେ ଅସଫଳ ରାବଣ ମନରେ ଏକ ପ୍ରତିଶୋଧ ବହ୍ନି କୁହୁଳୁଥିଲା, ଠିକ୍‌ ଅନୁରୂପ କ୍ରୋଧାଗ୍ନିର ବିଷଧାସ ଦୁର୍ଯ୍ୟୋଧନ ଅନ୍ତରରେ ପ୍ରଜ୍ଜ୍ୱଳିତ ହେଉଥିଲା, ଯାହାର ଭୀଷଣ ରୂପ ପ୍ରକାଶ ପାଇଲା ଦ୍ରୌପଦୀଙ୍କ ବିଦ୍ରୂପାତ୍ମକ ଭର୍ତ୍ସନା ‘ଅନ୍ଧର ପୁତ୍ର ଅନ୍ଧ’ । ଦ୍ୟୁତକ୍ରୀଡ଼ାରେ ବାଜିରଖି ପରାଜିତ ପାଣ୍ଡବ ପତ୍ନୀ ଦ୍ରୌପଦୀଙ୍କି ତା’ର ସମସ୍ତ କଳନ୍ତର ଶୁଝିବାକୁ ପଡ଼ିଲା । ରାଜଦରବାରକୁ ଝିଙ୍କିଆଣି ତାଙ୍କୁ ଉଲଗ୍ନ କରିବାର ପାଶବିକ ପରିବେଶ; ଚରମ ପରିଣତି ଆଉ କ’ଣ ଥାଇପାରେ ମହାଭାରତ ଯୁଦ୍ଧ ବ୍ୟତୀତ । ବରଂ ମହାବୀର ଫାଲଗୁନୀଠାରେ ସୃଷ୍ଟି ହୋଇଥିବା ମୋହ ଏକ ବ୍ୟତିକ୍ରମ । ଶ୍ରୀକୃଷ୍ଣ ଖାଲି ସେଇ ନଗ୍ନ ଘଟଣାକୁ ପୁନରାବୃତ୍ତି କରି ଅର୍ଜ୍ଜୁନଙ୍କ ପ୍ରତିଶୋଧ ବହ୍ନିକୁ ତେଜିଦେଇଛନ୍ତି । ଦ୍ରୌପଦୀ ଏକ ଚମତ୍କାର ଚରିତ୍ର । ଶାକ୍ତଧର୍ମର ମୂର୍ତ୍ତିମତୀ ଦେବୀ । ଦୁଃଶା ରକ୍ତରେ ବେଣୀ ବନ୍ଧନର ଶପଥ ନେଇ ସେକେଶ ମୁକୁଳା ରଖିଲେ, ଯାହାର ପରିସମାପ୍ତି ଘଟିଲା ଭୀମ ଦୁଃଶାସନର ବାହୁ ଉତ୍ପାଟନ କରି ସେଇ ରକ୍ତରେ ପାଞ୍ଚାଳିଙ୍କ କେଶଧୌଚ କରିବା ପରେ । ସୀତା ଭୂମିକନ୍ୟା ହୋଇଥିବାବେଳେ ଦ୍ରୌପଦୀ ଅଗ୍ନିସମ୍ଭୂଦୀ । ଶ୍ରେଷ୍ଠ ମହାକାବ୍ୟ ରାମାୟଣ ଓ ମହାଭାରତର କେନ୍ଦ୍ରବିନ୍ଦୁ ସେମାନେ । ଉଭୟଙ୍କ ସ୍ଵୟମ୍ବରରେ ଅଦ୍ଭୁତ ପଣ ସେମାନଙ୍କ ପିତା କରିଥିଲେ ଯଥାକ୍ରମେ ଶିବଧନୁ ଭଙ୍ଗ ଓ ଘୂର୍ଣ୍ଣାୟମାନ ଚକ୍ରରେ ଥିବା ମାଛଆଖି ପ୍ରତିବିମ୍ବକୁ ଦେଖି ଶରବିଦ୍ଧ କରିବା । ଅର୍ଜ୍ଜୁନ ସ୍ୱୟମ୍ବରରେ ଜିଣିଲେ ସିନା ମାତୃ ଆଦେଶରେ ପଞ୍ଚପତି ଗ୍ରହଣ କଲେ ଦ୍ରୌପଦୀ । ଏହା ବି ସେଇ ନିୟତିର ଖେଳ । ଏଥିରେ ନା ଥିଲା ଦ୍ରୌପଦୀଙ୍କର ଅକ୍ତିୟାର ନା ଅନ୍ୟ କାହାରି । ମହାକାଳ ଏମିତି ଇନ୍ଧନ ଖଞ୍ଜିଛି ବିୟୋଗାନ୍ତକ ବହ୍ନିର ପ୍ରଜ୍ଜ୍ୱଳନ ନିମନ୍ତେ । ମହାଭାରତର ଅନ୍ୟ ନାରି ଚରିତ୍ର କୁନ୍ତୀଙ୍କୁ ମଧ୍ୟ ନିୟତି କବଳିତ କରିଛି । ଗୁରୁ ପ୍ରଦତ୍ତ ବରର ପରୀକ୍ଷା ସକାଶେ ଅପ୍ରାପ୍ତ ବୟସ୍କା କୁନ୍ତୀ ସୂର୍ଯ୍ୟଙ୍କୁ ସ୍ମରଣ କରନ୍ତେ ସେ ଅଗତ୍ୟା ତାଙ୍କ ଶୟନ କକ୍ଷରେ ପହଞ୍ଛିଛନ୍ତି ଏବଂ ରମଣ କରିଛନ୍ତି ତାଙ୍କୁ । ଜନ୍ମ ହୋଇଛି ଜାରଜ ସନ୍ତାନ କର୍ଣ୍ଣ । ସାରା ଜୀବନ ଏମିତି ନିୟତି ତାଙ୍କୁ ଗ୍ରାସ କରିଚାଲିଛି । ଅଭିଶପ୍ତ ପଣ୍ଡୁ ସ୍ତ୍ରୀ ସମ୍ଭୋଗ କଲେ ମୃତ୍ୟୁବରଣ କରିବେ । ତେଣୁ ପୁତ୍ରାର୍ଥେ ସେ ପବନ ଓ ଇନ୍ଦ୍ରଙ୍କୁ ସ୍ମରଣ କରି ଯଥାକ୍ରମେ ଭୀମ ଓ ଅର୍ଜ୍ଜୁନଙ୍କୁ ଜନ୍ମ ଦେଇଛନ୍ତି । ଆଉ ଟିକିଏ ପଛକୁ ଫେରିଲେ ନିୟତିର ମାୟାଜାଲ କିପରି ସମଗ୍ର ମହାଭାରତରେ ବିଛେଇ ହୋଇଯାଇଛି ତାହା ଜଣାଯିବ । ସତ୍ୟବତୀ ଥିଲେ ଧୀବରକନ୍ୟା । ସେ ମତ୍ସ୍ୟଗନ୍ଧା ଥିଲେ-। ପରାଶର ମୁନି ତାଙ୍କୁ ନୌକା ଭିତରେ ଦିବାଲୋକରେ ରମଣ କଲେ । ଏଥିପାଇଁ ସେ ଘନକୁହୁଡ଼ିର ଆସ୍ତରଣ ବଢ଼େଇ ଦେଇଥିଲେ । ଜନ୍ମ ନେଲେ ମହାଜ୍ଞାନୀ ବ୍ୟାସ । ବ୍ୟାସ ଏବଂ କର୍ଣ୍ଣଙ୍କ ଗୋପନୀୟ ଜୀବନ ବୃତ୍ତାନ୍ତ ତତ୍କାଳୀନ ଜନମାନସରୁ ଅଜ୍ଞାତ ଥିଲା । ଚିତ୍ରାଙ୍ଗଦ ଓ ବିଚିତ୍ରବୀର୍ଯ୍ୟଙ୍କ ଅକାଳ ମୃତ୍ୟୁ ହୁଅନ୍ତେ ବ୍ୟାସଙ୍କୁ ମା’ ସତ୍ୟବତୀ ସ୍ମରଣ କଲେ । ବଂଶରକ୍ଷାର୍ଥେ ଅମ୍ବା ଅମ୍ବାଳିକାଙ୍କ ସଙ୍ଗେ ସହବାସ କଲେ ବ୍ୟାସ । କିନ୍ତୁ କାୟମନୋବାକ୍ୟରେ ସେମାନେ ଏ ସହବାସକୁ ଗ୍ରହଣ କରିପାରିଲେ ନାହିଁ । ଫଳରେ ଦୁଇଜଣ ବିକଳାଙ୍ଗ ପୁତ୍ର - ଜଣେ ଜନ୍ମାନ୍ଧ ଓ ଅନ୍ୟ ଜଣଙ୍କ ଦୁର୍ବଳ ନେଇ ଯଥାକ୍ରମେ ଧୃତରାଷ୍ଟ୍ର ଓ ପଣ୍ଡୁଙ୍କର ଆବିର୍ଭାବ ଘଟିଲା, ଦାସୀ ପୁତ୍ର ବିଦୂର ଥିଲେ ସେ ଦିଗରୁ ଜଣେ ପୂର୍ଣ୍ଣାଗ ବ୍ୟକ୍ତିତ୍ୱ । କାରଣ ଦାସୀ ସଙ୍ଗେ ବ୍ୟାସଙ୍କ ଶୃଙ୍ଗାର ସ୍ୱାଭାବିକ ଥିଲା । ଏହିଭାବେ ସମଗ୍ର କୁରୁବଂଶର ଇତିହାସ କପରି କାଳକବଳିତ ଓ ତା’ର କୁପରିଣତି କିପରି ନାରୀମାନଙ୍କୁ ଗ୍ରାସ କରିଛି ଏଥିରୁ ବେଶ୍‌ ଅନୁମେୟ । ସେହିବଂଶର ଆଦ୍ୟା ଜନନୀ ଉର୍ବଶୀ ଥିଲେ ଅଭିଶପ୍ତା ଏବଂ ପୁରୁରଜାଙ୍କୁ ସେ ଛାଡ଼ି ଯାଇଥିଲେ ସର୍ତ୍ତ ଭଙ୍ଗ ପରେ । ଏକଦା ଇନ୍ଦ୍ରଙ୍କ ଅତିଥି ମହାବୀର ଅର୍ଜ୍ଜୁନଙ୍କୁ ତାଙ୍କ ଶୃଙ୍ଗାର ପ୍ରତ୍ୟାଖ୍ୟାନ ହେତୁ ଅଭିଶପ୍ତ ବୃହନ୍ନଳା ଜୀବନ ଯାପନ କରିବାକୁ ପଡ଼ିଥିଲା । କୌରବ ଜନନୀ ଗାନ୍ଧାରୀ ଥିଲେ ଉଆଁସୀକନ୍ୟା । ସେ ମଧ୍ୟ ପରମ କାରୁଣିକ ଶ୍ରୀକୃଷ୍ଣଙ୍କୁ ଅଭିଶପ ଅନଳରେ ଦହନ କରିଥିଲେ । ଗାନ୍ଧାରୀଙ୍କ ଅବରୁଦ୍ଧ ଆଗ୍ନେୟ ବିସ୍ପୋରଣରେ କୁରୁବଂଶର ଶେଷ ଯବନିକା ଟାଣି ଶେଷଥର ଲାଗି ତୃପ୍ତିର ହସ ହସୁଥିବା କୃଷ୍ଣଙ୍କୁ ଗାନ୍ଧାରୀଙ୍କର ପ୍ରତ୍ୟୁତ୍ତର ଥିଲା : “ମନେରଖ ଚକ୍ରୀ, ତୁମେ ଯେଉଁ ଯଦୁବଂଶର ପ୍ରୌଢ଼ୀ କରୁଛ, ସେଇ ଯଦୁବଂଶର କୁଳାଙ୍କୁରଟିଏ ସୁଦ୍ଧା ରହିବ ନାହିଁ ।” (୨୩) ପ୍ରିୟପୁତ୍ର ପ୍ରଦ୍ୟୁମ୍ନକୁ ସୁଦର୍ଶନ ପେଶି ଯଦୁବଂଶର ଶେଷ ସନ୍ତକକୁ ନିଜହାତରେ ନିଃଶେଷ କରିବା ପରେ ସ୍ଥିତପ୍ରଜ୍ଞ ପିତା ଅଗ୍ରସର ହେଲେ ଏରଜା ଅଭିମୁଖେ ନିଜ ନିୟତିକି ସାମ୍ନା କରିବା ନିମନ୍ତେ । ତା’ ପରେ ସେ ଅସ୍ତ୍ରତ୍ୟାଗ କଲେ । ଭାଗବତକାରଙ୍କ ଭାଷାରେ- “ପ୍ରଦ୍ୟୁମ୍ନ ନାଶି ଚକ୍ର ଗଲା । କୃଷ୍ଣ କରକୁ ନ ଅଇଲା ।” (୨୪) ଶାମ୍ବ ଗର୍ଭରୁ ପ୍ରସୂତ ଲୌହ ମୂଷଳର ଅନ୍ତିମ ଘର୍ଷଣ ପରେ ଯେଉଁ ଟିକିଏ ଶେଷଦ୍ରବକୁ ବିରକ୍ତିରେ ଭୀମ ସିନ୍ଧୁ ଜଳକୁ ଫିଙ୍ଗି ଦେଇଥିଲେ, ତହିଁରେ ନିର୍ମିତ ଅସ୍ତ୍ର ଜାରା ଶବର ତୂଣୀରରେ ମହଜୁତ ଥିଲା । ଶିଆଳି ଲତା ତଳେ ବିଶ୍ରାମ ନେଉଥିବା କୃଷ୍ଣଙ୍କୁ ଶିକାର ଭାବି ଜାରା ପେଶିଥିଲା ସେଇ ବ୍ରହ୍ମାସ୍ତ୍ର । ଗାନ୍ଧାରୀଙ୍କ ଅଭିଶାପ ପୂର୍ଣ୍ଣ ହେଲା । ଯଦୁବଂଶରେ କେହି ଜଣେ ରହିଲେ ନାହିଁ । ଏହି ଭାବେ ନାରୀ ଓ ନିୟତି ମହାଭାରତର ପରିଣତିକି ନିୟନ୍ତ୍ରିତ କରିଛନ୍ତି ।

 

୨୩.

ସୁରେନ୍ଦ୍ର ମହାନ୍ତି :ଯଦୁବଂଶ ଓ ଅନ୍ୟାନ୍ୟ ଗଳ୍ପ

୨୪.

ଜଗନ୍ନାଥ ଦାସ : ଭାଗବତ

 

କେବଳ ପ୍ରାଚ୍ୟ ସାହିତ୍ୟରେ ନୁହେଁ ସମଗ୍ର ବିଶ୍ୱ ସାହିତ୍ୟରେ ଦ୍ରୌପଦୀଙ୍କ ପରି ଚରିତ୍ର ବିରଳ । ପ୍ରତି ମୁହୂର୍ତ୍ତରେ ତାଙ୍କୁ ନିୟତିର ସାମ୍ନା କରିବାକୁ ପଡ଼ିଛି । ସୀତା ସିନା ଦୁଇଥର ଅଗ୍ନୀ ପରୀକ୍ଷା ଦେଲେ, ଦ୍ରୌପଦୀଙ୍କି ଅଗ୍ନିରୁ ଜନ୍ମ ଲାଭ କରି ଜୀବନ ତମାମ ଅଗ୍ନି ପରୀକ୍ଷାରେ ସମ୍ମୁଖୀନ ହେବାକୁ ପଡ଼ିଛି । ସେ ପାଞ୍ଚଭାଇଙ୍କ ମଧ୍ୟରେ ବଣ୍ଟୁରା ହୋଇଯାଇଛନ୍ତି । କିଏ ବୁଝିଛି ତାଙ୍କ ମନ ? ନାରୀର ଗୋଟାଏ ମନ ଅଛି, କିଛି ନିଜତ୍ୱ ଓ ନିଜସ୍ୱ ଅଛି ବା ସ୍ୱାଧୀନତା ଅଛି, କିଏ ବୁଝିଲା ଏ କଥା ? କେବଳ ଅର୍ଜ୍ଜୁନ କେତେକାଂଶରେ ତାଙ୍କୁ ବୁଝିବାର ଉପକ୍ରମ କରିଛନ୍ତି । ତାହା ପୁଣି ଶ୍ରୀକୃଷ୍ଣଙ୍କ ପ୍ରଭାବରୁ । ଅସୁସ୍ଥ ଅର୍ଜୁନଙ୍କ ପାଖରେ ରାତିଟି କଟାଇବାର ଅନୁମତି ଆଣି ମଧ୍ୟ ଦ୍ରୌପଦୀଙ୍କୁସେ ଅନୁମତି ଦେଇ ନାହାନ୍ତି ତାଙ୍କ ପାଦସେବା ନିମନ୍ତେ । ଭଗ୍ନ ମନ, ବିବଶ ଅନ୍ତରରେ ସେ ଫେରି ଦେଖନ୍ତିତ ଯୁଧିଷ୍ଠିରଙ୍କ ଦ୍ୱାର ଆବରୁଦ୍ଧ । ପଞ୍ଚସ୍ୱାମୀର ପତ୍ନୀ ତ୍ରିଶଙ୍କୁ ପରି ଲଟକି ରହିଲା ଶୂନ୍ୟରେ ଖାଲି ଗ୍ଳାନି ଅଶାନ୍ତିରେ ରୋମନ୍ଥନ ନିମନ୍ତେ । ଅର୍ଜ୍ଜୁନ ଅନ୍ତତଃ ତାଙ୍କୁ ଜୟ କରିଥିଲେ । ଅବସ୍ଥା ଚକ୍ରରେ ପଡ଼ି ସେ ପାଞ୍ଚଭାଇଙ୍କୁ କାୟମନୋବାକ୍ୟରେ ଗ୍ରହଣ କରିନେଲେ । ତା’ସତ୍ତ୍ୱେ ମାନବିକ ଦୁର୍ବଳତା ଏବଂ ମନସ୍ତାତ୍ତ୍ୱିକ ଦିଗରୁ ଦେଖିଲେ ଅର୍ଜ୍ଜୁନଙ୍କ ପ୍ରତି କୃଷ୍ଣାଙ୍କର ଅନନ୍ତଃ ଦୁର୍ବଳତା ସ୍ୱାଭାବିକ । କିନ୍ତୁ ଅର୍ଜ୍ଜୁନ ଯେତେବେଳେ ରୋକ୍‌ଠୋକ୍‌ କହିଦେଲେ; “ତମେ ଯାଅ- ଦୟାକରି ଯାଅ । ତମର ସ୍ପର୍ଶ ବରଂ ମୋର ଯନ୍ତ୍ରଣା ବଢ଼ାଇ ମୋର ନିଦ୍ରାରେ ବ୍ୟାଘାତ ସୃଷ୍ଟିକରୁଛି । ତମେ ସେକଥା ବୁଝିପାରିବନି । କାରଣ ତମ ଜୀବନରେ ବିରହ ଋତୁର ସ୍ଥାନ ନାହିଁ । ଯେହେତୁ ତମେ ପଞ୍ଚ ପତିର ନାୟିକା, ଅନନ୍ତ ଯୌବନା ପଦ୍ମଗନ୍ଧା ନାରୀ କୃଷ୍ଣା-ତମକୁ ହାତ ଯୋଡ଼ୁଛି ତମେ ଚାଲିଯାଅ । ଅନ୍ତତଃ ବଡ଼ ଭାଇଙ୍କ ପାଖରେ ମୋତେ ଅପରାଧୀ କରନାହିଁ । ତମକୁ ପାଖରେ ପାଇବା ପାଇଁ ଭୀମଙ୍କ ପରି ମୁଁ ଅସୁସ୍ଥତାରେ ଛଳନା କରୁଛି ବୋଲି ଭାଇ ଯେପରି ନ ଭାବନ୍ତି । ଏତିକି ତମକୁ ମୋର ପ୍ରାର୍ଥନା ଅନ୍ତତଃ ଆମ ଭାଇ ଭାଇ ଭିତରର ମଧୁର ପବିତ୍ର ସମ୍ପର୍କ ତମକୁ ନେଇ ତିମିରିତ ନ ହେଉ ।” (୨୫)

 

ଏଥିରେ ଦ୍ରୌପଦୀ କେତେ ଯେ ମର୍ମାହତ ହୋଇଥିବେ ତାହା ସହଜେ ଧାରଣା କରି ହେବନାହିଁ । ସେଠୁ ଅନ୍ତର୍ହିତ ହେବାଛଡ଼ା କୃଷ୍ଣାଙ୍କର ଗତ୍ୟନ୍ତର ନଥିଲା । ଅନୁନୟ ଭଙ୍ଗୀରେ ଫାଲ୍‌ଗୁନି ହାତଯୋଡ଼ିବା ତାଙ୍କ ପାଇ ଘୋର ଅପମାନ ଓ ଅସହ୍ୟ ଥିଲା । ସେ ଠିକ୍‌ ଠଉରାଇଥିଲେ ଫାଲଗୁନିଙ୍କ କଣ୍ଠର ଶ୍ଳେଷ ଅଭିମାନ, ଅଭିଯୋଗ, କ୍ଷୋଭ ଆଉ ଉପହାସ ଛଟାକୁ-। କିନ୍ତୁ କାହା ନିକଟରେ ଏ ଅଭିଯୋଗ ? ବିଚାରୀ ଦ୍ରୌପଦୀ ଏଥିପାଇଁ କ’ଣ କରିଥାନ୍ତେ-? କାହାରିକି ଦୋଷାରୋପ ନକରି ସେ କେବଳ ଫେରିଯାଇଥିଲେ ଏବଂ ଆତ୍ମ ସମୀକ୍ଷା କରୁଥିଲେ ଅନ୍ତରର ରୁଦ୍ଧବେଦନାକୁ ଚାପିରଖି । କୃଷ୍ଣାଙ୍କ ପରି ଜଣେ ନାରୀ କ’ଣ ଚାହେଁ-? ଅପର ପକ୍ଷେ ଅର୍ଜ୍ଜୁନଙ୍କ ମାନସିକତାକୁ ମଧ୍ୟ ବିଚାର କରିବା କଥା । ଏସବୁ ଅସନ୍ତୋଷ କୁହୁଳି କୁହୁଳି ହୁଏତ ପାଣ୍ଡବଙ୍କ ଗୃହଯୁଦ୍ଧର କାରଣ ହୋଇଥାନ୍ତା । ଏକଥାକୁ ବେଶ୍‌ ଚତୁରତାର ସହ ଲକ୍ଷ୍ୟ କରିଥିଲେ ଦୂରଦୃଷ୍ଟି ସମ୍ପନ୍ନ ବାସୁଦେବ । ତେଣୁ ସେ ନିରବଚ୍ଛିନ୍ନ ଭାବେ ପାଣ୍ଡବ ଶିବିରକୁ ଆସୁଥିଲେ ଏବଂ କୃଷ୍ଣାଙ୍କ ମାନସିକ ଭାରସାମ୍ୟ ରକ୍ଷା ଦିଗରେ ଉଦ୍ୟମ କରୁଥିଲେ । ପାଞ୍ଚଭାଇଙ୍କ ମଧ୍ୟରେ ସୁସମ୍ପର୍କ ରକ୍ଷା ନିମନ୍ତେ ମଧ୍ୟ ସର୍ବଦା ଚେଷ୍ଟିତ ଥିଲେ । କୌରବମାନଙ୍କ ସଙ୍ଗେ ଯୁଦ୍ଧର ପ୍ରାକ୍‌ ପ୍ରସ୍ତୁତି ନିମନ୍ତେ ସେ ପାଣ୍ଡବ ଭାଇମାନଙ୍କୁ ବିଭିନ୍ନ ରାଜାମାନଙ୍କ ସଙ୍ଗେ ସମ୍ପର୍କ ସ୍ଥାପନ ନିମନ୍ତେ ପଠାଇଥିଲେ । ଏଇ ଅବସରରେ ଅର୍ଜ୍ଜୁନ ଚିତ୍ରାଙ୍ଗଦା, ଉଲୁପୀ ଓ ଶ୍ରୀକୃଷ୍ଣ-ବଳରାମଙ୍କ ଭଗ୍ନୀ ସୁଭଦ୍ରାଙ୍କ ପାଣିଗ୍ରହଣ କରିଥିଲେ । ଫଳରେ ଦ୍ରୌପଦୀଙ୍କୁ କେନ୍ଦ୍ରକରି ଯେଉଁ କ୍ଷୋଭ ଓ ଗ୍ଳାନି ଅର୍ଜୁନଙ୍କ ମନରେ ବସାବାନ୍ଧି ଥିଲା ତାହା କ୍ରମଶଃ ଅପସୃତ ହୋଇଗଲା । ଭାଇ ଭାଇଙ୍କ ମଧ୍ୟରେ ଘନୀଭୂତ ହୋଇଥିବା କନ୍ଦଳ ପତଳେଇ ଗଲା । ଏକ ସ୍ୱାଭାବିକ ପରିବେଶ ଫେରିଆସିଲା ପାଣ୍ଡବ ପରିବାରରେ ।

 

୨୫.

ଡଃ. ପ୍ରତିଭା ରାୟ :

 

ଖ୍ରୀଷ୍ଟିୟାନ ଧର୍ମଗ୍ରନ୍ଥ ବାଇବେଲର ନାୟିକା ଆଦିମାତା ‘ଇଭ’ ମଧ୍ୟ ନିୟତି କବଳରୁ ରକ୍ଷା ପାଇନାହାନ୍ତି । ‘ସରପେଣ୍ଟ’ ରୂପରେ ନନ୍ଦକାନନରେ ଅନୁ ପ୍ରବେଶ କରି ଶୈତାନ ତାଙ୍କୁ ପ୍ରଲୋଭିତ କରିଛି ନିଷିଦ୍ଧ ଗଛର ଫଳ ପାଇଁ ଆଦାମ ନିକଟରେ ଜିଦ୍‌ ଧରିବାକୁ । ମଣିଷର ସ୍ଖଳନ ଘଟିଛି ଏବଂ ଆଦିମାତା ଆଦିପିତା ପ୍ରଥମ ପାପ (Original Sin) ବରଣ କରିଛନ୍ତି ବିଧାତାଙ୍କ ଆଦେଶ ଅମାନ୍ୟ କରି । ଏହାର କାବ୍ୟିକ ରୂପ ମିଲ୍‌ଟନ ଆଙ୍କିଛନ୍ତି । ‘Paradise Lost’ରେ :

 

“Of man’s first disobedience and the fruit of forbidden tree

Whose mortal taste brought death and all your woe” (୨୬)

 

ଯୁଗେ ଯୁଗେ ଆମେ ସେଇ ପାପର ପ୍ରାୟଶ୍ଚିତ ସ୍ୱରୂପ ମୃତ୍ୟୁ, ଜରା ବ୍ୟାଧିରେ ଘାଣ୍ଟି ହେଉଛୁ ।

 

ହୋମରଙ୍କ ମହାକାବ୍ୟ ଓଡ଼ିଶୀରେ ମଧ୍ୟ ନାରୀ ବିୟୋଗାନ୍ତକ ମହାର୍ଣ୍ଣବରେ ଉବୁଟୁବୁ ହୋଇଛି । ପାଶବିକତା ଓ ମାନବିକତା ସଂଯୋଗରୁ ଦୁଇଟି ଡିମ୍ବ ‘War’ ଏବଂ ‘Beauty’ ର ସମ୍ଭୂତ । ‘Leda’ ଏବଂ ‘Swan’ ଙ୍କ ଯୌନ ସମ୍ଭୋଗରୁ ଏହି ଡିମ୍ବରୁ ଜନ୍ମିଲା ଟ୍ରୋଜାନ ଯୁଦ୍ଧର ବିଭୀଷିକା ଏବଂ ବିଶ୍ୱସୁନ୍ଦରୀ ହେଲେନ, ଯାହାଙ୍କୁ କେନ୍ଦ୍ରକରି ଟ୍ରୋଜାନ ମହାଯୁଦ୍ଧ ହେଲା ଏବଂ ସେ ପ୍ରଳୟାଗ୍ନିରେ ନିଃଶେଷ ହେଲେ ହେଲେନ । ଦ୍ରୌପଦୀଙ୍କ ପରି ହେଲେନ ବିୟୋଗାନ୍ତକ ମହାସ୍ରୋତରେ ପ୍ରବାହ ନିମନ୍ତେ ସହାୟତା କରିଛନ୍ତି ପାରିସଙ୍କୁ ପ୍ରେମ କରି ଟ୍ରୟଙ୍କୁ ପଳାଇ ଆସିବା ଦ୍ୱାରା । ସୀତା କିନ୍ତୁ ନିୟତିର ଶିକାର ହୋଇଛନ୍ତି । ଟ୍ରାଜେଡ଼ି ପାଇଁ ତାଙ୍କର ଅକ୍ତିୟାର ନାହିଁ; ସବୁ ବିଧି ନିର୍ଦ୍ଦିଷ୍ଟ । ଡବ୍ଳ୍ୟୁ. ବି. ୟେଟସ୍‌ଙ୍କ କବିତା ଏ କ୍ଷେତ୍ରରେ ପ୍ରଣିଧାନ ଯୋଗ୍ୟ । ହେଲେନଙ୍କ ସୀମିତ ତଥା ଅଣାୟତ୍ତ ପରିସ୍ଥିତି ସମ୍ପର୍କରେ କୁହାଯାଇଛି :

 

୨୬.

John Milton : paradise Last-Book

୨୭.

‘Why, What could She have done. being what she is Was there another Troy for her to burn”

 

ଇଡ଼ିପସ ଆଖ୍ୟାୟିକା ଅଥବା ‘Oedipus Tyrannus ନାଟକରେ ଅନୁରୂପ ଚିତ୍ର ପ୍ରତିଫଳିତ । ଇଡ଼ିପସ ଜନ୍ମବେଳେ ଗଣକର ଭବିଷ୍ୟବାଣୀ ସେ ନିଜ ପିତାଙ୍କୁ ହତ୍ୟା କରି ମାତାଙ୍କୁ ବିବାହ କରିବ । ତେଣୁ ନବଜାତ ଶିଶୁକୁ ମାରିଦେବା ନିମନ୍ତେ ଘାତକର ଜିମା ଦିଆଗଲା । ପରିସ୍ଥିତି ଭିନ୍ନ ମୋଡ଼ ନେଇଛି । ଇଡ଼ିପସ ବଞ୍ଚିଯାଇ ଜଣେ କୃଷକ ସନ୍ତାନ ଭାବେ ମେଷ ଚରାଉଥିବା ବେଳେ ଏକ ଅଦ୍ଭୂତ ଖଡ଼ଗ୍‌ ପାହାଡ଼ ଉପରେ ଥିବାର ଦେଖିଛି । ସେଥିରେ ଲେଖାଥିଲା, “ମୋତେ ଝିଙ୍କି ଉତ୍ତୋଳନ କର ଓ ରାଜାଙ୍କୁ ପରାସ୍ତ କରି ସିଂହାସନ ଲାଭ କର ।” ଅମିତ ଶକ୍ତି ସମ୍ପନ୍ନ ଇଡ଼ିପସ ଅନାୟାସରେ ଖଡ୍ଗ ଝିଙ୍କି ଆଣିଛି । କିଛିଦିନ ପରେ ସେ ରାଜାଙ୍କୁ ହତ୍ୟାକରି ସିଂହାସନ ଓ ରାଣୀଙ୍କି ଲାଭ କରିଛି । ନିୟତିର ନିର୍ଦ୍ଦେଶ ପୂରଣ ହୋଇଛି । ପରେ ସତ୍ୟ ପ୍ରକଟିତ ହୋଛି, ମାତୃରମଣ ଅପରାଧରେ ଅନୁତପ୍ତ ଇଡ଼ିପସ ଏକ ଟ୍ରାଜିକ ଚରିତ୍ରରେ ପରିଣତ ହୋଇଛି । ଆମ ସାହିତ୍ୟର ବିଲମ୍ବମଙ୍ଗଳ ସଙ୍ଗେ ତା’ର କିଛି ମେଳଅଛି । ବିଲ୍ୱମଙ୍ଗଳ ଚରିତ୍ରକୁ ଚିନ୍ତାମଣି ଗଣିକା ପରିବର୍ତ୍ତନ କରିଦେଇଛି । ଶେଷ ଜୀବନରେ ବିଲ୍ୱମଙ୍ଗଳ ନଜ ଚକ୍ଷୁ ଫୁଟେଇ ଦେଇ ଇଡ଼ିପସ୍‌ ପରି କରୁଣ ନାୟକ ସାଜିଛି । ସ୍ତ୍ରୈଣ ତୁଳସୀ ଦାସଙ୍କ ଚରିତ୍ରର ଗତି ବଦଳାଇ ଦେଇଛନ୍ତି ତାଙ୍କ ପତ୍ନୀ, ଯାହାଙ୍କ ଜୀବନ କାମିନୀ ପ୍ରେମରୁ ଶ୍ରୀରାମ ଭକ୍ତିକୁ ରୂପାନ୍ତରିତ ହୋଇଛି । ନାରୀ ଅଭିଶାପ ଅନଳରେ କେଉଁଠି ପୁରୁଷକୁ ନର୍କକୁ ଠେଲି ଦେଇଛିତ କେତେବେଳେ ସେଇ ହଳାହଳରେ ନିଜେ ଜଳିପୋଡ଼ି ପାଉଁଶ ହୋଇଛି । ଆଉ କେତେବେଳେ ନାରୀର ଭର୍ତ୍ସନା ପୁରୁଷକୁ ମୁକ୍ତିର ମାର୍ଗ ପ୍ରଦର୍ଶନ କରିଛି । କିନ୍ତୁ ସର୍ବଦା ନିୟତିର ନିର୍ମମ ଅଙ୍କୁଶ ତା’ ଚାରିପଟେ ବିଚ୍ଛେଦ ତଥା ବିୟୋଗାନ୍ତକ ବହ୍ନିବଳୟ ଘେରେଇ ରଖି ତା’ ଭାଗ୍ୟକୁ ବିଡ଼ମ୍ବିତ କରୁଛି ।

 

କଥାକାର ଫକୀର ମୋହନଙ୍କ ଗଳ୍ପ ଉପନ୍ୟାସରେ ନାରୀର ବହୁବିଧ ସ୍ୱରୂପ ପ୍ରକଟିତ । ତାଙ୍କ ଶ୍ରେଷ୍ଠ ଉପନ୍ୟାସ ‘ଛ’ ମାସ ଆଠଗୁଣ୍ଠ’ରେ ନାୟକ ରାମଚନନ୍ଦ୍ର ମଙ୍ଗରାଜ ଜୀବନରେ ଦୁଇଟି ନାରୀର ସ୍ୱରୂପ ପ୍ରକଟିତ-ଜଣେ ତାଙ୍କର ଧର୍ମତ୍ପନୀ ସତୀ ସାଧ୍ୱୀ ସାନ୍ତାଣୀ ଏବଂ ଅନ୍ୟ ଜଣକ ରକ୍ଷିତା - ଚମ୍ପା, କୁଟିଳା, ଦୁଶୀଳା ଓ ଖଳନାୟିକା । ଫକୀର ମୋହନଙ୍କ ଭାଷାରେ - ଯଥାକ୍ରମେ ସେମାନେ “ପୂତ ସଲିଳା ଫଲ୍‌ଗୁ” ଏବଂ “ସର୍ପ କୁମ୍ଭୀର ସଙ୍କୁଳା ଚର୍ମଣ୍ୱତା” (୨୮) ପୁନଶ୍ଚ ସେ ଭିନ୍ନ ରୂପକଳ୍ପରେ ତାହା ପ୍ରକାଶ କରି କହନ୍ତି ଦୁଇଟି ପିଡ଼ାରେ ଥିବା ‘ଜଳ’ ଆଉ ‘ସୁରା’-ପ୍ରଥମଟି ଜୀବନ ଓ ଦ୍ୱିତୀୟଟି ଉତ୍ତେଜନା । ସାଆନ୍ତାଣୀ ହୁଏତ ମଙ୍ଗାରଜଙ୍କ ନାରକୀୟ ପରିବେଶରେ ଅଧିକ ଦିନ ବଞ୍ଚିବାର ପ୍ରୟାସ କରିନାହାନ୍ତି । ବିଶେଷକରି ଚମ୍ପା ସହ ଗୁପ୍ତ ମନ୍ତ୍ରଣାରତ ମଙ୍ଗରାଜଙ୍କ କଥା ସାନ୍ତାଣୀଙ୍କ ଖୁବ୍‌ ବାଧିଛି ଏବଂ ସମ୍ଭବତଃ ସେହି ଆତ୍ମଗ୍ଳାନି ହେତୁ ସେ ଜୀବନ ଦୀପଟି ନିର୍ବାପିତ କରିଛନ୍ତି । ଚମ୍ପା କିନ୍ତୁ ଶେଷଯାଏ ବଞ୍ଚି ରହିଛି ନିୟତିର ନିର୍ମମ ବିଦ୍ରୂପରେ କ୍ଷତାକ୍ତ ହେବା ନିମନ୍ତେ । ଚମ୍ପା ଯାହାର ସର୍ବନାଶ ଘଟାଇଛି - ସିଏ ଜଣେ ସାଧାରଣ ନାରୀ - ସନ୍ତାନ ରଙ୍କୁଣୀ ଶାରିଆ ନାରୀର ସମସ୍ତ ଦୁର୍ବଳତା ଅପତ୍ୟସ୍ନେହ, ସ୍ୱାମୀ ଜୀବନ ଲାଗି ଅତ୍ୟଧିକ ମୋହ, ଭୟ ଶଙ୍କାରେ ଭରପୂର । କାହାର ଷଠୀଘର ହେଲେ ତା’ ଶୂନ୍ୟ ମାତୃତ୍ୱ ବିଳପେ, କେହି ବରାଦ ଦେଇଥିବା କୁନୀ ଯଥା ହଳେ ଭଗୀଚନ୍ଦ ବୁଣିଲେ ତା’ ଅନ୍ତରେ କୋହ ଉଠେ । ତେଣୁ ସେ ସମସ୍ତ ମାତୃତ୍ୱକୁ ଅଜାଡ଼ି ଦେଇଥିଲା ନେତ ଗାଈଟି ଉପରେ । ବିଧି ସହିଲା ନାହିଁ । ଚମ୍ପା ଓ ରାମଚନ୍ଦ୍ର ମଙ୍ଗରାଜ ତାଙ୍କ ନେତ, ଛମାଣ ଆଠଗୁଣ୍ଠ କଳିନ୍ଦ ଜମି ଲୁଟି ନେଲେ । ଶାରୀଆ ପାଗଳିନୀ ହୋଇଗଲା । ନଖାଇ, ନପିଇ ବାସ୍ତୁହରା ହୋଇ ବୁଲିଲା । ନେତକୁ ଦେଖିବାକୁ ଯାଇଥିବା ବେଳେ ଚମ୍ପାର ଚକ୍ରାନ୍ତରେ ନିର୍ମମ ମୃତ୍ୟୁବରଣ କଲା । ସେହି ନରହତ୍ୟା ଅପରାଧରେ ଅଭିଯୁକ୍ତ ରାମଚନ୍ଦ୍ର ମଙ୍ଗରାଜ ଜେଲ ଦଣ୍ଡ ଭୋଗିଲେ ଏବଂ ଭଗୀଚନ୍ଦ୍ର ଶେଷ ପ୍ରତିଶୋଧ ନେଲା, ତାଙ୍କ ନାକଟି କାମୁଡ଼ି ଖଣ୍ଡିଆ କରିଦେଲା । ତାହାହିଁ ଶେଷରେ ତାଙ୍କର କାଳ ହେଲା । ନିୟତି ତା’ର ପଶାପାଲି ଗଡ଼େଇ ଚାଲିଲା । ବାକି ରହିଲା ଖଳନାୟିକା ଚମ୍ପା ଭଣ୍ଡାର ଘରୁ ସମ୍‌ତ ରତ୍ନଲୁଟି ଗୋବିନ୍ଦା ବାରିକ ସଙ୍ଗେ ଗାଏବ ହୋଇଯାଇ ଏକ ନିଛାଟିଆ ସ୍କୁଲଘରେ ରାତ୍ରି ଯାପନ ବେଳେ ଭାଗ ବଣ୍ଟରା ନେଇ ଉଭୟଙ୍କ ମଧ୍ୟରେ ସଂଘର୍ଷର ସୂତ୍ରପାତ । ସୁପ୍ତା ଚମ୍ପାକୁ ନିର୍ମମଭାବେ ଧାରୁଆ ଖୁରରେ ହତ୍ୟା କରି ଗୋବିନ୍ଦା ଡଙ୍ଗାରେ ନଦୀ ପାରି ହେଉଥିବା ବେଳେ ଥଣ୍ଟିଆ କୁମ୍ଭୀରର ଆହାର ହେଲା । ନିୟତିର ଶେଷ ଖେଳର ଯବନିକା ପଡ଼ିଲା । ଏ ବିୟୋଗାନ୍ତକ ମହାସ୍ରୋତରେ ମଙ୍ଗରାଜ, ଚଂପା, ଗୋବିନ୍ଦା ସମସ୍ତେ ସମାଧି ନେଲେ । ମହାକାଳର କରୁଣ ବୃତ୍ତର ମୁଣ୍ଡି ମରାଗଲା । ଫକୀର ମୋହନଙ୍କ କାବ୍ୟ ମୀମାଂସାର ଅନ୍ତିମ ପରିଣତି ପ୍ରକଟିତ ହୋଇଛି ଦୋଷୀକି ଉପଯୁକ୍ତ ଶାସ୍ତିବିଧାନ ପରେ । ଫକୀର ମୋହନ କରୁଣ ରସର ରୂପକାର । ନିୟତି ତାଙ୍କ କଥା ସାହିତ୍ୟର ଗତି ବଦଳେଇ ଥାଏ । ସେହିପରି ଏକ କରୁଣ ଚରିତ୍ର ‘ରେବତୀ’ ଗଳ୍ପର ବୁଢ଼ୀମା, ଯେକି ତାଙ୍କ ବଂଶର ସମସ୍ତ କରୁଣ ପରିଣତିକି ସହ୍ୟ କରି ଶେଷରେ ସେହି ମହାସ୍ରୋତରେ ସାମିଲ ହୋଇଛନ୍ତି ‘ଲୋ ରେବି, ଲୋ ନିଁଆ, ଲୋ ଚୂଲି’ର ମର୍ମଫଟା ଆର୍ତ୍ତ ଚିତ୍କାର ମଧ୍ୟରେ ।

 

୨୭.

W.B Yeats : No.5

୨୮.

ଫକୀର ମୋହନ ସେନାପତି : ଛ ମାଣ ଆଠଗୁଣ୍ଠ

 

ବଙ୍ଗଳା କଥାକାର ଶରତ ଚନ୍ଦ୍ର କରୁଣ ରସର ମହାନ ଶିଳ୍ପୀ । ନିୟତିର କ୍ରୂର ଆବର୍ତ୍ତରେ ତାଙ୍କ ନାୟିକାମାନଙ୍କର ଜୀବନତ ଗତି ବଦଳି ଯାଇଛି । ତାଙ୍କ ଦେବଦାସ ‘ପଣ୍ଡିତ ମୋଶାୟ’ ଆଦିକୁ ନିଜର ଭାବେ ଗ୍ରହଣ କରାଯାଇପାରେ । ତାରାଶଙ୍କରଙ୍କ ‘ନା’ ଉପନ୍ୟାସରେ ନିୟତି ବା ଫେଟ ସମଗ୍ର ଗଳ୍ପାଂଶକୁ କବଳିତ କରି ନାୟିକା ବ୍ରଜରାଣୀ ଏବଂ ପ୍ରତିନାୟିକା ମୀନାଙ୍କୁ କବଳିତ କରିଥିଲା । ତାଙ୍କ ‘ସପ୍ତପଦୀ’ର ନାୟିକା ରୀନା ବ୍ରାଉନ ଏକ ଭିନ୍ନ ଧରଣର ଟ୍ରାଜିକ ଚରିତ୍ର । (୨୯) ଅନେକାଂଶରେ ହାର୍ଡିଙ୍କ ଇଉଷ୍ଟେସିଆ ପରି । ହୁଏତ ନିଜକୁ ନିଜ ଧ୍ୱଂସ ପଥକୁ କଢ଼େଇ ନେଇଛି କିନ୍ତୁ ନିୟତିର ଜାଲ ତା’ ହାତ ପାଦକୁ ଛନ୍ଦି ଦେଇଛନ୍ତି, ଯହିଁରୁ ଫେରି ଆସିବାର ପଥ ରୁଦ୍ଧ ହୋଇଛି । ଆଶାପୂର୍ଣ୍ଣ ଦେବୀଙ୍କୁ ‘ପ୍ରଥମ ପ୍ରତିଶ୍ରୁତି’ର ସତ୍ୟବତୀ ବଂଶ ବ୍ୟବଧାନର ବିବର୍ତ୍ତିତ ମତ ।

 

ଫକୀର ମୋହନଙ୍କ ପରବର୍ତ୍ତୀ ବଳିଷ୍ଠ କଥା ସାହିତ୍ୟିକମାନଙ୍କ ମଧ୍ୟରୁ କାହ୍ନୁଚରଣ ଓ ସୁରେନ୍ଦ୍ର ମହାନ୍ତିଙ୍କ ନାରୀ ଚରିତ୍ରମାନେ ସର୍ବଦା ଅନ୍ତର୍ଦହନରେ ଭାରାକ୍ରାନ୍ତ । ଝଂଜାର କ୍ଷଣପ୍ରଭା, ଶାସ୍ତିର ଧୋବୀ ନିୟତିର କ୍ରୀଡ଼ନକ ସାଜି ଚରମ ଶାସ୍ତି ଭୋଗିଛନ୍ତି । ଗୋପୀନାଥ ମହାନ୍ତିଙ୍କ ‘ଦାନାପାଣି’ର ନାୟିକା ସରୋଜିନୀ ହୁଏତ ଅନେକାଂଶରେ ଟ୍ରାଜିକ ପ୍ରବାହକୁ ଇନ୍ଧନ ଯୋଗାଉଛି । କିନ୍ତୁ ନିୟତିର ଭୂମିକା ଏତେ ସ୍ପଷ୍ଟ ନୁହେଁ । ଚାରିତ୍ରିକ ଅନ୍ତଃସଂଘର୍ଷ ହିଁ ମୁଖ୍ୟ ଭୂମିକା ଗ୍ରହଣ କରିଛି-। ସୁରେନ୍ଦ୍ର ମହାନ୍ତିଙ୍କ ‘ନୀଳଶୈଳ’ର ସରଦେଈ କରୁଣତମ ବିୟୋଗାନ୍ତକ ନାୟିକା ଯେକି ସାରାଜୀବନ ନିୟତିର ନିର୍ମମ କଷଣ ଭୋଗି ଅସହାୟଭାବେ ଅନ୍ତିମ ନିଃଶ୍ୱାସ ଛାଡ଼ିଛନ୍ତି । କଥାକାରଙ୍କ ଭାଷାରେ ସେ ଟ୍ରାଜିକ ଝଡ଼ରେ ଏକ ଶୁଷ୍କପତ୍ର ଯେ କି ବିୟୋଗାନ୍ତକ ଘୂର୍ଣ୍ଣିରେ ନୟାନ୍ତ ହୋଇଛନ୍ତି ବାଉଁଶରାଣୀ ପରି ମରଣାନ୍ତକ ଚକା ଭଉଁରୀରେ ଘୂରିଘୂରି । ଯବନ ଲାଞ୍ଚିତହେତୁ ମନକୁ ମନ ସେ ବଡ଼ ଦେଉଳ ପ୍ରବେଶକୁ ନିଷିଦ୍ଧ କରିଦେଇଛି ଏବଂ ନିଜ ହାତରେ ଝୋଟି ଚିତାରେ ଆଙ୍କିଥିବା ସେଇ ବଡ଼ଠାକୁରଙ୍କ ବିରୂପ ନୟନକୁ ଚାହିଁ ଚାହିଁ ଶେଷରେ ଦେହ ବିସର୍ଜିଛି ।

 

୨୯.

ତାରାଶଙ୍କର ବନ୍ଦୋପାଧ୍ୟାୟ : ସପ୍ତପଦୀ, ବେଙ୍ଗଲ ପବ୍ଲିଶର୍ସ

 

ରାଧାନାଥଙ୍କ କାବ୍ୟ ଚେତନାରେ ନାରୀର ବିବିଧ ଚେହେରା ପ୍ରକଟିତ । ସେ ରୀତି କାବ୍ୟଧାରାରୁ ଓଡ଼ିଆ କବିତାକୁ ମୁକ୍ତ କରିବାର ପ୍ରଥମ ପ୍ରୟାସ କରିଥିଲେ ହେଁ ବସ୍ତୁତଃ ତାହା ବହିଃ ପ୍ରକୃତିରେ ସଂଘଟିତ ହୋଇଛି । ଶବ୍ଦ, ଛାନ୍ଦ, ଅଳଙ୍କାର ଉପମାଦି ପ୍ରୟୋଗରେ ସେ ନୂତନତା ପ୍ରଦର୍ଶନ କରିଥିଲେ ମଧ୍ୟ ରୀତି କାବ୍ୟାଦର୍ଶରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇପାରି ନାହାନ୍ତି । ତାଙ୍କ କାବ୍ୟ ଯେପରି ପ୍ରାକ୍ତନତା ଓ ଆଧୁନିକତାର ସମନ୍ୱୟ ସେହିପରି ପ୍ରାଚ୍ୟ ପାଶ୍ଚାତ୍ୟ ଧାରାର ମିଳନ ବିନ୍ଦୁ । ଓଭିଡ଼ଙ୍କ ଠାରୁ ୱାର୍ଡସ୍‌ୱାର୍ଥ ଓ କ୍ୱିଟସ ଏବଂ ବ୍ୟାସ ବାଲ୍ମୀକିଙ୍କଠାରୁ ସାରଳା ଦାସ ଏବଂ ମାଇକଲ ମଧୁସୂଦନ ଦତ୍ତ ପର୍ଯ୍ୟନ୍ତ ତାଙ୍କ କାବ୍ୟପରିଧିରେ ବିଚରଣ କରନ୍ତି । ପ୍ରଥମ ପର୍ଯ୍ୟାୟରେ ତାଙ୍କ ନାୟିକା ପ୍ରେମିକା - ହୁଏତ ପ୍ରେମର ଉଚ୍ଛନ୍ନ ଆବେଗରେ ପଥଭ୍ରଷ୍ଟା । ତାଙ୍କରି କଥାରେ କହିଲେ; “ପ୍ରେମରେ ପଡ଼ିଲେ ଅସାଧ୍ୟ ସାଧନ ହେଲେ କରନ୍ତି ଅବଳା ।” ନନ୍ଦିକେଶ୍ୱରୀଙ୍କ କଥା ନଜିର ଭାବେ ଗ୍ରହଣ କରାଯାଇପାରେ । ସୁପ୍ତ ପିତାଙ୍କ ମସ୍ତକରୁ ଜୈତ୍ରମଣି ଚୋରିକରି ଗୁପ୍ତ ସୁଡ଼ଙ୍ଗ ବାଟରେ ସେ ଭେଟିଛି ଅରାତି ଚୋଡ଼ଗଙ୍ଗକୁ । ନିଜ ଯୌବନ, ପିତାଙ୍କ ଜୀବନ, ରାଜ୍ୟ, ଯଶ ବିନିମୟରେ ସେ ଚାହିଁଛି ପ୍ରେମ । ଅଦ୍ଭୁତ ସାହସ ସଞ୍ଚୟ କରି କହିଛି ନନ୍ଦିକା- “ଏହି ଜୈତ୍ରମଣି ଅର୍ପୂଛି ଶ୍ରୀକରେ”

 

ବିରାଜୁ ଥିଲା ଯା ରାଜ ମସ୍ତକରେ

ମଣି ନୁହଁଇ ଏ ପିତାଙ୍କ ଜୀବନ

ତୁମ୍ଭେ ଯେଣୁ ବିଶ୍ୱ ବିଶ୍ୱାସ ଭାଜନ । ।୩୦।

 

କିନ୍ତୁ ସେ ପ୍ରତ୍ୟାଖ୍ୟାତା ହୋଇଛି । ରାଜଦ୍ରୋହ, ଦେଶଦ୍ରୋହ, ଏବଂ ପିତୃଦ୍ରୋହ ଏହି ତିନି ମହାପାତକରେ ଘାଣ୍ଟିହୋଇ ସୁଦ୍ଧା ମନସ୍କାମନା ପୂର୍ଣ୍ଣ ହୋଇନାହିଁ । ଚରମ ଗ୍ଳାନି, ନୈରାଶ୍ୟ ଓ ଅନୁତାପ ଅନଳରେ ଦଗ୍ଦିଭୂତା ନନ୍ଦିକେଶ୍ୱରୀ ଆତ୍ମଘାତିନୀ ସାଜିଛି । ନିୟତିର ବିୟୋଗାନ୍ତକ ଯୂପ ସଜଡ଼ା ହୋଇଛି । ରାଧାନାଥଙ୍କ ପ୍ରେମ ବିପରୀତ ପ୍ରକ୍ରିୟାରେ ଗତିଶୀଳ । ଚନ୍ଦ୍ରଭାଗାରେ ସୂର୍ଯ୍ୟଦେବ ଧାଇଁଛନ୍ତି ଶୃଙ୍ଗାର ଆବେଗରେ ଚନ୍ଦ୍ରଭାଗାର ପଶ୍ଚାତ୍‌ ଧାବନ କରି । କିନ୍ତୁ ସଫଳ ସେପ୍ରେମାଶେଷରେ “ମିଶିଗଲା ତଥା ଅବଳା ସେଇ ନୀଳ ତରଙ୍ଗରେ । (୩୧) ଚନ୍ଦ୍ରଭାଗା ସୂର୍ଯ୍ୟଙ୍କ ପ୍ରେମକୁ ଖାଲି ଅସ୍ୱୀକାର କରିନାହିଁ । ପ୍ରତ୍ୟାଖ୍ୟାନ କରିଛି ନିର୍ମମ ଭାବେ । ଅଭିଶାପ ଅଗ୍ନିବାଣରେ ଜର୍ଜ୍ଜରିତ ସୂର୍ଯ୍ୟଦେବ ।”

 

୩୧.

ରାଧାନାଥ ରାୟ : ନନ୍ଦିକେଶ୍ୱରୀ, ରାଧାନାଥ ଗ୍ରନ୍ଥାବଳୀ

୩୨.

ରାଧାନାଥ ରାୟ : ଚନ୍ଦ୍ରଭାଗା

 

ସବୁଠୁଁଚରମ ଓ ଶୋଚନୀୟ ତଥା ମର୍ମନ୍ତୁଦ ପରିବେଶ ଉପୁଜିଛି ‘ପାର୍ବତୀ’ କାବ୍ୟରେ । ଓଡ଼ିଆ କାବ୍ୟ ସାହିତ୍ୟରେ ଓଡ଼ିଆ କାବ୍ୟ ସାହିତ୍ୟରେ ଓଡ଼ିଆ ଧର୍ମ ସସ୍କୃତିରେ ‘ପାର୍ବତୀ’ ଏକ କଳଙ୍କିତ ଅଧ୍ୟାୟ ବୋଲି କୁହାଯାଇଥାଏ । ରାଧାନାଥ କମ୍‌ ଦୁଃସାହସିକ ପଦକ୍ଷେପ ଗ୍ରହଣ କରିନାହାନ୍ତି ପାର୍ବତୀ ପରି ଏକ ବ୍ୟତିକ୍ରମ ଓ ଅପସଂସ୍କୃତିର କାବ୍ୟ ରଚନା ଦ୍ୱାରା । ଏହା ଅସମ୍ପୂର୍ଣ୍ଣ-। ସମ୍ଭବତଃ କଟୁ ସମାଲୋଚନାରେ ଶରବ୍ୟ ରାଧାନାଥ ଏହାକୁ ଏପରି ଅପୂର୍ଣ୍ଣ ରଖିଦେଲେ ଯେପରି ବ୍ରିଟିଶ ସରକାରଙ୍କ କୋପଦୃଷ୍ଟି ଏଡ଼େଇବା ଉଦ୍ଦେଶ୍ୟରେ ‘ମହାଯାତ୍ରା’ର ଅନେକ ସ୍ୱର୍ଗ ସେ ନଷ୍ଟ କରିଦେଲେ ।

 

ରାଜନନ୍ଦିନୀ କୌଶଲ୍ୟାକୁ ତା’ର ପିତା ଧର୍ଷଣ କରିଛନ୍ତି । ସେ ପାପଗର୍ଭା ହୋଇଛି । ଜାରଜ ସନ୍ତାନକୁ ଜନ୍ମ ଦେଇଛି । ନିଜ ଚେହେରାର ପ୍ରତିଛାପ ଦେଖି ଗୋପନ ପାତକର ପ୍ରକଟନ ଭୟରେ ରାଜା ଏକ ପାହାଡ଼ ଗୁମ୍ଫାରେ ମାତା ଓ ପୁତ୍ରଙ୍କୁ ଜୀବନ୍ତ ସମାଧି ଦେଇଛନ୍ତି । ଉତ୍କଟ ଉଦର ଜ୍ୱାଳାରେ କୌଶଲ୍ୟା ମୃତ ଶିଶୁର ଗଳିତ ମାଂସ ଭକ୍ଷଣରୁ ନିବୃତ୍ତ ହୋଇପାରିନାହିଁ । ରାଧାନାଥଙ୍କ ଉକ୍ତିରେ :

 

“ପିତା ହୋଇ ସୁତା ପ୍ରାଣ ଏହି ରୂପେ ନାଶିବାର ଅନଶନେ

ମାତା ହୋଇ ମନ ବଳାଇଲା ମୃତ ତନୟ ତନୁ ଭୋଜନେ ।” (୩୨)

 

ଏହା ପ୍ରେତର ବୟାନ । ସେକ୍ସପିୟର ତାଙ୍କର ଶ୍ରେଷ୍ଠ ବିୟୋଗାନ୍ତକ ନାଟକ ‘hamlet’ରେ ଏହିପରି ‘ghost’ ର ଜମାନବନ୍ଦୀରୁ ସତ୍ୟ ପ୍ରକଟନ କରିଛନ୍ତି । ହାମ୍‌ଲେଟ୍‌ଙ୍କ ପିତା ଡେନ୍‌ମାର୍କ ଅଧିପତି କ୍ଲଡ଼ିୟସ୍‌ ନିଜ ମୃତ୍ୟୁର ଘଟଣା ପ୍ରକାଶ କରିଛନ୍ତି । କୌଶଲ୍ୟାର ପ୍ରେତାତ୍ମା ମାତା ପାର୍ବତୀଙ୍କୁ ଏକାନ୍ତରେ ପିତା ଗଙ୍ଗେଶ୍ୱରଙ୍କ ସମସ୍ତ ପାପକର୍ମର ମୁଖା ଖୋଲି ଦେଇଛି । ପରବର୍ତ୍ତୀ ଅଧ୍ୟାୟରେ ବିଜିତା ଜେମାଙ୍କ ବୟାନରୁ ଗଙ୍ଗେଶ୍ୱରଙ୍କ ପାପ ପ୍ରବୃତ୍ତିର ଅନ୍ୟ ଏକ ଦିଗ ଉନ୍ମୋଚିତ ହୋଇଛି । କିନ୍ତୁକାବ୍ୟ ପରିଣତି ପର୍ଯ୍ୟାୟ ବା Climaxକୁ ଉତ୍ତୀର୍ଣ୍ଣ ହୋଇପାରି ନାହିଁ । ଅପୂର୍ଣ୍ଣ ରହିଯାଇଛି । ହୁଏତ ପାରିପାର୍ଶିକ ପରିବେଶରୁ ପାଠକ ଖାଲି ଅନ୍ତିମ ପରିଣତିକୁ ଅନୁଭବ କରିବା ଭିନ୍ନ ଅଧିକ ସୁଯୋଗ ନାହିଁ । କିଏ ଜାଣେ ମାତୃ ସଂଭୋଗର ପ୍ରାୟଶ୍ଚିତ ସ୍ୱରୂପ ଏକ ବିୟୋଗାନ୍ତକ ଚରିତ୍ରକୁ ରୂପାନ୍ତରିତ ଅଡ଼ିପସ ପରି ଗଙ୍ଗେଶ୍ୱର ହୋଇ କନ୍ୟାହରଣ, ସନ୍ତାନହନ୍ତା, ଶିଶୁ ହନ୍ତା, ବଧୁହରଣ ଆଦି ଜଘନ୍ୟପାତକର ପ୍ରାୟଶ୍ଚିତ କରିନଥାନ୍ତେ-। ରାଧାନାଥ ‘ଇଡ଼ିପସ୍‌’ର ବିପରୀତ ପ୍ରକ୍ରିୟା ଗ୍ରହଣ କରିଥିଲେ ହେଁ ଆଧୁନିକ ମନସ୍ତତ୍ତ୍ୱ ହିଁ ପ୍ରକଟିତ-। କିନ୍ତୁ ନିୟତି ଅପ୍ରତିହତ ଭୂମିକା ଗ୍ରହଣ କରିଛି ‘ପାର୍ବତୀ’, ‘ନନ୍ଦିକେଶ୍ୱରୀ’ ବା ‘ଚନ୍ଦ୍ରଭାଗା’ ଆଦି କାବ୍ୟ ଗଢ଼ଣରେ । ସେ ଯଥାର୍ଥରେ କହିଛନ୍ତି ; ‘‘ଶକ୍ତି ନାହିଁ ବସ୍ତ୍ର କାହାରି ଜଗତେ/ନିୟତିକୁ ନେବ ନିଜଇଚ୍ଛା ମତେ ।” (୩୩) ନିୟତିର କବଳରୁ ନା ବର୍ତ୍ତିଲେ କୌଶଲ୍ୟା ନା ନନ୍ଦିକେଶ୍ୱରୀ ନା ଚନ୍ଦ୍ରଭାଗା ? ନିୟତି ମହାକାଳକୁ ଇନ୍ଧନ ଯୋଗାଇ ବିୟୋଗାନ୍ତକ ମହାନାଟକର ଭିତ୍ତିପ୍ରସ୍ତର ଖଞ୍ଜେ । ରାଧାନାଥ କାବ୍ୟରେ ମହାକାଳର ଅପ୍ରତିହତ ଭୂମିକା ପ୍ରକଟିତ-। ନିୟତି, ନାରୀ ଓ ତନ୍ନିହିତ ଅନ୍ତଃସଂଘର୍ଷ ତାଙ୍କ କାବ୍ୟର କରୁଣ ସ୍ରୋତକୁ କରୁଣତର କରି ଗଢ଼ିତୋଳିଛି ।

 

୩୩.

ତତ୍ରୈବ

 

ଶ୍ରୀ ଅରବିନ୍ଦଙ୍କ ସାବିତ୍ରୀ ନାରୀ ଚରିତ୍ରର ପରିପୂର୍ଣ୍ଣ ବିକାଶ ଏବଂ ସଫଳତାର ଶୀର୍ଷ ଦେଶରେ ଅଧିରୂଢ଼ା ‘ସାବିତ୍ରୀ ମହାକାବ୍ୟ’ ଭାରତୀୟ ରେନାସାଁର ଶ୍ରେଷ୍ଠ ଏପିକ୍‌ ଜନ୍‌ ମିଲ୍‌ଟନ୍‌ଙ୍କ ‘ପାରାଡାଇଜ୍‌ ଲଷ୍ଟ’ ପରି ଏହା ବିଶାଳ ନହେଲେ ହେଁ ଶ୍ରୀ ଅରବିନ୍ଦ ଏହାକୁ ଆଧ୍ୟାତ୍ମିକ ଉତ୍କର୍ଷ ଓ କାବ୍ୟିକ ସଫଳତାର ରଦ୍ଧିମନ୍ତ କରିଛନ୍ତି । ମହାଜାଗତିକ ଚେତନାରେ ତାହା ଉତ୍ତରିତ ମିଲ୍‌ଟନ୍‌ଙ୍କ ପରି ଶ୍ରୀଅରବିନ୍ଦ ଏଥିରେ ଦ୍ୱନ୍ଦ୍ୱ ଓ ସଂଘର୍ଷର ବିୟୋଗାନ୍ତକ ମହାସ୍ରୋତର ପ୍ରବାହ ଘଟାଇଛନ୍ତି । ମିଲ୍‌ଟନ୍‌ଙ୍କ ସଂଘର୍ଷ ଈଶ୍ୱର ଓ ସୈତାନ ମଧ୍ୟରେ - ଆସୁରିକ ଓ ଦୈବୀଶକ୍ତିର ମୁକାବିଲା ସକାଶେ-। ସେଠି ମାନବ ହିଁ ଶିକାର ହୋଇଛି । ପରିଣତି, ସ୍ୱର୍ଗକୁ ନିର୍ବାସନ ନିମନ୍ତେ ବିଧି ନିର୍ଦ୍ଦେଶ ବିଚରା ମନୁଷ୍ୟ ପାଇଁ ନର୍କବାସର କାରଣ । ସାବିତ୍ରୀ ସଂଘର୍ଷ ମରଣଶୀଳ ଓ ଅମର ମଧ୍ୟରେ ସଂଘର୍ଷ । ଯୁଗେ ଯୁଗେ ଦେବତାମାନେ ଅସୁରମାନଙ୍କ ସଙ୍ଗେ ସଂଘର୍ଷ ଲିପ୍ତ ହୋଇଛନ୍ତି । ବେଳେବେଳେ ମନୁଷ୍ୟମାନେ ଦେବତାମାନଙ୍କର ସହାୟତା କରିଛନ୍ତି । ଦେବ ଓ ଦାନବର ସମନ୍ୱୟ ମନୁଷ୍ୟ । ଶ୍ରୀ ଅରବିନ୍ଦଙ୍କ ଅନ୍ୟ ଦୁଇଟି ନାରୀ ଚରିତ୍ର ଉର୍ବଶୀ ଓ ପ୍ରିୟମ୍ବଦା ପ୍ରେମ, ମୃତ୍ୟୁ ଓ ପାର୍ଥିବ ଜୀବନର ବିୟୋଗାନ୍ତକ ନାୟିକା ।

 

ସତୀତ୍ୱ ପରାକାଷ୍ଠାରେ ସାବିତ୍ରୀ ମୃତ୍ୟୁଦେବ ଯମକୁ ପରାସ୍ତ କରିଛନ୍ତି । ସତ୍ୟବାନଙ୍କ ପ୍ରାଣ ବିନିମୟରେ ସେ ସାବିତ୍ରୀଙ୍କି ବର ଯାଚିଛନ୍ତି । ତନ୍ମଧ୍ୟରୁ ଗୋଟିଏ ପ୍ରାର୍ଥନା - ସାବିତ୍ରୀ ଶତପୁତ୍ରର ଜନନୀ ହେବେ । ଯମ ତଥାସ୍ତୁ କଲେ । କିନ୍ତୁ ସତ୍ୟବାନଙ୍କ ଅବର୍ତ୍ତମାନରେ ଏହା କପରି ସମ୍ଭବ ? ଯମ ନିଜର ଭୁଲ୍‌ ବୁଝି ପରାଜୟ ସ୍ୱୀକାର କଲେ ଏବଂ ସତ୍ୟବାନଙ୍କ ଜୀବନ ଫେରାଇ ଦେଲେ । ସାବିତ୍ରୀଙ୍କ ନିଷ୍ଠ, ପତିବ୍ରତା ତଥା ଆତ୍ମପ୍ରତ୍ୟୟର ତୁଳନା ନାହିଁ । ଚରମ ସାହସର ସହ ସେ ମୃତ୍ୟୁଦେବତାଙ୍କୁ ମୁକାବିଲା କରିଛନ୍ତି । ଶ୍ରୀ ଅରବିନ୍ଦଙ୍କ ଉକ୍ତି –“Seek you first the soul/ And everything shall be added on to in..” (୩୪) ମହାଭାରତୀୟ ଆଧ୍ୟାତ୍ମିକ ଚେତନା ଆତ୍ମ ଅନ୍ୱେଷଣରୁ ସବୁ ସିଦ୍ଧିର ସମ୍ଭବ ବୋଲି ସୂଚନା ଦିଆଯାଇଛି । ଏହାର ମୂଳମନ୍ତ୍ର ହେଉଛି - “Those who save themselves can other save” (୩୫) । ନିଜକୁ ରକ୍ଷା କରିପାରୁ ନଥିବା ଲୋକଟି ଅନ୍ୟକୁ କିପରି ସାହାଯ୍ୟ କରିପାରିବ ? ସାବିତ୍ରୀଙ୍କ ପ୍ରଥମ ଅଭିଯାନ ତେଣୁ ନିଜର ବଳୟ ଭାଙ୍ଗି ଊଦ୍ଧ୍ୱର୍କୁ ଉଠିବାର ଅଧ୍ୟବସାୟ । ତେଣୁ ସେ ଯମଙ୍କୁ କହନ୍ତି :

 

“I trample on thy Law with living foot :

For to arise in freedom I am born.

I claim from thine my wills Divinity. (୩୬)

 

ସେ ମାନବିକ ଅଧିକାର ସାବ୍ୟସ୍ତ କରିଛନ୍ତି । ଆଧ୍ୟାତ୍ମିକ ଚେତନା, ଚିତ୍ତଶୁଦ୍ଧି ଓ ତପସ୍ୟା ବଳରେ ମଣିଷ ଏ ଅଧିକାର ହାସଲ କରିପାରିବ । ମିଲ୍‌ଟନ୍‌ଙ୍କ ଆଦାମ, ଇଭ୍‌ ପରାଜୟ ସ୍ୱୀକାର କରି ନର୍କଗାମୀ ହୋଇଥିବା ବେଳେ ସାବିତ୍ରୀ ମର୍ତ୍ତ୍ୟରେ ସ୍ୱର୍ଗ ଥାପନା କରିଛନ୍ତି । ତାଙ୍କର ଯୁକ୍ତି ହେଉଛି : ‘Heaven’s touch fulfils cancels not–our earth.” (୩୭) ଯେଉଁ ସମନ୍ୱୟର କଳନା ମିଲଟନ୍‌ ମଧ୍ୟ କରିଛନ୍ତି (୩୮) Mind in itself is heaven of hell and hell of heaven.” ସାବିତ୍ରୀ ମହାଜାଗତିକ ଚେତନାରେ ପରିପୂର୍ଣ୍ଣ, ଅନନ୍ତ ବିଶ୍ୱ ଚେତନାରେ ଉଦ୍ଦୀପ୍ତ । ପାର୍ଥିବ ସଂକୀର୍ଣ୍ଣତାରୁ ଆଧ୍ୟାତ୍ମିକତାର ମହାମିଳନ ବିନ୍ଦୁକୁ ଉତ୍ତୀର୍ଣ୍ଣ ଏବଂ ମାନବାତ୍ମା ଓ ପାପ କଳୁଷପୂର୍ଣ୍ଣ ଜଗତର ଉଦ୍ଧାର ନିମନ୍ତେ ସେ ଉତ୍ସର୍ଗୀକୃତ । ସାବିତ୍ରୀ ମହାକାବ୍ୟର ଥିମ୍‌ :“To change earthly light and to live Divine/I keep my will to save the world and man.” (୩୮) ସାବିତ୍ରୀ ଭାରତୀୟ ଆଧ୍ୟାତ୍ମିକତାର ପ୍ରତୀକ, ବିୟୋଗାନ୍ତକ ମହାନାଟକର ନାୟିକା, ଅନ୍ତଃସଂଘର୍ଷ ଓ ଆତ୍ମଦହନରେ ଦଗ୍ଧ ହୋଇ ନିୟତି ବହ୍ୱି ବଳୟରେ ଘୂର୍ଣ୍ଣ୍ୟମାନା ସାବିତ୍ରୀଙ୍କ ଅଗ୍ନିପରୀକ୍ଷା ଓ ତପସ୍ୟାର ଉତ୍ତରଣ ଘଟିଛି ସେଇ ଉପନିଷଦୀୟ ଆପ୍ତବାଣୀରୁ :

 

“ଅସଦୋ ମା ସଦ୍‌ଗମୟ

ତମସୋ ମା ଜ୍ୟୋତିର୍ଗମୟ

ମୃତ୍ୟୋର୍ମା ଅମୃତଂ ଗମୟ ।

ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ । (୩୯)”

 

୩୪.

ଶ୍ରୀ ଅରବିନ୍ଦ : ସାବିତ୍ରୀ, ଶ୍ରୀ ଅରବିନ୍ଦ ସୋସାଇଟି, ପଣ୍ଡିଚେରୀ, ୧୯୬୪

୩୫.

ତତ୍ରୈବ,

୩୬.

ତତ୍ରୈବ,

୩୭.

ତତ୍ରୈବ,

୩୮.

ତତ୍ରୈବ,

୩୯.

ଉପନିଷତ

 

ସେ ମରଣକୁ ଜୟ କରି ଜଗତବାସୀଙ୍କି ଅମୃତର ସନ୍ଧାନ ଦେଇଛନ୍ତି, ଧରାକୁ ସ୍ୱଲୋକର ସମ୍ମାନ ଦେଇଛନ୍ତି ଏବଂ ମଣିଷକୁ ଆଲୋକ ଓ ଅମୃତର ସନ୍ଧାନ ଦେଇଛନ୍ତି ।

 

 

ଘର ନଂ ୩ ଆର ୫/୪, କଳ୍ପନା ଅଞ୍ଚଳ

ଭୁବନେଶ୍ୱର-୭୫୧୦୧୪

 

***

 

Unknown

ପିଲାମାନଙ୍କ ପାଇଁ ଅନୁବାଦ ରଚନା

ଶ୍ରୀ ରମେଶ ଚନ୍ଦ୍ର ଦାସ

 

ଭାବର ପରିପ୍ରକାଶ ପାଇଁ ଭାଷାର ସୃଷ୍ଟି । ଭାବ ପ୍ରକାଶର ବିବିଧ ମାଧ୍ୟମ ମଧ୍ୟରୁ ଭାଷା ଅନ୍ୟତମ । ମଣିଷ ଭାଷା-ଜଗତରେ ବିବିଧ ହେଲେ ମଧ୍ୟ ଭାବ ଜଗତରେ ଏକ । ଗୌତମ ବୁଦ୍ଧ ହୁଅନ୍ତୁ କି ମହାତ୍ମାଗାନ୍ଧି ହୁଅନ୍ତି, ବାଲ୍ମୀକି ହୁଅନ୍ତୁ କି ଆରିଷ୍ଟୋଟଲ୍‌ ବା ମାର୍କସ୍‌ ହୁଅନ୍ତୁ; ପ୍ରତ୍ୟେକଙ୍କର ଚିନ୍ତା ଆପଣ ଆପଣା ଭାଷାରେ ପ୍ରକାଶିତ ହୋଇଛି । ଏହି ଭିନ୍ନ ଭାଷାଭାଷୀ ଲେଖକ, ଚିନ୍ତାନୟକ ବା ଦାର୍ଶନିକ ଚିନ୍ତାଧାରାକୁ ଜାଣିବା ପାଇଁ ମଣିଷର ଆକୁଳତା ଓ ସାଧନାର ପରିଣତି ହିଁ ଅନୁବାଦ ରଚନା ।

 

ଅନୁବାଦର ପରିଭାଷା :

‘ଅନୁ’ ଉପସର୍ଗ ‘ବଦ୍‌’ ଧାତୁରେ ‘ଅ’ ପ୍ରତ୍ୟୟ ହୋଇ ଅନୁବାଦ ଶବ୍ଦର ସୃଷ୍ଟି । ଅନୁବାଦର ଅର୍ଥ ହେଉଛି- ‘ଅନୁ’ ଅର୍ଥାତ୍‌ ପଛରେ ବା ପୁନର୍ବାର ଏବଂ ‘ବାଦ’ ଅର୍ଥ କହିବା । ଏହିପରି ଭାବରେ ଅନୁବାଦର ଅଭିଧାନିକ ଅର୍ଥ ହେଉଛି - ପୁନଃ କଥନ ।

 

‘ଶବ୍ଦାର୍ଥ ଚିନ୍ତାମଣି କୋଷ’ ଅନୁସାରେ ଅନୁବାଦର ଅର୍ଥ ‘ପ୍ରାପ୍ତସ୍ୟ ପୁନଃ କଥନେ’ ଅଥବା ‘ଜ୍ଞାତର୍ଥସ୍ୟ ପ୍ରତିପାଦନେ’ ବୋଲି କୁହାଯାଇଛି । ଅର୍ଥାତ୍‌ ପୂର୍ବରୁ କୁହାଯାଇଥିବା ଅର୍ଥକୁ ପୁନର୍ବାର କହିବା ହେଉଛି ଅନୁବାଦ ।

 

ବେଦ, ଉପନିଷଦ, ବ୍ରାହ୍ମଣ, ମୀମାଂସା, ନ୍ୟାୟସୂତ୍ର, ନ୍ୟାୟ ଦର୍ଶନ, ମନୁସ୍ମୃତି ଓ ଅଷ୍ଟାଧ୍ୟାୟୀ ପ୍ରଭୃତି ସଂସ୍କୃତ ଗ୍ରନ୍ଥମାନଙ୍କରେ ଅନୁବାଦକୁ ପୁନରାବୃତ୍ତି, ପଶ୍ଚାତକଥନ, ପୁନଃ କଥନ, ଜ୍ଞାତକୁ ପୁନର୍ବାର କହିବା ଇତ୍ୟାଦି ଅର୍ଥରେ ବ୍ୟବହାର କରାଯାଇଛି ।

 

ଇଂରାଜୀ ଭାଷାର ‘ଟ୍ରାନ୍‌ସଲେସନ’ ଶବ୍ଦକୁ ଅନେକ ଅନୁବାଦର ପ୍ରତିଶବ୍ଦ ରୂପେ ଗ୍ରହଣ କରିଥାନ୍ତି । ‘ଟ୍ରାନ୍‌ସଲେସନ’ ଶବ୍ଦଟି ଦୁଇଟି ଲାଟିନ୍‌ ଶବ୍ଦ ‘ଟ୍ରାନ୍‌ସ’ ଓ ‘ଲେସନ’ର ସଂଯୋଗରେ ଗଠିତ । ଏହାର ଅର୍ଥ ହେଉଛି - ଅନ୍ୟତ୍ର ନେଇଯିବା । ଗୋଟିଏ ଭାଷାର ଭାବଧାରାକୁ ଅନ୍ୟ ଭାଷାକୁ ବହନ କରିନେବା ପ୍ରକ୍ରିୟାକୁ ‘ଟ୍ରାନ୍‌ସଲେସନ୍‌’ ବା ଅନୁବାଦ କୁହାଯାଇଥାଏ । ଏଠାରେ ଅନୁବାଦର ଅର୍ଥ ଭାଷାନ୍ତରଣ ବା ରୂପାନ୍ତରଣ ବୋଲି ବୁଝାଯାଉଥିବା ବେଳେ ‘ଟ୍ରାନ୍‌ସଲେସନ୍‌’ ଅଧିକ ବ୍ୟାପକ ଅର୍ଥରେ ନିଜକୁ ପ୍ରକାଶ କରିଥାଏ । କଥାକୁ କାର୍ଯ୍ୟରେ ପରିଣତ କରିବାକୁ ମଧ୍ୟ ଟ୍ରାନ୍‌ସଲେସନ କୁହାଯାଇଥାଏ ।

 

ବିଭିନ୍ନ ଆଲୋଚକ ଅନୁବାଦର ସଂଜ୍ଞା ପ୍ରଦାନ କରିଅଛନ୍ତି । ପ୍ରସିଦ୍ଧ ବିଚାରକ ଡକ୍ଟର ଜନ୍‌ସନ୍‌ଙ୍କ ମତରେ ‘ଅର୍ଥକୁ ସୁରକ୍ଷିତ ରଖି ଅନ୍ୟ ଭାଷାରେ ତା’ର ଅନ୍ତରଣ କରିବା ହିଁ ହେଉଛି ଅନୁବାଦ ।”

 

ଏ.ଏଚ୍‌. ସ୍ମିଥ୍‌ ଏଥିରେ ସାମାନ୍ୟ ପରିବର୍ତ୍ତନ କରି କୁହନ୍ତି - “ଅର୍ଥକୁ ଯଥା ସମ୍ଭବ ସୁରକ୍ଷିତ ରଖି ଅନ୍ୟ ଭାଷାରେ ତା’ର ଅନ୍ତରଣ କରିବା ହିଁ ହେଉଛି ଅନୁବାଦ ।”

 

ପ୍ରାବନ୍ଧିକ ଓ ସମାଲୋଚକ ଡକ୍ଟର ଅଜୟ କୁମାର ପଟ୍ଟନାୟକଙ୍କ ଭାଷାରେ - “ମୂଳ ଲେଖାର ଅନୁଭବକୁ ହୃଦୟଙ୍ଗମ କରି ଅନ୍ୟ ଭାଷାରେ ତା’ର ସମତୁଲ୍ୟ ଅନୁଭବଟିଏ ସୃଷ୍ଟି କରିବା” ବା “ଗୋଟିଏ ଭାଷାରେ ବ୍ୟକ୍ତ ଭାବଧାରାକୁ ଯଥା ସମ୍ଭବ ସମାନ ଓ ସହଜ ଅଭିବ୍ୟକ୍ତି ଦ୍ୱାରା ଅନ୍ୟ ଭାଷାରେ ବ୍ୟକ୍ତ କରିବା ପ୍ରଚେଷ୍ଟାକୁ ଅନୁଭବ କୁହାଯାଏ ।

 

ପିଲାମାନଙ୍କ ପାଇଁ ଅନୁବାଦ ରଚନାର ଆବଶ୍ୟକତା :

ଅନୁବାଦର ମୌଳିକ ଉଦ୍ଦେଶ୍ୟ ହେଉଛି ଜ୍ଞାନର ପ୍ରସାରଣ, ଭାବର ଉପସ୍ଥାପନ ଓ ବିଦ୍ୟାର ଅବବୋଧନ । ଅନୁବାଦ ଗୋଟିଏ ନିର୍ଦ୍ଦିଷ୍ଟ ଭାଷାଭାଷୀଙ୍କ ଜ୍ଞାନ ଭଣ୍ଡାରକୁ ଅନ୍ୟ ଭାଷାଭାଷୀଙ୍କ ପାଖରେ ପହଞ୍ଚାଇବାରେ ସାହାଯ୍ୟ କରିଥାଏ । ଗୋଟିଏ ସଂସ୍କୃତିର ଚିତ୍ର ଅପର ପାଖରେ ପହଞ୍ଚାଇବାରେ ସାହାଯ୍ୟ କରିଥାଏ । ଗୋଟିଏ ସଂସ୍କୃତିର ଚିତ୍ର ଅପର ପାଖରେ ପହଞ୍ଚାଇ ଭାବଗତ ସଂହତିର ଅବବୋଧ ଘଟାଏ । ସେଥିପାଇଁ ବିଶ୍ୱର ବିଭିନ୍ନ ରାଷ୍ଟ୍ରମାନଙ୍କର ପାରସ୍ପରିକ ଭାବାତ୍ମକ ସଂପ୍ରୀତି ସ୍ଥାପନରେ ଅନୁବାଦ ବା ଭାଷାନ୍ତରର ଉପଯୋଗିତା ସ୍ୱୀକୃତ । ଭାରତ ଭଳି ଯେଉଁ ରାଷ୍ଟ୍ରରେ ବହୁବିଧ ଜାତି, ଧର୍ମ, ସଂସ୍କୃତି, ପରମ୍ପରା ଓ ଭାଷା ରହିଛି ସେଠାରେ ଏହା ସମ୍ପ୍ରଦାୟ ସମ୍ପ୍ରଦାୟ ମଧ୍ୟରେ ପାରସ୍ପରିକ ସାଂସ୍କୃତିକ ପରିଚିତ ଓ ଏକ ମହାଜାତୀୟ ଐକ୍ୟ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଦେଶର ନିରାପତ୍ତା ଓ ଆଭ୍ୟନ୍ତରୀଣ ଶୃଙ୍ଖଳା ରକ୍ଷା କରିବାରେ ସହାୟକ ହୋଇଥାଏ ।

 

ଏହି ପରିପ୍ରେକ୍ଷୀରେ ପିଲାମାନଙ୍କ ପାଇଁ ଅନୁବାଦ ରଚନାର ଯଥେଷ୍ଟ ଉପଯୋଗିତା ରହିଛି । କ୍ଳାସିକ୍‌ ରଚନା ପାଠ କରିବା, ଉନ୍ନତ ସାହିତ୍ୟ ପାଠ ପାଇଁ ପିଲାମାନଙ୍କୁ ଆଗ୍ରହୀ ଓ ଅଭ୍ୟସ୍ତ କରିବା ତଥା ଅନ୍ୟ ଭାଷାଭାଷୀ ଅଞ୍ଚଳର ସାଂସ୍କୃତିକ - ଐତିହାସିକ ଐତିହ୍ୟ ସମ୍ପର୍କରେ ଅବହିତ କରାଇବା କେବଳ ଅନୁବାଦ ରଚନା ଦ୍ୱାରା ହିଁ ସାଧିତ ହୋଇପାରେ । ସେଥିପାଇଁ ଗୋଟିଏ ଭାଷାର କୃତିକୁ ଅନ୍ୟ ଭାଷାରେ ସଂକ୍ଷିପ୍ତ ରୂପରେ ସୃଷ୍ଟି କରାଯାଏ ।

 

ପିଲାମାନଙ୍କ ପାଇଁ ଅନୁବାଦ ରଚନାର ସ୍ୱରୂପ :

ଆଧୁନିକ ଭାରତୀୟ ଶିଶୁ ସାହିତ୍ୟର ପ୍ରାଥମିକ ରୂପ ହେଉଛି ପାଠ୍ୟ ପୁସ୍ତକ । ଗୋଟିଏ ଶତାବ୍ଦୀ ତଳେ ପାଠ୍ୟ ପୁସ୍ତକର ଗଣ୍ଠି ଭିତରେ ଆଧୁନିକ ଲିଖିତ ଶିଶୁ - ସାହିତ୍ୟର ଭ୍ରୂଣ ସଂଚାର ହୋଇଥିଲା । ଉନବିଂଶ ଶତାବ୍ଦୀରେ ଓଡ଼ିଆ ପାଠ୍ୟପୁସ୍ତକ ଆନ୍ଦୋଳନର ଇତିହାସ ହେଉଛି ଓଡ଼ିଆ ଶିଶୁ-ସାହିତ୍ୟର ଇତିହାସ । ଭାରତର ପ୍ରତ୍ୟେକ ପ୍ରାନ୍ତୀୟ ଭାଷାର ଶିଶୁ-ସାହିତ୍ୟର ଇତିହାସରେ ଏହା ସତ୍ୟ । ଲୋକସାହିତ୍ୟ ପରେ ଓଡ଼ିଆ ଶିଶୁ-ସାହିତ୍ୟର ଉନ୍ମେଷ ପାଠ୍ୟ ପୁସ୍ତକରେ ହିଁ ସଙ୍ଘଟିତ ହୋଇଥିଲା । ପାଠ୍ୟ ପୁସ୍ତକ ଆନ୍ଦୋଳନର ଏହି ପ୍ରାଥମିକ ପର୍ଯ୍ୟାୟରେ ଯେଉଁ କେତେକ ପାଠ୍ୟ ପୁସ୍ତକ ପ୍ରକାଶ ପାଇଥିଲା, ସେଥି ମଧ୍ୟରୁ ଅଧିକାଂଶ ଥିଲା ଅନୁଦିତ ପୁସ୍ତକ । ଏହାର ଅଧିକାଂଶ ବିଷୟବସ୍ତୁ ଥିଲା ଇତିହାସ, ଭୂଗୋଳ, ପଦାର୍ଥ ବିଦ୍ୟା, ଗଣିତ ଇତ୍ୟାଦି । ସାହିତ୍ୟ ପୁସ୍ତକ ଭାବେ ଯାହା ପ୍ରକାଶ ପାଇଥିଲା ସେ ସବୁ ପୁସ୍ତକ ସଂସ୍କୃତ ପଞ୍ଚତନ୍ତ୍ର, ହିତୋପଦେଶ, କଥାସରିତ ସାଗର ଏବଂ ଇଂରାଜୀ ଈଶପଙ୍କ ଗଳ୍ପର ଅନୁବାଦ ।

 

ପରବର୍ତ୍ତୀ ପର୍ଯ୍ୟାୟରେ ବିଭିନ୍ନ ଲେଖକ ସଂସ୍କୃତ, ଇଂରାଜୀ ତଥା ଅନ୍ୟ ବିଦେଶୀ ଭାଷା ଓ ଭାରତର ଅନ୍ୟ ପ୍ରାନ୍ତୀୟ ଭାଷାର କାହାଣୀଗୁଡ଼ିକୁ ଅନୁବାଦ କରି କିମ୍ବା ଶିଶୁ ଉପଯୋଗୀ କରି ଓଡ଼ିଆ ଭାଷାରେ ପ୍ରକାଶ କଲେ ।

 

ପିଲାମାନଙ୍କ ଅନୁବାଦ ରଚନାର ବିଭାଗ :

ପିଲାମାନଙ୍କ ପାଇଁ ପ୍ରକାଶିତ ଅନୁବାଦ ରଚନାକୁ ଦୁଇଟି ବିଭାଗରେ ବିଭକ୍ତ କରାଯାଇପାରେ । ଯଥା (୧) ଅନ୍ୟ ଭାଷାରୁ ଓଡ଼ିଆ ଭାଷାକୁ ଅନୁଦିତ ରଚନା ଏଂବ (୨) ଅନ୍ୟ ଭାଷାକୁ ଓଡ଼ିଆ ଭାଷାରୁ ଅନୁଦିତ ରଚନା ।

 

ଅନ୍ୟ ଭାଷାରୁ ଓଡ଼ିଆ ଭାଷାକୁ ଅନୁଦିତ ରଚନା -

ପିଲାମାନଙ୍କ ପାଇଁ ଅନୂଦିତ ରଚନାମାନଙ୍କ ମଧ୍ୟରେ ଅନ୍ୟ ଭାଷାମାନଙ୍କରୁ ଓଡ଼ିଆ ଭାଷାକୁ ଅନୂଦିତ ରଚନାର ସଂଖ୍ୟା ଅଧିକ । ସଂସ୍କୃତ, ଇଂରାଜୀ, ଅନ୍ୟ ବିଦେଶୀ ଭାଷା ଓ ପ୍ରାନ୍ତୀୟ ଭାରତୀୟ ଭାଷାଗୁଡ଼ିକର କ୍ଳାସିକ ରଚନାଗୁଡ଼ିକୁ ଶିଶୁ ଉପଯୋଗୀ କରି ପ୍ରକାଶ କରିବାର ଉଦ୍ୟମ ହୋଇଛି । କିଶୋର ପାଠକମାନଙ୍କ ପାଇଁ ଇଂରାଜୀ ଓ ଭାରତୀୟ ସାହିତ୍ୟର ବିଖ୍ୟାତ ଉପନ୍ୟାସ ଓ ଗଳ୍ପଗୁଡ଼ିକୁ ସରଳ ଓ ସଂକ୍ଷିପ୍ତ ରୂପରେ ଓଡ଼ିଆ ଭାଷାରେ ଅନୁବାଦ କରି ‘ବିଶ୍ୱବିଖ୍ୟାତ ଗ୍ରନ୍ଥମାଳା’ ଓ ‘ବିଶ୍ୱ ବିଖ୍ୟାତ ଉପନ୍ୟାସ’ କ୍ରମରେ ପ୍ରକାଶ କରିବାରେ ଓଡ଼ିଶାର ପ୍ରତିଷ୍ଠିତ ପୁସ୍ତକ ପ୍ରକାଶକ ଓ ବିତରକ ସଂସ୍ଥା ‘ଗ୍ରନ୍ଥମନ୍ଦିର’ ଓ ‘ବିଦ୍ୟାପୁରୀ’ ପ୍ରମୁଖ ଭୂମିକା ଗ୍ରହଣ କରିଅଛନ୍ତି । ଏହି ପୁସ୍ତକଗୁଡ଼ିକ ମଧ୍ୟରେ ଚାର୍ଲସ୍‌, ଡିକେନ୍‌ସଙ୍କ ଅନାଥ ବାଳକ ଅଲିଭର (Oliver Twist), ‘ଦୁଇଟି ନଗରୀର କାହାଣୀ’ (A tale of two cities), ସରଭେଣ୍ଟିସ୍‌ଙ୍କ ‘ଡନ୍‌କୁସ୍ତି’ (Don Quisto), ଆର.ଏଲ୍‌.ଷ୍ଟିଭେନସନ୍‌ଙ୍କ ‘ରନ୍‌ଦୀପ’ (The treasure Island), ଆର.ଏମ୍‌. ବାଲାଣ୍ଟାଇନ୍‌ଙ୍କ ‘ପ୍ରବଳ ଦୀପ’, (The coral Island), ଏଚ୍‌. ଜି. ୱେଲସ୍‌ଙ୍କ ‘ଚନ୍ଦ୍ର ପୃଷ୍ଠରେ ପ୍ରଥମ ମାନବ’ (first man on the moon) ଏବଂ ‘ଗଲିଭରର ଭ୍ରମଣ କାହାଣୀ’ (Gauliver’s Travel), ଦାନିଏଲ୍‌ ଡିଫୋଙ୍କ ‘ରବିନ୍‌ସନ କ୍ରୁଶୋ’ (Robinson Crusoe), ମିସେସ୍‌ ହାରିଏଟ, ଏଲିଜାବେଥ୍‌ ଷ୍ଟୋଙ୍କ ‘ଟମ୍‌କଳାଙ୍କ କୁଟୀର’ (Uncle Tom’s Cabin), ଆରବ୍ୟ ରଜନୀର କାହାଣୀ (Tales from Arabian Nights), ନାବିକ ସିନ୍ଦ୍ୱାଦ, ଆଲାଦ୍ଦୀନର କୁହୁକ ଦୀପ, ବଙ୍କିମଚନ୍ଦ୍ରଙ୍କ ‘ଆନନ୍ଦ ମଠ’ ଇତ୍ୟାଦି ଅନ୍ୟତମ ।

 

ଭାରତ ସରକାରଙ୍କ ନ୍ୟାସନାଲ ବୁକ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆ (N.B.T.) ର ଶିଶୁବିଭାଗ ନେହେରୁ ବାଳପୁସ୍ତକାଳୟ ବିଭିନ୍ନ ଭାରତୀୟ ଭାଷାରେ ଲିଖିତ ପୁସ୍ତକଗୁଡ଼ିକୁ ସୁନାମଧନ୍ୟ ଶିଶୁ ସାହିତ୍ୟ ଲେଖକ ଓ ଅନୁବାଦକମାନଙ୍କ ଦ୍ୱାରା ଅନୁବାଦ କରି ଓଡ଼ିଆ ଭାଷାରେ ଅନେକଗୁଡ଼ିଏ ପୁସ୍ତକ ପ୍ରକାଶ କରିଅଛି । ଯଥା- ‘ଆମ ଶରୀର’ (ଲେଖକ - ରମେଶ ବିଜଲାନି, ଅନୁବାଦ - ରାମକୃଷ୍ଣ ନନ୍ଦ), ‘ବଳଦ ଗାଡ଼ି ଓ କୃତ୍ରିମ ଉପଗ୍ରହ’ (ଲେ- ମନୀଷା ବବ୍‌, ଅନୁ-ରମେଶଚନ୍ଦ୍ର ପରିଡ଼ା), ‘ଆମ ନଦୀମାନଙ୍କର କାହାଣୀ, ୧ମ ଭାଗ (ଲେ-ଲୀଳା ମଜୁମଦାର, ଅନୁ-ଦେବେନ୍ଦ୍ର ଶତପଥୀ), ‘ପକ୍ଷୀ-ଜଗତ’ (ଲେ-ଜମାଲ ଆରା, ଅନୁ-ଅବକାଶ ଜେନା), ‘ଆସ ଯିବା ଦେଖି ଚିଡ଼ିଆଖାନା (ଲେ-ରସ୍ମିନ୍‌ ବଣ୍ଡ, ଅନୁରାମପ୍ରସାଦ ମହନ୍ତି), ‘ବଣ ଜଙ୍ଗଲ କଥା’ (ଲେ-ଜେ. ରାୟ, ଅନୁ-ରାମକୃଷ୍ଣ ନନ୍ଦ) ‘ଭାରତର ପର୍ବ ପର୍ବାଣି’ (ଅନୁ-ମହେଶ୍ୱର ମହାନ୍ତି), ‘ଇଦ୍‌ପର୍ବ’ (ଲେ-ପ୍ରେମଚାନ୍ଦ, ଅନୁ-ଉଦୟନାଥ ଷଡ଼ଙ୍ଗୀ), ‘ମହାଶୂନ୍ୟର ଉପହାର’ (ଲେ-ମୋହନ ସୁନ୍ଦର ରାଜନ, ଅନୁ-ଜଗନ୍ନାଥ ମହାନ୍ତି) ଇତ୍ୟାଦି ।

 

ବଙ୍ଗଳା ଭାଷାର ବିଖ୍ୟାତ ଶିଶୁ - ସାହିତ୍ୟିକ ଉପେନ୍ଦ୍ର କିଶୋର ରାୟଚୌଧୁରୀଙ୍କ ପ୍ରସିଦ୍ଧ ଶିଶୁପୁସ୍ତକ ‘ଟୁନ୍‌ଟୁନିର ବୋଇ’ନୁ ରାମକୃଷ୍ଣ ନନ୍ଦ ଓଡ଼ିଆ ଭାଷାରେ ଅନୁବାଦ କରିଛନ୍ତି ଏବଂ ଏହାକୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରକାଶ କରିଛି ।

 

ଅନ୍ୟ ଭାଷାକୁ ଓଡ଼ିଆ ଭାଷାକୁ ଅନୂଦିତ ରଚନା :

ଅନ୍ୟ ଭାଷାର ଶିଶୁ ସାହିତ୍ୟକୁ କେବଳ ଓଡ଼ିଆ ଭାଷାରେ ଅନୁବାଦ କଲେ ଏହା ଯଥେଷ୍ଟ ହେବନାହିଁ । ଓଡ଼ିଆ ଭାଷାର ଶିଶୁ ସାହିତ୍ୟକୁ ଅନ୍ୟ ଭାଷାଭାଷୀ ଶିଶୁମାନଙ୍କୁ ନିକଟରେ ପହଞ୍ଚାଇବା ପାଇଁ ଉଦ୍ୟମ ହେବା ଆବଶ୍ୟକ । କିନ୍ତୁ ଏ କ୍ଷେତ୍ରରେ ସେଭଳି କିଛି ଉଲ୍ଲେଖଯୋଗ୍ୟ ପଦକ୍ଷେପ ନିଆଯାଇ ଓଡ଼ିଆ ଶିଶୁ ପୁସ୍ତକଗୁଡ଼ିକୁ ଇଂରାଜୀ କିମ୍ବା ଅନ୍ୟ ଭାରତୀୟ ଭାଷାରେ ଅନୁବାଦ କରିବାର ଉଦ୍ୟମ ହୋଇନାହିଁ ।

 

ଯେଉଁ ଅଳ୍ପ କେତୋଟି ଉଦ୍ୟମ କରାଯାଇଛି, ସେଗୁଡ଼ିକ ମଧ୍ୟରୁ ବେସରକାରୀ ସ୍ତରରେ ଡକ୍ଟର ଦୁର୍ଗାପ୍ରସାଦ ପଟ୍ଟନାୟକ ହିନ୍ଦୀ ଭାଷାରେ ଅନୁଦିତ ପୁସ୍ତକ ‘ମୈ ଭି ଲଢ଼ୁଙ୍ଗା’ ଓ ‘ଏକ୍‌ ଥା ଲଡ଼କା’ ଅନ୍ୟତମ । ନେସନାଲ ବୁକ୍‌ ଟ୍ରଷ୍ଟର ନେହେରୁ ବାଳ ପୁସ୍ତକାଳୟ ଆନୁକୂଲ୍ୟରେ ମନୋଜ ଦାସଙ୍କ ‘ଆଲୋକ ଓ ଆନନ୍ଦ କାହାଣୀ’ ଏବଂ ‘ଅମର ସାହିତ୍ୟ’; ଚିତ୍ତରଞ୍ଜନ ଦାସଙ୍କ ସଙ୍କଳିତ ‘ପିଲାଙ୍କ ଗପ’ ଏବଂ ରମେଶ ପତ୍ରୀଙ୍କ ଗଳ୍ପ ପୁସ୍ତକ ‘ଝୁଲ ହାତୀ’କୁ ବିଭିନ୍ନ ଭାରତୀୟ ଭାଷାରେ ଅନୁବାଦ କରାଯାଇଛି ।

 

ଅଖିଳ ଭାରତ ବାଲ୍‌ ସାହିତ୍ୟ ପରିଷଦ (କଲିକତା)ର ମୁଖପତ୍ର ‘ମୟୂର ପଙ୍‍କ୍ଷୀ’ରେ ବିଭିନ୍ନ ଭାରତୀୟ ଭାଷାର ଗଳ୍ପକୁ ବଙ୍ଗଳା ଭାଷାରେ ଅନୁବାଦ କରି ପ୍ରକାଶ କରିବାର ଉଦ୍ୟମ ହୋଇଛି । ଏଥିରେ ଡକ୍ଟର ମନୀନ୍ଦ୍ର ମହାନ୍ତିଙ୍କ ଏକ ଶିଶୁଗଳ୍ପକୁ ଶ୍ରୀମତୀ ଲାୟଲୀ ଦାଶ ‘ଆଲୁ ଖୁଡ଼ତେ ଖୁଡ଼ତେ ଶିବ’ ଶୀର୍ଷକରେ ବଙ୍ଗଳା ଭାଷାରେ ଅନୁବାଦ କରିଅଛନ୍ତି । ଉତ୍ତରପ୍ରଦେଶର କାନପୁରରୁ ଡକ୍ଟର ରାଷ୍ଟ୍ରବନ୍ଧୁଙ୍କ ସମ୍ପାଦନାରେ ପ୍ରକାଶିତ ‘ବାଲ୍‌ ସାହିତ୍ୟ ସମୀକ୍ଷା’ ପତ୍ରିକାରେ ଓଡ଼ିଆ ଭାଷାର ଅନେକ ଗଳ୍ପ ଓ କବିତା ହିନ୍ଦୀ ଭାଷାରେ ଅନୂଦିତ ହୋଇ ପ୍ରକାଶ ପାଇଛି । ଏହାର ନଭେମ୍ବର ୧୯୯୪ ସଂଖ୍ୟାରେ କାଳିନ୍ଦୀ ଚରଣ ନାୟକଙ୍କ ଶିଶୁଗଳ୍ପ ‘ବଚେଔର ଫଳ ବଗିଚା’ ପ୍ରକାଶିତ ହୋଇଛି । ୧୯୯୪ମସିହାରେ ‘ଓଡ଼ିଆ ଶିଶୁ ସାହିତ୍ୟ ଗବେଷଣା ପରିଷଦ’ ଆନୁକୂଲ୍ୟରେ ବିଭିନ୍ନ ଭାଷାରେ ରଚିତ ଶିଶୁସାହିତ୍ୟର ଏକ ସଙ୍କଳନ ‘ଚେନାଚୁର’ ନାମରେ ପ୍ରକାଶ ପାଇଥିଲା । ଏଥିରେ ଓଡ଼ିଆ ଭାଷାର ଲେଖାଗୁଡ଼ିକର ଠିକ୍‌ ପରେ ପରେ ସେହି ଲେଖାର ଇଂରାଜୀ ବା ହିନ୍ଦୀ ଅନୁବାଦ ସ୍ଥାନିତ ହୋଇଥିଲା । ଏଥିରେ ଅଧ୍ୟାପକ ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ ଗପ ‘ମୋନିଆ ସତ୍ୟ କହିଲା’, ଡକ୍ଟର ମନୀନ୍ଦ୍ର ମହାନ୍ତିଙ୍କ ଗପ ‘ଆଉ କେବେ ନୁହେଁ’ ଏବଂ ଗୋବିନ୍ଦ ପ୍ରସାଦ ଭଟ୍ଟାଚାର୍ଯ୍ୟଙ୍କ ଗପ ‘ସାହାଡ଼ା’ର ହିନ୍ଦୀ ଅନୁବାଦ ସ୍ଥାନ ପାଇଛି । ଏତଦ୍‌ବ୍ୟତୀତ ଜଗତ୍‌ସିଂହପୁର ଜିଲ୍ଲାର ପାକନପୁରରୁ ବିଜୟ କୁମାର ମହାପାତ୍ରଙ୍କ ସମ୍ପାଦନାରେ ହିନ୍ଦୀ ଭାଷାରେ ପ୍ରକାଶିତ ମାସିକ ଶିଶୁପତ୍ରିକା ‘ପ୍ୟାରୀ ବହନ’, ଇଂରାଜୀ ଭାଷାରେ ପ୍ରକାଶିତ ମାସିକ ଶିଶୁପତ୍ରିକା ‘ଲଭିଂ ସିଷ୍ଟର’ ଏବଂ ବଙ୍ଗଳା ଭାଷାରେ ପ୍ରକାଶିତ ତ୍ରୈମାସିକ ଶିଶୁପତ୍ରିକା ‘ସୋନା ବୋନ’ ଅନେକ ଓଡ଼ିଆ ଶିଶୁ ରଚନାକୁ ହିନ୍ଦୀ, ଇଂରାଜୀ ଓ ବଙ୍ଗଳା ଭାଷାରେ ଅନୂଦିତ ହୋଇ ପ୍ରକାଶିତ ହେବାର ସୁଯୋଗ ଆଣିଦେଇଛି ।

 

ପିଲାଙ୍କ ପାଇଁ ଅନୁବାଦ ରଚନାର ସମସ୍ୟା :

ଅନୁବାଦ କରିବା ଏକ ସହଜ କାମ ବୋଲି ମନେ ହେଉଥିଲେ ମଧ୍ୟ ଏହା ଅତ୍ୟନ୍ତ କଠିନ କାର୍ଯ୍ୟ । ଅନୁବାଦ କରିବା କ୍ଷେତ୍ରରେ ନାନାବିଧ ସମସ୍ୟା ରହିଛି । ଅନୁବାଦ କଲାବେଳେ ଅନୁବାଦକୁ ‘ଖଣ୍ଡା ଧାରରେ ଚାଲିବା ପାଇଁ ହୋଇଥାଏ । ପିଲାମାନଙ୍କ ପାଇଁ ଅନୁବାଦ କରିବା ତତୋଽଧିକ କଠିନ କାର୍ଯ୍ୟ । ପିଲାଙ୍କ ପାଇଁ ଲେଖିବା ସମୟରେ ଲେଖକକୁ ଯେଭଳି ପିଲାର ବୟସ, ମାନସିକ ସ୍ଥିତି, ଶବ୍ଦ ଭଣ୍ଡାର ଆଦିକୁ ଆଖିରେ ରଖି ଲେଖିବା ପାଇଁ ପଡ଼ିଥାଏ, ସେହିଭଳି ଅନୁବାଦ କରିବା ସମମୟରେ ଅନୁବାଦକଙ୍କୁ ଲେଖାର ଉଭୟ ଆଙ୍ଗିକ ଓ ଆତ୍ମିକ ଦିଗରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ ।

 

ପିଲାମାନଙ୍କ ରଚନାର ଅନୁବାଦ ବେଳେ ସାଧାରଣତଃ ଭାବାନୁବାଦ ଓ ମର୍ମାନୁବାଦ ରୀତିର ପ୍ରୟୋଗ କରାଯାଇଥାଏ । ଆକାଶବାଣୀ ଓ ଦୂରଦର୍ଶନରେ ପିଲାଙ୍କ କାର୍ଯ୍ୟକ୍ରମ ପାଇଁ ରଚନାଗୁଡ଼ିକରେ ରୂପାନ୍ତରଣ (adoption) ରୀତି ପ୍ରୟୋଗ କରାଯାଇଥିବା ବହୁଳ ଭାବରେ ଦେଖାଯାଇଥାଏ ।

 

ଆକ୍ଷରିକ ଅନୁବାଦ କରିବା ଏକ କଠିନ କାର୍ଯ୍ୟ । କାରଣ ସବୁ ଭାଷାର ଶବ୍ଦଭଣ୍ଡାର ଏକାଭଳି ନୁହେଁ । ଅନୁବାଦକ ଜଣେ ଭାଷାବିତ୍‌ ହୋଇଥିବା ଦରକାର । ମୂଳ ଭାଷା ଓ ଅନୂଦିତ ଭାଷା ପ୍ରୟୋଗ କ୍ଷେତ୍ରରେ ତାଙ୍କର ଯଥେଷ୍ଟ ଦକ୍ଷତା ଥିବା ଆବଶ୍ୟକ । ପିଲାମାନଙ୍କ ରଚନାର ଅନୁବାଦ କ୍ଷେତ୍ରରେ ଆକ୍ଷରିକ ଅନୁବାଦ ସାଧାରଣତଃ ଦୃଷ୍ଟିଗୋଚର ହୁଏ ନାହିଁ । କାରଣ ବୟସ ଅନୁସାରେ ପିଲାମାନଙ୍କ ଶବ୍ଦଭଣ୍ଡାର ଅତ୍ୟନ୍ତ ସୀମିତ । ତଥାପି ପିଲାମାନଙ୍କ ପାଇଁ ଆକ୍ଷରିକ ଅନୁବାଦ ଯେ ସମ୍ଭବ ତାହା ଭକ୍ତକବି ରାଓଙ୍କ ଅନୂଦିତ କବିତା ‘ନିର୍ବାସିତର ବିଳାପ’ରୁ ଆମେ ଦେଖିବାକୁ ପାଉ । ‘ସଲିଚୁଡ୍‌ ଅଫ୍‌ ଆଲୋକ୍‌ଜାଣ୍ଡାର ସୋଲକାର’ ନାମକ ଇଂରାଜୀ କବିତାକୁ ମଧୁସୂଦନ ‘ନିର୍ବାସିତ ବିଳାପ’ ନାମକରଣ କରିଅଛନ୍ତି ।

 

“I am the monarch of all I survey

 

There is none to dispute over” କୁ ମଧୁସୂଦନ ଖୁବ୍‌ ସୁନ୍ଦର ଓ ସରଳ ଭାବରେ ଅନୁବାଦ କରିଅଛନ୍ତି-

“ନେତ୍ର ଦେଖଇ ଯାହା ଚଉଦିଗର

ସେ ସର୍ବର ଅଟଇ ମୁଁ ଅଧୀଶ୍ୱର

ମହୀମଣ୍ଡଳେ ନାହିଁ ଏମନ୍ତ ଜନ

ମୋ ଅଧିକାର ଲୋଭେ କରିବ ରଣ ।”

 

ପିଲାମାନଙ୍କ ପାଇଁ ସଫଳ ଭାବରେ ଆକ୍ଷରିକ ଅନୁବାଦ କରିଥିବାର ଆଉ ଏକ ଉଦାହରଣ ଆମେ ଉଦୟନାଥ ଷଡ଼ଙ୍ଗୀଙ୍କ ଦ୍ୱାରା ପ୍ରେମଚାନ୍ଦଙ୍କ ରଚିତ ପୁସ୍ତକ ‘ଇଦ୍‌ପର୍ବ’ର ଓଡ଼ିଆ ଅନୁବାଦରେ ଦେଖିବାକୁ ପାଉ । ଯଥା-

 

“A full thirty days after Ramjan comes Eid. How wonderful and beautiful is the morning of Eid. The trees look greener, the fields more festive, the sky has a lovely pink glow. Look at the sun, It come up brighter and more dazzling than before to wish the world a very happy Eid..”

 

ଉପରୋକ୍ତ ଅନୁଚ୍ଛେଦକୁ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଅନୁବାଦ କରିଛନ୍ତି- “ରମଜାନର ପୂରା ତିରିଶି ଦିନପରେ ଆସିଥାଏ ଇଦ୍‌ପର୍ବ । ସେ ଦିନର ସକାଳ କେଡ଼େ ସୁନ୍ଦର, କେଡ଼େ ଆନନ୍ଦ ଦାୟକ । ଗଛଲତା ଗାଢ଼ ଶାଗୁଆ ଦେଖାଯାଏ । ଧାନକିଆରୀ ମନକୁ ପ୍ରଫୁଲ୍ଲ କରେ । ଆକାଶ ମନୋରମ ପାଟଳିମା ରଙ୍ଗ ଧାରଣ କରିଥାଏ । ସୂର୍ଯ୍ୟଙ୍କୁ ଚାହିଁ, ଏହା ପୂର୍ବ ଅପେକ୍ଷା ଅଧିକ ଉଜ୍ଜ୍ୱଳ ଚିକ୍‌ଚି୍‌ କରୁଅଛି । ସତେଯେପରି ପୃଥିବୀକୁ ଶୁଭ ଇଦ୍‌ ଆଶୀର୍ବାଦ ଜଣାଉଛି ।”

 

ଉପରୋକ୍ତ ଅନୁବାଦରେ କିପରି ସହଜ ଓ ଶିଶୁବୋଧ ଶବ୍ଦଗୁଡ଼ିକ ବାଛି ବାଛି ପ୍ରୟୋଗ କରାଯାଇଛି ତାହା ଲକ୍ଷ୍ୟ କରିବା କଥା ।

 

ପିଲାମାନଙ୍କ ପାଇଁ ଲେଖିବା ବେଳେ ଲେଖକକୁ ଯେଭଳି ଲେଖାଏ ଔଚିତ୍ୟ ଓ ଅନୌଚିତ୍ୟ ଦିଗପ୍ରତି ଦୃଷ୍ଟି ଦେବାକୁ ହୋଇଥାଏ, ସେହିଭଳି ପିଲାମାନଙ୍କ ପାଇଁ ଅନୁବାଦ ରଚନା ପ୍ରସ୍ତୁତ କରିବା ବେଳେ ଅନୁବାଦକ ଅନୂଦିତ ଭାଷାର ସଂସ୍କୃତି ଓ ପରିବେଶ ପ୍ରତି ସଚେତନ ରହି ଅନୁବାଦ କରିବାର ଆବଶ୍ୟକତା ରହିଛି । ସେଥିପାଇଁ କେତେକ କ୍ଷେତ୍ରରେ ବିଷୟ ବସ୍ତୁର ସାମାନ୍ୟ ପରିବର୍ତ୍ତନ କିମ୍ବା ବିଷୟକୁ ସମ୍ପୂର୍ଣ୍ଣ ବାଦ୍‌ ଦେବାକୁ ହୋଇଥାଏ । ଟମକକାଙ୍କ କୁଟୀର (Uncle Tom’s Cabin) ପୁସ୍ତକର ଅନୁବାଦକୁ ଲକ୍ଷ୍ୟକଲେ ଏହା ଜଣାପଡ଼ିବ । ଏହାର ପ୍ରଥମ ପରିଚ୍ଛେଦ ଆରମ୍ଭ– “Let in the afternoon of a chilly day in February, two gentlemen were sitting along over their wine in a well furnished in a dining parlour in the town of P-, in Kentucky.”

 

ଏହାକୁ ଅନୁବାଦକ ଅନୁବାଦ କରିଛନ୍ତି- “ଶୀତଦିନ । ପଦାରେ ବହୁତ ବରଫ ପଡ଼ିଛି । ଭୟଙ୍କର ଥଣ୍ଡା । ଘର ଭିତରେ ଦୁଇଟି ଚୌକିରେ ଦୁଇଜଣ ସାମନା ସାମନି ବସିଛନ୍ତି । ଆଗରେ ଟେବ୍‌ଲଟି ଖୁବ୍‌ ସୁନ୍ଦର ଭାବରେ ସଜ୍ଜା ହୋଇଛି । ଘରଟାର ସାଜସଜ୍ଜା ମଧ୍ୟ ବଡ଼ ମନୋହର ।”

 

ଉପରୋକ୍ତ ଅନୁବାଦରେ ପାନୀୟ (Wine) କୁ ସମ୍ପୂର୍ଣ୍ଣ ବାଦ୍‌ ଦେଇଛନ୍ତି । କାରଣ ଭାରତ ବିଶେଷ କରି ସ୍ୱାଧୀନତା ପୂର୍ବବର୍ତ୍ତୀ ଉତ୍କଳୀୟ ସାମାଜିକ ଜୀବନରେ ବନ୍ଧୁ ଚର୍ଚ୍ଚା ମଧ୍ୟରେ ପାନୀୟର ବ୍ୟବହାର ସ୍ପୃହଣୀୟ ନୁହେଁ । ଉକ୍ତ ଅନୁବାଦରେ ଶିଶୁ ଉପଯୋଗୀ ଭାଷା ଓ ଶବ୍ଦ ସଂଯୋଜନାର କଳାତ୍ମକ ଦିଗ ଓ ବିଷୟବସ୍ତୁକୁ ଶିଶୁ ଉପଯୋଗୀ କରି ଅନୁବାଦ କରିବାର କୌଶଳ ଲକ୍ଷ୍ୟ କରାଯାଇପାରେ ।

 

ଶିଶୁ ପାଇଁ ଅନୁବାଦ ରଚନା ପ୍ରସ୍ତୁତ କାଳରେ ଅନୁବାଦକ ରଚନାଟି ଆତ୍ମିକ ଦିଗରୁ କେତେଦୂର ଶିଶୁ ଉପଯୋଗୀ ସେଥିପ୍ରତି ଦୃଷ୍ଟିଦେବା ଉଚିତ । ରଚନାଟି ବିଷୟବସ୍ତୁ ଦିଗରୁ ଶିଶୁ ଉପଯୋଗୀ ହୋଇ ନଥିଲେ ତାକୁ ବିଷୟବସ୍ତୁର ଉପସ୍ଥାପନା କୌଶଳ ଏବଂ ଭାଷା ଓ ଶବ୍ଦ ବ୍ୟବହାର ମାଧ୍ୟମରେ ଶିଶୁ ଉପଯୋଗୀ କରି ପ୍ରକାଶ କରିବା ଦରକାର ।

 

‘ଆରବ୍ୟ ରଜନୀର କାହାଣୀ’ (Tales from Arabians Nights) ଏକ ବିଖ୍ୟାତ ପୁସ୍ତକ । ଏହା ପୃଥିବୀର ବିଭିନ୍ନ ଭାଷାରେ ଅନୂଦିତ । ଏହି ପୁସ୍ତକଟି ଶିଶୁମାନଙ୍କ ପାଇଁ ରଚିତ ନୁହେଁ । Folks Tales ବା ଲୋକଗଳ୍ପର ଧର୍ମ ଅନୁଯାୟୀ ଏଥିରେ ଅତିରଞ୍ଜିତ କାହାଣୀମାନ ସ୍ଥାନ ପାଉଛି । ଏହି ଲୋକଗଳ୍ପର ଦର୍ଶନ ଶିଶୁବୋଧ ନୁହେଁ । ନାରୀର ମାନସିକତା ତଥା ସମାଜରେ ନାରୀର ସ୍ଥାନ ସମ୍ପର୍କରେ ଦର୍ଶାଇବାକୁ ଯାଇ ପ୍ରାରମ୍ଭରୁ ପୁସ୍ତକଟିରେ ଯୌନ ବ୍ୟଭୀଚାରର ସୂଚନା ପ୍ରଦତ୍ତ ହୋଇଛି । ତାହା କୌଣସି ମଧ୍ୟ ପିଲାମାନଙ୍କୁ ଶୁଣାଇବା ଉଚିତ ହେବନି । ଉଦାହରଣତଃ - ରାଜା ଶାହିରିଅର ଏବଂ ତାଙ୍କ କନିଷ୍ଠ ଭ୍ରାତା ଶାହାଜାହାନ ନିଜ ନିଜର ବେଗମାନଙ୍କର ଚରିତ୍ର ସ୍ଖଳନ ଦେଖି ରାଜକାର୍ଯ୍ୟ ଛାଡ଼ି ଜଙ୍ଗଲ ମଧ୍ୟକୁ ଚାଲିଯାଇଛନ୍ତି । ଜଙ୍ଗଲ ମଧ୍ୟରେ ରାତ୍ରି ହେବାରୁ ଦୁଇଭାଇ ଗୋଟିଏ ବୃକ୍ଷ ଉପରେ ଆଶ୍ରୟ ନେଇଛନ୍ତି । ନିଶାର୍ଦ୍ଧରେ ଏକ ପ୍ରକାଣ୍ଡ ଅସୁର ନିଜ ମୁଣ୍ଡରେ ଏକ ଲୁହାର ବାକ୍ସ ଧାରଣ କରି ସେହି ବୃକ୍ଷ ତଳକୁ ଆସିଛି । ବାକ୍ସଟିକୁ ସେଇ ଗଛ ମୂଳରେ ଥୋଇ ସେ ସେଥିରେ ପଡ଼ିଥିବା ସାତୋଟି ତାଲାକୁ ଖୋଲିବାରୁ ବାକ୍ସ ମଧ୍ୟରୁ ଏକ ଅନିନ୍ଦ୍ୟ ସୁନ୍ଦରୀ ରମଣୀ ନିର୍ଗତ ହୋଇଛି । ସେହି ସୁନ୍ଦରୀ ସହିତ ରତିକ୍ରୀଡ଼ା ସମାପ୍ତ କରି ରାକ୍ଷସଟି ଗାଢ଼ ନିଦ୍ରାରେ ଶାୟିତ ହୋଇଛି । ଏହାପରେ ସେଇ ସୁନ୍ଦରୀ ଜଣକ ବୃକ୍ଷ ଉପେର ଆଶ୍ରୟ ନେଇଥିବା ଦୁଇ ଭ୍ରାତାଙ୍କ ଉଦ୍ଦେଶ୍ୟରେ ପ୍ରକାଶ କରିଛି- “Come ye down, ye two, and fear naught from this infrit. Xxx But she rejoined by saying, Allah upon you both, that, ye come not. I will arouse upen you my husband, this infrit, and he shall do you to die by the illest of deaths and she continued making signals to them and said “Stroke me a strong stroke, without stay or delay otherwise I will arouse and set upen you this infrit who shall slay you straight way.”

 

ଉକ୍ତ ଅନୁଚ୍ଛେଦକୁ ଅନୁବାଦକ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଅନୁବାଦ କରିଛନ୍ତି- “ତୁମେ ଗଛ ଉପରେ ଯେ ବସିଥାଅନା କାହିଁକି ତଳକୁ ଓହ୍ଲେଇ ଆସ । ମୋ ମନ ସନ୍ତୁଷ୍ଟ କଲାଭଳି କ୍ଷମତା ଏ ରାକ୍ଷସର ନାହିଁ । ତୁମ ସହିତ ବିହାର କରିବା ପାଇଁ ମୋର ଭାରି ଇଚ୍ଛା ହେଉଛି । xxx ସ୍ତ୍ରୀ ଲୋକ କହିଲା-ଦେଖ, ଭଲ ଦଶା ଅଛିତ ସୁନାପିଲା ପରି ଓହ୍ଳାଇ ଆସ ଆଉ ମୋ ମନ ମୁତାବକ କାମକର । ଯଦି ତା’ ନକରିବ ତେବେ ଏହି ମୁହୂର୍ତ୍ତରେ ଏ ଦୈତ୍ୟକୁ ଉଠାଇ ଦେବି ଆଉ କହିବି, ଏ ଦୁହେଁ ମୋତେ ଟଣାଟଣି କରୁଥିଲେ । ତା’ପରେ ତୁମ ଦଶା କ’ଣ ହେବ ଜାଣ ତ?”

 

ଉପରୋକ୍ତ ଅନୁବାଦରେ ମୂଳ ରଚନାଟିର ବିଷୟବସ୍ତୁ ଶିଶୁ ଉପଯୋଗୀ ହୋଇନଥିଲେ ମଧ୍ୟ ଅନୁବାଦକ କିଭଳି କୌଶଳପୂର୍ଣ୍ଣ ଭାବରେ ଭାଷା ଓ ଶବ୍ଦ ବ୍ୟବହାର କରି ବିଷୟଟିକୁ ଶିଶୁମାନଙ୍କ ପାଇଁ ଉପସ୍ଥାପନ କରିଛନ୍ତି ତାହାହିଁ ଅନୁବାଦକୀୟ ସଫଳତା ।

 

ଚିତ୍ରର ଅନୁବାଦ :

ଚିତ୍ର ଶିଶୁ ରଚନାର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଶିଶୁ ରଚନା ଓ ଚିତ୍ର ଗୋଟିଏ ମୁଦ୍ରାର ଦୁଇଟି ପାଖ ଭଳି । ସେଥିପାଇଁ ଶିଶୁରଚନାକୁ ଅନୁବାଦ କରିବା ସମୟରେ କେବଳ ରଚନାଟିକୁ ଗୋଟିଏ ଭାଷାରୁ ଅନ୍ୟ ଭାଷାକୁ ଅନୁବାଦ କରିଦେଲେ ହେବନାହିଁ, ସମ୍ପୃକ୍ତ ଶିଶୁ ରଚନାଟିରେ ଥିବା ଚିତ୍ରଗୁଡ଼ିକର ଆବଶ୍ୟକୀୟ ଅନୁବାଦ ବା ପରିବର୍ତ୍ତନ କରିବାକୁ ହେବ । ଉଦାହରଣତଃ କୁହାଯାଇପାରେ , ଯେ ଓଡ଼ିଆ ଭାଷାର ଏକ ଶିଶୁ ଗଳ୍ପକୁ ପଞ୍ଜାବୀ ଭାଷାରେ ଅନୁବାଦ କରିବା ବେଳେ ଗଳ୍ପଟିରେ ଥିବା ଚିତ୍ରରେ ଓଡ଼ିଆ ଚାଷୀଟି ପରିଧାନ ପୋଷକଟିକୁ ମଧ୍ୟ ପରିବର୍ତ୍ତନ କରିବା ପାଇଁ ହେବ । ଫଳରେ ଓଡ଼ିଆ ଗଳ୍ପରେ ଦର୍ଶିତ ଓଡ଼ିଆ ଚାଷୀଟିର ପରିଧାନ ‘କଛାମାରି ଲୁଗା ପିନ୍ଧିବା’କୁ ପଞ୍ଜାବ ପରିବେଶରେ ଟ୍ରାଉଜର ପାଇଜାମା ଓ ପଗଡ଼ିରେ ପରିବର୍ତ୍ତିତ ହୋଇଥିବାର ଚିତ୍ର ଦେବାକୁ ହେବ । ଚିତ୍ର କ୍ଷେତ୍ରରେ ଯେ ଏହିଭଳି ଅନୁବାଦ ବା ପରିବର୍ତ୍ତନର ଯଥାର୍ଥତା ରହିଛି ତାହା ସମସ୍ତେ ସ୍ୱୀକାର କରିବେ ।

 

ଉପସଂହାର :

ଶିଶୁ-ସାହିତ୍ୟ କ୍ଷେତ୍ରରେ ଅନୁବାଦ ରଚନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ଶିଶୁ-ସାହିତ୍ୟର ବିଭିନ୍ନ ବିଭାଗକୁ ପରିପୁଷ୍ଟ କରିବା ସଙ୍ଗେ ସଙ୍ଗେ ଶିଶୁର ଜିଜ୍ଞାସା ପ୍ରବୃତ୍ତିକୁ ଶାନ୍ତ କରିବାରେ ସକ୍ଷମ ହୋଇଥାଏ । ସେଥିପାଇଁ ବିଭିନ୍ନ ଭାରତୀୟ ଭାଷାର ଉତ୍କୃଷ୍ଟ ଶିଶୁରଚନା କୃତିଗୁଡ଼ିକୁ ଓଡ଼ିଆ ଭାଷାରେ ଅନୁବାଦ କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ । ତତ୍‌ ସଙ୍ଗେ ସଙ୍ଗେ ଓଡ଼ିଆ ଶିଶୁରଚନା କୃତିଗୁଡ଼ିକୁ ବହୁଳ ଭାବରେ ଭାରତର ଅନ୍ୟ ପ୍ରାନ୍ତୀୟ ଭାଷା ତଥା ଇଂରାଜୀ ଓ ବିଦେଶୀ ଭାଷାମାନଙ୍କରେ ଅନୂଦିତ କରି ପ୍ରକାଶ କରିବା ପାଇଁ ପ୍ରକାଶକ, ବ୍ୟକ୍ତି ବିଶେଷ ସାହିତ୍ୟ ତଥା ଶିଶୁ-ସାହିତ୍ୟ ଅନୁଷ୍ଠାନ, ସ୍ୱୟଂସେବୀ ସଂସ୍ଥା ଓ ସର୍ବୋପରି ଓଡ଼ିଶା ସରକାର ଆଗେଇ ଆସିବା ଦରକାର ।

 

ସହାୟକ ଗ୍ରନ୍ଥସୂଚୀ :

୧.

କର ଡଃ ସୁରେଶ ଚନ୍ଦ୍ର, ‘ଓଡ଼ିଆ ଶିଶୁ ସାହିତ୍ୟକୁ ଉଦୟନାଥ ଷଡ଼ଙ୍ଗୀଙ୍କ ଦାନ’, ଅପ୍ରକାଶିତ ପିଏଚ.ଜି. ଥେସିସ୍‌, ଉତ୍କଳ ବିଶ୍ୱବିଦ୍ୟାଳୟ-୧୯୯୩ ।

୨.

ଚାଟାର୍ଜୀ ଡଃ ସୁବୋଧ କୁମ୍ଭାର, ଗବେଷଣା ପ୍ରବିଧି : ସମ୍ପାଦନା ଓ ଅନୁବାଦ କଳା ୧୯୯୫

୩.

ଦାସ ଚିତ୍ତରଞ୍ଜନ, ଅନୁବାଦ ଓ ଓଡ଼ିଆ ସାହିତ୍ୟ, କୋଣାର୍କ-ଏପ୍ରିଲ-୧୯୯୭

୪.

ପଟ୍ଟନାୟକ ଡଃ ଅଜୟ କୁମାର, ଅନୁବାଦ ପରିଭାଷା ଓ ପ୍ରକାର ଭେଦ, ଗବେଷଣାବିଧି ଓ ଅନୁବାଦ କଳା (୧୯୯୭)

୫.

ପଟ୍ଟନାୟକ ଡଃ କଇଳାଶ, ପବିତ୍ର ପାପର କାରଣ ଓ ଜିଜ୍ଞାସା, ଗବେଷଣା ବିଧି ଓ ଅନୁବାଦ କଳା (୧୯୯୭)

୬.

ପଟ୍ଟନାୟକ ଡଃ କଇଳାସ, ଅନୁସୃଜିତ ଗଳ୍ପ, କୋଣାର୍କ - ଏପ୍ରିଲ - ୧୯୯୭

୭.

ପଣ୍ଡା ଡଃ ବସନ୍ତ କୁମାର, ସାହିତ୍ୟ ତୁଳନା ତତ୍ତ୍ୱ ଓ ଅନୁବାଦ କୋଣାର୍କ-ଏପ୍ରିଲ-୧୯୯୭

୮.

ମହାନ୍ତି ଡଃ ପଞ୍ଚାନନ, ବଡ଼ କଠିନ ସେ ପ୍ରୀତି ପାଳିବା, ଗବେଷଣା ବିଧି ଓ ଅନୁବାଦ କଳା (୧୯୯୭)

୯.

ମହାନ୍ତି ଡଃ ମନୀନ୍ଦ୍ର, ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଶିଶୁ ସାହିତ୍ୟ-ଶିଶୁ ସାହିତ୍ୟର ଇତିବୃତ୍ତ (୧୯୯୨)

 

 

ୟୁନାଇଟେଡ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ

ଭୁବନେଶ୍ୱର ଶାଖା,

ମାର୍କେଟ୍‌ ବିଲଡିଂ, ଭୁବନେଶ୍ୱର-୭୫୧୦୦୯

 

***

 

କବି ଉପେନ୍ଦ୍ର ନାୟକଙ୍କ କବିତାର ଦିଗ : ଦିଗନ୍ତ

ଡକ୍ଟର ବିଜୟ କୁମାର ମହାନ୍ତି

 

ସାମ୍ପ୍ରତିକ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଡାକ୍ତର ଉପେନ୍ଦ୍ର ପ୍ରସାଦ ନାୟକ ବହୁ ପ୍ରତିଭାର ଅଧିକାରୀ । କବିତା, ଉପନ୍ୟାସ, ନାଟକ ଏବଂ ଶିଶୁସାହିତ୍ୟ-ପ୍ରତିଟି ବିଭାଗରେ ତାଙ୍କ ଲେଖନୀ ଚଳଚଞ୍ଚଳ ହୋଇଥିଲେ ବି କବିତା ରଚନାରେ ଡକ୍ଟର ନାୟକଙ୍କ ସାହିତ୍ୟିକ ସତ୍ତା ଏକ ସ୍ୱତନ୍ତ୍ର ରୁଚିବୋଧର ପରିଚୟ ଦେଇଥାଏ । ଏ ପର୍ଯ୍ୟନ୍ତ ପାଞ୍ଚଟି କବିତା ପୁସ୍ତକ ଏବଂ ଗୋଟିଏ କାଳ୍ପନିକ କାବ୍ୟ ଓ ଗୋଟିଏ ପୌରାଣିକ କାବ୍ୟ କବିଙ୍କ କୃତିତ୍ୱର ପରିଚାୟକ । ଆଧୁନିକ କବି ଜୀବନର ବିଭିନ୍ନ ସ୍ୱର ଓ ସ୍ୱରୂପ ଡକ୍ଟର ନାୟକଙ୍କ କବିତାର ପ୍ରାଣ ।

 

‘ବାଇଶି ବସନ୍ତ’ କବି ଉପେନ୍ଦ୍ର ନାୟକଙ୍କ ପ୍ରଥମ ପ୍ରକାଶିତ କବିତା ଗ୍ରନ୍ଥ । ଏଥିରେ ସର୍ବମୋଟ ୩୫ଟି କବିତା ସନ୍ନିବେଶିତ । କାରୁଣ୍ୟର ଅନେକ ହିଲ୍ଲୋଳ ଭିତରେ ରୋମାଣ୍ଟିକ ଭାବଚେତନା, ହତାଶା, ନୈରାଶ୍ୟବାଦ, ସ୍ୱପ୍ନଭଙ୍ଗ, ଆଶାବାଦ, ସାଂସାରିକ ବନ୍ଧନକୁ ଏଡ଼େଇ ଯିବାର ଆବେଗ ବା ମୁକ୍ତିକାମୀ ଚେତନାର ସ୍ୱର ଓ ସ୍ୱାକ୍ଷର ଭିତରେ ଏ କବିତାଗୁଡ଼ିକ ରସୋତ୍ତୀର୍ଣ୍ଣ-। ସବୁଜ ଧରଣୀର ଅନେକ କିଛି ଅସହଣି ଯନ୍ତ୍ରଣା, ଗ୍ଳାନିବୋଧ, ସଙ୍କୁଚିତ ଭାବାବେଗ କବିଙ୍କ ଜୀବନ ପାଇଁ ଭାରାକ୍ରାନ୍ତ ହୋଇଉଠିଛି । ଶାନ୍ତ, ସରଳ କବିପ୍ରାଣ ପୃଥିବୀର ଶାଶ୍ୱତ ରୂପ ଦେଖିବାକୁ ବ୍ୟାକୁଳ ହୋଇଉଠିଛି । ସବୁକିଛି ବାଧା ବନ୍ଧନରୁ ଅନେକ ଊଦ୍ଧ୍ୱର୍କୁ ଯାଇ ପୃଥିବୀର ଚିରନ୍ତନୀ, ନିତ୍ୟ ସନାତନୀ ସଙ୍ଗୀତର ମଧୁର ମୂର୍ଚ୍ଛନା ଭିତରେ ହଜିଯିବାକୁ , ମନ ଖୋଲି ମୁକ୍ତ ଭାବରେ ବିଚରଣ କରିବାକୁ ଆଶାୟୀ ହୋଇଛି । ମୁକ୍ତିକାମୀ ମଣିଷଟିର ପ୍ରାଣର ଭାଷା କବି, ଡକ୍ଟର ନାୟକଙ୍କ “ମୋତେ ପକ୍ଷୀଟିଏ କରିଦିଅ” କବିତାରେ ସାର୍ଥକ ରୂପ ନେଇ ଆତ୍ମପ୍ରକାଶ କରିଛି-

 

“ବିନା ଗ୍ଳାନି ବିନା କ୍ଳାନ୍ତିରେ ମୁଁ

କରନ୍ତି ବିଜୟ

ସମୟ ଚେତନା କିମ୍ବା

ଅଗମ୍ୟ ଅଭେଦ୍ୟ ସ୍ଥାନ

ନ ରହନ୍ତା କିଛି

ସବୁ ହୁଅନ୍ତା ସମ୍ଭବ

ଭ୍ରମନ୍ତି ମୁଁ ମନ ଖୋଲି

ପୃଥିବୀ ପରିଧି ।”

 

‘ସବୁରଙ୍ଗ ହଜିଗଲା’, ‘ଅତିକଷ୍ଟ ସେ ଚାପା ଯନ୍ତ୍ରଣା’, ‘ତୁମ ବିନା’, ‘ଅଜ୍ଞାତ ମୁଁ ଉଦାସୀନ’ ଏବଂ ‘ରୋମନ୍ଥନ’ କବିତାଗୁଡ଼ିକ ହତାଶାବୋଧ, ନୈରାଶ୍ୟବାଦ ଏବଂ ସ୍ୱପ୍ନ ରଙ୍ଗର ବିପୁଳ ସମ୍ଭାର ଭିତରେ ଖୁବ୍‌ ମନଛୁଆଁ ହୋଇପାରିଛି । ପୃଥିବୀର ବର୍ଷ, ମାସ, ଦିନ, ଦଣ୍ଡ ସବୁ ଠିକ୍‌ ଥିଲେ ବି ପୃଥିବୀର ରୂପ ବଦଳି ଯାଇଛି । ତା’ର ରଙ୍ଗ ଦିନକୁ ଦିନ ହଜିଯାଉଛି । ଶାଶ୍ୱତ ଜୀବନଧାରାର ସତ୍ୟ, ପ୍ରୀତି, ସ୍ନେହ, ମମତ୍ୱବୋଧ କିମ୍ବା ବସନ୍ତର ଅପୂର୍ବ ନିବିଡ଼ ଆନ୍ତରିକତା, ହିଲ୍ଲୋଳର ସ୍ପର୍ଶ ସବୁ କିଛି ଏ ଧରାରୁ ଦୂରେଇ ଯାଇଛି । ଏକ ବିରାଟ ଶୂନ୍ୟତାର ଆବର୍ତ୍ତ ଭିତରେ ସାମ୍ପ୍ରତିକ ମଣିଷ ଛଟପଟ ହେଉଛି । ନୂତନ ପୃଥିବୀର ନୂତନ ସକାଳ କିମ୍ବା ନୂତନ ସୂର୍ଯ୍ୟଙ୍କ ଦେଖିବାର ଅଭିଳାଷ ପୋଷଣ କରିଥିବା ମଣିଷଟି ରଙ୍ଗହଜା ପୃଥିବୀର ସ୍ୱରୂପକୁ ନିରୀକ୍ଷଣ କରି ବିଳାପ କରି ଉଠିଛି-

 

“ଚାହିଁଥିଲି ଦେଖିବାକୁ ନୂତନ ସକାଳ

ନବସୂର୍ଯ୍ୟ ପୃଥିବୀର ଅଭିନବ ରୂପ

ଚାହିଁଥିଲି ମନର ବଇଁଶୀ ବାଇ

ଭେଟିବାକୁ ଗୋପାଙ୍ଗନା ରାଧା ଓ ବିଶାଖା

ପ୍ରେମରମହାର୍ଘ ଢାଳି

ଚାହିଁଥିଲି ବାଢ଼ିବାକୁ ଗନ୍ଧ, ଧୂପ, ଦୀପ

ଚାହିଁଥିଲି ଦେଖିବାକୁ ଚାଖିବାକୁ ବସନ୍ତର ରୂପ ।”

(ସବୁରଙ୍ଗ ହଜିଗଲା)

 

ତା’ ମନର ସବୁକିଛି ଆଶା, କାମନା, ବାସନା ରକ୍ତ ପୋଖରୀରେ ସମାଧି ନେଇଛି । ତା’ ବସନ୍ତ କ୍ଷତାକ୍ତ, ରକ୍ତାକ୍ତ ହୋଇଛି । ତଥାପି ତା’ ମନ ତଳେ ରହିଛି କଳ୍ପନାର କ୍ଷୀଣ ଆଲୋକରେଖା-। ସଂଗୁପ୍ତ, ସୁପ୍ତ ହେଲେବି ତାହା ଭିତରେ ରହିଛି ଚିରଞ୍ଜୀବୀର ମନ୍ତ୍ର । କବିଙ୍କ ଭାଷାରେ-

 

“କଳ୍ପନାର କଳାମେଣ୍ଢା ମୋର

ଏବେ ପରା ପଡ଼ିଅଛି ସଂଜ୍ଞାହୀନ ହୋଇ

ଉଠିବ ସେ ନୂଆ ସ୍ୱପ୍ନ ଦେଖି

ଗ୍ଳାନି ଆଉ କୋଷ ଅବଶୋଷ ଯିବ ତା’ ଉଭେଇ ।”

(‘ଅଜ୍ଞାତ ମୁଁ ଉଦାସୀନ’)

 

କବି ଡକ୍ଟର ନାୟକଙ୍କ ଚେତନାରେ ପ୍ରେମର ଦ୍ୱିବିଧ ରୂପ ପ୍ରତିଫଳିତ ହୋଇଥିଲେ ହେଁ ଦୈହିକ ପ୍ରେମ ଅପେକ୍ଷା ଶାଶ୍ୱତ ପ୍ରେମର ପୂଜାରୀ ଭାବେ ସେ ନିଜକୁ ପ୍ରତିଷ୍ଠିତ କରିଛନ୍ତି । ହତାଶା ଓ ନିରାଶର ତିକ୍ତ ଉପାଦାନରେ ଜର୍ଜ୍ଜରିତ ହେଇ ମନ ତାଙ୍କର ଖୋଜେ କିଛିଟା ପୁଲକ । ପ୍ରେମ ଆଉ ପ୍ରୀତି ଭରା ଏ ପୁଲକ ଭିତରେ ରିକ୍ତ ମନପ୍ରାଣକୁ ରଙ୍ଗମୟ କରିବାକୁ, ମଧୁମୟ କରିବାକୁ ସେ ସତତ ବ୍ୟାକୁଳ-

 

“ମନ ଭରି ପିଅନ୍ତି ପୀୟୁଷ

ମଧୁଭୋଗ ପ୍ରୀତିର ସମ୍ଭାର

ଖେଳିଯାନ୍ତା ଦୁଇ ଦେହେ

ଯେତେ ବା ରୋମାଞ୍ଚ ମାୟା

ବିକଶି ଉଠନ୍ତା ଆମ

ସବୁ ରଙ୍ଗ ସତ୍ୟମୟ ଦିଗ

କରିଯାନ୍ତେ ମଧୁମୟ ପ୍ରୀତିର ସଂଭୋଗ ।”

(‘ପୁଲକ ପ୍ରବାହ’)

 

ଏ ପ୍ରେମ ଏକ ସୀମିତ ସତ୍ତା ଭିତରେ ଆବଦ୍ଧ ନୁହେଁ କିମ୍ବା ସଂକୀର୍ଣ୍ଣ ପରିବେଶ ମଧ୍ୟରେ ଏହା ଗୁଞ୍ଜରିତ ନୁହେଁ । ଦୈହିକ ପ୍ରେମରୁ ବୌଦ୍ଧିକ ଉତ୍ତରଣ ଘଟାଇବାର ଏକ ଦୁର୍ବାର କାମନା ଏ ପ୍ରେମକୁ ମହୀୟାନ କରେ । ମୁକ୍ତିକାମୀ କରେ । ପ୍ରୀତିର ପାର୍ବଣ ପାଳନ କରି ସତ୍ୟ ଆଉ ବାସ୍ତବକତାର ସ୍ୱରଧ୍ୱନି ଭିତରେ ସୌହାର୍ଦ୍ଦ୍ୟର ଚେତନା ମନ୍ଦିର ନିର୍ମାଣ କରିବକୁ କବି ଉପେନ୍ଦ୍ର ନାୟକଙ୍କ ସୁଦୂରପ୍ରସାରୀ ଦୃଷ୍ଟି ବଳୟ ସଙ୍କେତ ବହନ କରିଛି-

 

“ସତ୍ୟ ଆଉ ସ୍ନେହର ଦୋଛକୀ ମୋଡ଼ରେ ବସି

ଇଛା ହୁଏ ପାଳିବାକୁ ପ୍ରୀତିର ପାର୍ବଣ

ସମାଜର କଳାପର୍ଦ୍ଦା ଭେଦ କରି

ଇଚ୍ଛା କରେ ରଚିବାକୁ ନିତ୍ୟ ଅଭିସାର ।

ବାସ୍ତବିକତାର ତାଳେ ତାଳେ ଗାଇ ଗାଇ ମୁକ୍ତି ମନ୍ତ୍ର ସୁର

ଖୁବ୍‌ ବେଶୀ ଇଚ୍ଛା ହୁଏ ଗଢ଼ିବାକୁ ସୌହାର୍ଦ୍ଦ୍ୟର ଚେତନା ମନ୍ଦିର”

(“ତୁମ ଓଠର କମ୍ପନରେ”)

 

ଜୀବନର ଏ ଅଭିସାର ରଚନା କରିବା ଭିତରେ କିମ୍ବା ମୁକ୍ତି ମନ୍ତ୍ର ଉଚ୍ଚାରଣ କରିବାର କାମନା ଭିତରେ କୌଣସି ପ୍ରକାର ଛଳନା ନାହିଁ । ପ୍ରତାରଣାର ସ୍ଥାନ ନାହିଁ । ଏକ ନୈର୍ବ୍ୟକ୍ତିକ ଅନ୍ତଃଚେତନାର ସର୍ତ୍ତହୀନ ଭାବାବେଗ କବିଙ୍କୁ ଆନମନା କରିଛି । ମନପ୍ରାଣକୁ ଉଦ୍‌ବେଳିତ କରିଛି-। ଯାହାର ପ୍ରତିଫଳନ ଖୁବ୍‌ ଆନ୍ତରିକ ଭାବେ ପ୍ରକାଶ ପାଇଛି-

 

“ତୁମରି ଛାୟାରେ ମୁଁ ଲୀନ ହେବାକୁ ଚାହେଁ

କେଉଁ ଏକ ନିର୍ବାକ ପ୍ରହରେ ।

ମୁଁ ମୁକ୍ତି ଚାହେଁ

କେବଳ ହିଁ ନିଃସର୍ତ୍ତ ଭାବରେ ।”

(‘ହଜି ଯିବାର ବାସନା’)

ରୋମାଣ୍ଟିକ ଚେତନାର ଏକ ମାର୍ମିକ ସ୍ୱର ଭିତରେ ଶାଶ୍ୱତ ପ୍ରେମର ନିସ୍ୟନ୍ଦିନୀ ଧାରା ପ୍ରବାହିତ । ସେ ପ୍ରେମର ସବୁକିଛି ଆକର୍ଷଣ କେବଳ ସୌନ୍ଦର୍ଯ୍ୟ ଉପରେ ପର୍ଯ୍ୟବସିତ ନୁହେଁ । ଦୈହିକ କାମନା, ବାସନା ଭିତରେ ଆଶାୟୀ ନୁହେଁ । ପିପାସାର ପରିତୃପ୍ତି ଅଥବା କ୍ଷୁଧା ମେଣ୍ଟେଇବା ପାଇଁ କେବଳ ମାତ୍ର ଅଭିପ୍ରେତ ନୁହେଁ । ଶାଶ୍ୱତ ପ୍ରେମର ଚିରନ୍ତନୀ ସ୍ୱାକ୍ଷର ଭିତରେ, ମହନୀୟ ତ୍ୟାଗ ଭିତରେ ଏହାର ସ୍ଥିତି, କାରଣ କବି ଜାଣେ-

 

“ଏ ଚଞ୍ଚଳ ପୃଥିବୀରେ

କେହିତ ଶାଶ୍ୱତ ନୁହେଁ

ସବୁ ଖାଲି ମିଛମାୟା/ସମ୍ପର୍କ ଜଡ଼ିତ

ଛଳନାର ଖେଳ ଘର

ପୃଥିବୀର ପ୍ରତିକୋଣ

ସବୁମିଛ, ସବୁ ଅସଂଯତ ।”

(ଅତି କଷ୍ଟ ସେ ଚାପା ଯନ୍ତ୍ରଣା)

 

– ତେଣୁ କେବଳ ମାତ୍ର ମାପଚୁପା, ସମ୍ପର୍କ ଜଡ଼ିତ ଜୀବନଧାରାରେ ଗତିପଥ କବିଙ୍କ ପାଇଁ କଣ୍ଟକିତ ମନେ ହୋଇଛି, ଅସଂଯତ, ଅଯତ୍ନ ବର୍ଦ୍ଧିଷ୍ଣୁ ପୃଥିବୀର ପ୍ରତିଟି କୋଣ ଅନୁକୋଣ ସତେ ଯେପରି ବିଷମୟ ହୋଇଉଠିଛି । ସାମ୍ପ୍ରତିକ ସମାଜର ଏଇ କ୍ଷୟଶୀଳ ସତ୍ତା ଜୀବନର ପ୍ରତିଟି ମୂଲ୍ୟବୋଧକୁ ଅତି ଗଭୀର ଭାବେ କଳଙ୍କିତ କରିଛି । ଅସତ୍ୟର ଅଗ୍ନିଝୁଲ ସତ୍ୟ ସମତୁଲ ଜୀବନଧାରାକୁ ଜାଳିପୋଡ଼ି ଭସ୍ମୀଭୂତ କରିଛି । ବିପର୍ଯ୍ୟସ୍ତ କରିଛି । ତେଣୁ କବିପ୍ରାଣ ଏଠି ଭୋଗ ଅପେକ୍ଷା ତ୍ୟାଗ, ଦେହ ଅପେକ୍ଷାମନକୁ ହିଁ ନିଜର କରିନେଇଛି । ଇନ୍ଦ୍ରିୟଗତ ଚେତନାରେ ନ ହଜି ଅତୀନ୍ଦ୍ରିୟ ଚେତନାରେ ହଜିଯିବାକୁ ଆଶାୟୀ ହୋଇଛି –

 

“ମନର ମିଳନ ସଙ୍ଗେ

କେତେ ତ୍ୟାଗ କେତେ ଅଭିମାନ

କିଏ ବା କରୁଛି ଏଠି ଜୀବନର ସତ୍ୟ ମୂଲ୍ୟାୟନ ” ।

(‘ତୁମକୁ ମୁଁ ଭଲପାଏ’)

 

ପ୍ରେମ, ପ୍ରେମିକା, ସ୍ମୃତି – ଏମାନେ କବି ଡକ୍ଟର ନାୟକଙ୍କ ଲେଖନୀରେ ଜଡ଼, ନିର୍ଜୀବ ଏବଂ କଳ୍ପନା ଭିତରେ ନରହି, ଏକ ଏକ ସୀମିତ, ସଂକୀର୍ଣ୍ଣ ସ୍ୱାକ୍ଷର ବହନ ନକରି ଚିରନ୍ତନୀ ମୂଲ୍ୟବୋଧର ସନ୍ଧାନ ଦେଇଛନ୍ତି । ସତ୍ୟ ଏବଂ ଆଲୋକର ସ୍ପର୍ଶ ଦେଇଛନ୍ତି । ଶାଶ୍ୱତ ଚେତନାର ମୂଲ୍ୟାୟନ କରିଛନ୍ତି ।

 

କବି ଡକ୍ଟର ଉପେନ୍ଦ୍ର ନାୟକଙ୍କ ଦ୍ୱିତୀୟ ପ୍ରକାଶିତ କବିତା ପୁସ୍ତକ ‘ବୈଶାଖ ସକାଳ’ । ଦୀର୍ଘ କବିତାଗୁଡ଼ିକ ଭିତରେ କବିଙ୍କର ଅନ୍ତଃସ୍ୱରର ଗଦ୍ୟାତ୍ମକ ରୂପ ଆତ୍ମପ୍ରକାଶ କରିଛି । କବି ମାନସର ଅତୀତ ସ୍ମୃତି ଓ ତା’ର ରୋମନ୍ଥନ, ସ୍ୱପ୍ନ ପ୍ରବଣତା, କଳ୍ପନାର ମଧୁ ଗୁଞ୍ଜରଣ, ସାମାଜିକ ଚେତନାବୋଧ ଏବଂ ସାର୍ବଜନୀନ ସତ୍ୟର ମୂଲ୍ୟାୟନ ଏ କବିତା ସଙ୍କଳନକୁ ପରିବୃଦ୍ଧି କରିଛି । ସମାଜ ଓ ଜୀବନର ଜ୍ୟାମିତ୍ୟିକ ପରିବର୍ତ୍ତନ ପୃଥିବୀକୁ ବାହ୍ୟରଙ୍ଗରେ ତରଙ୍ଗାୟିତ କରିଥାଏ । ହେଲେ ତା’ ଭିତରୁ ନିଃଶେଷ ହୋଇଯାଏ ସତ୍ୟ, ଶାନ୍ତି ତଥା ଅନ୍ତଃସୌନ୍ଦର୍ଯ୍ୟ ସ୍ୱଚ୍ଛ ପ୍ରବହମାନତା । ଜଣେ ସାଧାରଣ ମଣିଷ ପୃଥିବୀର ଏଇ ପରିବର୍ତ୍ତନକୁ ସ୍ୱାଗତ କରୁଥିଲାବେଳେ କବି ଖୋଳେ ଅତୀତକୁ । ବର୍ତ୍ତମାନ ସହିତ ଅତୀତକୁ ବିଶ୍ଲେଷଣ କରୁ କରୁ ସେ ଆନମନା ହୁଏ । ତା’ ମନର ନକିତିରେ ବର୍ତ୍ତମାନଟା ଖୁବ୍‌ ହାଲକା ହୋଇ ଉପରକୁ ଉଠିଯାଏ । ତଳକୁ ତଳୁ ଭାରି ଜଣାପଡ଼େ ଅତୀତ । ଅତୀତର ପ୍ରତିଟି ରୂପସତ୍ତା । ଯାହା ଭିତରେ ସତ୍ୟ, ଶାନ୍ତି, ସନ୍ତୋଷ ଏବଂ ଅନୁଭବର ଅନେକ କିଛି ବାସ୍ତବତା । ତ୍ୟାଗ ଆଉ ତିତିକ୍ଷାର ଅମ୍ଲାନ ଉତ୍ତରଣ । କବିଙ୍କ ମାନସ କନ୍ୟ ‘ଭଦ୍ରକ’ ହାତରେ କବିଙ୍କର ଏହି ବାସ୍ତବ ଚିତ୍ରପଟ ଧରି ଘୋଷଣା କରୁଛି –

 

“ତୋ ପାଇଁ ମୁଁ ଦେବଦାସ

ତୋ ପାଇଁ ମୁଁ ସାଜିଥିଲି

ସତ୍ୟ ପ୍ରେମ ଉଦ୍ୟାନର ଦୀନହୀନ ମାଳି ।” (“ଭଦ୍ରକ”)

ବାସ୍ତବିକ ଖୁବ୍‌ ଚମତ୍କାର ହୋଇଛି ଏ ଇସ୍ତାହାର ।

 

ସମାଜ ଓ ଜୀବନରେ ବର୍ତ୍ତମାନଟା ଅନେକ କିଛି ପ୍ରଗତିର ମନୋହର ମାରି ଅତୀତ ହୋଇଯାଏ । ବର୍ତ୍ତମାନର ଏଇ ବୌଦ୍ଧିକ ଉତ୍ତରଣ । କିଛି କିଛି ନୂଆ ସ୍ୱପ୍ନ, ନୂଆ ରଙ୍ଗରେ ଜୁଡ଼ୁବୁଡ଼ୁ ହୋଇଥିଲେ ହେଁ ସେଠି ନିଜକୁ ଚିହ୍ନି ହୁଏ ନାହିଁ । ଖୁବ୍‌ ଅଚିହ୍ନା ଲାଗେ । ପ୍ରଗତିର ଭୂତକୁ ଭୀଷଣ ଡର ଲାଗେ । ସ୍ୱପ୍ନ ରଙ୍ଗର ପ୍ରତିଟି ବିପର୍ଯ୍ୟସ୍ତ ସ୍ୱର ଅସମ୍ଭବ ଭାବେ ବିକଳ ବିଦଗ୍ଧ ହୁଏ । କବିଙ୍କର ‘ମୁଁ ଚିହ୍ନିପାରୁନି ଆଉ କବିତାରେ ସମାଜ ଓ ଜୀବନର ଶାଶ୍ୱତ ଅବକ୍ଷୟର ଚିତ୍ର ସ୍ପଷ୍ଟ ହୋଇଉଠିଛି । ସଙ୍କେତାତ୍ମକ ଭାବେ କବି ସାମ୍ପ୍ରତିକ ସମାଜର ଏକ ବାସ୍ତବଚିତ୍ର ଦେବାକୁ ଯାଇ ଲେଖିଛନ୍ତି –

 

“ସେ କେଉଁ ଅଧିକାରୀର ଧର୍ମପତ୍ନୀ

ପିଲାଙ୍କୁ ଧାଈ ଜିମା ଦେଇ

ବାହାରିଛି ମ୍ୟାଟିନ୍‌ ସୋ ଫିଲିମ୍‍ ଦେଖିବାକୁ

ସ୍କନ୍ଧରେ ତା’ ଭ୍ୟାନିଟ ବ୍ୟାଗ୍‌

ଓଠରେ ଯେ ଲିପଷ୍ଟିକ୍‌ ପ୍ରଲେପ

ସିଲ୍‍କ ଶାଢ଼ୀର ଅଭିନବ ସାଜସଜା

ଜଳାଇଦିଏ ଜୀବନର କୃତ୍ରିମ ପ୍ରଦୀପ ।”

 

ଚଳନ୍ତି ସମାଜର ପାଶ୍ଚାତ୍ୟ ଜୀବନ ଧାରାର ଏ ଅହେତୁକ ଆତ୍ମୀୟତା କବିଙ୍କୁ ବ୍ୟଥିତ କରିଛି । ପ୍ରଗତିର କ୍ରୂରତା ଭିତରେ ସଂସ୍କୃତିର ଅବକ୍ଷୟକୁ କବି ସଂଦର୍ଶନ କରିଛନ୍ତି । ସ୍ନେହ, ପ୍ରେମ, ମମତାର ଅନାବିଳ ଉଷ୍ଣତା, ଜୀବନର ମୂଲ୍ୟବୋଧ-ସବୁକିଛି ମପାଚୁପା ହୋଇଯାଇଛି । ପ୍ରଗତିର ମୁଖାପିନ୍ଧି, ସଭ୍ୟତାର ଖୋଳରେ ପଶି ସାମ୍ପ୍ରତିକ ସଭ୍ୟ ମଣିଷ ଏ ପୃଥିବୀରେ ଅମୃତ ଭିତରେ ଗରଳ ଭରି ଦେଉଛି । ସତ୍ୟ ନାମରେ ଅସତ୍ୟ, ଧର୍ମ ନାମରେ ଅଧର୍ମ, ସରଳ ଭିତରେ ଜଟିଳତା ସୃଷ୍ଟି କରିଚାଳିଛି । ‘ଅମରାବତୀ’ କବିତାରେ ଡକ୍ଟର ନାୟକ ପ୍ରକୃତିର ଅମୃତ ସନ୍ତାନ ଆଦିବାସୀର ସରଳ ଜୀବନ ଚିତ୍ରକୁ ଯେପରି ବାସ୍ତବ ରୂପ ଦେଇଛନ୍ତି – ସେଠି ଧର୍ମ ନାମରେ ଚାଲିଥିବା ସଂକୀର୍ଣ୍ଣତା ଏବଂ ଭଣ୍ଡାମିର ନିଖୁଣ ଚିତ୍ର ମଧ୍ୟ ସେହିପରି ଉପସ୍ଥାପନ କରିଛନ୍ତି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସରଳ ସ୍ୱାଭବିକତାକୁ କଳୁଷିତ କରୁଥିବା ବାବାଜୀ, ବ୍ରହ୍ମଚାରୀ ଏବଂ ଧର୍ମ ପ୍ରଚାରକମାନଙ୍କର ଏକ ଏକ ବାସ୍ତବ ଚିତ୍ର ଦେବାକୁ ଯାଇ କବି ଲେଖିଛନ୍ତି –

 

“ସୀତାରାମ ବ୍ରହ୍ମଚାରୀ ଏବେ ଏଠି ମଠ ତିଆରିଛି

ରାମ ନାମ ସତ୍ୟବାଣୀ ନୀତି ଶୁଣାଉଛି

ସରଳକୁ ଜଟିଳର ତୀର ନିକ୍ଷେପୁଛି ।

ଧର୍ମ ପ୍ରଚାରକ ଆସି ପ୍ରଭାବିତ ଧର୍ମ ଗ୍ରହଣରେ

ଲାଞ୍ଚ ନେଇ / ମିଠା କଥା କହି

ଅନୁରୋଧ ଖ୍ରୀଷ୍ଟାନ ହେବାରେ ଲକ୍ଷେ ପ୍ରଲୋଭନ

ସରଳରେ ଗରଳର ଯୌଗିକ ମିଶ୍ରଣ ।”

 

କବି ସୃଷ୍ଟିରେ ‘ଅମରାବତୀ’ ଆଜି କଳୁଷିତା । ସରଳ ଆଦିବାସୀ ଜୀବନ ପ୍ରତାରିତ, ଶୋଷିତ । ଅନେକ କିଛି ଅଘଟଣ, ଭେଦାଭେଦ, ବୈଷମ୍ୟ ଭିତରେ ଏ ସମାଜ ଆଜି ଧ୍ୱସ୍ତ ବିଧ୍ୱସ୍ତ-। ମୋହଗ୍ରସ୍ତ, କୁସଂସ୍କାରଗ୍ରସ୍ତ ସମାଜକୁ ସତ୍ୟ ଶାନ୍ତି ପଥରେ ଆଗେଇ ନେବାକୁ କବିପ୍ରାଣ ଅନେକ ସ୍ଥଳରେ ଦୃଢ଼ ପ୍ରତିଜ୍ଞ ହୋଇଛି । ନିର୍ଭୟ ହୋଇ ଉଠିଛି ।

 

କବି ଏ ପୃଥିବୀର କୋଟି କୋଟି ମଣିଷ ଭିତରୁ ଜଣେ ହେଲେ ବି ଅସାଧାରଣ । ସେ ଦିବ୍ୟଦ୍ରଷ୍ଟା । ତା’ର ଚିନ୍ତା, ଚେତନା, ଅନୁଶୀଳନ ଏବଂ ଅଭିବ୍ୟକ୍ତି ଦେଶକାଳକୁ ଭେଦ କରିବାକୁ ସମର୍ଥ । ସେ ଚିରଞ୍ଜୀବୀ । ତା’ର ସୃଷ୍ଟି କାଳଜୟୀ, ଗଭୀର ଆତ୍ମାନୁଭୂତି ଏବଂ ମନନଶୀଳତାରୁ ଯେଉଁ ପ୍ରତିକ୍ରିୟା ସୃଷ୍ଟି ହୁଏ, ତାହାର ଆବେଗମୟ ପ୍ରକାଶ ହିଁ କବିର ସୃଷ୍ଟି, ତା’ର ପ୍ରାଣ ତା’ର ଅଭିବ୍ୟକ୍ତି । କବି ଉପେନ୍ଦ୍ର ପ୍ରସାଦଙ୍କ ଜୀବନର ଅନେକ କିଛି ଅଭିବ୍ୟକ୍ତି ତାଙ୍କର ‘ଅଭିବ୍ୟକ୍ତି ଲିପି’ (୧ମ ମୁଦ୍ରଣ)ରେ ସ୍ପଷ୍ଟ ରୂପ ନେଇ ଆତ୍ମାପ୍ରକାଶ କରିଛି । ସର୍ବମୋଟ ୫୪ଟି ଅଭିବ୍ୟକ୍ତି କବି ପ୍ରାଣର ବହୁବିଧା ପରିଚୟ ନେଇ ଖୁବ୍‌ ଜୀବନ୍ତ ହୋଇଉଠିଛି । ପାଠକ ମନକୁ ଛୁଇଁବାକୁ ସମର୍ଥ ହୋଇଛି । ଆତ୍ମାନୁଚିନ୍ତନ, ସାମ୍ୟବାଦ ଏବଂ ସର୍ବୋପରି ମାନବତାବାଦୀ ଚିନ୍ତାଧାରା ଉପରେ ପର୍ଯ୍ୟବେସିତ ଏ କବିତାଗୁଡ଼ିକ ବାସ୍ତବାନୁରଞ୍ଜିତ । ସଂସାର ମଧ୍ୟରେ ସଂସାରୀ ହୋଇଥିଲେ ମଧ୍ୟ କବି ବସ୍ତୁବାଦୀ ହୋଇପାରେନା । ଧନସମ୍ପଦ, ଐଶ୍ୱର୍ଯ୍ୟ, ଭୋଗ ବିଳାସରେ ବୁଡ଼ି ରହିବାକୁ କିମ୍ବା ସାଂସାରିକ ମୋହଗ୍ରସ୍ତ ହେବାକୁ ସେ କାମନା କରେନା । କୋଟି କୋଟି ମଣିଷର ହସକାନ୍ଦ, ଲୁହ, ଲହୁ, ସୁଖଦୁଃଖରେ ସାମିଲ ହୋଇ ସେଇମାନଙ୍କ କଥା ପ୍ରକାଶ କରିବାରେ ହିଁ କବିର ଆତ୍ମସନ୍ତୋଷ । ଡକ୍ଟର ନାୟକଙ୍କ ମାନବଦାବାଦୀ ହୃଦୟର ଏଇ ବାସ୍ତବ ଆଲେଖ୍ୟ ସୃଷ୍ଟି ହୋଇଛି-। ‘ଅଭିବ୍ୟକ୍ତି’ (୩୩) କବିତାର –

 

“ଆଉ କେଉଁଥିରେ ନାହିଁ ମୋ କାମନା

ଢାଳେନା ପୁଲକ ଢେଉ

ମାନବିକତାର ନିତ୍ୟ ଜୁଆରେ

ଯାଉ, ମୋ ଜୀବନ ଯାଉ ।”

 

ସାମ୍ପ୍ରତିକ ସମାଜରେ ପୁଞ୍ଜିପତି ଏବଂ ରାଜନୈତିକ ନେତାମାନଙ୍କ ଦ୍ୱାରାଗଣତନ୍ତ୍ରର ମୃତ୍ୟୁ ହୋଇଛି । ସ୍ୱାଧୀନତାର ସ୍ୱପ୍ନ ଭଙ୍ଗ ଘଟିଛି । ସତ୍ୟ, ଶାନ୍ତି, ନ୍ୟାୟ ଏବଂ ସମତାର ଭାବ ଏ ସମାଜରୁ ଦୂରେଇ ଯାଇଛି । ଅବିଶ୍ୱାସ, ଛଳନା, ପ୍ରତାରଣା ଏବଂ ଶୋଷଣର ଅନ୍ଧକାର ସମାଜର ପ୍ରତିଟି ସ୍ଥିତିକୁ ଗ୍ରାସ କରିଛି । ଲୁହଲହୁ ବିନିମୟରେ ପ୍ରାପ୍ତ ବହୁ ଆକାଂକ୍ଷିତ ସ୍ୱାଧୀନତାର ରୂପ ବିଦଗ୍ଧ ହୋଇଛି । ସାମ୍ପ୍ରତିକ ରାଜନୈତିକ ଚେତନାର ଏକ ବାସ୍ତବ ରୂପାୟନ । କବିଙ୍କର ‘ଅଭିବ୍ୟକ୍ତି’ (୨୨)ରେ ସ୍ପଷ୍ଟ ହୋଇଉଠିଛି –

 

“ଗଣତନ୍ତ୍ରର ଏହି କି ସତ୍ୟରୂପ

ଏହି ନେତା ପୁଣି ଦେଶର କର୍ଣ୍ଣଧାର

ଯିଏ ବୁଝେ ନାହିଁ ଜନତାର ହାନିଲାଭ

କି ମିଳିବ ତାକୁ ନେତା ବୋଲି କହିବାର ।”

 

ତେଣୁ ଏଇ ସାମାଜିକ ଅସ୍ଥିରତାକୁ ଦୂର କରି - ଏକ ସୁସ୍ଥ ସୁନ୍ଦର ସମାଜ ଏବଂ ଜୀବନ ଗଠନ ପାଇଁ କବିଙ୍କର ଆଗ୍ନେୟ ଆହ୍ୱାନ – ଦେଶର ତରୁଣ ନବୀନମାନଙ୍କ ପାଇଁ –

 

“ଆଜି ଏ ଲଗନେ ଆହ୍ୱାନ ମୋର ଆସରେ ଭାଇ

ସତ୍ୟ ପଥରେ ନିଅ ହେ ଶପଥ ଜୀବନ ପାଇଁ । (ଅଭିବ୍ୟକ୍ତି -୨୩)

ବାସ୍ତବିକ୍‌ ଖୁବ୍‌ ହୃଦୟସ୍ପର୍ଶୀ ହୋଇପାରିଛି ।

 

ମୃତ୍ୟୁ ଚେତନା ଆଧୁନିକ କବିତାର ଏକ ବଳିଷ୍ଠ ଦିଗ କହିଲେ ଅତ୍ୟୁକ୍ତି ହେବ ନାହିଁ । ଜୀବନ ଓ ଜଗତର ନଶ୍ୱରତା ପ୍ରତି ସଚେତନ ହୋଇ କବି ଖୋଜେ ଏକ ସ୍ୱତନ୍ତ୍ର ସତ୍ତା । ଏକ ନିତ୍ୟନୂତନ ବାସ୍ତବତା । କବି ଡକ୍ଟର ନାୟକ ଜୀବନର ନଶ୍ୱରତାକୁ ନିରୀକ୍ଷଣ କରିଛନ୍ତି । ରହସ୍ୟକୁ ଭେଦ କରିବାକୁ ଆଶାୟୀ ହୋଇଛନ୍ତି । ଜାଗତିକ ଦୁଃଖ, ଶୋକ, ଯନ୍ତ୍ରଣାରେ ପିଷ୍ଟ ହୋଇ ନିଜକୁ ଭାଗ୍ୟହୀନ ମନେକରିଛନ୍ତି । ଜନ୍ମ ମୃତ୍ୟୁର ନିଷ୍ଠୁର ସତ୍ୟକୁ ସ୍ୱୀକାର କରି ସେ କହିଛନ୍ତି –

 

“ଜନ୍ମ ମରଣ ସଙ୍କେତ ଧାରା

ଛାଇ ଆଲୁଅର ଖେଳ

କିଏ ସେ କହିବ କାହାର ଦୃଶ୍ୟ

ଶେଷ ହେବ କେବେ ବେଳ ?”

(ଅଭିବ୍ୟକ୍ତି-୫)

 

ତା’ରି ଭିତରେ ସେ ନିଜକୁ ଭାଗ୍ୟହୀନ ମନେ କରିଛନ୍ତି । ଦୁର୍ବଳମନା ହୋଇଛନ୍ତି । ତଥାପି ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ସମସ୍ତ ଯନ୍ତ୍ରଣାକୁ ସହ୍ୟ କରି କାବ୍ୟସାଧାନ କରିବାର ଦୁର୍ବାର କାମନା ତାଙ୍କ ଭିତରେ ମୁଣ୍ଡ ଟେକି ଉଠିଛି । ତାହା ହିଁ ପ୍ରକୃତରେ ଜୀବନରେବଞ୍ଚିବାରମୂଲ୍ୟାୟନ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

 

କବି ଡକ୍ଟର ନାୟକଙ୍କ କବି ପ୍ରାଣର ଅନେକ କିଛି ମାର୍ମିକ ଅଭିବ୍ୟକ୍ତି ସାମ୍ୟବାଦୀ ଚେତନାର ଝଲକରେ ଉର୍ଜ୍ଜ୍ୱସ୍ୱଳ ହୋଇଉଠିଛି । ମନୀଷୀ କାର୍ଲମାର୍କ୍ସଙ୍କ ଚେତନାରେ ପ୍ରଭାବିତ ମନ ତାଙ୍କର ଏ ସମାଜର ବିଧି ବ୍ୟବସ୍ଥାକୁ ଲକ୍ଷ୍ୟ କରି ବିଷେଇ ଉଠିଛି । ବିଦ୍ରୋହୀ ହୋଇଛି । ଉଚ୍ଚନୀଚର ପ୍ରଭେଦ, ଜାତିବର୍ଣ୍ଣର ବିଭେଦ ପ୍ରାଚୀର, ଧନୀ ଦରିଦ୍ର ଭିତରେ ବୈଷମ୍ୟ ଏବଂ ପୁଞ୍ଜିପତି – ଖଟିଖିଆ ମଧ୍ୟରେ ସାମାଜିକ ଦୂରତ୍ୱ ସମାଜ ଏବଂ ଜୀବନକୁ ଯେପରି ବିକଳାଙ୍ଗ ତଥା ଅନ୍ତଃସାରଶୂନ୍ୟ କରି ଦେଉଛି – ତାହା କବିପ୍ରାଣକୁ ଆଲୋଡ଼ିତ କରିଛି । ସାଧାରଣ ଜନତା, ଖଟିଖିଆ ମେହେନତି ମଣିଷର ଲୁହ, ଲହୁ, ଯନ୍ତ୍ରଣା ଜର୍ଜରିତ ଜୀବନର କରୁଣା ମୂର୍ଚ୍ଛନା କବି ହୃଦୟରେ ଗଭୀର ରେଖାପାତ କରିଛି । ସତ୍ୟ ନାମରେ ଅସତ୍ୟ, ନ୍ୟାୟ ନାମରେ ଅନ୍ୟାୟ, ପ୍ରଗତି ନାମରେ ଦୁର୍ଗତି ଏବଂ ଧର୍ମନାମରେ ଭଣ୍ଡାମି ଯାହା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ତାହା ସମାଜ ରାଷ୍ଟ୍ର ଏବଂ ଜୀବନକୁ ତିଳ ତିଳ କରି ଜାଳୁଛି । ଧ୍ୱଂସ କରୁଛି । ସ୍ୱାଧୀନତା, ଗଣତନ୍ତ୍ର, ପ୍ରଗତି, ସମାଜବାଦ ସବୁକିଛି ଶବ୍ଦ ସେମାନଙ୍କ ସଂଜ୍ଞା ହରାଇ ରୂପାନ୍ତରିତ ହେଉଛନ୍ତି ପ୍ରତିଟି ମୂହୁର୍ତ୍ତରେ । କାରଣ କବି ଦେଖୁଛି –

 

“ପ୍ରଗତି ନାମରେ ଗତି କେଉଁଠିକି

ଜଣା ନାହିଁ ନାହିଁ ଜଣା

ପ୍ରଗତି ନାମରେ ପ୍ରତିଦିନ ହୁଏ

ଗଢ଼ିଛିମଣିଷର ବିକା କିଣା ।

ଅର୍ଥ ହକାଳି ଶିଳ୍ପ ନାମରେ

ସମାଜ ଗଠନ ଯାହା

ସବୁଥିରେ ଧଳା କଳା କାରବାର

ନାହିଁ ନାହିଁ ଏଠି ରାହା ।”

(ଅଭିବ୍ୟକ୍ତି – ୧୩)

 

କିମ୍ବା –“ସେ ଆଜି ଯାଇଛି ହଜି

ଶିଳ୍ପପତି ଗଢ଼ିଛି ତା’ ଶିଳ୍ପର ବଜାର

ଲକ୍ଷ ଲକ୍ଷ ଶ୍ରମିକଙ୍କ ଉତପ୍ତ ଝାଳରୁ

ଗଣୁଛି ଯେ ଅର୍ଥର ସମ୍ଭାର

ଦିବା ରାତି କେତେ ଯେ ତତପର

ଭରିବାକୁ ତା’ ନିଜର ଗୁପ୍ତ ଗନ୍ତାଘର ।”

(‘ବୈଶାଖ ସକାଳ’ରୁ ‘ମୁଁ ଚିହ୍ନି ପାରୁନି ଆଉ’)

 

ଏସବୁ ନିରୀକ୍ଷଣ କରି କବି ନିଜକୁ ନିଜେ ଚିହ୍ନି ପାରୁନାହାନ୍ତି । ରାହା ଖୋଜି ପାଉନାହାନ୍ତି-। ତେଣୁ ଏକ ସୁସ୍ଥ, ଶୋଷଣମୁକ୍ତ ସାମ୍ୟବାଦୀ ସମାଜ ଗଠନର ପରିକଳ୍ପନା ତାଙ୍କ ଭିତରେ ଅହରହ ମୁଣ୍ଡ ଟେକି ଉଠିଛି । ଆଉ ସେଇଥିପାଇଁ କବି ମନର ଅନେକ କିଛି ସଂଗୁପ୍ତ ଅଭିବ୍ୟକ୍ତି, ଇସ୍ତାହାର ପ୍ରକାଶ ପାଇଛି ତାଙ୍କର ବିଭିନ୍ନ କବିତାରେ । କବି ଉପେନ୍ଦ୍ର ନାୟକଙ୍କ ଏ ଅଭିବ୍ୟକ୍ତିର ବାସ୍ତବ, ସାର୍ଥକ ଏବଂ ଆଗ୍ନେୟ ଇସ୍ତାହାର ପ୍ରତିଟି ଝଲକକୁ ଧରି ରଖିଛି ‘ରକ୍ତ ଓ ଗୋଲାପ’ର ପ୍ରତିଟି ପୃଷ୍ଠା । ଏହି କବିତା ସଂକଳନଟି କବି ନାୟକଙ୍କ କବିତ୍ୱର ଏକ କ୍ରାନ୍ତିକାରୀ ସୃଷ୍ଟି କହିଲେ ସତ୍ୟର ଅପଳାପ ହେବ ନାହିଁ ।

 

ସାମ୍ପ୍ରତିକ ସମାଜରେ ସତ୍ୟ, ନ୍ୟାୟ, ଆଦର୍ଶ-ସବୁକିଛି ମୂଲ୍ୟହୀନ । କଳଙ୍କିତ । ଉଚ୍ଚ-ନୀଚ, ମାଲିକ-ଚାକର, ପୁଞ୍ଜିପତି-ସର୍ବହରାର ବିଭେଦ ପ୍ରାଚୀରକୁ ଯୁଗ ଯୁଗ ଧରି ଦେଖି ଦେଖି ନିର୍ଯ୍ୟାତିତ, ନିଷ୍ପେଷିତ ମଣିଷଟି ଦିନରେ ସିନା ବିକଳ ବିବଶ ହୁଏ – ମାତ୍ର ରାତିର ପ୍ରଶାନ୍ତି କୋଳରେ ସେଇ ଖଟଖିଆ ମଣିଷଟି ନିଜ ଭିତରେ ନଜ ଇଲାକାର ସମ୍ରାଟ - ବାଦଶାହ । ସ୍ନେହ, ପ୍ରେମ, ଭିତରେ ନିମଗ୍ନ ମଣିଷଟିଏ ମାତ୍ର । ତେଣୁ ତା’ ଭିତରେ ସୃଷ୍ଟି ହୁଏ ବୈପ୍ଲବିକ ଚେତନାର ଝଲକ ।

 

“ଇଚ୍ଛାହୁଏ ଭାଙ୍ଗିବାକୁ ଆଗଦାନ୍ତ ତା’ର

ଭାଙ୍ଗିବାକୁ ଅବିଚାର

ସତ୍ୟ ଅସତ୍ୟର ।”

(କାର୍ଯ୍ୟସୂଚୀ)

 

କିମ୍ବା ସେ ଚାହେଁ ତା’ ସମ୍ମୁଖରୁ ସବୁକିଛି ଅନ୍ଧକାର ଦୂର କରି ଆଲୋକର ପ୍ଲାବନ ଛୁଟାଇବାକୁ । ଦୁଷ୍ଟକୁ ନିଃଶେଷ କରି ସତ୍ୟ, ଧର୍ମ, ତ୍ୟାଗ, ନ୍ୟାୟ ଓ ଆଦର୍ଶ ଭିତରେ, ମଣିଷର ସେବା, ତିତିକ୍ଷା ଭିତରେ, ତା’ ସୃଷ୍ଟିର ପୃଷ୍ଠା ଭିତରେ ‘ବଞ୍ଚିବାକୁ ଇଚ୍ଛା କରି ସେ ଈଶ୍ୱରଙ୍କୁ ପ୍ରାର୍ଥନା କରିଛି –

 

“ଦୁଷ୍ଟକୁ ନିପାତ କରିବାକୁ

ମୋତେ ଟିକିଏ ଶକ୍ତି ଦିଅ ।”

(ଦିଅ ପ୍ରଭୋ ଦିଅ)

 

ସର୍ବହରା ମଣିଷ ବଞ୍ଚିବାର ଦାବି ହାସଲ ପାଇଁ ସଂଘର୍ଷ ଚାହେଁ । ପ୍ରତ୍ୟକ୍ଷ ସଂଗ୍ରାମ ଚାହେଁ-। କାରଣ, ଯୁଗ ଯୁଗ ଧରି ତା’ର ବିକଳ ଜୀବନଧାରା, ନିଷ୍ପେସିତ ରକ୍ତକଣିକା ତାକୁ ଯେପରି ପିଷ୍ଟକରି ରଖିଛି -ସେଠୁ ସେ ମୁକ୍ତି କାମନା କରେ । ସେ ଆଉ ଦେଖିବାକୁ କି ଶୁଣିବାକୁ ଚାହେଁନା –

 

“ଭୋକରେ ସଢ଼ନ୍ତି ପିଲା

ପତ୍ନୀ ଦେହେ ଛିଣ୍ଡା ଶାଢ଼ୀ

ଅକାଳେ ଯୌବନ ମଉଳି ଯାଏ

ବାର୍ଦ୍ଧକ୍ୟର ତୀବ୍ର ବେତ୍ରାଘାତେ

ଶଙ୍କାପୂର୍ଣ୍ଣ ପ୍ରତିଟି ମୁହୂର୍ତ୍ତ ।”

(ପ୍ରତିଷ୍ଠା)

 

ତେଣୁ ସେ ଚାହେଁ ସମାଜରେ ସାମ୍ୟବାଦର ପ୍ରତିଷ୍ଠା । ସମାଜବାଦର ସ୍ଥିତି । ସେଇଥି ପାଇଁ ସମସ୍ତ ଖଟିଖିଆ ମଣିଷମାନଙ୍କୁ ଏକଜୁଟ୍‌ ହୋଇ ପ୍ରତ୍ୟକ୍ଷ ସଂଗ୍ରାମ କରିବା ପାଇଁ କବିଙ୍କର ବୈପ୍ଲବିକ, ଆଗ୍ନେୟ ଆହ୍ୱାନ –

 

“ସର୍ବହରାର ଏକ ଠୁଳ ଥାଟ

ଖଟିଖିଆ ହୁଅ ମିଶାଣ

ଧ୍ୱଂସ କର ଏ ପାପର ସମାଜ

ଶୋଷଣ କଷଣ ଶାସନ ।”

(ରିକ୍ତ ପ୍ରାଣର ବିଳାପ)

 

କିମ୍ବା –“ଦେ ଦେଖେଇ ଦେ

ମୋତେ ତୋର

ମୁଣ୍ଡକଟା ଶାଣିତ ତରବାରୀ

ଦେ ଶିଖେଇ ଦେ

ମୋତେ ତୋର

ଚେତନାର ସ୍ପନ୍ଦିତ ଲହରୀ ।”

(ଦେ ନିର୍ଦ୍ଦେଶ ଦେ)

 

ସତ୍ୟ, ଶାନ୍ତି, ସମତାର ଗୋଟିଏ ନୂଆ ପୃଥିବୀ, ନୂଆ ସମାଜ ଗଠନ ପାଇଁ ରକ୍ତାକ୍ତ ବିପ୍ଲବକୁ କବି ସ୍ୱାଗତ କରିଛନ୍ତି ଏବଂ ନିଜେ ସେଥିରେ ବିଜୟଟୀକା ପିନ୍ଧିବାକୁ ମଧ୍ୟ ଆଶାୟୀ ହୋଇଛନ୍ତି ।

 

ସ୍ୱାଧୀନତା, ଗଣତନ୍ତ୍ର, ଶାସନ, ସଭ୍ୟତା ତଥା ସାଂପ୍ରତିକ ସମାଜର ପ୍ରତିଟି ଅବକ୍ଷୟ କବି ପ୍ରାଣରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି । ଆଜିର ମଣିଷ ଧନ ପାଇଁ, ପ୍ରତିଷ୍ଠା ପାଇଁ, କ୍ଷମତା ପାଇଁ ପାଗଳ । ଅନ୍ୟକୁ ସେ ଦେଖେନି, ଦେଖିବାକୁ ସେ ବେଳ ବି ପାଏନି । ଲାଞ୍ଚ, ମିଛ, ଅନ୍ୟାୟ, ଛଳନା ଏବଂ ପ୍ରତାରଣାର ଗତାନୁଗତିକତା ଭିତରେ ଏ ସମାଜ ଓ ମଣିଷ ଆଗେଇ ଚାଲିଛି । ତେଣୁ କବି ପ୍ରାଣରେ ସୃଷ୍ଟି ହୋଇଛି ରାଜନୈତିକ ଚେତନାର ଝଲକ : -

 

“ତୋ ଶାସନେ କହ କିଆଁ

ଏତେ ପ୍ରବଞ୍ଚନା

ଶାସକ ଗାଦିରେ ବସି

କରୁଛୁ ତୁ ମେହନତି ଜନତାରେ

ଲକ୍ଷେ ପ୍ରତାରଣା ?”

(ନଥିବ ସମୟ ଆଉ)

 

ଦେଶର ଶାସନରେ ସାମ୍ୟବାଦ, ସମାଜବାଦ ଯେଉଁଠି ମୂଲ୍ୟହୀନ, ଶାନ୍ତି, ମୈତ୍ରୀ ଓ ପ୍ରେମର କପୋତ ଯେଉଁଠି ପରାହତ - ସେଠି କବି ଜନତାର ପ୍ରତିନିଧି ଭାବେ ସାମୂହିକ ସ୍ୱର ଉତ୍ତୋଳନ କରେ । କବି ଡାକ୍ତର ନାୟକଙ୍କ ସେଇ ସ୍ୱର ଅନୁରଣିତ ହୋଇଛି ରକ୍ତ ଓ ଆଲୋକର କବିତା ଗ୍ରନ୍ଥର ‘ପାଟିଖୋଲ, ଲାଠିକୁ ଭୟ ନାହିଁ’, ‘ଅଭିବ୍ୟକ୍ତି’, ‘ବିସ୍ଫୋରଣ’, ‘ଦିଅ ମୋତେ ଦିଅ ହେ ସଜାଇ’, ‘ପ୍ରତିଭାରେ ଦିଅ ଜୟଗାନ’, ‘ଉଠୁ ପ୍ରଳୟର ଶେଷ ଶିଖା’ ଏବଂ ଆହୁରି ଅନେକ କବିତାରେ । କବି ପ୍ରାଣର ମାର୍ମିକ ଆଲେଖ୍ୟ ଏସବୁ କବିତାର ପ୍ରତିଟି ପଂକ୍ତି ତଥା ଶବ୍ଦ ସମ୍ଭାର ଭିତରେ ଖୁବ୍‌ ହୃଦୟସ୍ପର୍ଶୀ ହୋଇ ପାରିଛି ।

 

ସ୍ଥୂଳତଃ ବିଚାର କଲେ ଆଧୁନିକ କବିତାର ଉତ୍ତରଣ କ୍ଷେତ୍ରରେ କବି ଡାକ୍ତର ଉପେନ୍ଦ୍ର ନାୟକଙ୍କ କବିତା ଚରମ ସୀମାକୁ ସ୍ପର୍ଶ କରି ନଥିଲେ ମଧ୍ୟ – ଓଡ଼ିଆ କବିତାର ଗତାନୁଗତିକ ତଥା ପାରମ୍ପରିକ ଆଧୁନିକତାର ସ୍ୱର ତାଙ୍କ କବିତାରେ ପ୍ରତିଫଳିତ । ସରଳ, ବୋଧଗମ୍ୟ ଏବଂ ସାବଲୀଳ ପ୍ରକାଶ ଭଙ୍ଗୀ ପାଠକ ପ୍ରାଣରେ ଗଭୀର ଛାପ ପକାଇବା ସଙ୍ଗେ ସଙ୍ଗେ ସମାଜ ଓ ଜୀବନର ଏକ ଏକ ବାସ୍ତବ ତଥା ନିଖୁଣ ପ୍ରତିଛବି ଅଙ୍କନ କରିବାରେ କବି ନାୟକଙ୍କ କବିତାଗୁଡ଼ିକ ଯେ ନିଶ୍ଚିତ ସମର୍ଥ - ଏହା ବିନା ଦ୍ୱିଧାରେ ସ୍ୱୀକାର କରାଯାଇପାରେ ।

 

 

ପ୍ରଧ୍ୟାପକ, ଓଡ଼ିଆ ବିଭାଗ

ବି.ଜେ.ବି କଲେଜ,

ଭୁବନେଶ୍ୱର

 

***

 

Unknown

ଓଡ଼ିଶାର ଲୋକପର୍ବ ଡାଲ୍‌ଖାଇ

ଡକ୍ଟର ଚିତ୍ରସେନ ପଶାୟତ

ଶର୍ମିଷ୍ଠା ବାରିକ

 

ଆମ ସମାଜରେ ମାତୃପୂଜାର ପରମ୍ପରା ଅତି ପ୍ରାଚୀନ । ଦେବୀଙ୍କୁ ସର୍ବଶକ୍ତିମୟୀ, ସୃଷ୍ଟି, ସ୍ଥିତି ଓ ସଂହାରକାରିଣୀ ରୂପେ ଭାରତବର୍ଷରେ ପୂଜା କରାଯାଇ ଆସିଛି । ଆବହମାନ କାଳରୁ ଉପନିଷଦ ତଥା ପୁରାଣ ଯୁଗରୁ ଆମ ସମାଜରେ ଶକ୍ତିପୂଜା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଆସିଛି କହିବା ବାହୁଲ୍ୟ ମାତ୍ର । ଆଜବି ବି ହିନ୍ଦୁ ଓ ଆଦିବାସୀ ସମାଜରେ ଶକ୍ତି ଉପାସନାର ପରମ୍ପରା ନିଜର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିଛି । ଓଡିଶାରେ ଆଦିବାସୀ ଅଧ୍ୟୁଷିତ ପଶ୍ଚିମାଞ୍ଚଳର ଡାଲଖାଇ ଦେବୀ ହେଲେ ଶକ୍ତି ବା ଦେବୀପୂଜାର ଏକ ଲୋକରୂପ । ନିଃସନ୍ଦେହରେ କୁହାଯାଇପାରେ ଯେ ଏହି ଅଞ୍ଚଳରେ ବର୍ଷ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପର୍ବ, ପର୍ବାଣୀ ମଧ୍ୟରୁ ଡାଲଖାଇ ଏକ ଅନନ୍ୟ, ମନୋରମ ଏବଂ ଚିତ୍ତାକର୍ଷକ ପର୍ବ ଅଟେ । ପ୍ରାକ୍‌ ଐତିହାସିକ କାଳରୁ ଡାଲଖାଇର ମହାତ୍ମ୍ୟ ରହିଆସିଛି ଯାହାକି ପରବର୍ତ୍ତୀ ଆଲୋଚନାରୁ ସୁସ୍ପଷ୍ଟ ହୋଇଉଠେ । ଶକ୍ତିର ଅନ୍ୟତମ ରୂପରେ ଯେତେବେଳେ ଡାଲଖାଇ ବିଦ୍ୟମାନ, ସେତେବେଳେ ଏହାର ସଂସ୍କୃତି ଓ ଐତିହ୍ୟ କେବଳ ସମ୍ବଲପୁର ଅଥବା ଓଡ଼ିଶା ଅଥବା ଭାରତର ଗୌରବ ନୁହେଁ, ଏହି ପୂଣ୍ୟ ପବିତ୍ର ଡାଲଖାଇ ସଂସ୍କୃତି ସମଗ୍ର ମାନବ ସଭ୍ୟତାରେ ମାତୃପୂଜାର ଗୌରବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।

 

ଡାଲ୍‌ଖାଇର ଗୋଟିଏ ଦିଗ ପ୍ରକୃତିପୂଜାକୁ ଇଙ୍ଗିତ କରେ । ଅବଶ୍ୟ ସୃଷ୍ଟିର ଆଦ୍ୟକାଳରୁ ପ୍ରକୃତି ସହିତ ମଣିଷର ନିବିଡ଼ ସମ୍ପର୍କ ରହିଆସିଛି । ଏହି ସମ୍ପର୍କ ମଣିଷ ଜୀବନକୁ ରସମୟ କରି ଗଢ଼ି ତୋଳିଛି । ମଣିଷର ଆନନ୍ଦ, ପ୍ରେମ, ବିଷାଦ, ଚିନ୍ତା ଓ ଚେତନା ଅନେକ କିଛି ପ୍ରଭାବିତ ହୋଇଛି ପ୍ରକୃତିର ଲୀଳାଖେଳରେ । ଅନେକ କାଳରୁ ମଣିଷ ପ୍ରକୃତିକୁ ଆତ୍ମୀୟ କରିଛି । ପରିବର୍ତ୍ତିତ ଋତୁଚକ୍ରରେ ପ୍ରକୃତିର ନୂଆ ନୂଆ ରୂପର ସାନ୍ନିଧ୍ୟ ତଥା ଅନୁକମ୍ପା ଲାଭ କରି ମଣିଷ ନାନା ପୂଜା, ଅର୍ଚ୍ଚନା ଓ ବିଭିନ୍ନ ଉତ୍ସବ ଆୟୋଜନ କରିଛି । ଏହି କର୍ମରେ ପ୍ରକୃତିର ମହାନ ଦାନ ଜଙ୍ଗଲ ଓ ବୃକ୍ଷ ସହିତ ଡାଲଖାଇ ପୂଜା ସମ୍ପର୍କିତ, ଡାଲ୍‌ଖାଇ ପୂଜା ବୃକ୍ଷ ପୂଜା ଏକ ମହାନ ନିଦର୍ଶନ କହିଲେ ଅତ୍ୟୁକ୍ତି ହେବନାହିଁ । ବୃକ୍ଷପୂଜାର ପରମ୍ପରା କେତେ ପ୍ରାଚୀନ ସେଥିପାଇଁ ଇତିହାସ ଯଦିଓ ନୀରବ ନୁହେଁ, ତଥାପି ଏହି ଜିଜ୍ଞାସାର ସମାଧାନ ମଧ୍ୟ ସେତେ ସହଜ ନୁହେଁ । ଗୋଟିଏ କଥା ସ୍ୱୀକାର୍ଯ୍ୟ ଯେ ମାନବ ସଭ୍ୟତାର ସୃଷ୍ଟି କାଳରୁ ମଣିଷ ଓ ଜଙ୍ଗଲର ସମ୍ପର୍କ ନିବିଡ଼ ତଥା ଅବିଚ୍ଛେଦ୍ୟ ଅଟେ । ମଣିଷର ପ୍ରଥମ ବାସସ୍ଥାନ ଜଙ୍ଗଲ ଥିଲା । ସେ ବୃକ୍ଷମୂଳେ ଜୀବନ ବିତେଇଛି, ବୃକ୍ଷର ଫଳ, ମୂଳ ଓ ପତ୍ର ଖାଇ ଜୀବନଧାରଣ କରିଛି । ପ୍ରାକୃତିକ ପରିବେଶଷର ଉଦ୍ଭିଦ ଓ ପ୍ରାଣୀ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ପରି ପରସ୍ପର ନିବିଡ଼ ଭାବେ ନିର୍ଭରଶୀଳ । ଏହି ଦୃଷ୍ଟିକୋଣରୁ ବିଚାରିଲେ ମାନବ ସମାଜ ପ୍ରାଚୀନ କାଳରୁ ଜଙ୍ଗଦଳ ସହିତ ଓତଃପ୍ରୋତ ଭାବେ ଜଡ଼ିତ ଥିବାରୁ ମଣିଷ ସଭ୍ୟତାର ସୃଷ୍ଟି ଜଙ୍ଗଲ ଭିତରୁ । ଜଙ୍ଗଲ ସହିତ ନିବିଡ଼ ସମ୍ପର୍କ ମଣିଷ ଜୀବନକୁ ମଧୁମୟ କରିଛି । ଜଙ୍ଗଲକୁ ମଣିଷ ବନ୍ଧୁ ଭାବେ ଗ୍ରହଣ କରିଛି ଓ କେତେବେଳେ ଭଗବାନଙ୍କ ସତ୍ତା ଉପଲବ୍ଧି କରିଛି । ଭୌତିକତା ଓ ନୈସର୍ଗିକତାର ମଧୁର ସମନ୍ୱୟରେ ମଣିଷ ଆନନ୍ଦିତ ହୋଇଛି । ଜଙ୍ଗଲର ରୂପ, ଗୁଣ, ବର୍ଣ୍ଣର ସାନ୍ନିଧ୍ୟ ତଥା ଅନୁକମ୍ପା ଲାଭ କରି ମଣିଷ ଆହ୍ଲାଦିତ ହୋଇଛି ଓ ବିଭିନ୍ନ ପୂଜାର୍ଚ୍ଚନା ତଥା ଉତ୍ସବର ଆୟୋଜନ କରିଛି ।

 

ଅନ୍ୟ ଅର୍ଥରେ ମଣିଷର ପୂଜନ ପରମ୍ପରା ବୃକ୍ଷରୁ ଆରମ୍ଭ ହୋଇଛି ଏବଂ ଏହି ବୃକ୍ଷ ପୂଜାର ଆରମ୍ଭ ଆଦିମ ଯୁଗରୁ ହୋଇଛି ବୋଲି ଅନୁମାନ କରିବା ଅସମୀଚୀନ ନୁହେଁ । ପଣ୍ଡିତମାନଙ୍କ ମତ ଯେ ପ୍ରକୃତି ପୂଜା ମନୁଷ୍ୟର ପ୍ରକୃତି ପ୍ରଦତ୍ତ ସ୍ୱଭାବ ଅଟେ । ଜଳ, ବାୟୁ, ଅଗ୍ନି, ପୃଥ୍ୱୀ, ସୂର୍ଯ୍ୟ, ଚନ୍ଦ୍ର, ଜଙ୍ଗଲ, ନଦୀ ଆଦିକୁ ବିଭିନ୍ନ ଦେଶର ବିଭିନ୍ନ ଲୋକେ ଦେବତା ରୂପେ ପୂଜା କରି ଆସୁଛନ୍ତି । କାରଣ ଏ ସମସ୍ତେ ନିଜସ୍ୱ ଶକ୍ତି ଦ୍ୱାରା ମଣିଷ ସମାଜର ଆବଶ୍ୟକତାକୁ ପୂରଣ କରିଆସିଛନ୍ତି । ଏଣୁ ମଣିଷ ଏମାନଙ୍କର ପୂଜା ଉପାସନା କରି ଆସିଛି । ଏଠାରେ ଆଉ ଗୋଟିଏ କଥା ଲକ୍ଷ୍ୟ କରାଯାଇପାରେ, ତାହାହେଲା ଜଙ୍ଗଲ ଓ ମଣିଷ ମଧ୍ୟରେ ସହାବସ୍ଥାନର ଚିନ୍ତାଧାରା ବୃକ୍ଷପୂଜାରେ ନିହିତ । ମଣିଷ ପାଇଁ ଜଙ୍ଗଲ ତଥା ଜଙ୍ଗଲ ପାଇଁ ମଣିଷ ପକ୍ଷେ ବଞ୍ଚିବାର ଆବଶ୍ୟକତାକୁ ବୃକ୍ଷପୂଜା ଇଙ୍ଗିତ କରେ । ଉଭୟେ ପରସ୍ପର ନିର୍ଭରଶୀଳ । ସଂପ୍ରତି ପରିବେଶବିତ୍‌ମାନେ ମତପୋଷଣ କରନ୍ତି ଯେ ମଣିଷ ହେଉଛି ଏହି ସମଗ୍ର ପରିବେଶରେ ଅନ୍ୟ ପ୍ରାଣୀମାନଙ୍କ ପରି ଏକ ପ୍ରାଣୀ । ମଣିଷ, ବନ୍ୟଜନ୍ତୁ ଓ ଉଦ୍ଭିଦରାଜିକୁ ନେଇ ଜୀବମଣ୍ଡଳର ସୃଷ୍ଟି । ତେଣୁ ଜଙ୍ଗଲ ବ୍ୟତୀତ ମାନବ ଜୀବନ ଓ ସମାଜର ସତ୍ତା ଅସମ୍ଭବ । କାରଣ ପରିବେଶର ଭାରସାମ୍ୟ ରକ୍ଷା ନିମନ୍ତେ ଏହି ସମ୍ପର୍କର ପ୍ରୟୋଜନକୁ ହୃଦୟଙ୍ଗମ କରିବାକୁ ପଡ଼ିବ । ସାମ୍ପ୍ରତିକ କାଳରେ ଜଙ୍ଗଲ ପ୍ରତି ଥିବା ନିଜର କର୍ତ୍ତବ୍ୟକୁ ମଣିଷ ଅବହେଳା କରିଛି ଏବଂ ଉପଯୁକ୍ତ ସମ୍ମାନ ଦେଇପାରି ନାହିଁ ସତ; କିନ୍ତୁ ଆମ୍ଭର ପୂର୍ବପୁରୁଷଗଣ ବଣ ଜଙ୍ଗଲକୁ ଉପେକ୍ଷା କରିନଥିଲେ । ବରଂ ଏହି ଦିଗରେ ସେମାନେ ବହୁତ ସଚେତନ ଓ ଯତ୍ନବାନ ଥିଲେ । ତେଣୁ ନିଶ୍ଚିତ ଭାବେ କୁହାଯାଇପାରେ ଯେ, ସେହି ସଚେତନତାରୁ ବୃକ୍ଷପୂଜାର ଆରମ୍ଭ ହୋଇଛି । ମଣିଷର ପ୍ରଖର ବିଶ୍ୱାସ ଶକ୍ତି ବୃକ୍ଷ ବା ସାମାନ୍ୟ ଡାଳ ଖଣ୍ଡିକୁ ଦେବତା କରିଛି ଓ ଦେବତାକୁ ମଧ୍ୟ ବୃକ୍ଷ କରିଛି । ସେହି ବିଶ୍ୱାସର ଦେବୀ ଡାଲ୍‌ଖାଇଙ୍କ ବିଷୟରେ ଏଇଠି ଆଲୋଚନା କରିବା ଏହି ପ୍ରବନ୍ଧର ମୂଳ ଉଦ୍ଦେଶ୍ୟ ।

 

ଭଗବତପ୍ରାପ୍ତି ନିମନ୍ତେ ସାଧାରଣତଃ ଦୁଇ ପ୍ରକାରର ଉପାସନା ପଦ୍ଧତି ଦେଖାଯାଏ – ସାକାର ଓ ନିରାକାର । ମଣିଷର ବୌଦ୍ଧିକ ସ୍ତରକୁ ଲକ୍ଷ୍ୟ ରଖି ଏହି ଦୁଇ ପ୍ରକାରର ଉପାସନା ପଦ୍ଧତି ପ୍ରଚଳିତ ବୋଲି ପଣ୍ଡିତମାନେ ମତବ୍ୟକ୍ତ କରନ୍ତି । ନିରାକାର ତତ୍ତ୍ୱକୁ ଗ୍ରହଣ କରିବା ସମସ୍ତ ପ୍ରାଣୀଙ୍କ ପକ୍ଷେ ସହଜ ଓ ସମ୍ଭବ ନୁହେଁ । ସାଧାରଣ ମଣିଷ କୌଣସି ପ୍ରତୀକ ବା ମୂର୍ତ୍ତିକୁ ମାଧ୍ୟମ କରି ଭଗବାନଙ୍କ ସତ୍ତାକୁ ଉପଲବ୍ଧି କରେ । ଯଦି ମଣିଷ ସମାଜରେ ପ୍ରତୀକବାଦ ଓ ମୂର୍ତ୍ତିପୂଜାର ପ୍ରଚଳନ ନଥାନ୍ତା, ତେବେ ଭଗବାନଙ୍କ ଉପାସନା ଅଳ୍ପ ସଂଖ୍ୟକ ଯୋଗୀ ବା ମହାତ୍ମାଙ୍କ ମଧ୍ୟରେ ସୀମିତ ହୋଇ ରହିଥାନ୍ତା ଏବଂ ବିଶ୍ୱର ଶତକଡ଼ା ଅନେଶତ ଭାଗ ମଣିଷ ନାସ୍ତିକ ହୋଇ କାଳାତିପାତ କରୁଥାନ୍ତେ । ଏହାର କାରଣ ହେଲା ଅଶିକ୍ଷିତ ଓ ନିମ୍ନସ୍ତରର ମଣିଷ ଭଗବାନଙ୍କ ନିରାକାର ତତ୍ତ୍ୱକୁ ଗ୍ରହଣ କରିବା ପାଇଁ ସକ୍ଷମ ନୁହେଁ । ଏତଦ୍‌ଦ୍ୱାରା ମଣିଷ ଜାତିର ଆତ୍ମିକ ବିକାଶ ବାଧାପ୍ରାପ୍ତ ହୋଇଥାନ୍ତା । ତେଣୁ ସାମାନ୍ୟ ମାନସିକ ସ୍ତରର ବ୍ୟକ୍ତିଙ୍କ ନିମିତ୍ତ ପ୍ରାର୍ଥନା ବା ପୂଜା ପାଇଁ କୌଣସି ପ୍ରତୀକର ଆବଶ୍ୟକତା ଅନିବାର୍ଯ୍ୟ ଅଟେ ତଥା ପ୍ରତୀକପୂଜା ଅପରିହାର୍ଯ୍ୟ, ସ୍ୱାଭାବିକ ଓ ପ୍ରାକୃତିକ ମନେହୁଏ । ପ୍ରତୀକରେ ଶକ୍ତିର ଅଧିଷ୍ଠାନ କରାଯାଏ, ପ୍ରାଣ ପ୍ରତିଷ୍ଠା ହୁଏ । ପ୍ରତୀକ ମାଧ୍ୟମରେ ଭଗବାନ ହସନ୍ତି, କାନ୍ଦନ୍ତି, ନାଚନ୍ତି । ସାଧାରଣ ଜନତା ସହିତ ଦୁଃଖ ସୁଖ ହୁଅନ୍ତି ।

 

ଏଠାରେ ସୂଚନାଯୋଗ୍ୟ ଯେ, ଡାଲ୍‌ଖାଇ ପ୍ରତିମାବିଶେଷ ନୁହନ୍ତି, ସ୍ୱରୂପତଃ ଡାଲ୍‌ଖାଇ ପ୍ରତୀକ ରୂପ ଅଟନ୍ତି । ଡାଲ୍‌ଖାଇ ପୂଜାରେ ବିଭିନ୍ନ ବୃକ୍ଷର ଡାଳକୁ ଆଣି ପୂଜା କରିବାର ବିଧି ରହିଛି । ଡାଲ୍‌ଖାଇ କୌଣସି ଏକ ନିର୍ଦ୍ଦିଷ୍ଟ ବୃକ୍ଷର ଡାଳ ସହିତ ମଧ୍ୟ ସମ୍ପର୍କିତ ନୁହଁନ୍ତି । ତେଣୁ ଡାଲ୍‌ଖାଇଙ୍କ ପ୍ରତୀକତା ତାଙ୍କୁ ,ଏକାଧିକ ବୃକ୍ଷର ଡାଳରୂପେ ପ୍ରକଟିତ ହେବା ପାଇଁ ସହାୟତା କରେ । ବହୁରୂପା ସେ । ଏଠାରେ ସୂଚନାଯୋଗ୍ୟ ଯେ, ପ୍ରତିମା ଏକ ଅର୍ଥବୋଧକ ଅଟେ ଅଥଚ ପ୍ରତୀକ ବହୁ ଅର୍ଥବାଚୀ ହେବାରେ କୌଣସି ଅସୁବିଧା ନଥାଏ । ତେଣୁ ବିଭିନ୍ନ ବୃକ୍ଷର ଡାଳକୁ ଡାଲ୍‌ଖାଇ ଦେବୀଙ୍କ ପ୍ରତୀକ ରୂପେ ଗ୍ରହଣ କରି ପ୍ରକୃତରେ ବୃକ୍ଷର ଆବଶ୍ୟକତା, ଉପାଦେୟତା ଓ ମହତ୍ତ୍ୱକୁ ପ୍ରତିପାଦନ କରାଯାଇଛି ବୋଲି କୁହାଯାଇପାରେ । ଡାଲ୍‌ଖାଇ ଦେବୀଙ୍କ ପ୍ରତୀକାତ୍ମକତା ପ୍ରାକୃତିକ ପରିବେଶ ତଥା ବୃହତ୍ତର ଜଙ୍ଗଲ ସଭ୍ୟତାକୁ ଆବୋରି ନେବା ସାଙ୍ଗକୁ ଅଣ-ଆଦିବାସୀ ସମାଜରେ ମଧ୍ୟ ପ୍ରସାରଲାଭ କରିଛି ଏବଂ ଡାଲ୍‌ଖାଇ ଦେବୀଙ୍କୁ ସାର୍ବଜନୀନତାରେ ଭୂଷିତ କରିଛି-। ତେଣୁ ଡାଲ୍‌ଖାଇ ପରମ୍ପରାର ଆଲୋଚନାକୁ କେବଳ ସ୍ଥାନୀୟ ସମାଜରେ ଆଚରିତ ଲୌକିକ କ୍ଷୁଦ୍ର ପରମ୍ପରା ଭିତରେ ସୀମିତ କରି ରଖାଯାଇ ପାରିବ ନାହିଁ । ଏହାଦ୍ୱାରା ଡାଲଖାଇ ପରମ୍ପରାର ପ୍ରକୃତ ଚିତ୍ର ଉଜାଗର ହୋଇପାରିବନାହିଁ । ଏଠାରେ ଉଲ୍ଲେଖନୀୟ ଯେ ଡାଲଖାଇ ପରମ୍ପରା କେବଳ ସମ୍ବଲପୁର ଅଥବା ଓଡ଼ିଶାର ପଶ୍ଚିମାଞ୍ଚଳର ପରମ୍ପରା ନୁହେଁ । ଏହାର ଆଞ୍ଚଳିକତା ତଥା ବାହ୍ୟରୂପ ଏହାକୁ ସମ୍ବଲପୁର ବା ପଶ୍ଚିମ ଓଡ଼ିଶାର ଲୋକ ପରମ୍ପରା ବୋଲି ଚିହ୍ନଟ କଲେ ବି, ସର୍ବଭାରତୀୟ ମହାନ ପରମ୍ପରାର ମୁଖ୍ୟସ୍ରୋତରେ ଡାଲ୍‌ଖାଇ ପରମ୍ପରା ସାମିଲ ହୋଇଛି । ବିଶ୍ଲେଷଣରୁ ଜଣାପଡ଼େ ଯେ, ଡାଲ୍‌ଖାଇ ପରମ୍ପରା ଉଭୟ ସର୍ବ ଭାରତୀୟ ପରମ୍ପରା ତଥା ଲୌକିକ ପରମ୍ପରାଠୁ ଉପାଦାନ ଗ୍ରହଣ କରି ସମନ୍ୱିତ ହୋଇ ପରିପୃଷ୍ଟ ହେବା ସଙ୍ଗେ ସଙ୍ଗେ ବିକଶିତ ହୋଇଛି ।

 

ଓଡ଼ିଶାର ପଶ୍ଚିମାଞ୍ଚଳରେ ବାସ କରୁଥିବା ଏକାଧିକ ଆଦିବାସୀ ସମ୍ପ୍ରଦାୟରେ ଡାଲ୍‌ଖାଇ ଏକ ବିଶିଷ୍ଟ ପର୍ବ ଅଟେ । ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର,ବଉଦ, ସୋନପୁର, ବଲାଙ୍ଗିର, ଭବାନୀପାଟଣା, କଳାହାଣ୍ଡି, ଖରିଆର, ବରଗଡ଼, ପଦମପୁର, ତରଭା, ପାଟଣାଗଡ଼ ପ୍ରଭୃତି ଏକ ବିରାଟ ଭୂଖଣ୍ଡର ବିଞ୍ଝାଲ, ଶବର, କୁଡ଼ା, ମିର୍ଦ୍ଧା ଆଦି ଆଦିବାସୀ ଲୋକେ ଏହି ଓଷାବ୍ରତକୁ ଆନନ୍ଦର ସହିତ ପାଳନ କରନ୍ତି । ଏହାର ଦୁଇଟି ଦିଗ ବା ଦୃଷ୍ଟିକୋଣ ରହିଛି । ଗୋଟିଏ ହେଲା ପୂଜା ଓ ଅନ୍ୟଟି ହେଲା ଧର୍ମନିରପେକ୍ଷତା । ପୂଜାର ଆରାଧ୍ୟ ଦେବୀ ହେଲେ ଡାଲ୍‌ଖାଇ । ସେ କିଏ ଜାଣିବା କଷ୍ଟକର । ତାଙ୍କ ବିଷୟ କୌଣସି ଧର୍ମଶାସ୍ତ୍ରରେ ଉଲ୍ଲେଖ ନାହିଁ । କାରଣ ଅଗଣିତ ଲୋକ ଦେବଦେବୀଙ୍କ ମଧ୍ୟରେ ଡାଲଖାଇ ଅନ୍ୟତମ । ଯୁଗେ ଯୁଗେ ମଣିଷ ଐଶ୍ୱରିକ ଶକ୍ତିର ଉପଲବ୍ଧି ତଥା ଅନୁଭବ ନିମନ୍ତେ ସର୍ବଦା କେତେକ ନିର୍ଦ୍ଦିଷ୍ଟ ଶୃଙ୍ଖଳାପାଳନ କରିଆସିଛି । ପ୍ରତ୍ୟେକ ସମାଜରେ ପ୍ରତିଟି ଯୁଗରେ ସେହି ଶକ୍ତିର ସାନ୍ନିଧ୍ୟ ପ୍ରାପ୍ତି ନିମନ୍ତେ ଏହି ଶୃଙ୍ଖଳା ପରିଦୃଷ୍ଟ ହୁଏ । ଡାଲ୍‌ଖାଇ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ । ଏଠାରେ ସୂଚନାଯୋଗ୍ୟ ଯେ, ଏହି ରହସ୍ୟମୟ ଜଗତକୁ ବୁଝିବା ପାଇଁ ଅନେକ ତତ୍ତ୍ୱ, ମତ, ଦର୍ଶନ, ଧର୍ମ, ସାହିତ୍ୟ, ପୁରାଣ, କିମ୍ବଦନ୍ତୀ, କାହାଣୀ, ଇତିହାସ, ସଂସ୍କୃତି ଓ ଲୋକଦେବତାର ସୃଷ୍ଟି ।

 

ଆଶ୍ୱିନ ମାସ ଶୁକ୍ଲପକ୍ଷ ଅଷ୍ଟମୀ ତିଥିରେ ଡାଲ୍‌ଖାଇ ପୂଜା ଅନୁଷ୍ଠିତ ହୁଏ । ନାରୀମାନେ ଏହି ଓଷାବ୍ରତ ପାଳନ କରିଥାନ୍ତି । ଗୃହ, ପରିବାର, ଗ୍ରାମ ତଥା ସମଗ୍ର ସମାଜର ଉନ୍ନତି ଓ ମଙ୍ଗଳ କାମନା କରି ଡାଲ୍‌ଖାଇ ଦେବୀଙ୍କୁ ପୂଜା କରାଯାଏ । ଦେବୀଙ୍କ ପ୍ରସନ୍ନତା ପାଇଁ ଏହି ଅବସରରେ ଡାଲ୍‌ଖାଇ ଦେବୀଙ୍କ ମହିମା ସମ୍ପର୍କିତ କଥା, ଗୀତ, ନୃତ୍ୟ ଓ ବାଦ୍ୟ ପରିବେଷଣ କରାଯାଏ । ଭକ୍ତର ଗୁହାରି ଶୁଣିବା ପାଇଁ ଡାଲ୍‌ଖାଇ ଦେବୀ ବରୁଆ ଦେହରେ ଆବିର୍ଭାବ ହୁଅନ୍ତି । ଏହା ଏକ ସାମୂହିକ ପର୍ବ ଅଟେ । ଏହି ସମୟରେ ପଶ୍ଚିମ ଓଡ଼ିଶାରେ ଭାଇ ଜିଁତିଆ ପର୍ବ ପାଳିତ ହୋଇଥାଏ-। ଭାଇମାନଙ୍କ ମଙ୍ଗଳ ଓ ଦୀର୍ଘ ଜୀବନ କାମନ ପୂର୍ବକ ଭଉଣୀମାନେ ଏହି ଅବସରରେ ଓପାସ ବ୍ରତ ପାଳନ କରିଥାନ୍ତି । ବିବାହିତା ସ୍ତ୍ରୀଲୋକେ ମଧ୍ୟ ଏହି ଦିନ ଶାଶୂଘରୁ ନିଜ ନିଜ ଭାଇ ଘରକୁ ଆସନ୍ତି । ଭାଇଜିଁତିଆ ପୂଜା ସମୟରେ ବାମ ହାତରେ ପୂଜା କରିବାର ବିଧି ରହିଛି । ଏହି ଅବସରରେ ସେମାନେ ଡାଲ୍‌ଖାଇ ନୃତ୍ୟ, ଗୀତ ଓ ସଙ୍ଗୀତ ପରିବେଷଣ କରନ୍ତି । ଏଥିରେ ଗୋଟଏ କଥା ସୁଷ୍ପଷ୍ଟ ଯେ, ଡାଲ୍‌ଖାଇ ଦେବୀଙ୍କୁ ସେହି ଆଦ୍ୟାଶକ୍ତି ବା ମାତୃଶକ୍ତିଙ୍କ ଏକ ରୂପ ବୋଲି ଗ୍ରହଣ କରାଯାଏ । ମନେହୁଏ ଯେ ଡାଲଖାଇରେ ହିନ୍ଦୁ ବିଚାର ସଂଯୋଜିତ ହୋଇଛି-। ମାତୃପୂଜା ତତ୍ତ୍ୱରେ ଉଭୟ ଆଦିବାସୀ ଓ ହିନ୍ଦୁ ବିଶ୍ୱାସ ସନ୍ନିବେଶିତ ହେବାଦ୍ୱାରା ଡାଲ୍‌ଖାଇ ଓ ଦୁର୍ଗାଙ୍କୁ ଆଧାର କରି ଆଖ୍ୟାୟିକା, କିମ୍ବଦନ୍ତୀ, ଗୀତ ଆଦି ସୃଷ୍ଟିହେବା ସ୍ୱାଭାବିକ ଅଟେ । ଏହି ଅବସରରେ ସୃଷ୍ଟି ହେଉଥିବା ପାରସ୍ପରିକତାର ବାତାବରଣ ଆଦିବାସୀଙ୍କ ମଧ୍ୟରେ ସାମାଜିକ ଐକ୍ୟକୁ ସୁଦୃଢ଼ କରେ ।

 

ଡାଲ୍‌ଖାଇ ଓଷାବ୍ରତକୁ ଶାସ୍ତ୍ରୀୟ ବୋଲି କୁହାଯାଇ ପାରିବ ନାହିଁ । ଏଥିରେ ବ୍ରାହ୍ମଣ, ପୌରହିତ୍ୟ ଅଥବା ଶାସ୍ତ୍ରୀୟ ଉପଚାରର ଆଚରିତ ପୂଜା ବିଧି, ମନ୍ତ୍ରପାଠ ଦେଖାଯାଏନାହିଁ । ଅନ୍ୟାନ୍ୟ ଲୋକଦେବୀଙ୍କ ସଦୃଶ ଡାଲ୍‌ଖାଇ ହେଉଛନ୍ତି ଶକ୍ତିଙ୍କର ଅନ୍ୟତମ ରୂପ । ମାତ୍ର ଡାଲ୍‌ଖାଇ ଦେବୀଙ୍କୁ କୁକୁଡ଼ା, ମଦ ଆଦି ଭୋଗ ରୂପେ ଅର୍ପଣ କରିବା ଘଟଣା ଆଦିବାସୀ ପରମ୍ପରାକୁ ଇଙ୍ଗିତ କରେ । ଏହି ଅବସରରେ ହେଉଥିବା ଡେନରି ପୂଜା ତନ୍ତ୍ର ସମ୍ପର୍କିତ ବୋଲି କେତେଜଣଙ୍କର ବିଶ୍ୱାସ । ଆଦିବାସୀ ଦେବୀ ଡାଲଖାଇ ହେଉଛନ୍ତି ସମ୍ପୂର୍ଣ୍ଣ ଭାବେ ଲୋକଦେବୀ ଏବଂ ତାଙ୍କ ପୂଜାବିଧିରେ ଲୌକିକ ରୀତି ହିଁ ଅନୁସୃତ ହୋଇଛି । ରାତିରେ ବରୁଆ ବେଦବୀଙ୍କ ଆସ୍ଥାନ ସମ୍ମୁଖରେ ବି ଦେବୀଙ୍କୁ ତା’ ଶରୀର ଭିତରକୁ ପ୍ରବେଶ ପାଇଁ ପ୍ରାର୍ଥନା କରେ । ଏଥିପାଇଁ ଅନେକ ସମୟ ଲାଗେ ଓ ନିରନ୍ତର ଭାବେ ବାଦ୍ୟ ବାଜୁଥାଏ । ଦେବୀ ବରୁଆ ଦେହରେ ଅବତରିବା ପାଇଁ ଏହି ବାଦ୍ୟ ଏକ ଉନ୍ମାଦନା ସୃଷ୍ଟି କରେ । ଡାଲ୍‌ଖାଇ କୁଠି ଭିତରେ କ୍ଷୀଣ ଆଲୋକ ସାଙ୍ଗକୁ ବାଦ୍ୟଯନ୍ତ୍ର, ଲେକେଙ୍କ ହୁଳହୁଳୀ ଶବ୍ଦ ପରିବେଶକୁ ମୁଗ୍ଧ କରି ଗଢ଼ି ତୋଳିବା ସାଙ୍ଗକୁ ଦର୍ଶକ ମନରେ ଭୀତି ସଞ୍ଚାର ମଧ୍ୟ କରେ । ଡାଲ୍‌ଖାଇ ଓଷାବ୍ରତ କଥା ପଦ୍ୟ ବା ଗଦ୍ୟ ଆକାରରେ କୌଣସି ପୁରାଣ ବା ଶାସ୍ତ୍ରରେ ଦେଖିବାକୁ ମିଳେନାହିଁ । ମୌଖିକ ଭାବେ ଡାଲ୍‌ଖାଇ ଦେବୀଙ୍କ ମହିମା କଥା ତୁଣ୍ଡରୁ ତୁଣ୍ଡକୁ, ପିଢ଼ିରୁ ପିଢ଼ିକୁ କାଳକ୍ରମେ ଉତୁରି ଆସିଛି । ଏହାର ପରିସୀମା ପଶ୍ଚିମ ଓଡ଼ିଶା ହେଲେ ବି ମୋଟାମୋଟି ଭାବେ ଗ୍ରାମ ବା କେତୋଟି ଗ୍ରାମ । ସମ୍ପ୍ରତି ମୌଖିକ ପରମ୍ପରାକୁ ସଂଗୃହୀତ ହୋଇ ଡାଲ୍‌ଖାଇ ଓଷାବ୍ରତ କଥା ପୁସ୍ତିକା ଆକାରେ ବଜାରରେ ମିଳୁଥିଲେ ମଧ୍ୟ ଡାଲ୍‌ଖାଇ ଓଷାବ୍ରତ ମୂଳତଃ ଲୌକିକ । ତେଣୁ ଆଞ୍ଚଳିକ ପାର୍ଥକ୍ୟ ସତ୍ୱେ ଡାଲ୍‌ଖାଇ ଭାରତୀୟ ପୃଷ୍ଠଭୂମିରୁ ସମ୍ପୂର୍ଣ୍ଣ ରୂପେ ବିଚ୍ଛିନ୍ନ ନୁହେଁ, ଭାରତୀୟତାର ସ୍ରୋତ ଏଥିରେ ଅବଶ୍ୟ ପ୍ରବାହିତ । ଆଦିବାସୀ ଓ ଅଣ-ଆଦିବାସୀଙ୍କ ମଧ୍ୟରେ ଅନେକ ଦୃଷ୍ଟିରୁ ଯେଉଁ ସାଂସ୍କୃତିକ ସମନ୍ୱୟ ଘଟିଆସିଛି ତାହା ଏହିପରି ଲୋକ ଦେବଦେବୀ ବା ଯାତ୍ରା ପୂର୍ବରୁ ସ୍ପଷ୍ଟ ସୂଚିତ ହୋଇଥାଏ ।

 

ଡାଲ୍‌ଖାଇ ଦେବୀ କିଏ, ତାଙ୍କର ଉତ୍ପତ୍ତି କିପରି, ତାଙ୍କର କର୍ମ କ’ଣ ଏହିସବୁ ଜାଣିବା ସହଜ ନୁହେଁ, ଡାଲ୍‌ଖାଇ ନାମର ଅର୍ଥ ବୁଝିବା ମଧ୍ୟ ସେତେ ସହଜ ନୁହେଁ । ଡାଲ୍‌ଖାଇ ଗୀତଗୁଡ଼ିକର ଆଦ୍ୟରେ ଓ ଶେଷରେ ‘ଡାଲ୍‌ଖାଇରେ’ ବା ‘ଡାଲ୍‌ଖାଇବୋ’ ପଦକୁ ବାରମ୍ବାର ଘୋଷା ରୂପେ ବ୍ୟବହାର କାଯାଉଥିବାରୁ ଏହାର ନାମକରଣ ଡାଲ୍‌ଖାଇ ହୋଇଛି ବୋଲି କେତେଜଣ ମତବ୍ୟକ୍ତ କରନ୍ତି । ଦ୍ୱିତୀୟତଃ ଏହି ପୂଜାରୋ ଅଁଳା, ବଟ, ପିପ୍ପଳ, ଆମ୍ବ, ବେଲ, ମନ୍ଦାର ପ୍ରଭୃତି ବିଭିନ୍ନ ବୃକ୍ଷର ଡାଳ ଓ ଫୁଲ ବୁରୋପତ୍ର, ଦୁବ, ନଡ଼ିଆ, କାକୁଡ଼ି ପ୍ରଭୃତି ସୁସଜ୍ଜିତ କରି ପୂଜା କରାଯାଏ । ଏହାକୁ ଦେଖିଲେ ଏକ କୃତ୍ରିମ ଜଙ୍ଗଲର ଧାରଣା ମନରେ ସୃଷ୍ଟି ହୁଏ । ଏମିତି ମନେହୁଏ ଯେ, ମୂଳତଃ ବଣ ଜଙ୍ଗଲରେ ବାସ କରୁଥିବା ଡାଲ୍‌ଖାଇଙ୍କ ପୂଜା ନିମିତ୍ତ , ଏକ ଜଙ୍ଗଲ ସୃଷ୍ଟିର ପରମ୍ପରା ରକ୍ଷା କରାଯାଇଛି । ଅନ୍ୟ ଅର୍ଥରେ ଏହି ଡାଳପତ୍ର ହେଲେ ଡାଲ୍‌ଖାଇ ଦେବୀଙ୍କ ପ୍ରତୀକ ଏବଂ ପୂଜାରେ ସେହି ଡାଳପତ୍ରକୁ ଭୋଗ ରୂପେ ସେବନ କରାଯାଏ । ଏହି ଦୃଷ୍ଟିକୋଣରୁ ବିଚାରିଲେ ଏହି ପୂଜାର ନାମକରଣ ସମୟାନୁକ୍ରମେ ଡାଲ୍‌ଖାଇ ହୋଇଛି ବୋଲି କେତେଜଣ ମତପୋଷଣ କରନ୍ତି । ଅଞ୍ଚଳ ଭେଦରେ ଡାଲ୍‌ଖାଇ ପୂଜା ବିଧିରେ ସାମାନ୍ୟ ପ୍ରଭେଦ ପରିଲକ୍ଷିତ ହେଲେ ମଧ୍ୟ ଡାଲ୍‌ଖାଇ ଦେବୀଙ୍କ କାଷ୍ଠ, ମୃତ୍ତିକା, ଲୌହ କିମ୍ବା ଅନ୍ୟାନ୍ୟ କୌଣସି ଧାତୁ ନିର୍ମିତ ବିଗ୍ରହ ପରିଲକ୍ଷିତ ହୁଏ ନାହିଁ । ବୃକ୍ଷର ଡାଳ ମାଧ୍ୟମରେ ତାଙ୍କୁ ପୂଜା କରାଯାଏ । ଏହି ଦୃଷ୍ଟିକୋଣରୁ ବିଚାର କଲେ ମନେହୁଏ ଯେ ଡାଲ୍‌ଖାଇ ଅଙ୍ଗହୀନ, ରୂପ ବିହୀନ ଅଟନ୍ତି । ସେ ଶୂନ୍ୟ ସମ୍ଭୂତ, ନିରାକାର, ନିରେଖ, ନିରବୟବ । ସେ ସୀମାବଦ୍ଧ ନୁହଁନ୍ତି, ସେ ଅପରିସୀମ ।

 

ହିନ୍ଦୁ ଦେବଦେବୀଙ୍କ ସଦୃଶ ଡାଲଖାଇ ଦେବୀଙ୍କୁ ମନ୍ଦିର ଗୃହ ମଧ୍ୟରେ ରଖି ଦୈନନ୍ଦିନ ମନ୍ତ୍ରପାଠ, ପୂଜା ଆରାଧନା ବା ଧୂପ, ଦୀପ, ଭୋଗ ଲଗାଇବାର ବ୍ୟବସ୍ଥା ମଧ୍ୟ ଦେଖାଯାଏ ନାହିଁ-। ବିଭିନ୍ନ ଧାତୁ ବା ପାଷାଣ ବିଗ୍ରହ ଅପେକ୍ଷା ଡାଲଖାଇଙ୍କୁ ବୃକ୍ଷଡାଳ ରୂପେ ପୂଜା କରି ପୂଜା ଶେଷରେ ସେହି ଡାଳରୂପୀ ଦେବୀଙ୍କୁ ନଈରେ ଭସାଇ ଦିଆଯାଏ । ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାରିଲେ ଗୋଟିଏ କଥା ସ୍ୱୀକାର୍ଯ୍ୟ ଯେ ଡାଳରୂପୀ ଡାଲଖାଇ ଦୀର୍ଘସ୍ଥାୟୀ ହୋଇ ରହିବା ସମ୍ଭବପର ନୁହେଁ । ତେଣୁ ପୂଜା ଶେଷରେ ତାଙ୍କୁ ବିସର୍ଜନ କରିବା ଅପରିହାର୍ଯ୍ୟ । ଇତିହାସକୁ ପର୍ଯ୍ୟାଲୋଚନା କଲେ ସହଜେ ବୁଝାପଡ଼େ ଯେ ଓଡ଼ିଶାର ପଶ୍ଚିମାଞ୍ଚଳ ଏକଦା ଆଦିବାସୀବହୁଳ ଅଞ୍ଚଳ ଥିଲା । ଏଠାରେ ରାଜା, ଜମିଦାର, ଗଉଁତିଆମାନେ ମଧ୍ୟ ଆଦିବାସୀ ଥିଲେ । ପାହାଡ଼, ପର୍ବତ, ଘଞ୍ଚ ବଣ ଜଙ୍ଗଲରେ ପରିପୂର୍ଣ୍ଣ ଶ୍ୱାପଦସଙ୍କୁଳ ଏହି ଅଞ୍ଚଳ ଆଦିବାସୀମାନେ ନିଜର ଜୀବନଧାରଣ ସକାଶେ ବଣ ଜଙ୍ଗଲ ଉପରେ ନିର୍ଭର କରିଆସିଛନ୍ତି । ତେଣୁ ସେମାନଙ୍କ ଧର୍ମ, ସମାଜ ତଥା ସଂସ୍କୃତି ମଧ୍ୟ ଏଠାର ଭୌଗୋଳିକ ପରିବେଶକୁ କେନ୍ଦ୍ରକରି ଗଢ଼ି ଉଠିବା ସ୍ୱାଭାବିକ । ପ୍ରସଙ୍ଗକ୍ରମେ ଏଠାରେ ଉଲ୍ଲେଖ କରାଯାଇପାରେ ଯେ, କେବଳ ଡାଲଖାଇ ନୁହେଁ, ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ଅନେକ ଲୋକଯାତ୍ରା ଓ ପର୍ବତଗୁଡ଼ିକରେ ଜଙ୍ଗଲ ସଂସ୍କୃତିର ଚିନ୍ତା ଓ ଚେତନା ନିହିତ ଥିବାର ଦେଖାଯାଏ । ତେବେ ସେ ଯାହାହେଉ, ଠିକ କେବେ ଓ କେଉଁ ପରିସ୍ଥିତିରେ ଆଦିବାସୀ ତା’ର ଧର୍ମଭାବ ଡାଲଖାଇ ମାଧ୍ୟମରେ ପ୍ରକାଶ କରିଛି । ତାହା ସଠିକ୍‌ ଭାବେ ଜଣାନଗଲେ ମଧ୍ୟ,ଏହାର ସୃଷ୍ଟି ମଣିଷ ଜାତିର ସୃଷ୍ଟି ସହିତ ସମ୍ପୃକ୍ତ ।

 

ସୃଷ୍ଟିର ଆଦ୍ୟ କାଳର ମଣିଷ ଯେଉଁଠି ବି ଆଶ୍ରୟ ଲୋଡ଼ିଛି, ତା’ର ଦେବତାକୁ ମଧ୍ୟ ସେଇଠି ରଖିଛି । ଯେତେବେଳେ ସେ ବୃକ୍ଷ କୋରଡ କିମ୍ବା ପଥର ଗୁମ୍ପାରେ ଆଶ୍ରୟ ଲୋଡ଼ିଛି, ସେତେବେଳେ ତା’ର ଦେବତା ମଧ୍ୟ ସେଇଠି ରହିଛନ୍ତି । ପରବର୍ତ୍ତୀ କାଳରେ ଯେତେବେଳେ ମଣିଷ ନିଜ ପାଇଁ ସ୍ଥାୟୀ ଗୃହ ନିର୍ମାଣ କରିବାର ସ୍ୱପ୍ନ ଦେଖିଛି, ସେତେବେଳେ ସେ ତା’ର ଦେବତାଙ୍କ ପାଇଁ ମନ୍ଦିର ନିର୍ମାଣର କଳ୍ପନା କରିଛି । ଏହା କହିବାର ତାତ୍ପର୍ଯ୍ୟ ହେଲା ଯେ, କେତେକ ସ୍ଥାନରେ ଡାଲଖାଇ ଦେବୀଙ୍କ ପୂଜା ପାଇଁ ଏକ ସ୍ୱତନ୍ତ୍ର କୋଠରୀ ଅଛି ଯାହାକୁ ଡାଲଖାଇ କୁଠି କହନ୍ତି । ଏହି ଦୃଷ୍ଟିକୋଣରୁ ଡାଲଖାଇ ଓଷାବ୍ରତ ଓଡ଼ିଶାର ଜଙ୍ଗଲ ସଭ୍ୟତାକୁ ଇଙ୍ଗିତ କରେ ଓ ଏଥିରୁ ଆଦିବାସୀ ସମାଜରେ ପ୍ରଚଳିତ ଡାଲଖାଇ ଓଷାବ୍ରତର ପ୍ରାଚୀନତା ଜଣାପଡ଼େ । ଏଠାରେ ଉଲ୍ଲେଖନୀୟ ଯେ, ଆଦିବାସୀ ସମାଜରେ ପ୍ରଚଳିତ ମାତୃପୂଜାର ଏହି ପରମ୍ପରା ପଶ୍ଚିମ ଓଡ଼ିଶାର ଅଣ ଆଦିବାସୀ ସମାଜରେ ଶକ୍ତିଙ୍କର ଅନ୍ୟ ଏକ ରୂପ ରୂପେ ଗୃହୀତ ହେବା ଦ୍ୱାରା ଅଣଆଦିବାସୀ ସମାଜ ତାଙ୍କୁ ଅମାନ୍ୟ କରିନାହିଁ । ଅନ୍ୟ ଗୋଷ୍ଠୀ ତଥା ଜନସମାଜରେଏହାବରଂ ଆହୁରି ପ୍ରସାରଲାଭ ଅନୁମୋଦନ ଲାଭ କରି କରିଛି । ତେଣୁ ସମୟାନୁକ୍ରମେ ଜାତି, ଧର୍ମ, ବର୍ଣ୍ଣ , ନିର୍ବିଶେଷରେ ଡାଲଖାଇସମସ୍ତଙ୍କର ଅନ୍ତରଙ୍ଗ । ସର୍ବପ୍ରଥମେ ଡାଲଖାଇ ହେଉଛି ଆଦିବାସୀ ଦେବତା, ପରେ ସେଥିରେ ଅଣ ଆଦିବାସୀହିନ୍ଦୁ ବିଚାରଗୁଡ଼ିକୁ ସଂଯୋଜିତ କରାଯାଇଛି । ଏହି ସଂଯୋଜନାର ଆବଶ୍ୟକତାକୁ ସାମାଜିକ ସ୍ତରରେ ଉପଲବ୍ଧି କରାଯାଇଛି । ସେଥିପାଇଁ କେତେକ ଡାଲଖାଇ ପର୍ବକୁ ମୂଳତଃ ଆଦିବାସୀ ଓଷାବ୍ରତ ବୋଲି କହୁଥିବା ବେଳେ ଆଉ କେତେଜଣ ହିନ୍ଦୁମାନଙ୍କର ଓଷାବ୍ରତ ବୋଲି କହୁଥାନ୍ତି ।

 

ବିଭିନ୍ନ ଜଟିଳ ପର୍ଯ୍ୟାୟ ଦେଇ ଗତି କରିଥିଲେ ମଧ୍ୟ ସମାଜର ମୃତ୍ୟୁ ହୋଇନାହିଁ । ଲୋକ ଦୁର୍ଯୋଗର ସମ୍ମୁଖୀନ ହୋଇ ମଧ୍ୟ ସାମାଜିକ ସହ ଅବସ୍ଥାନ ଓ ସମନ୍ୱୟ ପ୍ରକ୍ରିୟାରେ ସମାଜ ସର୍ବଦା ନିଜର ଗତିଶୀଳତାକୁ ବଜାୟ ରଖିଛି । ଏହି ଦୃଷ୍ଟିକୋଣରୁ ଓଡ଼ିଶାର ପଶ୍ଚିମାଞ୍ଚଳରେ ଆଦିବାସୀ ଓ ଅଣଆଦିବାସୀଙ୍କ ବିଭିନ୍ନତା ମଧ୍ୟରେ ସଂହତି, ସୁସମ୍ପର୍କ ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନିମନ୍ତେ ଡାଲଖାଇ ଦେବୀ ହେଲେ ସମନ୍ୱୟର ପ୍ରତୀକ, ଐକ୍ୟ ଓ ସଂହତିର ନିଦର୍ଶନ-। ଡାଲଖାଇଙ୍କ ପ୍ରତିକାତ୍ମକ ପ୍ରକାଶ ଓଡ଼ିଶାରେ ଆଦିବାସୀ ଓ ଅଣ ଆଦିବାସୀଙ୍କ ମଧ୍ୟରେ ସମନ୍ୱୟର ପ୍ରକ୍ରିୟାକୁ ସହଜ ସାଧ୍ୟ କରିଛି । ମନେହୁଏ ହିନ୍ଦୁମାନଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ହିନ୍ଦୁକରଣ ପ୍ରକ୍ରିୟା ଦ୍ୱାରା ଆଦିବାସୀମାନେ ହିନ୍ଦୁମାନଙ୍କ ସଦୃଶ ଦେବତାଙ୍କ ପାଇଁ ମନ୍ଦିର କଳ୍ପନା କରିଛନ୍ତି । ତେଣୁ ପରବର୍ତ୍ତୀ କାଳରେ ଡାଲଖାଇ ଦେବୀଙ୍କ ପାଇଁ ଏକ କୋଠୀର ବ୍ୟବସ୍ଥା ହୋଇଛି-। କେବଳ ସେତିକି ନୁହେଁ, ସେମାନେ କ୍ରମଶଃ ହିନ୍ଦୁ ଦେବଦେବୀଙ୍କୁ ମଧ୍ୟ ଗ୍ରହଣ କରିଛନ୍ତି-। ଡାଲଖାଇ କୁଠିରେ ଡାଲଖାଇ ଦେବୀଙ୍କ ବ୍ୟତୀତ ଅନ୍ୟାନ୍ୟ ଦେବଦେବୀ ପୂଜା ପାଆନ୍ତି । ଯଥା : - ହନୁମାନ, ଈଶ୍ୱର, ପାର୍ବତୀ, ନାରଦ, ଦରୁଣ, କୁବେର, ଲକ୍ଷ୍ମୀ, ସରସ୍ୱତୀ, ବୁଢ଼ାରଜା, ବାଉତୀ, ମାଉଲୀ, ନୀଳାରାଣୀ, ରହେଲା ଇତ୍ୟାଦି । ଏହା ଦୁଇଟି ସଂସ୍କୃତି ମଧ୍ୟରେ ସମନ୍ୱୟ ଘଟିବାର ଜ୍ୱଳନ୍ତ ପ୍ରମାଣ । ପକ୍ଷାନ୍ତରରେ କୁହାଯାଇପାରେ ଯେ, ଡାଲଖାଇ ସସ୍କୃତି ମୂଳତଃ ଆଦିବାସୀ ସଂସ୍କୃତି ଏବଂ ବାହାରୁ ଆସିଥିବା ହିନ୍ଦୁ ସଂସ୍କୃତି ସହିତ ଯୋଗସୂତ୍ର ସ୍ଥାପନ ପୂର୍ବକ ଉଭୟ ଗୋଷ୍ଠୀ ମଧ୍ୟରେ ସାମାଜିକ ସହାବସ୍ଥାନର ପ୍ରତିଷ୍ଠା ନିମନ୍ତେ ଡାଲଖାଇ ଏକ ସୁଚିନ୍ତିତ ମାଧ୍ୟମ । ଏହି ପୂଜାରେ ଧୁନକେଲ ବାଦ୍ୟଯନ୍ତ୍ରର ବିଶେଷ ମହତ୍ତ୍ୱ ରହିଛି । ଧୁନକେଲ ବଜାର ଡାଲଖାଇ କୁଠିରେ ଉପରୋକ୍ତ ଦେବତାମାନଙ୍କୁ ସ୍ଥାପନ କରାଯାଏ । ଏହି ବାଦ୍ୟଯନ୍ତ୍ର ବାଉଁଶ ତିଆରି ଗୋଟିଏ କୁଲା, ଦୁଇଟି ବାଉଁଶ ବାଡ଼ିଗୋଟିଏ ମାଟିପାତ୍ର ବା ହାଣ୍ଡି ଦ୍ୱାରା ତିଆରି ହୋଇଥାଏ । ଏଠାରେ ସୂଚନାଯୋଗ୍ୟ ଯେ, ଡାଲଖାଇ କୁଠିରେ ଅଙ୍କିତ ବଖରାଗୁଡ଼ିକରେ ସ୍ଥାନ ପାଇଥିବା ଉପରୋକ୍ତ ଦେବଦେବୀଙ୍କ ସହିତ ତେତ୍ରିଶକୋଟି ଦେବତା ମଧ୍ୟ ଅଛନ୍ତି । ଡାଲଖାଇ କୋଠିରେ ଅନ୍ୟାନ୍ୟ ଦେବଦେବୀଙ୍କ ଉପସ୍ଥିତି ଆଦିବାସୀର ଧାର୍ମିକ ସଂସ୍କୃତିରେ ସମନ୍ୱୟର ସଙ୍କେତକୁ ଉଜାଗର କରେ-

 

ଉପରୋକ୍ତ ଆଲୋଚନାରୁ ପ୍ରକାଶ ପାଏ ଯେ, ଅଣଆଦିବାସୀ ସମାଜରେ ପୂଜା ପାଉଥିବା ଦେବଦେବୀଙ୍କୁ ଆଦିବାସୀ ସମାଜରେ ସ୍ଥାନ ଦିଆଯାଇଛି ଏବଂ ଆଦିବାସୀର ଦେବତାକୁ ଅଣଆଦିବାସୀମାନେ ଆପଣାର କରିନେଇଛନ୍ତି । ଆଦିବାସୀର ଦେବତା ହୋଇ ଡାଲଖାଇ ଆର୍ଯ୍ୟ ସଂସ୍କୃତିର କହିଲେ ବୁଝାଯାଏ ଶୈବ, ଶାକ୍ତ, ବୈଷ୍ଣବ ସମସ୍ତଙ୍କର ସେ ପୂଜ୍ୟ । ଏହାର ଅର୍ଥ ହେଲା ଡାଲଖାଇ କେବଳ ଆଦିବାସୀଙ୍କ ମଧ୍ୟରେ ସୀମିତ ହୋଇ ରହିନାହିଁ, ସେ ସମସ୍ତଙ୍କର ଦେବୀ । ଏହିପରି ଦୃଷ୍ଟାନ୍ତ ଓଡ଼ିଶା କିମ୍ବା ଭାରତର ଆଦିବାସୀ ବହୁଳ ଅଞ୍ଚଳରେ ବିରଳ ନୁହେଁ । ବଣାଇଗଡ଼ର ରାଜା ପାହାଡ଼ି ଭୂୟାଁମାନଙ୍କ ଦ୍ୱାରା ପୂଜା ପାଉଥିବା କଣ୍ଟକୁମାରୀଙ୍କୁ ନିଜର ଇଷ୍ଟଦେବୀ ରୂପେ ଗ୍ରହଣ କରି ରାଜଉଆସରେ ସ୍ଥାନ ଦେଇଥିଲେ । ଶବର ବା ସହରା ଜାତିର ଲୋକମାନଙ୍କ ଦ୍ୱାରା‌ ପୂଜା ପାଉଥିବା ସମଲେଈ ପରବର୍ତ୍ତୀ କ।ଳରେ ସମଲେଶ୍ୱରୀ ରୂପେ ସମ୍ବଲପୁରର ଚୌହାଣ ରାଜବଂଶ ଦ୍ୱାରା ପୂଜା ପାଇ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ରୂପେ ସ୍ଥାନ ପାଇଲେ । ଏହାଛଡ଼ା ବଡ଼ମ୍ବାର ଭଟ୍ଟାରିକା, ରଣପୁରର ଖିଲାମୁଣ୍ଡା ତଥା ଡାଳଚେରର ହିଙ୍ଗୁଳାଙ୍କର ଦୃଷ୍ଟାନ୍ତ ଦିଆଯାଇପାରେ । ବଇଣ୍ଡାର ଶିବ ମନ୍ଦିରରେ ପୂର୍ବେ ଦେବୀ ପୂଜା ପ୍ରଚଳିତ ଥିଲା ବୋଲି ଶୁଣାଯାଏ । ଦେବୀଙ୍କର ଏହି ପ୍ରତୀକ ଶିବଲିଙ୍ଗ ସଦୃଶ ଥିବାରୁ ସମୟାନୁକ୍ରମେ ତାହା ହିନ୍ଦୁମାନଙ୍କ ଦ୍ୱାରା ଶିବ ରୂପେ ପୂଜା ପାଇଲେ । ଠିକ୍‌ ସେହିପରି ଆଦିବାସୀଙ୍କ କରମସାନୀ ତଥା ଭୀମାଦେବତାଙ୍କୁ ମଧ୍ୟ ହିନ୍ଦୁଜାତି ଗ୍ରହଣ କରିନେଇଛି । ଫୁଲବାଣୀର କେତେକ ସ୍ଥାନରେ ଆଦିବାସୀ ଦେବତା ପିତାବଲୀ ଓ ଖମ୍ବେଶ୍ୱରୀଙ୍କ ସ୍ଥାନରେ ଶିବପୂଜା ପ୍ରଚଳିତ ହୋଇଥିବାର ଶୁଣାଯାଏ । ଏହାଛଡ଼ା ଆଦିବାସୀ ଦେବତା ବୁଢ଼ାରଜା ଅନେକ ସ୍ଥାନରେ ବୁଢ଼ା ଶିବ ରୂପେ ମଧ୍ୟ ପୂଜା ପାଉଛନ୍ତି । ସମ୍ବଲପୁରର ବୁଢ଼ାରଜା ଶିବ, ବୁଢ଼ୀ ମା’, ମହାମାଈ, ହୁମାର, ଶ୍ରୀବିମଳେଶ୍ୱର, ପାଇକମାଳ ନିକଟସ୍ଥ ଶ୍ରୀ ନୃସିଂହନାଥ, ବରଗଡ଼ର କମଗାଁରେ କମଗେଁଇ ସିନ୍ଧେକେଲାର ଦୁଆରସେନୀ, ସମ୍ବଲପୁରର କଁଶଲେ, କୋରାପୁଟର ଶ୍ରୀଗୁପ୍ତେଶ୍ୱର, କୋଟାପାଡ଼ର ମାଉଲୀମା’, ହିଞ୍ଜିଳିକାଟୁର ମା’ ଜାଆଁଲେଇ, ବାଲିଗୁଡ଼ାର ଦେବୀଦୁର୍ଗା, ଜରାସିଂହାର ପାଟଖଣ୍ଡା, ଘୁଙ୍ଗୁରିପାଲିର ପୂଜା ଡୁଙ୍ଗୁରୀ, ଫୁଲବାଣୀର ବରାଳଦେବୀ, ଉମରକୋଟର ପେଣ୍ଠ୍ରାଣୀ, ଚଉଦ୍ୱାରର ଡମଡମଣୀ, ବାରକୋଟର ରମ୍ଭାଦେବୀ, କଳାହାଣ୍ଡିର ଦେପୁରସ୍ଥିତ ପାହାଡ଼େଶ୍ୱର ଶିବ, କୁଲାଡ଼ର ବ୍ୟାଘ୍ରଦେବୀ, ବ୍ରହ୍ମପୁରର ବୁଢ଼ୀ ଠାକୁରାଣୀ, ରାୟଗଡ଼ାର ମାଟି ଗୌରୀ, ଆସିକାର ଖମ୍ବେଶ୍ୱରୀ, ସୁବର୍ଣ୍ଣପୁରର ମେଟାକାନୀ ଏହିପରି ସହସ୍ରାଧିକ ଲୋକ ଦେବଦେବୀଙ୍କୁ ଉଭୟ ଆଦିବାସୀ ଓ ଅଣଆଦିବାସୀମାନେ ଶ୍ରଦ୍ଧାର ସହିତ ପୂଜା କରି ଆସୁଛନ୍ତି ।

 

ଡାଲଖାଇ ଓଷାବ୍ରତ ସହିତ ଇତିହାସ ମଧ୍ୟ ସମ୍ପର୍କିତ । ସିଂଘୋଡ଼ା ଘାଟି ଯୁଦ୍ଧ ସମ୍ବନ୍ଧିତ ଘଟଣାକୁ ବିଚାରିଲେ ମନେହୁଏ, ଡାଲଖାଇ ହେଉଛି ସେହି ଅନୁଭବର ସ୍ମାରକୀ ତିଥି, ଯେଉଁଠି ସମ୍ବଲପୁର ଇତିହାସ ତଥା ଇଂରେଜ ସରକାର ବିରୁଦ୍ଧରେ ଘଟିଥିବା ସଂଗ୍ରାମର ସ୍ମୃତି ଜଡ଼ିତ । ୧୮୫୭-୫୮ ମସିହା ବେଳକୁ ସମ୍ବଲପୁରର ଚୌହାଣ ବୀର ସୁରେନ୍ଦ୍ରସାଏଙ୍କ ନେତୃତ୍ୱରେ ଅଞ୍ଚଳରେ ଅନେକ ଗଉଁତିଆ, ଜମିଦାର, ଜମିଦାର ଓ ଧନାଢ଼୍ୟ ବ୍ୟକ୍ତି ପ୍ରତ୍ୟକ୍ଷରେ ଅବା ପରୋକ୍ଷରେ ବୀର ସୁରେନ୍ଦ୍ର ସାଏଙ୍କୁ ସମସ୍ତ ପ୍ରକାର ଅର୍ଥ ଓ ଲୋକବଳ ଯୋଗାଉଥିଲେ । ଲୋକମୁଖରୁ ଶୁଣାଯାଏ ଯେ’, ଏକଦା ସିଂଘୋଡ଼ା ଘାଟିର ପରିଚାଳନା ଦାୟିତ୍ୱରେ ଥିବା ଶ୍ରୀ ହଟେସିଂହ କେତେଜଣ ଇଂରେଜ ସିପାହୀଙ୍କୁ ମାରି ଗଛରେ ଝୁଲେଇ ଦେଲେ । ଏହି ଖବର ପାଇ ଇଂରେଜ ସିପାହୀମାନେ ଘେଁସ ଗ୍ରାମକୁ ନିଆଁ ଲଗେଇ ପାଉଁଶ କରିଦେଲେ । ନିରାଶ୍ରୟ ଗ୍ରାମବାସୀ ପ୍ରାଣ ବିକଳରେ ଜଙ୍ଗଲ ମଧ୍ୟରୁ ପଳାୟନ କଲେ । ଏକାଧିକ ଦିନକଳ ବନ୍ୟଜନ୍ତୁଙ୍କ ଗ୍ରହଣରେ ରହି ଭୟାତୁର ଗ୍ରାମବାସୀ ବଣର ଫଳମୂଳ, ପତ୍ର, ଡାଳ ଖାଇ ଜୀବନ ନିର୍ବାହ କଲେ । ଏହି ସଙ୍କଟରୁ ରକ୍ଷା କରିବା ପାଇଁ ତଥା ଭୟ, ଦୁଃଖ ଓ ଭୋକକୁ ଭୁଲିବା ପାଇଁ ସେମାନେ ବଣର ଦେବୀଙ୍କୁ ପୂଜା କରି ଡାଲଖାଇ ନୃତ୍ୟ, ଗୀତ ଓ ସଙ୍ଗୀତ କଲେ । କାରଣ ଡାଲଖାଇ ଦେବୀ ହେଉଛନ୍ତି ଦୁର୍ଗତିନାଶିନୀ, କଲ୍ୟାଣକାରିଣୀ, ଅଭୟ ବରଦା ବିଭବ ପ୍ରଦାୟିନୀ ବୋଲି ସେମାନଙ୍କର ବିଶ୍ୱାସ । ଉପରୋକ୍ତ ଘଟଣାକୁ କେନ୍ଦ୍ରକରି ଡାଲଖାଇ ଉତ୍ପତ୍ତି କଥା ଗ୍ରହଣଯୋଗ୍ୟ ହୋଇନପାରେ, କିନ୍ତୁ ସେମିତି ପରିସ୍ଥିତିରେ ସାମୟିକ ମାନସିକ ଶାନ୍ତି ଅଥବା ଦମ୍ଭ ପାଇବା ପାଇଁ ଡାଲଖାଇ ଦେବୀଙ୍କ ଆରାଧନା ଓ ତାଙ୍କ ଉଦ୍ଦେଶ୍ୟରେ ପାରମ୍ପରିକ ଡାଲଖାଇ ନୃତ୍ୟ ଓ ଗୀତ ପରିବେଷଣ କରିବାର ସମ୍ଭାବନାକୁ ଅସ୍ୱୀକାର କରାଯାଇପାରିବ ନାହିଁ ।

 

କିମ୍ବଦନ୍ତୀ କୁହେ ଯେ ଏକଦା ଦକ୍ଷିଣ କୋଶଳରେ ଚଳିତ ନାମକ ଜଣେ ମହାପ୍ରତାପୀ ରାଜା ଶାସନ କରୁଥିଲେ । ତାଙ୍କ ସ୍ତ୍ରୀଙ୍କ ନାମ ଥିଲା ନୀଳାରାଣୀ । ଦୁଇପୁଅଙ୍କ ନାମ ଥିଲା ଦେବହରି ଓ ରାମହରି ତଥା ଦୁଇ ବୋହୂଙ୍କ ନାମଥିଲା ତୁଳସୀ ଓ ଦହନା । ହେଲେ କନ୍ୟା ସନ୍ତାନଟିଏ ନଥିଲା ବୋଲି ରାଜାରାଣୀ ସର୍ବଦା ଦୁଃଖରେ କାଳାତିପାତ କରୁଥିଲେ । ଅନେକ ପୂଜା ଅର୍ଚ୍ଚନା, ଦାନପୁଣ୍ୟ କଲା ଉତ୍ତରୁ ରାଣୀଙ୍କ ଗର୍ଭରୁ କନ୍ୟା ସନ୍ତାନଟିଏ ଜାତହେଲା । ତା’ର ନାମ ରଖାଗଲା ରହେଲା । ଯେତେବେଳେ ରହେଲାକୁ ସାତବର୍ଷ ସେତେବେଳେ ସେ ଡାଲଖାଇ ପୂଜା କରିବା ପାଇଁ ମନସ୍ଥ କଲା ଓ ପୂଜା ସମ୍ଭାର ଯୋଗାଡ଼ କରିଦେବା ପାଇଁ ବାପା, ମା, ଭାଇ, ଭାଉଜଙ୍କୁ ନିବେଦନ କଲା । ହେଳେ କେହିହେଲେ ରହେଲାର କଥାକୁ ଗୁରୁତ୍ୱ ଦେଲେ ନାହିଁ । ଭାଉଜମାନେ ଓଲଟା ରହେଲାକୁ ଉପହାସ କରିବାକୁ ଲାଗିଲେ । ଏହା ସହ୍ୟ କରିନପାରି ରହେଲା ନିତେଇ ଧୋବଣୀ ତୁଠକୁ ଯାଇ ବିଷଖାଇ ଆତ୍ମହତ୍ୟା କଲା । ଏକଥା ଜାଣିପାରି ଶୋକାକୁଳ ପରିବାରବର୍ଗ ତୁଠକୁ ଦଉଡ଼ିଲେ । ସେଠାକୁ ଯାଇ ଦେଖିଲା ବେଳକୁ ଜଳକନ୍ୟା ସାତବହନୀ (ଭଉଣୀ) ବା ସପ୍ତମାତୃକାଙ୍କ ଗହଣରେ ରହେଲା ଜଳକ୍ରୀଡ଼ାରେ ମଗ୍ନ ଅଛି । ତାକୁ ଯେତେ ଡାକିଲେବି ସେ କାହାକୁ ଚିହ୍ନି ପାରିଲା ନାହିଁ । ଅନନ୍ୟୋପାୟ ହୋଇ ରାଜା ରାଣୀ, ସପ୍ତମାତୃକାକୁ ପ୍ରାର୍ଥନା କରିବାରୁ ସେମାନେ ରହେଲାକୁ ଫେରାଇ ଦେବାପାଇଁ ରାଜିହେଲେ, କିନ୍ତୁ ସର୍ତ୍ତ ହେଲାଯେ ସେମାନେ ରହେଲା ପାଇଁ ଡାଲଖାଇ ଓଷାବ୍ରତର ଆୟୋଜନ କରିବେ ।

 

ଏଠାରେ ସ୍ମରଣୀୟ ଯେ କିମ୍ବଦନ୍ତୀ ଏକ ଗୁରୁତ୍ୱପୂର୍ଣ୍ଣ ଧାରଣା ଅଟେ । ମନରେ ସ୍ୱତଃ ପ୍ରଶ୍ନ ଉଠେ ଯେ କିମ୍ବଦନ୍ତୀରେ ଯେଉଁ ପରିକଳ୍ପନା ନିହିତ ତା’ର କିଛି ଭିତ୍ତି ଅଛି ନା କେବଳ କଳ୍ପନାର ବିଷୟ ଅଟେ, ସମାଜ ଓ ଜୀବନ ସହିତ ଏହାର କିଭଳି ସମ୍ପର୍କ ରହିଛି ? କାରଣ ଅନେକ ସ୍ଥଳରେ ଏହାକୁ ମିଥ୍ୟା, କାଳ୍ପନିକ, ଅସାରତା ବୋଲି ବିବେଚନା କରାଯାଇ ଅତ୍ୟନ୍ତ ହାଲୁକା ଅର୍ଥରେ ଗ୍ରହଣ କରାଯାଉଥିବାର ଦେଖାଯାଏ । ଦେଖିବାକୁ ଗଲେ କିମ୍ବଦନ୍ତୀରେ ଏକ ଭିନ୍ନ ମାନସିକତା ନିହିତ ଥାଏ । ଏଥିରୁ ପ୍ରେରଣା ମିଳେ ଏବଂ ଏହି ପ୍ରେରଣା ସହିତ ଶକ୍ତି ଓ ବିଶ୍ୱାସ ପ୍ରଚ୍ଛନ୍ନ ଭାବେ ନିହିତ ଥାଏ । ସୃଜନ ପ୍ରକ୍ରିୟାରେ ସ୍ରଷ୍ଟାର ଚିନ୍ତା ବାସ୍ତବତାକୁ ଉପାଦାନ ଗ୍ରହଣ କରେ । ତେଣୁ କିମ୍ବଦନ୍ତୀ ସମାଜଠୁ ବିଚ୍ଛିନ୍ନ ନୁହେଁ । ସାମାଜିକ ଦୃଷ୍ଟିକୋଣରୁ ବିଚାରିଲେ କିମ୍ବଦନ୍ତୀରେ ନିହିତ ବାସ୍ତବତା ଓ ସତ୍ୟତା ଉଜାଗର ହୋଇଉଠେ । ସାମାଜିକ ସମ୍ପର୍କରୁ କିମ୍ବଦନ୍ତୀର ସୃଷ୍ଟି ହୋଇଥିବାରୁ କିମ୍ବଦନ୍ତୀର ସ୍ୱତନ୍ତ୍ର ଓ ନିଜସ୍ୱ ପରିବେଶ ଓ ଦୁନିଆଁ ଥାଏ । ତେଣୁ ସ୍ଥାନୀୟ ଜୀବନ ଓ ପରିବେଶକୁ ସାମଗ୍ରିକ ଦୃଷ୍ଟିକୋଣରୁ ବିଚାର କରାଯିବା ବିଧେୟ । ଏହା ଅନନ୍ୟ, ଅସୀମ ସୃଜନଶୀଳ ଓ ସର୍ବଦା କ୍ରିୟାଶୀଳ ଅଟେ । କାଳ, ପାତ୍ର, ତଥା ସ୍ଥାନକୁ ନେଇ କିମ୍ବଦନ୍ତୀର ପରବିର୍ତ୍ତନ ପରିବର୍ଦ୍ଧନ ଓ ପରିମାର୍ଜନ କ୍ରିୟା ଚାଲିଥିଲେ ମଧ୍ୟ କିମ୍ବଦନ୍ତୀର ସ୍ରଷ୍ଟା କେବେହେଲେ ଆତ୍ମପ୍ରକାଶ କରିନାହିଁ କି କରେନାହିଁ । ଗୋଷ୍ଠୀ ପାଇଁ କିମ୍ବଦନ୍ତୀକୁ ଉତ୍ସର୍ଗ କରିଦେଇ ସ୍ରଷ୍ଟା କାଳଗର୍ଭରେ ହଜିଯାଏ ଏବଂ ସେଇଠି କିମ୍ବଦନ୍ତୀ ପ୍ରାଣ ପାଇଥାଏ । ଆନ୍ତରିକତାର ସହିତ ଯେତେବେଳେ କୌଣସି ଗୋଷ୍ଠୀ ବା ସମାଜ ତାକୁ ଗ୍ରହଣ କରିନିଏ, ତେବେ ଏହାକୁ ଆଧାର କରି ବଞ୍ଚିବା ପାଇଁ ମଣିଷକୁ ଗୋଟିଏ ରାସ୍ତା ମିଳିଯାଏ । ତା’ପରେ ଉତ୍ତରାଧିକାରୀ ସୂତ୍ରରେ ସେ ଗୋଟିଏ ପିଢ଼ିରୁ ଆଉ ଗୋଟିଏ ପୀଢ଼ିକୁ ଉତୁରି ଆସେ ଏବଂ ସେହି ସମାଜର ପ୍ରତିନିଧିତ୍ୱ କରେ । ତେଣୁ ସମାଜ ଦ୍ୱାରା କୌଣସି କିମ୍ବଦନ୍ତୀ ଗ୍ରହଣୀୟ କି ନୁହେଁ ଏବଂ ଯଦି ଗ୍ରହଣୀୟ ତେବେ ତା’ର ପରିସୀମା ବା ପରିସର କେତେ ତାହା ମଧ୍ୟ ଲୋକଙ୍କ ଉପରେ ହିଁ ନିର୍ଭରଶୀଳ ଅଟେ । କିମ୍ବଦନ୍ତୀର ବ୍ୟବସ୍ଥା ଏଥିପାଇଁ କରାଯାଇଛି ଯେ, ମନୁଷ୍ୟ ଏହାଦ୍ୱାରା ସମାଜିକତାର ଆଦର୍ଶକୁ ସହଜ ଭାଗେ ଗ୍ରହଣ କରି ପାଳନ କରିପାରିବ ।

 

ଉପରୋକ୍ତ ଡାଲଖାଇ ସମ୍ପର୍କିତ କଥାକୁ ଏକ ସରଳ କାହାଣୀ ବୋଲି ବିବେଚନା କରିବା ଆଦୌ ଉଚିତ ହେବ ନାହିଁ । ଏହାର ବହୁବିଧ ଆୟାମ ଓ ପରିସର ରହିଛି । ଏହାର ଅନ୍ତରାଳରେ ଏକ ସାମାଜିକ ପ୍ରକ୍ରିୟା ବା ରହସ୍ୟ ଲୁକ୍‌କାୟିତ । ମଣିଷର ଇତିହାସ ଏହା ଭିତରେ ଗୋପନରେ ଆତ୍ମପ୍ରକାଶ କରେ । ଏ ସମ୍ପର୍କରେ ଯଥାଯଥ ଭାବେ ସଚେତନ ରହିବାକୁ ପଡ଼ିବ । ସେଥିପାଇଁ ଉପରୋକ୍ତ କିମ୍ବଦନ୍ତୀକୁ ଅନ୍ଧଭାବେ ଗ୍ରହଣ ନକରି ତାକୁ ବାସ୍ତବ ତଥ୍ୟ ତଥା ଐତିହାସିକ ଉପାଦାନ ସହିତ ସମ୍ପର୍କିତ କରିବାକୁ ପଡ଼ିବ । “ନିତାଇ ଧୋବଣୀ” ଓ “ସପ୍ତମାତୃକା” ବିଷୟରୁ ଡାଲଖାଇରେ ତନ୍ତ୍ରବିଦ୍ୟାର ପ୍ରଭାବ ରହିଥିବାର ସୂଚନା ମିଳେ । ପ୍ରସଙ୍ଗକ୍ରମେ ଉଲ୍ଲେଖ କରାଯାଇପାରେ ଯେ, ଓଡ଼ିଶାର ପଶ୍ଚିମାଞ୍ଚଳରେ ପ୍ରଚଳିତ ନିତାଇ ଧୋବଣୀ କଥା ତନ୍ତ୍ରବିଦ୍ୟା ସମ୍ପର୍କିତ ଅଟେ । ପୁନଶ୍ଚ ଏଠାରେ ସୂଚନାଯୋଗ୍ୟ ଯେ, ସମ୍ବଲପୁର, ପାଟଣାଗଡ଼ ଓ ସୋନପୁର ଅଞ୍ଚଳରେ ଅନେକ କୁମାରୀ କନ୍ୟା ଲକ୍ଷ୍ମୀଙ୍କରାଙ୍କ (ବୌଦ୍ଧଧର୍ମରେ ସହଜଯାନର ପ୍ରବର୍ତ୍ତକ) ପଦାଙ୍କ ଅନୁସରଣ କରି ତନ୍ତ୍ର ସାଧନାରେ ଆଗଭର ହୋଇଥିଲେ ଏବଂ ନିତାଇ ଧୋବଣୀ, ଜ୍ଞାନଦେଇ ମାଲୁଣୀ, ଲୁହାକୁଟୀ ଲହୁରୁଣୀ, ସୁକୁଟୀ ଚମାରୁଣୀ, ଶୁଆ ତେଲୁଣୀ, ଗାଙ୍ଗୀ ଗଉଡ଼ୁଣୀ, ପତରପିନ୍ଧି ଶଉରୁଣୀ ପ୍ରଭୃତି ସାତ ଜଣ ତାନ୍ତ୍ରିକ କନ୍ୟା ସହଜଯୋଗରେ ସିଦ୍ଧି ଲାଭ କରିଥିଲେ ବୋଲି ଜଣାଯାଏ । ଏଠାରେ ଉଲ୍ଲେଖନୀୟ ଯେ, ପ୍ରାଚୀନ ତଥା ମଧ୍ୟଯୁଗୀୟ ସାମାଜିକ ବର୍ଣ୍ଣଜାତି ବ୍ୟବସ୍ଥାରେଐଶ୍ୱରିକ ଶକ୍ତିର ସାନ୍ନିଧ୍ୟପ୍ରାପ୍ତି ନିମିତ୍ତ ବ୍ରାହ୍ମଣର ଭମୂକା ଗୁରୁତ୍ୱପୂର୍ଣ୍ଣ ଥିଲା । ସମାଜରେ ଜାତିପ୍ରଥାର ତୀବ୍ର ଭେଦଭାବ ଲାଗି ରହିଥିଲା । ଏହି ତୀବ୍ର ଜାତିଆଣବାଦର ଫଳସ୍ୱରୂପ ସମାଜରେ ଗୋଷ୍ଠୀବିବାଦ ସର୍ବଦା ଲାଗି ରହିଥିଲା । ସାଧାରଣ ଜନତା ପୂଜା, ପାଠ, ଦେବ ଦର୍ଶନ, ମନ୍ଦିର ପ୍ରବେଶ ଇତ୍ୟାଦି ଧର୍ମକର୍ମରୁ ବଞ୍ଚିତ ଥିଲେ । ସାମଜର ଏକ ବିରାଟ ଜନ ସମୂହ ମଧ୍ୟରେ ଅସନ୍ତୋଷର ବହ୍ନି ସାମାଜିକ ସନ୍ତୁଳନକୁ ବିଗାଡ଼ିବାକୁ ଯଥେଷ୍ଟ ଥିଲା । ତେଣୁ ସେହି ସ୍ତରର ଲୋକଙ୍କ ମଧ୍ୟରେ ଧର୍ମର ମାର୍ଗ ଦର୍ଶନ ଓ ଐଶ୍ୱରିକ ଶକ୍ତିର କରୁଣା ପ୍ରାପ୍ତି ନିମନ୍ତେ ବିଭିନ୍ନ ସମୟରେ ସେହି ସ୍ତରରୁ ସିଦ୍ଧିପ୍ରାପ୍ତ ଲୋକଙ୍କ ଆବିର୍ଭାବ ଘଟିଛି ଏବଂ ସେମାନଙ୍କ ମାଧ୍ୟମରେ ସାଧାରଣ ଜନତା ନିଜର ଭାକ୍ତିକ ପରିତୃପ୍ତି ଲାଭ କରିଛି । ଉପରୋକ୍ତ ସାତଜଣ ତାନ୍ତ୍ରିକ କନ୍ୟା ଧୋବା, ମାଳି, ଲୁହୁରା, ଚମାର, ତେଲି, ଗଉଡ଼ ଓ ଶବର ପ୍ରଭୃତି ସମାଜର ନିମ୍ନଶ୍ରେଣୀର ବୋଲି ସ୍ପଷ୍ଟ ଅନୁମିତ ହୁଏ ।

 

ଉପରୋକ୍ତ ସପ୍ତକୁମାରୀଙ୍କ ପୂଜା ଓଡ଼ିଶାର ପଶ୍ଚିମାଞ୍ଚଳରେ ଏବେ ମଧ୍ୟ ପ୍ରଚଳିତ ଥିବାର ସୂଚନା ମିଳେ ଏବଂ ସେମାନଙ୍କ ଦ୍ୱାରା ରଚିତ ଅନେକ ମନ୍ତ୍ର ଏଠାରେ ତାନ୍ତ୍ରିକମାନକଙ୍କ ଦ୍ୱାରା ସାଧନା କରାଯାଇଛି । ନିତାଇ ଧୋବଣୀଙ୍କ ସହାୟତାରେ ଚୋଡ଼ଗଙ୍ଗଦେବ ଓଡ଼ିଶା ଅଧିକାର କରିଥିବା କଥା ମାଦଳାପାଞ୍ଜିରୁ ଜଣାପଡ଼େ । ପଶ୍ଚିମ ଓଡ଼ିଶାର ପାଟଣାଗଡ଼ ଅଞ୍ଚଳ ସପ୍ତକୁମାରୀଙ୍କ ତନ୍ତ୍ର ସାଧନାର ପୀଠସ୍ଥଳ ଥିଲା । ତେଣୁ ଏ ଅଞ୍ଚଳ ଏବେ ସୁଦ୍ଧା କୁମାରୀ ପାଟଣା ବା କାଉଁରୀ ପାଟଣା ରୂପେ ସର୍ବତ୍ର ପରିଚିତ । ଏହା ପୂର୍ବରୁ ଆଲୋଚିତ ହୋଇସାରିଛି ଯେ ଡାଲଖାଇ ଓଷାବ୍ରତ ନାରୀ ଓ କୁମାରୀମାନଙ୍କ ଦ୍ୱାରା ପାଳିତ ହୁଏ ଏବଂ ଏହି ଅବସରରେ ‘ଡେବିରିପୂଜା’ର ବିଧି ରହିଛି ଯାହାକି ତନ୍ତ୍ରବିଦ୍ୟା ସମ୍ପର୍କିତ ଅଟେ । ତେଣୁ ଉପରୋକ୍ତ କିମ୍ବଦନ୍ତୀରୁ କଥାବସ୍ତୁ, ପରିକଳ୍ପନା ତଥା ସଂରଚନାରେ, ଚରିତ୍ର ଗଠନରେ ତତ୍‌କାଳୀନ ସାମାଜିକ ଜୀବନ ପ୍ରତିଫଳିତ ହୋଇଉଠେ । ଉଦ୍ଦିଷ୍ଟଦିନ ପୁଣି ବରୁଆ ଦେହରେ ଡାଲଖାଇ ଦେବୀ ପ୍ରବିଷ୍ଟ ହୋଇଥାଆନ୍ତି । କାଳିନୀ ଆସିବା ଦ୍ୱାରା ସାଧାରଣ ଲୋକ ନିଜର ରୋଗ, ଦୁଃଖ, ଅସୁବିଧା, ମନୋକାମନା ଇତ୍ୟାଦୀ ଦେବୀଙ୍କୁ ଜଣାଇ ପ୍ରତିକାର ପାଇଁ ପ୍ରାର୍ଥନା କରନ୍ତି । ଦେବୀ ଉପଚାରର ରାସ୍ତା ତଥା ଭବିଷ୍ୟତବାଣୀ ମଧ୍ୟ କରନ୍ତି । ଏହିସବୁ ଘଟଣା ମଣିଷର ବୁଦ୍ଧି, ଚେତନା ଓ ହୃଦୟକୁ ସହଜେ ସ୍ପର୍ଶ କରିବା ସଙ୍ଗେ ସଙ୍ଗେ ଭୟ, ଆନନ୍ଦ ଓ ଶିହରଣ ଜାତ କରିବା ସ୍ୱାଭାବିକ । ପୁରୁଷାନୁକ୍ରମେ ପ୍ରଚଳିତ ଉପରୋକ୍ତ କିମ୍ବଦନ୍ତୀ ଡାଲଖାଇ ପରମ୍ପରାକୁ ଏକ ଅଲୌକିକ ରୂପ ପ୍ରଦାନ କରିବା ସଙ୍ଗେ ସରଳ ବିଶ୍ୱାସୀ ଜନଜୀବନର ପ୍ରଚଳିତ ହୋଇ ବିଶ୍ୱାସକୁ ଆହୁରି ଦୃଢ଼ୀଭୂତ କରେ ।

 

ଡାଲଖାଇ ପୂଜା ପରେ ଡାଲଖାଇ ଦେବୀଙ୍କ ସନ୍ତୁଷ୍ଟି ପାଇଁ ଯେଉଁ ସ୍ୱତନ୍ତ୍ର ଶୈଳୀର ନୃତ୍ୟ, ଗୀତ ଓ ବାଦ୍ୟ ପରିବେଷଣ ହୁଏ ତାକୁ ମଧ୍ୟ ଡାଲଖାଇ କୁହାଯାଏ । ଏହା ଓଡ଼ିଶାର ଆଦିବାସୀ ଓ ଲୋକସଂସ୍କୃତିର ଉତ୍କର୍ଷତାକୁ ପ୍ରତିପାଦନ କରେ । ଏଠାରେ ସୂଚନାଯୋଗ୍ୟ ଯେ, ଡାଲଖାଇ ଗୀତ, ନୃତ୍ୟ ଓ ସଙ୍ଗୀତ କେବଳ ଡାଲଖାଇ ପୂଜାରେ ପରିବେଷିତ ହୁଏ ନାହିଁ, ପଶ୍ଚିମ-ଓଡ଼ିଶାର ଅନ୍ୟାନ୍ୟ ପର୍ବପର୍ବାଣୀ, ଯାନି-ଯାତ୍ରା, ବିବାହ-ବ୍ରତାଦି ଅବସରରେ ମଧ୍ୟ ପରିବେଷଣ କରାଯାଏ । ଡାଲଖାଇ ଓଷାବ୍ରତକୁ ଅନୁଧ୍ୟାନ କଲାପରେ ଜଣାପଡ଼େ ଯେ, ଡାଲଖାଇ ନୃତ୍ୟ, ଗୀତ ଓ ସଙ୍ଗୀତ ଏକ ଆକସ୍ମିକ ସୃଷ୍ଟି ନୁହେଁ । ଏହା ପଛରେ ସହସ୍ରାଧିକ ବର୍ଷର ଦୀର୍ଘ ଇତିହାସ ରହିଛି ଯାହାକୁ ବାଦ୍‌ ଦେଇ ଡାଲଖାଇ ନୃତ୍ୟ, ଗୀତ ଓ ସଙ୍ଗୀତର ଧାରାକୁ ଅନୁଭବ କରିବା ସେତେ ସହଜ ନୁହେଁ । ଡାଲଖାଇକୁ କୌଣସି ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ଆବଦ୍ଧ କରି ରଖାଯାଇପାରିବ ନାହିଁ । ବିଭିନ୍ନ କାଳର ରୁଚି, ସମସ୍ୟା ଓ ଅନୁଭବକୁ ନେଇ ଡାଲଖାଇ ସମୃଦ୍ଧ ହୋଇଛି । ସମ୍ପ୍ରତି ଆମ ସାମ୍ନାରେ ଡାଲଖାଇର ଯେଉଁ ରୂପଟି ଦୃଶ୍ୟମାନ, ତାହା ପ୍ରକୃତରେ ସମୟ ସ୍ରୋତର ଗୋଟିଏ ପରିଣତି ମାତ୍ର । ପରବର୍ତ୍ତୀ କାଳରେ ଏହାର ରୂପରେଖ କ’ଣ ହେବ ତାହା କହିହେବ ନାହିଁ । କିନ୍ତୁ ଏହାର ଅନୁଧ୍ୟାନ କରି ସେହି ସମାଜର ପରିବେଶ, ଲୋକଙ୍କ ମନୋବୃତ୍ତି, ଜୀବନବୋଧ, ଚିତ୍ତର ରସଧାର ଓ ଜୀବନ ପ୍ରତି ମୂଲ୍ୟବୋଧ ପ୍ରଭୃତି ବିଷୟରେ ଧାରଣା ନିଶ୍ଚିତ ଭାବେ କରାଯାଇପାରିବ, ଯେହେତୁ ଡାଲଖାଇ ଅନେକ ଯୁଗର ପରମ୍ପରାରେ ପରିପୃଷ୍ଟ ଅଟେ । ସାମ୍ପ୍ରତିକ ଯୁଗର ପରିବେଶରେ ମଧ୍ୟ ଡାଲଖାଇର ବିକାଶ ଅତି ସ୍ୱାଭାବିକ ଓ ପ୍ରାକୃତିକ ଭାବେ ଘଟିଛି । ସ୍ଥାନ, କାଳ, ପାତ୍ରର ସଚେତନତା ଡାଲଖାଇ ଗୀତର ବିଷୟବସ୍ତୁ ଓ ଡାଲଖାଇ ନୃତ୍ୟର ଶୈଳୀକୁ ନିୟନ୍ତ୍ରଣ କରିଛି । କାରଣ କେବଳ ସ୍ରଷ୍ଟା ନୁହେଁ, ଦର୍ଶକର ମନୋବୃତ୍ତି ସହିତ ମଧ୍ୟ ଲୋକକଳାର ସୃଜନଶୀଳତା ଓତଃପ୍ରୋତ ଭାବେ ଜଡ଼ିତ ।

 

ଡାଲଖାଇ ନୃତ୍ୟରେ ଢୋଲ, ନିଶାନ, ମହୁରୀ, ଟିମ୍‌କି, ତାସା ଆଦି ବାଦ୍ୟଯନ୍ତ୍ର ବ୍ୟବହୃତ ହୁଏ । ପ୍ରାସଙ୍ଗିକକ୍ରମେ କୁହାଯାଇପାରେ ଯେ ଡାଲଖାଇ ଗୀତ, ଡାଲଖାଇ ନୃତ୍ୟ ଓ ଡାଲଖାଇରେ ବ୍ୟବହୃତ ବାଦ୍ୟଯନ୍ତ୍ରର ଏକ ସମନ୍ୱିତ ପରିବେଷଣ ଏହି ସମୟରେ ହୁଏ । ଅନ୍ୟାନ୍ୟ ଲୋକନୃତ୍ୟ ପରି ଡାଲଖାଇ ଲୋକନୃତ୍ୟକୁ ଗୀତ ଓ ବାଦ୍ୟ ବିନା ଚିନ୍ତା କରାଯାଇପାରିବ ନାହିଁ । ବାଦ୍ୟ ଯନ୍ତ୍ରରେ ସହଯୋଗ କରୁଥିବା ଲୋକକଳାକାରମାନେ ସାଧାରଣତଃ ଗଣ୍ଡା, ଘାସି ଆଦି ତଥାକଥିତ ଅଛୁଆଁ ଜାତିରୁ ଆସିଥାଆନ୍ତି । ଢୋଲ, ନିଶାନ ପ୍ରଭୃତି ବାଦ୍ୟଯନ୍ତ୍ରଗୁଡ଼ିକ ପଶୁଚମଡା ତିଆରି ହେଉଥିବାର ଆଜିବି ନୈଷ୍ଠିକ ବା ପରମ୍ପରାନିଷ୍ଠ ଉଚ୍ଚଜାତିର ଲୋକେ ଅଛୁଆଁ ହୋଇଥିବା ବା ଜାତି ଯିବା ଭୟରେ ଏହି ବାଦ୍ୟଯନ୍ତ୍ରଗୁଡ଼ିକରୁ ଦୂରେଇ ରୁହନ୍ତି । ତେଣୁ ବୋଧହୁଏ ଅଛୁଆଁ ଓ ନିମ୍ନଶ୍ରେଣୀର ଲୋକ କଳାକାରମାନେ ଡାଲଖାଇ ସଙ୍ଗୀତର ଓସ୍ତାଦ ରୂପେ ଖ୍ୟାତି ଅର୍ଜ୍ଜନ କରିଥିଲେ । କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ଆକାଶବାଣୀ, ଦୂରଦର୍ଶନ, ବିଭିନ୍ନ ଅଡ଼ିଓ ଭିଡିଓ କ୍ୟାସେଟ୍‌ ତଥା ମଞ୍ଚ ଉପରେ ପରିବେଷଣ କରାଯାଉଥିବା ଡାଲଖାଇରେ ସବର୍ଣ୍ଣ ଜାତିର ଲୋକମାନେ ମଧ୍ୟ ଡାଲଖାଇ ବାଦ୍ୟ ବଜାଉଛନ୍ତି । ଡାଲଖାଇ ଗୀତ ଗାଉଛନ୍ତି ଏବଂ ଡାଲଖାଇ ନୃତ୍ୟ ପରିବେଷଣ କରୁଛନ୍ତି । ସମ୍ଭବତଃ ଟେଲିଭିଜନ, ରେଡ଼ିଓ, ଅଡ଼ିଓ-ଭିଡ଼ିଓ ଓ ସହରାଞ୍ଚଳର ମଞ୍ଚ ସହିତ ଯେଉଁ ପ୍ରତିଷ୍ଠା, ସମ୍ମାନ ଓ ପଇସା ଜଡ଼ି ରହିଛି ସେଥିପାଇଁ ଏହି ପରିବର୍ତ୍ତନ ସ୍ୱାଭାବିକ ମନେହୁଏ । ଅବଶ୍ୟ ଏହାଦ୍ୱାରା ପ୍ରକୃତ ଲୋକକଳାକାର ଉପେକ୍ଷିତ ହୋଇଛି ।

 

ଡାଲଖାଇ ଗୀତ ଗାଇଲାବେଳେ ସାଧାରଣତଃ ନୃତ୍ୟ ପରିବେଷଣ ହୁଏ ନାହିଁ । କେବଳ ଢୁଲିଆ (ଢୋଲ ବଜାଉଥିବା ବାଦ୍ୟକାର) ଗୀତରେ ତାଳ ଦେଇ ମୃଦୁ ସ୍ୱରରେ ଢୋଲ ବଜାଏ । ଗୀତ ଶେଷରେ ଢୋଲ ସାଙ୍ଗକୁ ଅନ୍ୟାନ୍ୟ ବାଦ୍ୟଯନ୍ତ୍ରଗୁଡ଼ିକ ଜୋର୍‌ରେ ବାଜି ଉଠେ । ତା’ ସାଙ୍ଗକୁ ପୁଅ, ଝିଅମାନେ ନାଚିବା ଆରମ୍ଭ କରିଦିଅନ୍ତି । ଡାଲଖାଇ ନୃତ୍ୟର ବୈଚିତ୍ର୍ୟ, ସୁର ଓ ଛନ୍ଦର ବୈଶିଷ୍ଟ୍ୟ ତଥା ଏଥିରେ ବ୍ୟବହୃତ ଢୋଲ, ନିଶାନ, ମୁହୁରୀ, ତାସା ଓ ଟିମ୍‌କିର ମୌଳିକତା, ନୃତ୍ୟଶିଳ୍ପୀମାନଙ୍କର କେଶ ବିନ୍ୟାସ, ବେଶ ପରିପାଟୀ, ପାଦଚାଳନା, ଆଖି, ମୁହଁ, ଅଣ୍ଟା ତଥା ଶରୀରର ଅଙ୍ଗଭଙ୍ଗୀ ଇତ୍ୟାଦି ଯୋଗୁଁ ଡାଲଖାଇ ଏକ ସ୍ୱତନ୍ତ୍ର ଶୈଳୀର କଳାରୂପେ ପ୍ରତିଷ୍ଠିତ । ଗୀତ, ବାଦ୍ୟ ଓ ନୃତ୍ୟର ତ୍ରିବେଣୀ ସମାହାର ଡାଲଖାଇର ସରସତା ଓ ମାଧୁର୍ଯ୍ୟ ଅଟେ । ଆଦିବାସୀ ସମାଜରେ ମନୋରଞ୍ଜନ ସକାଶେ ପୁରାକାଳରୁ ପ୍ରଚଳିତ ଡାଲଖାଇ ଏକ ସୁନ୍ଦର ମାଧ୍ୟମ ବୋଲି କହିବାରେ କୌଣସି ଆପତ୍ତି ନାହିଁ । କିନ୍ତୁ ଅଶ୍ଲୀଳତା, ନାଚଗୀତ, ଅଥବା ଶସ୍ତା ମନୋରଞ୍ଜନର ଉପାଦାନ ପାଇଁ ଡାଲଖାଇ ଗୀତ ଓ ନୃତ୍ୟ ହେୟ, ଅସ୍ୱୀକୃତ, ଉପେକ୍ଷିତ ଓ ସ୍ୱାଙ୍ଗୀକୃତ ହୋଇଛି । ଅଶ୍ଲୀଳ ବା କୁରୁଚି ସମ୍ପନ୍ନ କହି ଏହା ବିରୁଦ୍ଧରେ ଅନେକ ଅପ୍ରୀତିକର ମନ୍ତବ୍ୟ ପ୍ରଚାରିତ ହୋଇଛି । କାରଣ ଡାଲଖାଇର ଉଚିତ ମୂଲ୍ୟାୟନ ହୋଇପାରି ନାହିଁ । କେତୋଟି ଡାଲଖାଇ ଗୀତର ଉଦାହରଣ ଦିଆଗଲା ।

 

(୧)      ଡାଲଖାଇରେ, ଡାଲଖାଇରେ

ଭରନା କରମା ପାହି

ପରଦିନେ ରୁଭଥିମା ଡାଏରଟା ହଲେଇ

ତହୁଁ ବଏଲା ପାନ, କାଏଁଯେ ଘିଚାଟାନ

ଯେନେତାକରି ରୁଇଲେ ହେଲେ ସେଇ ଛମାନଧୀନ

ତହୁଁ ବଏଲା ରାଏଧକା

କାହକେ ନାଇଁ ଦିଅନ ଅଏଧକା

ପଲହା ମାରିଯିମା ବହେନମାନେ ଡାକଦେଉଛେ

ପଧାନ ଘରର ଭଟକା

ପଧାନ ଘରର ଭଟକା କାଏଁ ଡାଲଖାଇରେ ।

(୨)      ଡାଲଖାଇବୋ, ଡାଲଖାଇବୋ

ଆସ ଆସ ଟୁକେଲମାନେ ଯିମା ପତର ତୁଲି

ଭୁଗାଟୁପା ଧରିକରି ବାହାରଲା ଗୁରବାରୀ

ଡାକ ଦିଅଲୋ ଜାନକୀ ଯିମା ଆମେ ଝାଡୀ

ଜାନକି ଗଲା ଦଉଡ଼ି

କାଁ ହେଲୁ ଲୋ ଶକୁନ୍ତଳା ପଡ଼ିଛୁ ମୁହଁମାଡ଼ି,

କାହିଁ ଗଲା ସେ ନୁରା

ଯିମା ପରେ ଜଲଦି ଆସି ଚାପି ଆଉଛେ ଖରା

ତହୁଁ ବଏଲା ଭୀମା, ଧାଙ୍ଗରୀ ଧାଙ୍ଗରୀ ଯିମା

ବୁଢ଼ୀ ଶୁଢ଼ୀ ଗଲେ ସଥେ ଧରାପଡ଼ିଯିମା

ସାଙ୍ଗ ସାଙ୍ଗ ହେଇଗଲେ

କିଏ ତୁଲଲା ଢଙ୍ଗର ଉପରେ କିଏ ତୁଲଲା ତଲେ

କିଏ କରିଛେ ଭୁଗ ଭରନା କିଏ କରିଛେ ଭିଜା

କିଏ ବଏଲା ଆଈଗୋ, କିଏ ବଏଲା ବାଈ

ବାସିଥିରେଁ ନୁନ ମିରଚା ଦେଇଥିବୁ ଭୂରେଇ

କାହିଁ ଗଲା ସେ କେଁଟି

ଆର ତା’ର ଘଏତା ମାର ମାରିଛେ ମୁହଁ ଯାଇଛେ ଫାଟି

ମୁହଁ ଯାଇଛେ ଫାଟି କାଏଁ ଡାଲଖାଇବୋ ।

 

(୩)      ଡାଲଖାଇରେ, ଡାଲଖାଇରେ

ଦଶରା ମାସରେ ବାଜିଲା ଢୋଲ

ହରି ବୋଲ ବୋଲ ଗୋବିନ୍ଦ ବୋଲ

କଲିକତା ନେ ହାବଡ଼ା ପୋଲ

ବଙ୍ଗାଳି ଫେସନ ସିନେମା ଖେଲ

ଏକା ପେଟ ଲାଗିକିରେ ଭଡ଼ିଆ

ରେକ୍‌ସା ଠେଲକି ଡାଲଖାଇରେ ।

 

ଏହା ସତ ଯେ ଆଦିବାସୀ ତଥା ଗ୍ରାମାଞ୍ଚଳରେ ପରିବେଷିତ ହେଉଥିବା ଡାଲଖାଇରେ ଅଶ୍ଲୀଳ ଗୀତ ସ୍ୱାଭାବିକ ଭାବରେ ଗାନ କରାଯାଏ । ଡାଲଖାଇ ଏକ ଆଦିବାସୀ ନୃତ୍ୟ ହୋଇଥିବାରୁ ଏଥିରେ ତଥାକଥିତ ଡାଲଖାଇ ରହିବା ସ୍ୱାଭାବିକ ବୋଲି ଶୁଣିବାକୁ ମିଳେ । ଡାଲଖାଇ ସମ୍ପର୍କରେ ଜାଣିବାକୁ ହେଲେ ଏଠାର ଲୋକ ତଥା ଆଦିାବସୀ ଜୀବନର ଅନ୍ତଃସ୍ଥଳକୁ ପ୍ରବେଶ କରିବାକୁ ହେବ, ତେବେ ଯାଇ ଡାଲଖାଇର ଯଥାର୍ଥ ବିଶ୍ଲେଷଣ ହୋଇ ପାରିବ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଯାହାକୁ ତଥାକଥିତ ସଭ୍ୟ ସମାଜର ମୁଖ୍ୟ ସ୍ରୋତରେ ଥିବା ଜନ ସମାଜ ଅଶ୍ଲୀଳ ଆଖ୍ୟା ଦିଅନ୍ତି ତାହା ଆଦିବାସୀଙ୍କ ଦୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ନୁହେଁ, କାରଣ ତାହା ସେମାନଙ୍କ ସାମାଜିକ ଚଳଣୀ ଓ ରୁଚି । ଦ୍ୱିତୀୟତଃ ଆଦିବାସୀ ସମାଜରେ ମଦର ବ୍ୟବହାର ପରମ୍ପରାଗତ ଅଟେ । ଜନ୍ମ, ମୃତ୍ୟୁ, ବିବାହ, ପର୍ବପର୍ବାଣି, ନୃତ୍ୟ, ଗୀତ ଆଦି ବିଭିନ୍ନ ଆସରରେ ମୁଖ୍ୟ ମୁଖ୍ୟ ନିଷ୍ପତ୍ତି ଶେଷରେ, ଅତିଥି ଆଭ୍ୟର୍ଥନାରେ ମଦର ବହୁଳ ବ୍ୟବହାର ହୋଇଥାଏ । ଦେଶୀ ବା ମହୁଲି ମଦ ଯଥା ଲନ୍ଦା, ହାଣ୍ଡିଆ, ସଲପ, କୁସୁନା ଆଦି ବିଶେଷ ଭାବେ ବ୍ୟବହୃତ ହୁଏ । କେତେଜଣ ବିଚାର କରନ୍ତି ଯେ ଉପରୋକ୍ତ ଅବସରରେ ଯେହେତୁ ଆମୋଦ ପ୍ରମୋଦ ରୂପ କୌଣସି ଉଚିତ ଖାଦ୍ୟ ମିଳେ ନାହିଁ ତେଣୁ ଦେଶୀ ମଦର ବ୍ୟବହାର ପାଇଁ ସାମାଜିକ ସ୍ୱୀକୃତି ମିଳିଛି । ଏହି ଦୃଷ୍ଟିକୋଣରୁ ଡାଲଖାଇ ପୂଜା ପରେ ଲୋକେ ମଦ୍ୟପାନ କରିବା ମଧ୍ୟ ସ୍ୱାଭାବିକ ସ୍ୱୀକୃତ ଅଟେ । ଅବଶ୍ୟ ଅତ୍ୟଧିକ ମାତ୍ରାରେ ମଦ୍ୟପାନ କରିବା ଯୋଗୁଁ ମଣିଷ ହିତାହିତଜ୍ଞାନ ଶୂନ୍ୟ ହୁଏ ଏବଂ ଏମିତି ପରିସ୍ଥିତିରେ ଅଶ୍ଲୀଳ ଗୀତ ବାହାରିବା ସ୍ୱାଭାବିକ ମନେ ହୁଏ ।

 

ଡାଲଖାଇ ଗୀତରେ ନିଚ୍ଛକ ଅଶ୍ଲୀଳ ଶବ୍ଦମାନ ପ୍ରୟୋଗ କରାଯିବାର ଆଉ ଗୋଟିଏ କାରଣ ହେଲା ଯେ ଲୋକ କଳାକାର ନିଜ ଭାବକୁ ସିଧା ଓ ସରଳ ଭାଷାରେ ପରିପ୍ରକାଶ କରେ । ଏଥିରୁ ଡାଲଖାଇ ଗୀତରେ ଶୃଙ୍ଗାର ପ୍ରିୟତାର ଆବେଦନ ମଧ୍ୟ ସ୍ପଷ୍ଟ ଜଣାପଡ଼େ । ସାଧାରଣ ଲୋକ ଜୀବନରେ ପ୍ରେମ, ପ୍ରଣୟ, ବିରହକୁ ଡାଲଖାଇ ଗୀତ ଅତି ସୁନ୍ଦର ଭାବରେ ଚିତ୍ରଣ କରେ । ଏହି ଗୀତଗୁଡ଼ିକ ଗ୍ରାମଭିତ୍ତିକ ଏବଂ ଏଥିରେ ପଲ୍ଲୀ ଜୀବନ ପରିସ୍ଫୁଟ ହୋଇଥାଏ । ପ୍ରେମ ଉଲ୍ଲାସର ମଧୁର ପ୍ରକାଶ ଡାଲଖାଇ ଗୀତରେ ଆଦିବାସୀ ଯୁବକ ଓ ଯୁବତୀର ଅକୁହା ଭାବ ପ୍ରକଟିତ ହେବା ସାଙ୍ଗକୁ ଆନନ୍ଦ ଓ ଉଲ୍ଲାସରେ ତା’ର ମନ ପୂରିଉଠେ । ସମୟ ସମୟରେ ସମବୟସ୍କ ଯୁବକ, ଯୁବତୀ ଓ ନିଜ ନିଜ ପ୍ରେମର ପରାକାଷ୍ଠା ପ୍ରତିପାଦନ କରିବାକୁ ଯାଇ ନିଃସଙ୍କୋଚରେ ପ୍ରତିଯୋଗିତାମୂଳକ ଡାଲଖାଇ ନୃତ୍ୟ ଓ ଗୀତରେ ଭାଗ ନିଅନ୍ତି । ତେଣୁ ସେମାନଙ୍କ ମାନସିକ ଉନ୍ମେଷ ଘଟାଇବା ଡାଲଖାଇ ଗୀତର ଉଦ୍ଦେଶ୍ୟ ବୋଲି କେତେଜଣ କୁହନ୍ତି-। ଶୃଙ୍ଗାର ରସ ଅଶଶ୍ରିତ ଡାଲଖାଇ ଗୀତଗୁଡ଼ିକ ନୃତ୍ୟ ଓ ବାଦ୍ୟ ଆଶ୍ରୟୀ ଅଟେ । ଏଥିରେ କେବଳ ଆଦିରସ ବା ଅଶ୍ଲୀଳତା ପ୍ରକାଶ ପାଏ ତାହା ନୁହେଁ; ପୁରାଣ, ଜନଶ୍ରୁତି, କିମ୍ବଦନ୍ତୀ, ଧର୍ମଶାସ୍ତ୍ର ଆଦିରୁ ବିଭିନ୍ନ ଘଟଣା ଚୟନ କରି ସେଥିରେ ସମସାମୟିକ ଲୋକ ଜୀବନର ବାସ୍ତବ ଚିତ୍ରକୁ ସଂଯୁକ୍ତ କରି ଡାଲଖାଇ ଗୀତ ଓ ନୃତ୍ୟରେ ପରିବେଷଣ କରାଯାଏ । ଡାଲଖାଇ ଗୀତଗୁଡ଼ିକ କୌଣସି ପ୍ରକାରେ ଜୀବନବୋଧଠୁ ବିଚ୍ଛିନ୍ନ ହୋଇ ରହିନାହିଁ । ଅନେକ ଡାଲଖାଇ ଗୀତରେ ଡାଲଖାଇ ଦେବୀଙ୍କ ମହିମା ବର୍ଣ୍ଣିତ ହୋଇଥାଏ ।

 

ଏକଦା କେତେକ ନିର୍ଦ୍ଦିଷ୍ଟ ଜାତି ବା ଗୋଷ୍ଠୀର ସ୍ତ୍ରୀ-ପୁରୁଷମାନେ ପର୍ବପର୍ବାଣି ପାଳନ କିମ୍ବା ନିଜର ମନୋରଞ୍ଜନ ସକାଶେ ଡାଲଖାଇ ନୃତ୍ୟ, ଗୀତରେ ଅଂଶଗ୍ରହଣ କରୁଥିଲେ । ବାହାରର ଲୋକ ବିଶେଷ କରି ସହରାଞ୍ଚଳରୁ କେହି ସେହି ଅନୁଷ୍ଠାନକୁ ଆସିଲେ ସେମାନେ କୁଣ୍ଠାବୋଧ ଓ ସଙ୍କୋଚବୋଧ କରୁଥିଲେ । ଏହାଛଡ଼ା ସହରାଞ୍ଚଳରେ ଅଣଆଦିବାସୀ ତଥା ସବର୍ଣ୍ଣ ଲୋକେ ଏହାକୁ ଅଶ୍ଲୀଳ ଓ ଅସଭ୍ୟତାର ପରିଧି ଭିତରେ ଜଳେଇ ରଖିଥିଲେ । କାରଣ ଡାଲଖାଇ ଓଷାବ୍ରତର ଧାର୍ମିକ ଧାରାପ୍ରତି ସେମାନେ ଆଦୌ ଅବହିତ ନଥିଲେ । ସ୍ଥାନୀୟ ପରମ୍ପରାର ସ୍ଥାନୀୟ ଯଥାର୍ଥତାକୁ ଉପଲବ୍ଧି କରି ନପାରି ଡାଲଖାଇକୁ ଅଶ୍ଲୀଳ ବୋଲି କହିବା ଅବଶ୍ୟ ଯୁକ୍ତିସଙ୍ଗତ ମନେହୁଏ ନାହିଁ । ସମ୍ପ୍ରତି ପରିବର୍ତ୍ତିତ ପରିସ୍ଥିତିରେ ଡାଲଖାଇ ନୃତ୍ୟ, ଗୀତ ଓ ସଙ୍ଗୀତ ଗ୍ରାମାଞ୍ଚଳରେ ଅଥବା ଆଦିବାସୀଙ୍କ ମଧ୍ୟରେ ସୀମିତ ହୋଇ ରହିନାହିଁ । ତଥାକଥିତ ଉଚ୍ଚବର୍ଗ ଆପଣା ଆବଶ୍ୟକତା ଓ ଆଭିମୁଖ୍ୟରୁ ଏହାକୁ ଗ୍ରହଣ କରିନେଇଛି । ଏହା ଓଡ଼ିଆ ଲୋକ ପରମ୍ପରାରେ ପରିଚାୟକ ଅଟେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏବଂ ରେଡ଼ିଓ, ଦୂରଦର୍ଶନ, ଗ୍ରାମୋଫୋନ ରେକର୍ଡ, କ୍ୟାସେଟ୍‌, ଓଡ଼ିଆ ସିନେମା ପ୍ରଭୃତିରେ ଡାଲଖାଇ ଗୀତ ପରିବେଷଣ ହେବା ଦ୍ୱାରା ଅଧିକ ମାତ୍ରାରେ ଅଣଆଦିବାସୀ ତଥା ସବର୍ଣ୍ଣ ଲୋକଙ୍କର ଆସ୍ଥାଭାଜନ ହେବା ସାଙ୍ଗକୁ ଲୋକପ୍ରିୟ ଓ ପ୍ରଶଂସିତ ହୋଇପାରିଛି । ସାଧାରଣତନ୍ତ୍ର ଦିବସ, ସ୍ୱାଧୀନତା ଦିବସ, ଉତ୍କଳ ଦିବସ, ଅନ୍ତର୍ଜାତିକ ବାଣିଜ୍ୟମେଳା, ପୁସ୍ତକମେଳା ପ୍ରଭୃତି ଅବସରରେ କଳାକାରମାନେ ଓଡ଼ିଶା ବାହାରକୁ ଯାଇ ଡାଲଖାଇ ଗୀତ, ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଛନ୍ତି । ଋଷିଆ, ଜାପାନ ଆଦି ବିଦେଶକୁ ଯାଇ ବିଭିନ୍ନ ଭାରତ ଉତ୍ସବରେ ଡାଲଖାଇ ନୃତ୍ୟ, ଗୀତ ଓ ସଙ୍ଗୀତ ପରିବେଷିତ ହୋଇଛି ।

 

ପ୍ରାସଙ୍ଗିକ କ୍ରମେ ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଉପରୋକ୍ତ କ୍ଷେତ୍ରରେ ପରିବେଷଣ କରାଯାଉଥିବା ଡାଲଖାଇ ନୃତ୍ୟ, ଗୀତ ଓ ସଙ୍ଗୀତରେ ପ୍ରାୟତଃ ସହରାଞ୍ଚଳର ଉଚ୍ଚ ଶ୍ରେଣୀ/ବର୍ଗ/ଜାତିର ନାଁ କରା କଳାକାରମାନେ ଭାଗ ନେଇଥାନ୍ତି । ଏହି ବିଷୟରେ ପୂର୍ବରୁ ଆମ୍ଭେ ଆଲୋଚନା କରିସାରିଛୁ । ସାମ୍ପ୍ରତିକ କାଳରେ ଡାଲଖାଇ ତା’ର ପରମ୍ପରା ଓ ଐତିହ୍ୟ ସହିତ ସମ୍ପର୍କ ରକ୍ଷା କରିବା ସାଙ୍ଗକୁ ଦୂରଦର୍ଶନ, ଆକାଶବାଣୀ ତଥା ମଞ୍ଚ ଉପରେ ବେଞ୍ଜୋ, ଗୀଟାର, ତବଲା, ଏକଡ଼ିଏନ ଆଦି ଅନ୍ୟାନ୍ୟ ଆଧୁନିକ ଓ ବିଦେଶୀ ବାଦ୍ୟଯନ୍ତ୍ରର ମଧ୍ୟ ସହାୟତା ନେଇ ଚିତ୍ତାକର୍ଷକ କରିଛି । କେବଳ ଡାଲଖାଇ ନୁହେଁ, ଭାରତର ବିଭିନ୍ନ ପ୍ରାନ୍ତରେ ପ୍ରଚଳିତ ଅନ୍ୟାନ୍ୟ ଲୋକଧାରାର ଏକ ଉଲ୍ଲେଖନୀୟ ବୈଶିଷ୍ଟ୍ୟ ରୂପେ ସାମ୍ପ୍ରତିକ ଯୁଗରେ ଏହି ସମନ୍ୱୟ ସ୍ୱୀକୃତି ଲାଭ କରିଛି । ଏହି ସମନ୍ୱୟ ଡାଲଖାଇ ସୃଷ୍ଟିର ପ୍ରୟୋଗାତ୍ମକ କ୍ଷେତ୍ରରେ ସୀମାବଦ୍ଧ ହୋଇ ରହିନାହିଁ । ଏହି ସଫଳ ପ୍ରୟୋଗ ଦ୍ୱାରା ଡାଲଖାଇ ନୃତ୍ୟ ଓ ଗୀତକୁ ନେଇ ଆଦିବାସୀ ଓ ଅଣଆଦିବାସୀଙ୍କ ଭିତରେ ଥିବା ବ୍ୟବଧାନ ମଧ୍ୟ କ୍ରମେ ଅପସରି ଯାଉଛି । ଅବଶ୍ୟ ଆଦିବାସୀ ଲୋକ କଳାକାର ଉପେକ୍ଷିତ ହୋଇଛି । ଲୋକ କଳାକାର କେବେହେଲେ ଯଶ ଖୋଜେ ନାହିଁ । ସେ ମୂଲ ଲାଗେ, ମାଟି ଖୋଳେ, ପଥର ହାଣେ ଓ ସମୟ ପାଇଲେ ଗୀତ ଗାଏ, ନାଚେ, ଢୋଲ ବଜାଏ । ପ୍ରକୃତି କୋଳରେ ମନଭରି ଗାଇବା, ନାଚିବା, ବଜେଇବା ତା’ର ପେଶା ନୁହେଁ, ତା’ର ନିଶା । ସେ ସମ୍ମାନ କିମ୍ବା ପ୍ରତିଷ୍ଠା ଚାହିଁ ନାହିଁ । ସେଥିପାଇଁ ବୋଧହୁଏ ତା’ର ଗୀତ, ନୃତ୍ୟ ଓ ସଙ୍ଗୀତ ଜୀବନ୍ତ ଲାଗେ, ଶରୀରରେ ଆନନ୍ଦ ଓ ଉନ୍ମାଦନା ଭରିଦିଏ, ଶିହରଣ ଆଣିଦିଏ ।

 

ଉପରୋକ୍ତ ଆଲୋଚନାରୁ ମୋଟାମୋଟି ଭାବେ କୁହାଯାଇ ପାରେ ଯେ ଓଡ଼ିଶାର ପଶ୍ଚିମାଞ୍ଚଳ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥିଲା ଏବଂ ଅଛି । ସମୟାନୁକ୍ରମେ ଅଣ ଆଦିବାସୀ ଲୋକେ ଆସି ଏଠାରେ ବସତି ସ୍ଥାପନ କରିଛନ୍ତି । ଆଦିବାସୀ ଓ ଅଣ ଆଦିବାସୀଙ୍କ ମଧ୍ୟରେ ସାମାଜିକ ସହାବସ୍ଥାନ ଘଟଣା ଏବରୁ ନୁହେଁ । ପୂର୍ବେ ଏହି ଆଦିବାସୀ ଅଞ୍ଚଳରେ ସବର୍ଣ୍ଣର ରାଜନୈତିକ, ଧର୍ମ ଓ ସଂସ୍କୃତିର ସ୍ଥିତି ଥିଲା ଅତ୍ୟନ୍ତ ଦୁର୍ବଳ । ଅନେକ କ୍ଷେତ୍ରରେ ରାଜନୈତିକ ପୃଷ୍ଠପୋଷକତା ଲାଭ କରିଥିଲେ ମଧ୍ୟ ଏହାର ପ୍ରସାର ସେତେ ସହଜସାଧ୍ୟ ନଥିଲା । ପୁନଶ୍ଚ ସବର୍ଣ୍ଣ ଲୋକେ ଆଦିବାସୀର ସଂସ୍କୃତି ଓ ଧର୍ମକୁ ଶ୍ରଦ୍ଧା ଓ ସହାନୁଭୂତିର ସହି ଦେଖୁନଥିଲେ । ଆଦିବାସୀଙ୍କ ସହିତ ସବର୍ଣ୍ଣର ଗୋଟିଏ ଉପର ଠାଉରିଆ ମିଳାମିଶା ହେଲେ ଚଳିବ ନାହିଁ ବୋଲି ସାମାଜିକ ସ୍ତରରେ ମଧ୍ୟ ହୃଦୟଙ୍ଗମ କରାଯାଉଥିଲା । ସେତେବେଳେ ଓଡ଼ିଶାର ଗଡ଼ଜାତ ଅଞ୍ଚଳଗୁଡ଼ିକ ଛୋଟ ଛୋଟ ରାଜା, ଜମିଦାର ଓ ଗଉଁତିଆମାନଙ୍କ ଦ୍ୱାରା ଶାସିତ ହେଉଥିଲା । ଏହି କ୍ଷୁଦ୍ର କ୍ଷୁଦ୍ର ଶାସକମାନଙ୍କ ଦ୍ୱାରା ଲୋକପୀଠ ଓ ଲୋକ ସଂସ୍କୃତିର ପ୍ରଚାର, ପ୍ରସାର ତଥା ରକ୍ଷଣାବେକ୍ଷଣ ହେଉଥିଲା ଓ ସେମାନେ ଏଦିଗରେ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରୁଥିଲେ । ଏହିପରି ଭାବରେ ବିଭିନ୍ନ ସ୍ଥାନରେ ଆଦିବାସୀ ଦେବଦେବୀଙ୍କୁ ମଧ୍ୟ ପୃଷ୍ଠପୋଷକତା ମିଳିଥିଲା ଏବଂ କାଳକ୍ରମେ ସେମାନଙ୍କୁ ହିନ୍ଦୁ ଦେବଦେବୀଙ୍କ ସହିତ ଯୋଗ କରାଗଲା । ଅନେକ ଆଦିବାସୀ ଦେବତାଙ୍କୁ ଗ୍ରାମମାନଙ୍କରେ ସବର୍ଣ୍ଣର ଦେବତା ଭାବେ ପୂଜା କରାଗଲା । ଏହା ଦ୍ୱାରା ଆଦିବାସୀର ଧାର୍ମିକ ସଂସ୍କୃତିରେ ମଧ୍ୟ ଏକ ସ୍ୱତନ୍ତ୍ର ଜୀବନ ସଞ୍ଚାର ହୋଇଥିଲା । ଧର୍ମର ଏକତ୍ରୀରଣ ହେତୁ ଏଠାର ରାଜନୀତି କ୍ଷେତ୍ରରେ ମଧ୍ୟ ଏକତା ସୃଷ୍ଟି ହେଲା । ତେଣୁ ଏଠାରେ ସ୍ପଷ୍ଟ ରୂପେ କୁହାଯାଇପାରେ ଯେ ବିଭିନ୍ନ ରାଜ୍ୟ ଶାସନ ସମୟରେ ଉଭୟ ଆଦିବାସୀ ଓ ଅଣଆଦିବାସୀ ଧର୍ମର ଯତ୍ନ ନିଆଯାଇଥିଲା । ସେମାନେ ସ୍ୱୀୟ ଜାତି ତଥା ଗୋଷ୍ଠୀର ରୀତି, ନୀତି, ବ୍ରତ, ଉପବାସ, ପୂଜାବିଧିକୁ ରକ୍ଷାକରି ଆସିଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଦୀର୍ଘକାଳ ନିରବଚ୍ଛିନ୍ନ ସହାବସ୍ଥାନର ଫଳ ସ୍ୱରୂପ ଉଭୟେ ଉଭୟଙ୍କୁ ଆକୃଷ୍ଟ ତଥା ପ୍ରଭାବିତ କରିଥିଲେ ଏବଂ ସେମାନଙ୍କ ମଧ୍ୟରେ ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ତଥା ଧାର୍ମିକ ପ୍ରତ୍ୟେକ କ୍ଷେତ୍ରରେ ଆଦାନ-ପ୍ରଦାନ ସ୍ୱାଭାବିକ ଭାବେ ଘଟିଛି । ଉଭୟେ ଉଭୟଙ୍କର ଜୀବନ ଶୈଳୀ ଓ ଚିନ୍ତାଧାରାକୁ ନେଇ ପରିବର୍ଦ୍ଧିତ ଓ ପରିପୁଷ୍ଟ ହୋଇଛନ୍ତି ।

 

ସାମାଜିକ ସାଂସ୍କୃତିକ; ଧାର୍ମିକ ତଥା ରାଜନୈତିକ ସ୍ତରରେ ଏହି ଯେଉଁ ପରିବର୍ତ୍ତନ ଦେଖାଦେଲା, ଏହି କ୍ରିୟା ଏବର ବୋଲି କୁହାଯାଇପାରିବ ନାହିଁ । ସାଧାରଣ ଗ୍ରହଣ, ପରସଂସ୍କୃତି ଗ୍ରହଣ, ସାତ୍ମୀକରଣ ଆଦି ବିଭିନ୍ନ ସାଂସ୍କୃତିକ ତଥା ସାମାଜିକ ପ୍ରକ୍ରିୟା ଦ୍ୱାରା ଏହି ସମନ୍ୱୟ ସମ୍ଭବପର ହୋଇଛି । ଏହି ପ୍ରକ୍ରିୟାର ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ କରିବା ସେତେ ସହଜ ମଧ୍ୟ ନୁହେଁ-। ସେ ଯାହାହେଉ ଗୋଟିଏ କଥା ପ୍ରତିପାଦିତ ହୁଏ ଯେ ଆଦିବାସୀ ଓ ଅଣଆଦିବାସୀ ଧର୍ମଧାରଣାର ସମନ୍ୱୟରେ ଓଡ଼ିଶାର ମାତୃପୂଜା ବିଭିନ୍ନ ରୂପରେ ପ୍ରତିଫଳିତ ହୋଇଛି । ତେଣୁ ସ୍ପଷ୍ଟ ଜଣାପଡ଼େ ଯେ ନିରବଚ୍ଛିନ୍ନ ଏବଂ ପରିବର୍ତ୍ତନ ପ୍ରତ୍ୟେକ ମାନବ ସମାଜର ଲକ୍ଷଣ ଏବଂ ଏହା ଆଦିବାସୀ ସମାଜରେ ମଧ୍ୟ ଦେଖା ଦେଇଛି । ଆଦିବାସୀ ଓ ଅଣଆଦିବାସୀ ସମାଜରେ ପରିବର୍ତ୍ତନର ଗତିହାର ସମାନ ନହେଲେ ବି ଉଭୟ ସମାଜ ଯେ ପରିବର୍ତ୍ତନଶୀଳ ଏହା ନିଃସନ୍ଦେହରେ କୁହାଯାଇପାରେ । ବର୍ତ୍ତମାନ ସୁଦ୍ଧା ହୋଇଥିବା ଆଲୋଚନାରୁ ଆଉ ଗୋଟିଏ କଥା ପ୍ରତିପାଦିତ ହୁଏ ଯେ ଡାଲଖାଇ ଦେବୀ ହେଉଛନ୍ତି ସମନ୍ୱୟ, ସଂହତି ଓ ଐକ୍ୟଭାବର ପ୍ରତୀକ । ସେ ହେଉଛନ୍ତି ଏକ ସମନ୍ୱତି ରୂପ, ସାର୍ବଜନୀନ ମାତୃଚେତନାର ପ୍ରତିଭୂ ଅଟନ୍ତି । ମାତୃପୂଜା ସଂସ୍କୃତି ଓ ପରମ୍ପରାକୁ କେନ୍ଦ୍ରକରି ସମ୍ବଲପୁର ଅଞ୍ଚଳରେ ଡାଲଖାଇ ପରମ୍ପରା ମହାଭାରତୀୟ ସଭ୍ୟତା ଓ ଦର୍ଶନର ନିର୍ଯ୍ୟାସ ସ୍ୱାକ୍ଷରକୁ ବହନ କରେ । ଶକ୍ତିରୂପିଣୀ ଚିନ୍ତା ଓ ଚେତନାର ପ୍ରତିବିମ୍ବ ସେ । ଏତତ୍‌ ବ୍ୟତୀତ ଡାଲଖାଇ ନୃତ୍ୟ, ଗୀତ ଓ ସଙ୍ଗୀତ ଓଡ଼ିଶାର ଏକ ସ୍ୱତନ୍ତ୍ର ଲୋକଶୈଳୀ ରୂପେ ବିକାଶ ଲାଭ କରି ଜନମାନସରେ ଆଦୃତ ତଥା ପ୍ରଶଂସିତ ହୋଇପାରିଛି । ଡାଲଖାଇ ସ୍ଥାନୀୟ ରୂପ ମହାଭାରତୀୟ ପରମ୍ପରା ସହିତ ସମ୍ପର୍କିତ ଥିଲେ ସୁଦ୍ଧା ଭାରତୀୟତାର ମହାସ୍ରୋତରେ ସଂପୂର୍ଣ୍ଣ ରୂପେ ବିଲୀନ ହୋଇନାହିଁ । ଆଜି ବି ଡାଲଖାଇ ନିଜର ସ୍ୱାତନ୍ତ୍ର୍ୟତାକୁ ଅକ୍ଷୁର୍ଣ୍ଣ ରଖି ଓଡ଼ିଶା ତଥା ଭାରତୀୟ ଲୋକ ସାଂସ୍କୃତିକ ଚେତନାକୁ ରଦ୍ଧିମନ୍ତ କରିଛି-

 

ସହାୟକ ଲେଖା

 

୧.

A. Eschmann “Hinduization of Tribal Deities in Orissa: The Sakta and Saiva Typology.” in A. Eschmann H. Kulke and G.C. Tripathy (eds), (1986). The Cult of Jagannath and The Regional Tradition of Orissa, New Delhi : Manohar, PP21-23

୨.

Chitrasena Pasayat, “Dalkhai: A Ritual Folkdance of Western Orissa; Some aspects of significance of the ceremony.” Folkore vol. 28 (9), 1987, PP 219-22.

୩.

Chitrasen Pasayat, Tribe, Caste and Folk culture, New Delhi/Jaipur : Rawat, 1998

୪.

ଚିତ୍ରସେନ ପଶାୟତ୍‌, “ଡାଲଖାଇ : ଏକ ଅଧ୍ୟୟନ”, ଏଷଣା, ୩୦ଶ ଖଣ୍ଡ-ଜୁନ ୧୯୯୫, ପୃ.- ୧୪୫‌‌-୧୫୭।

୫.

ଶର୍ମିଷ୍ଠା ବାରିକ ଓ ଚିତ୍ରସେନ ପଶାୟତ, “କିମ୍ବଦନ୍ତୀର ସାମୂହିକତା ଓ ବ୍ୟାପକତା”, ଏଷଣା, ୩୬ଶ ଖଣ୍ଡ ଜୁନ୍‌ ୧୯୯୮, ପୃ. ୧୩୭-୧୫୦ ।

୬.

ଶର୍ମିଷ୍ଠା ବାରିକ ଓ ଚିତ୍ରସେନ ପଶାୟତ, “ପଶ୍ଚିମାଞ୍ଚଳର ଡାଲଖାଇ ”, କ୍ରାନ୍ତିଧାରା, ଶାରଦୀୟ ବିଶେଷାଙ୍କ - ୧୯୯୮, ପୃ. ୧୮୪-୧୯୨ ।

୭.

କୁମାର ହସନ, ସମ୍ବଲପୁରୀ ଲୋକସାହିତ୍ୟ, କଟକ : ଜେ. କେ. ମିଶ୍ର ଏଣ୍ଡ କୋ. ୧୯୮୩, ପୃ. ୧୩୧-୧୪୩ ।

୮.

ଶ୍ୟାମସୁନ୍ଦର ଧର, “ପଶ୍ଚିମ ଓଡ଼ିଶାର ଲୋକ ଗୀତରେ କୃଷକ”, ଓଡ଼ିଶା ଲୋକନୃତ୍ୟ ଓ ସଙ୍ଗୀତ ମହୋତ୍ସବ୯୮ ସମ୍ବଲପୁର, ସ୍ମରଣିକା ।

 

 

 

ମାର୍ଫତ : ଶ୍ରୀ ଦୁର୍ଯ୍ୟୋଧନ ବାରିକ

ଡାଇରେକ୍ଟର , ପବ୍ଳିକ ପ୍ରୋସିକ୍ୟୁସନ,

ଭୁବନେଶ୍ୱର

 

***

 

ଓଡ଼ିଆ ଫାର୍ସ ବିବର୍ତ୍ତନ : ଭୂମି ଓ ଭୂମିକା

ଡକ୍ଟର ଲଳିତ ରଞ୍ଜନ ଦାସ

 

ମାନବୀୟ ଜୀବନର ଗମ୍ଭୀର, ଆଦର୍ଶ ଏବଂ ଉଦାର ତତ୍ତ୍ୱ ସମୂହର ବାସ୍ତବ ପ୍ରତିଫଳନ ହୁଏ ଦୁଃଖରେ ଓ ଜୀବନର ଅସଙ୍ଗତିଗୁଡ଼ିକର ହାସ୍ୟାସ୍ପଦ ଚିତ୍ରଣ ସୁଖରେ । ନାଟ୍ୟକାର ସମାଜ ଅଥବା ବ୍ୟକ୍ତିର ଦୋଷ-ତ୍ରୁଟି, ଅବିଧି ଏବଂ ବିକୃତି ଆଦି ପରିହାସ ମାଧ୍ୟମରେ ପ୍ରକାଶ କରିଥାଏ । ବିନୋଦ, ବ୍ୟଙ୍ଗ, ପରିହାସ ଅଥବା ବକ୍ରୋକ୍ତି, ବାକ୍‌ଛଳ ଆଦି ହାସ୍ୟର ବିଭିନ୍ନ ବିଭବର ନୈତିକ ମୂଲ୍ୟ ଉଦ୍‌ଘାଟନ ସୁଖାନ୍ତ ପ୍ରହସନର ଉଦ୍ଦେଶ୍ୟ । ବେଳେବେଳେ ନିଛକ ହାସ୍ୟ ସୃଷ୍ଟିର ଲକ୍ଷ୍ୟ ନେଇ ପ୍ରହସନ ବି ସୃଷ୍ଟି ହୁଏ । ସାମାଜିକ କୁ-ପ୍ରଥା ଓ କୁ-ଆଚରଣ ସମ୍ପର୍କରେ ବ୍ୟଙ୍ଗ ପ୍ରକାଶନ ହିଁ ସାହିତ୍ୟର ଅନନ୍ୟ ଧର୍ମ । ସମାଜରେ ଯେକୌଣସି ଅବସ୍ଥାରେ ଅଥବା ସମୟର ପ୍ରଚଳିତ ଧାରାରେ ବ୍ୟତିକ୍ରମ ଦେଖାଯିବା ସମ୍ଭବ । ଏହି ବ୍ୟତିକ୍ରମ ହିଁ ହାସ୍ୟ ସୃଷ୍ଟିର କାରକ । ଜୀବନ ଧାରାରେ ମଧ୍ୟ ଏପରି ବ୍ୟତିକ୍ରମ ଅସମ୍ଭବ ନୁହେଁ । ତେଣୁ ସମାଜ ଓ ଜୀବନର ଅସଙ୍ଗତିକୁ ବ୍ୟକ୍ତ କରିବାର ଏକ ମାଧ୍ୟମ ହେଉଛି ପ୍ରହସନ । ବହୁ ପ୍ରାଚୀନ କାଳରୁ ଆଜିସୁଦ୍ଧା ଏହି ଧାରା ବିଶ୍ୱରେ ସର୍ବତ୍ର ଉପଲବ୍ଧ । କେବେ ଭାରତୀୟ ବା ପ୍ରାନ୍ତୀୟ ଧାରା ଭୁକ୍ତକରି ପ୍ରହସନର ବିସ୍ତୃତିକୁ ସଙ୍କୁଚିତ କରାଯାଇନପାରେ ।

 

ପଶୁପକ୍ଷୀମାନଙ୍କ ଚର୍ମ, ପୁଚ୍ଛ, ଶିଙ୍ଗ, ଦନ୍ତାଦି ଦ୍ୱାରା ବିଭୂଷିତ ହୋଇ ବିଭିନ୍ନ ଅଶ୍ଳୀଳ ଓ ଅସଙ୍ଗତ ମୁଖଭଙ୍ଗୀ ବା ମୁଦ୍ରାରେ ନିମ୍ନମାନର ବକ୍ତବ୍ୟ ଉପସ୍ଥାପନା କଲାବେଳେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୁଏନାହିଁ । ବରଂ ଧାର୍ମିକ ସମ୍ପ୍ରଦାୟର ବୈଷମ୍ୟ ଏହି ଧାରାଟିକୁ ଅଧିକ ପରିପୁଷ୍ଟ କରିଛି । ଭିକ୍ଷୁକ, ବିଦୂଷକ, ବ୍ରାହ୍ମଣ, ଗୁରୁ-ଶିଷ୍ୟ, ଧୋବା-ଧୋବନୀ, ହାଡ଼ି-ହାଡ଼ିଆଣୀ, ବାବାଜୀ-ମାତାଜୀ ଆଦି ଚରିତ୍ର ସାହଚର୍ଯ୍ୟରେ ସମାଜରେ ନିରନ୍ତର ଦେଖାଦେଉଥିବା ଧାର୍ମିକ ଅସଙ୍ଗତି, ଅନୈତିକତା, ମିଥ୍ୟାଚାର ସର୍ବୋପରି କୁସଂସ୍କାରାଦିର ବାହ୍ୟିକ ପରିପ୍ରକାଶ ଘଟେ ବ୍ୟଙ୍ଗ ମାଧ୍ୟମରେ । ସୁତରାଂ ପ୍ରହସନ ଏକ ସ୍ୱତନ୍ତ୍ର ନାଟ୍ୟଶୈଳୀ ରୂପେ ସ୍ୱୀକୃତ ।

 

ପ୍ରାଚୀନ ଭାରତର ଦଶରୂପକ ମଧ୍ୟରୁ ପ୍ରହସନ ଗୋଟିଏ । ଏହାର ଅଙ୍ଗୀରସ ହାସ୍ୟ । ଏଥିରେ ହାସ୍ୟର ଷଡ଼ବିଧ ପ୍ରକାର ଭେଦ ବ୍ୟବହାର ହେବା ବିଧେୟ । (ଦଶରୂପକ ପୃ.୧୭୬) । ଭାଗ ସମାନ ସନ୍ଧି, ସନ୍ଧ୍ୟଙ୍ଗ, ହାସ୍ୟାଙ୍ଗ ଏବଂ ଅଙ୍କ ଦ୍ୱାରା ସମ୍ପାଦିତ ନିନ୍ଦନୀୟ ପୁରୁଷର କବି-କଳ୍ପିତ ବୃତ୍ତାନ୍ତକୁ ପ୍ରହସନ ବୋଲି ଅଭିବ୍ୟକ୍ତି କରାଯାଇଛି । ଏଥିରେ ଆରଭଟୀ ବୃତ୍ତି ନଥାଏ । ପ୍ରହସନ ‘ବିଷ୍ଟମ୍ଭକ’ ଓ ‘ପ୍ରବେଶକ’ ରହିତ । ପ୍ରହସନରେ ଏକମାତ୍ର ଅଙ୍କର ଯୋଜନା କରାଯାଇଥାଏ । (ଶାଳଗ୍ରାମ ଶାସ୍ତ୍ରୀକୃତ ସାହିତ୍ୟ ଦର୍ପଣ, ପୃ.- ୨୨୦) । ପାଷାଣ୍ଡି, କାମୁକ, ଧୂର୍ତ୍ତ ଆଦି ପାତ୍ରଙ୍କ ସାହଚର୍ଯ୍ୟ ଯୋଗୁ ପ୍ରହସନରେ ହାସ୍ୟରସ ପରିବେଷିତ ହୁଏ । ଏହା ଅନେକ ଅବସ୍ଥା ଦ୍ୱାରା ପରିବ୍ୟାପ୍ତ । କେବଳ ମାତ୍ର ବିଟ (ଖଳ ନାୟକର ସହଯୋଗୀ ଚରିତ୍ର) ଯିଏ ପୁଣି ନିପୁଣ ଓ ପଣ୍ଡିତ ଭାବରେ ଖ୍ୟାତି ଲାଭ କରିଥାନ୍ତି; ତାଙ୍କରି ଆବିର୍ଭାବ ପ୍ରହସନକୁ ରସୋଚ୍ଛଳ କରେ । ପ୍ରହସନ ବୀର ଓ ଶୃଙ୍ଗାର ରସଯୁକ୍ତ କଥାକଳ୍ପିତ ଅଭିନୟ । କଳ୍ପିତ ବସ୍ତୁ ଭିତରେ ମୁଖ ତଥା ନିର୍ବହଣ ସନ୍ଧିଥାଏ । ବୃତ୍ତିପ୍ରାୟତଃ ଭାରତୀ । ଏଥିରେ ଦଶଗୋଟି ହାସ୍ୟାଙ୍ଗ ପରିଲକ୍ଷିତ ହୁଏ । (ଶାଳଗ୍ରାମ ଶାସ୍ତ୍ରୀକୃତ ସାହିତ୍ୟ ଦର୍ପଣ, ପୃ.-୨୧୫) ‘ରସାର୍ଣ୍ଣବ-ସୁଧାକର’ ଅନୁଯାୟୀ ପ୍ରହସନରେ ଦଶଗୋଟି ବିଶେଷତ୍ୱ ପରିଲକ୍ଷିତ ହୋଇଥାଏ । ଏହି ଦଶବିଧ ବୈଶିଷ୍ଟ୍ୟ ସ୍ୱରୂପ-ଅବଗଳିତ, ଅବସ୍କନ୍ଦ, ବ୍ୟବହାର, ବିପ୍ରଲମ୍ଭ, ଉପପତ୍ତି, ଅନୃତ, ବିଭ୍ରାନନ୍ତି ଭୟ, ଗଦ୍‌ଗଦ୍‌ ବାକ୍‌ ଓ ପ୍ରକାପର ନାମ ‘ରସାର୍ଣ୍ଣବ-ସୁଧାକର’ରେ ଉଲ୍ଲେଖ କରାଯାଇଛି । ପ୍ରହସନରେ ଗୋଟିଏ ଅଙ୍କ ପରିବର୍ତ୍ତେ ଦୁଇଗୋଟି ଅଙ୍କ ମଧ୍ୟ ସଂଯୋଗ କରାଯାଇପାରେ ବୋଲି ଏହାର ମନ୍ତବ୍ୟ ତାତ୍ପର୍ଯ୍ୟପୂର୍ଣ୍ଣ ମନେହୁଏ ।

 

ଧନଞ୍ଜୟଙ୍କ ଦଶରୂପକ ଅନୁଯାୟୀ ପ୍ରହସନ ଶୁଦ୍ଧ (Regular),ବିକୃତ (Modified) ଏବଂ ମିଶ୍ର (Mixed) ହୋଇଥିବାବେଳେ (ଦଶରୂପକ-ସଂ.ପୃ.୯୯) ନାଟ୍ୟଶାସ୍ତ୍ର ପ୍ରଣେତା ଭରତ ମୁନିଙ୍କ ପ୍ରହସନର ତ୍ରିବିଧ ନାମକରଣ କିନ୍ତୁ ଭିନ୍ନ । ଶୁଦ୍ଧ, ସଂକୀର୍ଣ୍ଣ ଓ ମିଶ୍ର ଭେଦରେ ଏହା ନାମିତ-। ଲକ୍ଷଣ ଅନୁଯାୟୀ ସେମାନଙ୍କର ରୂପ ଭିନ୍ନ; ରଙ୍ଗ ବିଭିନ୍ନ । ଭାଷା, ଆଚାର ବା ସୌଜନ୍ୟକୁ ପରିହାସ ନକରି ଅଥବା ଅବିକୃତ ଭାବରେ ବିଶେଷ ହାସ-ପରିହାସ ମାଧ୍ୟମରେ କ୍ରମାନ୍ୱୟରେ ଯେଉଁ ବିଷୟବସ୍ତୁ ପରିବେଷିତ ହୁଏ, ତାହା ‘ଶୁଦ୍ଧ’ ପ୍ରହସନ । ବେଶ୍ୟା, ଚେଟ (ସେବାକାରୀ ବା ଚାକର), ନପୁଂସକ, ଧୂର୍ତ୍ତ, ବିଟ (ଖଳ-ନାୟକର ସହଯୋଗୀ) ଆଦି ଚରିତ୍ରମାନଙ୍କ ଦ୍ୱାରା ପରିପୂର୍ଣ୍ଣ ହୋଇଥିବା କିନ୍ତୁ ବିଶେଷ ଭାବରେ ବେଶଭୂଷା ଦ୍ୱାରା ଆଚ୍ଛାଦିତ ହୋଇ ନଥିବା ଅଥବା ଖୋଲାଖୋଲି ଭାବରେ ଚରିତ୍ରଗଣ ବିଚରଣ କରୁଥିବା ପ୍ରହସନକୁ ‘ସଂକୀର୍ଣ୍ଣ’ ରୂପେ ଅଭିହିତ କରାଯାଇଛି । ଲୋକସମାଜରେ ପ୍ରଚାରଯୋଗ୍ୟ (ଯାହା ଲୋକଙ୍କ ଉପକାରରେ ଆସିପାରିବ), ସମାଜ ସଂସ୍କାରଧର୍ମୀ ବାର୍ତ୍ତା ପ୍ରେରିତ (ନାଟ୍ୟକାରଙ୍କ ଦମ୍ଭ ସଂଯୁକ୍ତ ବାର୍ତ୍ତା), ସାଧାରଣତଃ ଧୂର୍ତ୍ତ ଓ ବିଟର ବିବାଦ ମଧ୍ୟରେ ସଂପୂର୍ଣ୍ଣ ହେଉଥିବା ପ୍ରହସନ ହିଁ ‘ମିଶ୍ର’ ପ୍ରହସନ । ଔଦ୍ଧତ୍ୟ ଆଦି ଗୁଣ ଏଥିରେ ମିଶ୍ରିତ ହୋଇରହିଥାଏ । (ନାଟ୍ୟ ଶାସ୍ତ୍ରମ, ବିଂଶୋଽଧ୍ୟାୟଃ, ଶ୍ଳୋକ ସଂ- ୧୦୬-୧୧୧, ପୃ.-୨୩୪-୨୩୫) । ଗୋଟିଏ କଥାରେ କହିଲେ, ନିରର୍ଥକ ବାର୍ତ୍ତାଳାପ, ଉପସ୍ଥିତ ବୁଦ୍ଧି, ସ୍ମୃତି ଓ ବ୍ୟଙ୍ଗ ପ୍ରଭୃତିର ମିଶ୍ରିତ ରୂପ ହେଉଛି ପ୍ରହସନ । ପ୍ରହସନରେ ବ୍ୟବହୃତ ହାସ୍ୟଶିଳ୍ପ କଲ୍ୟାଣକାରୀ ଓ ସାର୍ବଜନୀନ ।

 

ପାଶ୍ଚାତ୍ୟ ଫାର୍ସ ଶବ୍ଦଟି ସଂସ୍କୃତ ସାହିତ୍ୟ ‘ପ୍ରହସନର’ ସମପର୍ଯ୍ୟାୟଭୁକ୍ତ ଶବ୍ଦ । ଫାର୍ସ ଏକ ପ୍ରକାର ହାସ୍ୟ ରସୋଚ୍ଛଳ ନାଟକ । ଏହା ତୁଚ୍ଛ ଅର୍ଥହୀନ ରଚନାକୁ ବୁଝାଇଥାଏ । (The theory of drama, page-87-88) । ଲାଟିନ୍‌ ଶବ୍ଦ ‘Farcio’ରୁ ଏହାର ଉତ୍ପତ୍ତି । ଊନବିଂଶ ଶତାବ୍ଦୀରେ ଫ୍ରାନ୍‌ସ ଦେଶରେ ଏଇ ଫାର୍ସ ଅତ୍ୟନ୍ତ ଲୋକପ୍ରିୟ ଥିଲା । ଇଂରାଜୀରେ Farce ଶବ୍ଦର ଅର୍ଥ ବହନ କରୁଥିବା ଅନ୍ୟ ଏକ ଶବ୍ଦ ହେଉଛି stuffing, ଯାହାର ଅର୍ଥ ଏମିତି : ଶୂନ୍ୟସ୍ଥାନ ପୂରଣ କରି କୌଣସି ତୁଚ୍ଛ କଥା ବା ଲେଖା ଭର୍ତ୍ତି କରିବା । ଇଉରୋପ ମହାଦେଶର ଗୀର୍ଜାଗୁଡ଼ିକରେ ଏହାର ପ୍ରଚଳନ ଥିଲା ସର୍ବାଧିକ । ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାର୍ଥନା ଗ୍ରନ୍ଥର ବିଷୟ ବସ୍ତୁ ମଧ୍ୟରେ ପ୍ରକ୍ଷିପ୍ତ ବିଷୟକୁ ଫାର୍ସ ନାମରେ ନାମିତ କରାଯାଉଥିଲା । ରୁଚି ଓ ରୀତିର ବହୁଳ ପରିବର୍ତ୍ତନ ଫଳରେ ନୂତନ ଯୁଗର ସୂତ୍ରପାତ ହେଲା । ଏହା ସଙ୍ଗେ ସଙ୍ଗେ ବଦଳିଗଲା ସାହିତ୍ୟ ରଚନାର ଧାରା । ଅଭିନୟର ଚଟୁଳତା ଓ ବିଷୟ-ବିନ୍ୟାସର ବିଭାଗୀକରଣ ଦୃଷ୍ଟିରୁ ଏଇ ‘ଫାର୍ସ’ ନାମ ନାଟ୍ୟାଭିନୟ ସହିତ ନୂଆ ଭାବରେ ଯୋଡ଼ି ହୋଇଗଲା । ସାଦୃଶ୍ୟ ହେତୁ ନାଟ୍ୟାଭିନୟ କ୍ଷେତ୍ରରେ ମୂଳନାଟକ ଅନ୍ତର୍ବର୍ତୀ ପ୍ରକ୍ଷିପ୍ତ ବିଷୟକୁ ଫାର୍ସ ନାମରେ ଅଭିହିତ କରାଗଲା ସ୍ଥୂଳତଃ, ସପ୍ତଦଶ ଶତାବ୍ଦୀରେ ଫାର୍ସ ଥିଲା ଗୀର୍ଜାରେ ପାଳନ କରାଯାଉଥିବାର ଏକ ବିଶେଷ ଅନୁଷ୍ଠାନ ଅଥବା ଧାର୍ମିକ ଭାବ-ଭାବନାର ଅନ୍ତରୀଣ ପ୍ରକ୍ଷିପ୍ତ ବସ୍ତୁ । କିନ୍ତୁ ଉନବିଂଶ ଶତକରେ ଏହାର ରୂପ ଓ ରଙ୍ଗରେ ଘଟିଲା ବିରାଟ ପରିବର୍ତ୍ତନ । ଏହାର ରଚନା ଶୈଳୀ ନେଲା ଭିନ୍ନ ରୂପ । ଫାର୍ସ ହୋଇଗଲା ଏକ ଲଘୁ କଳ୍ପନାଶ୍ରିତ ହାସ୍ୟ-କୌତୁକପୂର୍ଣ୍ଣ କ୍ଷୁଦ୍ର ନାଟକ । ପରିବେଶ/ପରିସ୍ଥିତିର ଚଟୁଳ ରୂପାୟନ, ରସସଞ୍ଚାର ସର୍ବୋପରି ରଙ୍ଗ-ରସ ପ୍ରଧାନ୍ୟ ବିଷୟବସ୍ତୁ ଦୃଷ୍ଟିରୁ ପ୍ରସହନକୁ ପ୍ରାଚୀନ କମେଡ଼ି ସହିତ ତୁଳନା କରାଯାଇପାରେ । ସଂକୀର୍ଣ୍ଣ ପ୍ରହସନ ମଧ୍ୟ ଲୋ’କମେଡ଼ି ବା ଆଧୁନିକ ଫାର୍ସ ସହ ତୁଳନୀୟ ବୋଲି କେହି କେହି ମତ ଦେଇଥାନ୍ତି ।

 

ସଂସ୍କୃତ ସାହିତ୍ୟରେ ‘ପ୍ରହସନ’ ଏକ ସ୍ୱତନ୍ତ୍ର ସାହିତ୍ୟ-ବିଭବ । ପ୍ରାକୃତ ଭାଷା ମଧ୍ୟ ଦେଇ ଓଡ଼ିଆ ସାହିତ୍ୟକୁ ଏଇ ପ୍ରହସନର ଅନୁପ୍ରବେଶ ଘଟିଛି ବୋଲି କହିବାରେ କିଛି ଦ୍ୱିଧାବୋଧ ହୁଏନାହିଁ । ତଥାପି, ପ୍ରାଚୀନ କାଳର ପ୍ରହସନ ଆଜିର ଆଧୁନିକ ଫାର୍ସକୁ ରୂପାନ୍ତରିତ ହୋଇଛି । ନିମ୍ନୋକ୍ତ ଉଦ୍ଧୃତିରୁ ଏହାର ଯୁକ୍ତିନିଷ୍ଠତା ପ୍ରମାଣିତ ହୁଏ ।

 

“In fact, one veriety of Sanskrit Drama Is known as Prahasan, and it is nothing but uproavious farce” (Memorable wit wishdom and humour, Vivekananda Kendra Patrika, Madras, Page IX)

 

ଫାର୍ସ ପରିସ୍ଥିତି ପ୍ରଧାନ ଓ ପରିସ୍ଥିତି ସର୍ବସ୍ୱ ହାସ୍ୟ ରସାତ୍ମକ ନାଟକ । ଏଥିରେ ଚରିତ୍ର ଓ ସଂଳାପଠାରୁ ହାସ୍ୟରସ ସୃଷ୍ଟି ତଥା ଯୁଷ୍ଟି ଉପରେ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ । ବିଭିନ୍ନ ଜଟିଳ ଅଥବା ଦୁର୍ବୋଧ୍ୟ ପରିବେଶ/ପରିସ୍ଥିତି ସମ୍ପର୍କୀୟ କଥାବସ୍ତୁର ରୂପାୟନ ଫାର୍ସର ଅନ୍ୟତମ ମୁଖ୍ୟ ବୈଶିଷ୍ଟ୍ୟ । ପ୍ରାରମ୍ଭିକ ପର୍ଯ୍ୟାୟରେ ଫାର୍ସର ଅପରିତୋଷଣୀୟ କଥାବସ୍ତୁଟି ସାମଞ୍ଜସ୍ୟହୀନ କଥା ଅସଙ୍ଗତ ମନେହୁଏ । ମାତ୍ର ଫର୍ସ ରଚୟିତାଙ୍କ ଯାଦୁକରୀ ଲାଳିତ୍ୟ ପ୍ରଭାବରେ ଦର୍ଶକ ସମାଜ ରସରେ ନିମଜ୍ଜିତ ହୋଇ ସର୍ବଶେଷରେ ଏକ ସିଦ୍ଧାନ୍ତ ବିନ୍ଦୁରେ ଉପନୀତ ହୁଅନ୍ତି । ଅତଏବ, ଫାର୍ସ ସମ୍ପର୍କରେ ଏକ ସମୀକ୍ଷଣ ପର୍ବରେ ନିମ୍ନୋକ୍ତ ସିଦ୍ଧାନ୍ତରେ ଆମକୁ ଉପନୀତ ହେବାକୁ ପଡ଼େ ।

 

(କ)

ଫାର୍ସର ଆବଶ୍ୟକୀୟ ଉପାଦାନ ଭାବରେ ଗୃହୀତ ହୁଅନ୍ତି ବର୍ତ୍ତୁଳ ଅଥବା ଏଥିରେ ସନ୍ନିବେଶିତ ହାସ୍ୟ/ ଉପହାସର ପାତ୍ର ।

(ଖ)

ଫାର୍ସରେ ଉତ୍ପନ୍ନ ହାସ୍ୟ, ତହିଁରେ ଉପସ୍ଥାପିତ ଚରିତ୍ରମାନଙ୍କର ଜଟିଳତା କିମ୍ବା ଅନୁରାଗ ଅଥବା ଆଗ୍ରହରୁ ଉଦ୍‌ଭବ ହେବା ପରିବର୍ତ୍ତେ ଅନ୍ତର୍ନିହିତ ପରିବେଶ/ପରିସ୍ଥିତିର ଚଟୁଳତା ଉପରେ ଅଧିକ ନିର୍ଭରଶୀଳ ହୋଇଥାଏ । ଚରିତ୍ର ଯେଉଁ ପରିସ୍ଥିତିର ଶରବ୍ୟ ହୋଇଥାଏ, ତା’ର ପ୍ରତିଫଳନ ଏବଂ ପ୍ରକାଶନ ହିଁ ଫାର୍ସରେ ହାସ୍ୟ ସୃଷ୍ଟିର ଆଧାରଭୂମି ।

(ଗ)

ଯୌନ/ପ୍ରେମ ସଂକ୍ରାନ୍ତ ଅଥବା ପ୍ରେମୋଦ୍ଦୀପକ ଦୃଶ୍ୟାବଳୀ ଏହାର ଅନ୍ତର୍ନିହିତ ବିଷୟବସ୍ତୁ ସ୍ୱରୂପ ସ୍ଥାନ ପାଏ ।

(ଘ)

କଠୋର କୌତୁକ ବି ଅନ୍ୟତମ ମୌଳିକ ଉପାଦାନ ହୁଏ ।

(ଙ)

ଅନିର୍ଦ୍ଦିଷ୍ଟ ଭାବରେ ଅଳସୁଆଙ୍କ ପରି ଏଣେତେଣେ ବୁଲୁଥିବା ଅଥବା ଅନିୟମିତ ଜୀବନ ଯାପନ କରୁଥିବା କେତେକ ଚରିତ୍ରଙ୍କ ସମାବେଶରେ ଫାର୍ସରେ ସୃଷ୍ଟିହୁଏ ନୈସର୍ଗିକ ହାସ୍ୟରୋଳ ।

(ଚ)

ଏଥିରେ ଅନ୍ତର୍ନିହିତ ରଙ୍ଗରସ ମୁଖ୍ୟତଃ ଘଟଣାଶ୍ରୟ ।

(ଛ)

ବାହ୍ୟ ଘଟଣା ସହ ଉଦ୍ଭଟ ଚିନ୍ତା/ଅତିରଞ୍ଜନାତ୍ମକ ଅବତାରଣା ଏହାର ମୁଖ୍ୟ ବିଭବ ।

(ଜ)

ଫାର୍ସକାର ଚରିତ୍ରମାନଙ୍କ ମାନସିକ ସ୍ଥିତିର ବିନ୍ୟାସ ଉପରେ ସ୍ମ-ରଚନାରେ ସାଧାରଣତଃ ଗୁରୁତ୍ୱ ଆରାପ କରିଥାନ୍ତି । ବିଷୟବସ୍ତୁର ବିସ୍ତୃତି ପାଇଁ ଏଥିରେ ବହୁ ସୁଯୋଗ ସେ ଲାଭ କରିଥାନ୍ତି ।

(ଝ)

ଲୋକଚରିତ୍ର ପରିବର୍ତ୍ତନ ଏବଂ ସମାଜସଂସ୍କାର ଏ ଦୁଇ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଦୃଷ୍ଟିରେ ରଖି ଫାର୍ସସ୍ରଷ୍ଟା ନିଜର ସୃଜନ ବେଣୁ ବଜାଏ ।

 

୧୮୮୧-୧୯୨୦ ସାଲ ବିଶେଷତଃ ବିଂଶ ଶତାବ୍ଦୀର ପ୍ରଥମ କୋଡ଼ିଏ ବର୍ଷ ହେଉଛି ଓଡ଼ିଶାର ସଂସ୍କାର ଯୁଗ । ସମାଜ ସଂସ୍କାର, ବିବାହ ସଂସ୍କାର, ଶ୍ରାଦ୍ଧ ସଂସ୍କାର, ଲେଖାପଢ଼ା ପାଶ୍ଚାତ୍ୟ ଫାର୍ସ ଶବ୍ଦଟି ସଂସ୍କୃତ ସାହିତ୍ୟ ‘ପ୍ରହସନର’ ସମପର୍ଯ୍ୟାୟଭୁକ୍ତ ଶବ୍ଦ । ଫାର୍ସ ଏକ ପ୍ରକାର ହାସ୍ୟ ରସୋଚ୍ଛକ ନାଟକ । ଏହା ତୁଚ୍ଛ ଅର୍ଥହୀନ ରଚନାକୁ ବୁଝାଇଥାଏ । (The Theory Of Drama, page-87-88) । ଲାଟିନ୍‌ ଶବ୍ଦ ‘Farcio’ରୁ ଏହାର ଉତ୍ପତ୍ତି । ଉନ୍ନବିଂଶ ଶତାବ୍ଦୀରେ ଫ୍ରାନ୍‌ସ ଦେଶରେ ଏଇ ଫାର୍ସ ଅତ୍ୟନ୍ତ ଲୋକପ୍ରିୟ ଥିଲା । ଇଂରାଜୀରେ farce ଶବ୍ଦର ଅର୍ଥ ବହନ କରୁଥିବା ଅନ୍ୟ ଏକ ଶବ୍ଦ ହେଉଛି Stuffing, ଯାହାର ଅର୍ଥ ଏମିତି : ଶୂନ୍ୟସ୍ଥାନ ପୂରଣ ପାଇଁ କୌଣସି ତୁଚ୍ଛ କଥା ବା ଲେଖା ଭର୍ତ୍ତି କରିବା । ଇଉରୋପ ମହାଦେଶରେ ଗୀର୍ଜାଗୁଡ଼ିକରେ ଏହାର ପ୍ରଚଳନ ଥିଲା ସର୍ବାଧିକ । ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାର୍ଥନା ଗ୍ରନ୍ଥର ବିଷୟ ବସ୍ତୁ ମଧ୍ୟରେ ପ୍ରକ୍ଷିପ୍ତ ବିଷୟକୁ ଫାର୍ସ ନାମରେ ନାମିତ କରାଯାଉଥିଲା । ରୁଚି ଓ ରୀତିର ବହୁଳ ପରିବର୍ତ୍ତନ ଫଲରେ ନୂତନ ଯୁଗର ସୂତ୍ରପାତ ହେଲା । ଏହା ସଙ୍ଗେ ସଙ୍ଗେ ବଦଳିଗଲା ସାହିତ୍ୟ ରଚନାର ଧାରା । ଅଭିନୟର ଚଟୁଳତା ଓ ବିଷୟ-ବିନ୍ୟାସର ବିଭାଗୀକରଣ ଦୃଷ୍ଟିରୁ ଏଇ ‘ଫାର୍ସ’ ନାମ ନାଟ୍ୟାଭିନୟ ସହିତ ନୂଆ ଭାବରେ ଯୋଡ଼ି ହୋଇଗଲା । ସାଦୃଶ୍ୟ ହେତୁ ନାଟ୍ୟାଭିନୟ କ୍ଷେତ୍ରରେ ମୂଳନାଟକ ଅନ୍ତର୍ବର୍ତ୍ତୀ ପ୍ରକ୍ଷିପ୍ତ ବିଷୟକୁ ଫାର୍ସ ନାମରେ ଅଭିହିତ କରାଗଲା ସ୍ଥୂଳତଃ, ସପ୍ତଦଶ ଶତାବ୍ଦୀରେ ଫାର୍ସ ଥିଲା ଗୀର୍ଜାରେ ପାଳନ କରାଯାଉଥିବାର ଏକ ବିଶେଷ ଅନୁଷ୍ଠାନ ଅଥବା ଧାର୍ମିକ ଭାବ-ଭାବନାର ଅନ୍ତରୀଣ ପ୍ରକ୍ଷିପ୍ତ ବସ୍ତୁ । କିନ୍ତୁ ଉନବିଂଶ ଶତକରେ ଏହାର ରୂପ ଓ ରଙ୍ଗରେ ଘଟିଲା ବିରାଟ ପରିବର୍ତ୍ତନ । ଏହାର ରଚନା ଶୈଳୀ ନେଲା ଭିନ୍ନ ରୂପ । ଫାର୍ସ ହୋଇଗଲା ଏକ ଲଘୁ କଳ୍ପନାଶ୍ରିତ ହାସ୍ୟ-କୌତୁକପୂର୍ଣ୍ଣ କ୍ଷୁଦ୍ର ନାଟକ । ପରିବେଶ/ପରିସ୍ଥିତିର ଚଟୁଳ ରୂପାୟନ, ରସସଞ୍ଚାର ସର୍ବୋପରି ରଙ୍ଗ-ରସ ପ୍ରଧାନ ବିଷୟବସ୍ତୁ ଦୃଷ୍ଟିରୁ ପ୍ରହସନକୁ ପ୍ରାଚୀନ କମେଡ଼ି ସହିତ ତୁଳନା କରାଯାଇପାରେ । ସଂକୀର୍ଣ୍ଣ ପ୍ରହସନ ମଧ୍ୟ ଲୋ’ କମେଡ଼ି ବା ଆଧୁନିକ ଫାର୍ସ ସହ ତୁଳନୀୟ ବୋଲି କେହି କେହି ମତ ଦେଇଥାନ୍ତି ।

 

ସଂସ୍କୃତ ସାହିତ୍ୟରେ ‘ପ୍ରହସନ’ ଏକ ସ୍ୱତନ୍ତ୍ର ସାହିତ୍ୟ-ବିଭବ । ପ୍ରାକୃତ ଭାଷା ମଧ୍ୟ ଦେଇ ଓଡ଼ିଆ ସାହିତ୍ୟକୁ ଏଇ ପ୍ରହସନର ଅନୁପ୍ରବେଶ ଘଟିଛି ବୋଲି କହିବାରେ କିଛି ଦ୍ୱିଧାବୋଧ ହୁଏ ନାହିଁ । ତଥାପି, ପ୍ରାଚୀନ କାଳର ପ୍ରହସନ ଆଜିର ଆଧୁନିକ ଫାର୍ସକୁ ରୂପାନ୍ତରିତ ହୋଇଛି । ନିମ୍ନୋକ୍ତ ଉଦ୍ଧୃତିରୁ ଏହାର ଯୁକ୍ତିନିଷ୍ଠତା ପ୍ରମାଣିତ ହୁଏ ।

 

“In Fact, One veriety of Sanskrit Drama Is known as Prahasan, and it is nothing but uproavious farce” (Memorable wit wishdom and humour, Vivekananda Kendra Patrika, Madras, Page IX)

 

ଫାର୍ସ ପରିସ୍ଥିତି ପ୍ରଧାନ ଓ ପରିସ୍ଥିତି ସର୍ବସ୍ୱ ହାସ୍ୟ ରସାତ୍ମକ ନାଟକ । ଏଥିରେ ଚରିତ୍ର ଓ ସଂଳାପଠାରୁ ହାସ୍ୟରସ ସୃଷ୍ଟି ତଥା ପୁଷ୍ଟି ଉପରେ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ । ବିଭିନ୍ନ ଜଟିଳ ଅଥବା ଦୁର୍ବୋଧ୍ୟ ପରିବେଶ/ପରିସ୍ଥିତି ସମ୍ପର୍କୀୟ କଥାବସ୍ତୁର ରୂପାୟନ ଫାର୍ସର ଅନ୍ୟତମ ମୁଖ୍ୟ ବୈଶିଷ୍ଟ୍ୟ । ପ୍ରାରମ୍ଭିକ ପର୍ଯ୍ୟାୟରେ ଫାର୍ସର ଅପରିତୋଷଣୀୟ କଥାବସ୍ତୁଟି ସାମଞ୍ଜସ୍ୟହୀନ କଥା ଅସଙ୍ଗତ ମନେହୁଏ । ମାତ୍ର ଫାର୍ସ ରଚୟିତାଙ୍କ ଯାଦୁକରୀ ଲାଳିତ୍ୟ ପ୍ରଭାବରେ ଦର୍ଶକ ସମାଜ ଉପରେ ନିମଜ୍ଜିତ ହୋଇ ସର୍ବଶେଷରେ ଏକ ସିଦ୍ଧାନ୍ତ ବିନ୍ଦୁରେ ଉପନୀତ ହୁଅନ୍ତି । ଅତଏବ, ଫାର୍ସ ସମ୍ପର୍କରେ ଏକ ସମୀକ୍ଷଣ ପର୍ବରେ ନିମ୍ନୋକ୍ତ ସିଦ୍ଧାନ୍ତରେ ଆମକୁ ଉପନୀତ ହେବାକୁ ପଡ଼େ ।

 

(କ)

ଫାର୍ସର ଆବଶ୍ୟକୀୟ ଉପାଦାନ ଭାବରେ ଗୃହୀତ ହୁଅନ୍ତି ବର୍ତ୍ତୁଳ ଅଥବା ଏଥିରେ ସନ୍ନିବେଶିତ ହାସ୍ୟ/ଉପହାସର ପାତ୍ର ।

(ଖ)

ଫାର୍ସରେ ଉତ୍ପନ୍ନ ହାସ୍ୟ, ତହିଁରେ ଉପସ୍ଥାପିତ ଚରିତ୍ରମାନଙ୍କର ଜଟିଳତା କିମ୍ବା ଅନୁରାଗ ଅଥବା ଆଗ୍ରହରୁ ଉଦ୍‌ଭବ ହେବା ପରିବର୍ତ୍ତେ ଅନ୍ନର୍ନିହିତ ପରିବେଶ/ପରିସ୍ଥିତିରେ ଚଟୁଳତା ଉପରେ ଅଧିକ ନିର୍ଭରଶୀଳ ହୋଇଥାଏ । ଚରିତ୍ର ଯେଉଁ ପରିସ୍ଥିତିର ଶରବ୍ୟ ହୋଇଥାଏ, ତା’ର ପ୍ରତିଫଳନ ଏବଂ ପ୍ରକାଶନ ହିଁ ଫାର୍ସରେ ହାସ୍ୟ ସୃଷ୍ଟିର ଆଧାରଭୂମି ।

(ଗ)

ଯୌନ/ପ୍ରେମ ସଂକ୍ରାନ୍ତ ଅଥବା ପ୍ରେମୋଦ୍ଦୀପକ ଦୃଶ୍ୟାବଳୀ ଏହାର ଅନ୍ତର୍ନିହିତ ବିଷୟବସ୍ତୁ ସ୍ୱରୂପ ସ୍ଥାନ ପାଏ ।

(ଘ)

କଠୋର କୌତୁକ ବି ଅନ୍ୟତମ ମୌଳିକ ଉପାଦାନ ହୁଏ ।

(ଙ)

ଅନିର୍ଦ୍ଦିଷ୍ଟ ଭାବରେ ଅଳସୁଆଙ୍କ ପରି ଏଣେତେଣେ ବୁଲୁଥିବା ଅଥବା ଅନିୟମିତ ଜୀବନ ଯାପନ କରୁଥିବା କେତେକ ଚରିତ୍ରଙ୍କ ସମାବେଶରେ ଫାର୍ସରେ ସୃଷ୍ଟିହୁଏ ନୈସର୍ଗିକ ହାସ୍ୟରୋଳ ।

(ଚ)

ଏଥିରେ ଅନ୍ତର୍ନିହିତ ରଙ୍ଗରସ ମୁଖ୍ୟତଃ ଘଟଣାଶ୍ରୟ ।

(ଛ)

ବାହ୍ୟ ଘଟଣା ସହଉଦ୍ଭଟଚିନ୍ତା/ଅତିରଞ୍ଜନାତ୍ମକ ଅବତାରଣା ଏହାର ମୁଖ୍ୟ ବିଭବ ।

(ଜ)

ଫାର୍ସକାର ଚରିତ୍ରମାନଙ୍କ ମାନସିକ ସ୍ଥିତିର ବିନ୍ୟାସ ଉପରେ ସ୍ମ-ରଚନାରେ ସାଧାରଣତଃ ଗୁରୁତ୍ୱ ଆରାପ କରିଥାନ୍ତି । ବିଷୟବସ୍ତୁର ବିସ୍ତୃତି ପାଇଁ ଏଥିରେ ବହୁ ସୁଯୋଗ ସେ ଲାଭ କରିଥାନ୍ତି ।

(ଝ)

ଲୋକଚରିତ୍ର ପରିବର୍ତ୍ତନ ଏବଂ ସମାଜସଂସ୍କାର ଏ ଦୁଇ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଦୃଷ୍ଟିରେ ରଖି ଫାର୍ସସ୍ରଷ୍ଟା ନିଜର ସୂଚନା ତେଣୁ ବଳାଏ ।

୧୮୮୧-୧୯୨୦ ସାଲ ବିଶେଷତଃ ବିଂଶ ଶତାବ୍ଦୀର ପ୍ରଥମ କୋଡ଼ିଏ ବର୍ଷ ହେଉଛି ଓଡ଼ିଶାର ସଂସ୍କାର ଯୁଗ । ସମାଜ ସଂସ୍କାର, ବିବାହ ସଂସ୍କାର, ଶ୍ରାଦ୍ଧ ସଂସ୍କାର, ଲେଖାପଢ଼ା ସଂସ୍କାର, ଲିପି ସଂସ୍କାର ଆଦି ସଂସ୍କାର ମଧ୍ୟରେ ଓଡ଼ିଆ ପାରମ୍ପରିକ ଦୋଷ ଦୁର୍ବଳତାରୁ ମୁକ୍ତିଲାଭ କରି ନୂତନତାର ଅଭ୍ୟୁଦୟ ପାଇଁ ବାଟ ଖୋଜେ । (ଉଜ୍ଜ୍ୱଳ ସାହିତ୍ୟ-୧୮/୧-ଲିପି ସଂସ୍କାର) । ସୁଆଙ୍ଗ ଓ ଯାତ୍ରାର କୁତ୍ସିତ ରୁଚି, ଅଭିନୟ ତଥା ଭଣ୍ଡ ପ୍ରହସନ ଇତ୍ୟାଦି ବିରୁଦ୍ଧରେ ସମସାମୟିକ ପତ୍ର ପତ୍ରିକା ୧୮୭୦ ସାଲରୁ କ୍ରମାଗତ ଭାବରେ ବିଦ୍ରୋହ ଘୋଷଣା କରନ୍ତି । କୃଷ୍ଣ ପ୍ରସାଦ ଚୌଧୁରୀ ଓଡ଼ିଆ ଯାତ୍ରାର ପୁନଃ ସଂସ୍କାର ପାଇଁ ବିଂଶ ଶତାବ୍ଦୀର ପ୍ରାରମ୍ଭରୁ ନାନା ସମାଲୋଚନାତ୍ମକ ପ୍ରବନ୍ଧ ପ୍ରକାଶ କରନ୍ତି । ଓଡ଼ିଶୀ ଯାତ୍ରା, ପ୍ରହସନ ଓ ମଞ୍ଚ ନାଟକକୁ ସୁସଂସ୍କୃତ ତଥା ମାର୍ଜିତ ରୂପ ପ୍ରଦାନ କରିବା ପାଇଁ ଏପରି ଆଲୋଚନା-ସମାଲୋଚନାକୁ ଲୋକରୁଚି ଅନୁମୋଦନ କରେ । ୧୮୮୧ ସାଲରୁ ୧୯୨୦ ସାଲ ପର୍ଯ୍ୟନ୍ତ ଦୀର୍ଘ ଚାରିଦଶନ୍ଧି ବ୍ୟାପୀ ନାଟକ ଓ ଯାତ୍ରାର ସ୍ୱରୂପ ଉପରେ କଠୋର ମନ୍ତବ୍ୟ ଦିଆଯାଇ ତା’ର ସଂସ୍କାର ପାଇଁ ଅତନ୍ଦ୍ରିତ ଉଦ୍ୟମ କରାଯାଏ । ମାର୍ଜିତ ଲୋକରୁଚିକୁ ନେଇ ଆଦୃତ ହେଲାଭଳି ଗଢ଼ି ଉଠେ ଓଡ଼ିଶାର ନୂତନ ନାଟ୍ୟ ପରମ୍ପରା । ସମୟରେ ପ୍ରାଣସ୍ପନ୍ଦନରେ ନାଟ୍ୟ ସଂସ୍କାର ଏହାର ଏକ ବିଶିଷ୍ଟ ଦିଗମାତ୍ର ।

 

ଏହି ସମୟରେ ଭାରତବର୍ଷର ରାଜନୀତିକ, ସାମାଜିକ ସର୍ବୋପରି ସାଂସ୍କୃତିକ ବାତାବରଣର ଦ୍ରୁତ ପରିବର୍ତ୍ତନ ବହୁ କବି/ନାଟ୍ୟକାରଙ୍କୁ ଅଧିକ ସଂସ୍କାର ପ୍ରୟାସ କରିପାରିଥିଲା । ପାଶ୍ଚାତ୍ୟ ଢେଉରେ ଭାରତୀୟ ସମାଜ ମଧ୍ୟ କଳୁଷିତ ହୋଇ ଉଠୁଥିଲା । ଶିକ୍ଷିତ ସମାଜ ସଚେତନ ନହୋଇ ଭୟରେ ଜଡ଼ ହୋଇ ପଡ଼ିଥିଲେ । ତେଣୁ,ଏ ସନ୍ଧିକ୍ଷଣରେ ସାଂସ୍କୃତିକ ଚେତନାର ବାର୍ତ୍ତାବହରୂପେ ବହୁ ନାଟ୍ୟକାରଙ୍କର ଘଟିଲା ଆବିର୍ଭାବ । ଏହି ସମୟରେ ଅଶିକ୍ଷା, ସ୍ତ୍ରୀ-ସ୍ୱାଧୀନତା, ଅନ୍ଧବିଶ୍ୱାସ, ସାମାଜିକ କୁସଂସ୍କାର, ବେଶ୍ୟାବୃତ୍ତି, ନିଶାନିବାରଣ ତଥା କୂପମଣ୍ଡୁଳତା ସପକ୍ଷରେ ଓ ବିପକ୍ଷରେ ଜନମତ ସୃଷ୍ଟି ହୋଇଥିଲା । ଅସ୍ପୃଶ୍ୟତା ବିରୋଧରେ ଜନମତ ସୃଷ୍ଟି କରିବା ଥିଲା ତତ୍‌କାଳୀନ ସମୟରେ ଅନ୍ୟତମ ଆହ୍ୱାନ । ଓଡ଼ିଶାର ଶିକ୍ଷା, ସଂସ୍କୃତି ଓ ସମାଜ ବ୍ୟବସ୍ଥାରେ କ୍ରମଶଃ ଏହି ପରିବର୍ତ୍ତିତ ଆଦର୍ଶ ପ୍ରୟୋଗ ହୋଇଥିବାର ଦେଖାଯାଏ । ସମକାଳୀନ ପରିସ୍ଥିତିରେ ସମଗ୍ର ଓଡ଼ିଶାରେ ପାରମ୍ପରିକ ରାଜନୀତି ପ୍ରତି ଘୃଣା ଓ ବିଦ୍ୱେଷ ଏବଂ ଜ୍ଞାନଲାଭ ନିମନ୍ତେ ସଂସ୍କାରବାଦୀ ମନୋବୃତ୍ତିର ପରିଚୟ ମିଳିଲା । ଏହାହିଁ ରେନେସାଁ ପ୍ରଭାବର ଆକାଂକ୍ଷିତ ଫଳ । ପାଶ୍ଚ୍ୟାତ୍ୟ ପ୍ରଭାବରୁ ଓଡ଼ିଶାର ସମାଜ ଜୀବନରେ ସଂସ୍କାର ସାଧିତ ହୋଇ ମାନବିକ ବିଚାରଧାରା, ହେତୁବାଦୀ ମନୋବୃତ୍ତି ଓ ବୈଜ୍ଞାନିକ ଦୃଷ୍ଟିକୋଣର ପ୍ରକାଶ ଦେଖା ଦେଇଥିଲା । ଉନବିଂଶ ଶତକର ଦ୍ୱିତୀୟାର୍ଦ୍ଧରେ ସାହିତ୍ୟ କ୍ଷେତ୍ରରେ ପ୍ରାଚୀନ ପରମ୍ପରାର ଅବକ୍ଷୟ ଯେଉଁଭଳି ପରିଲକ୍ଷିତ ହେଲା, ନୂତନ ରୁଚି ପ୍ରତି ସ୍ରଷ୍ଟାମାନସରେ ପକ୍ଷପାତିତା ଠିକ୍‌ ସେହିଭଳି ଚିହ୍ନିତ ହେବାରେ ଲାଗିଲା, କହିବାକୁ ଗଲେ, ଫ୍ରାନ୍‌ସ ପ୍ରଭୃତି କତିପୟ ବିଭବଶାଳୀ ଦେଶ ପଞ୍ଚବଶ ଶତକରେ ଇଂରେଜମାନଙ୍କୁ ଯେଉଁ ଭଳି ମଧ୍ୟଯୁଗୀୟ ଚିନ୍ତାଧାରାରୁ ମୁକ୍ତ କରିଥିଲେ, ରେନେସାଁ ପ୍ରଭାବରେ ଉନବିଂଶ ଶତକରେ ଓଡ଼ିଶାର ଚିନ୍ତାରାଜ୍ୟରେ ମଧ୍ୟ ସେହି ପ୍ରବଣତାର ହେଲା ସୂତ୍ରପାତ । ରୁଚି ଓ ରୀତି, ଦୃଷ୍ଟି ଓ ଦର୍ଶନ, ଚାହାଣି ଓ ଚଳଣିରେ ବିବର୍ତ୍ତନ ଆଣି ଏହା କ୍ରମଶଃ ଓଡ଼ିଆ ମଧ୍ୟଯୁଗୀୟ କାବ୍ୟକଳାରୁ ବିଚ୍ଛିନ୍ନ ହୋଇଗଲା । ବ୍ୟକ୍ତିଗତ ଅନୁଭବକୁ ନିଜର ସ୍ୱତନ୍ତ୍ର ରୀତିରେ ପ୍ରକାଶ କରିବାର ସାହସ ପାଶ୍ଚାତ୍ୟ ପ୍ରଭାବ ହେତୁ ଆଧୁନିକ ଓଡ଼ିଆ କବିଙ୍କ ପ୍ରାଣରେ ହେଲା ସଞ୍ଚାରିତ । ପରିବର୍ତ୍ତନ ନିମନ୍ତେ ନୂତନ କିଛି ସୃଷ୍ଟି କରିବାର ମହତ ଅଭୀପ୍ସା ନେଇ ସମଗ୍ର ଓଡ଼ିଆ ଜାତିର ଆତ୍ମବିଶ୍ୱାସମୂଳକ ଜୟଯାତ୍ରା ଆରମ୍ଭ ହେଲା । ଏହା ସମ୍ଭବ ହୋଇପାରିଥିଲା କେବଳ ରେନେସାଁ ପ୍ରଭାବ ଯୋଗୁ । କହିବା ବାହୁଲ୍ୟ, ଆଧୁନିକ ଓଡ଼ିଆ ଜାତି ଏହି ରେନେସାଁ ପ୍ରଭାବରେ ନବରୂପରେ ହେଲା ବିମଣ୍ଡିତ ।

 

ସାହିତ୍ୟରେ ନବଜାଗରଣର ପୃଷ୍ଠଭୂମିରେ ପାଶ୍ଚାତ୍ୟ ନାଟ୍ୟକାରମାନଙ୍କ ନୂତନ ଚିନ୍ତା-ଚେତନା ଉଦ୍‌ବେଳନ ସୃଷ୍ଟିକଲା ଭାରତ ଭୂଖଣ୍ଡରେ । ଅମିତ୍ରାକ୍ଷର ଛନ୍ଦ ପରି ପାଶ୍ଚାତ୍ୟ ଜଗତର ପ୍ରଭାବ ପରିପୁଷ୍ଟ ମାଇକେଲ୍‌ ମଧୁସୂଦନ ଦତ୍ତଙ୍କ ‘ଏକେଭଳି ବଲେ ସଭ୍ୟତା’ (୧୮୬୦) ଏବଂ ‘ବୁଡ଼ୋ ଶାଲିକେର ଘାଡେରୋଁ’, ଦୀନବନ୍ଧୁ ମିତ୍ରଙ୍କ ‘ସଧବାର ଏକାଦଶୀ’ (୧୮୬୬) ଏବଂ ‘ବିୟେ ପାଗଲା ‘ବୁଢ଼ୋ, ଦ୍ୱିଜେନ୍ଦ୍ରଲାଲ ରାୟ (୧୮୬୩-୧୯୧୩)ଙ୍କ ‘କଳକୀ ଅବତାର’, ‘ବିରହ’, ‘ପ୍ରାୟଶ୍ଚିତ’, ‘ପୁନର୍ଜନ୍ମ’, ‘ଆନନ୍ଦ ବିଜୟ’ ଆଦି ପ୍ରହସନଧର୍ମୀ ନାଟକ ଓଡ଼ିଶାର ନାଟ୍ୟ-ଚେତନାରେ ଖେଳାଇ ଦେଲା ଏକ ନବ ଉନ୍ମାଦନା ।

 

ଓଡ଼ିଶାରେ ପ୍ରହସନ ରଚନାର ଅନ୍ୟ ଦିଗଟି ହେଉଛି, ଧାରାବାହିକ ବଙ୍ଗଳା ଓ ହିନ୍ଦୀ ପ୍ରହସନର ଅଭିନୟ । ପାଦ୍ରୀମାନଙ୍କ ପ୍ରଚେଷ୍ଟାରେ ୧୮୭୨ସାଲଠାରୁ୧୮୭୮ ସାଲ ମଧ୍ୟରେ ବହୁ ଇଂରାଜୀ ଓ ବଙ୍ଗଳା ନାଟକ ଅଭିନୀତ ହୋଇଥିଲା । ବିଶେଷତଃ କଟକ ଓ ବାଲେଶ୍ୱର ଏସବୁ ପାଇଁ ଥିଲା ଉନ୍ମୁକ୍ତ କ୍ଷେତ୍ର । କଟକ ଓ ବାଲେଶ୍ୱର ସହରରେ ବହୁ ଅସ୍ଥାୟୀ ମଞ୍ଚରେ ଇଂରାଜୀ ନାଟକ ସହ ବହୁ ବଙ୍ଗଳା ନାଟକର ଅଭିନୟ ଓଡ଼ିଆ ନାଟକ ସୃଷ୍ଟି ପ୍ରେରଣାକୁ କରିଥିଲା ଦ୍ୱିଗୁଣିତ । ଉତ୍କଳ ଦୀପିକାର ମନ୍ତବ୍ୟ ଅନୁଯାୟୀ ‘ଏକଇ କି ବଲେ ସଭ୍ୟତା’ ପ୍ରହସନର ଅଭିନୟ ସଂଘଟିତ ହୋଇଥିଲା ତା. ୨୩.୦୨.୧୮୮୦ ରିଖ, ସୋମବାର ଦିନ ସୁସଜ୍ଜିତ ରଙ୍ଗମଞ୍ଚଟି ଆଲୋକମାଳାରେ ଥିଲା ବର୍ଣ୍ଣିଳ । ପ୍ରେକ୍ଷାଳୟ ମଧ୍ୟ ଦର୍ଶକମଣ୍ଡଳୀର ପରିପୂର୍ଣ୍ଣ ଥିଲା । ଦୀପିକା ପୁନଃ ପ୍ରକାଶ କରିଛନ୍ତି - “ମୋଟ୍‌ରେ ଅଭିନୟ ଅତି ଉତ୍ତମ ହୋଇଥିଲା ଓ ଦର୍ଶକମାନେ ପୁନଃପୁନଃ କରତାଳି ଓ ଆନନ୍ଦ ଧ୍ୱନି ଦ୍ୱାରା ସନ୍ତୁଷ୍ଟ ଓ ପରିତୃପ୍ତିର ପରିଚୟ ଦେଇଥିଲେ । ଅଳ୍ପ ସମୟ ମଧ୍ୟରେ ଅଭିନେତାମାନେ ଏତାଦୃଶ୍ୟ ଅଭିନୟ ଦେଖାଇଥିବାରୁ ଦୁଇଗୁଣ ପ୍ରଶଂସାର ଭାଜନ ହୋଇଅଛନ୍ତି । + + + ଆମ୍ଭମାନଙ୍କ ବିବେଚନାରେ ରାମାଭିଷେକ ନାଟକର ଅଭିନୟ ଅପେକ୍ଷା ଏ ଅଭିନୟ ଭଲ ହୋଇଥିଲା ।” (ଉତ୍କଳ ଦୀପିକା, ତା,. ୨୮.୦୨.୧୮୮୦ ରିଖ) । ଅନ୍ୟ ଏକ ସମ୍ବାଦରେ ପ୍ରକାଶ ପାଇଥିଲା ଯେ, ୧୮୮୩ ସାଲ ଜାନୁଆରୀ ମାସରେ ଧାରବାର ହିନ୍ଦୀ ଥିଏଟର ଦଳ କଟକକୁ ଆସିଥିଲେ । ସେମାନେ କଟକ ମ୍ୟୁନିସିପାଲ ହାଟରେ ପାଞ୍ଚଶତ ଟଙ୍କା ବ୍ୟୟରେ ଗୋଟାଏ ସୁପ୍ରଶସ୍ଥ ନାଟ୍ୟଶାଳା ନିର୍ମାଣ କରି ତା. ୦୮.୦୧.୧୮୮୩ରିଖ ସୋମବାର ଦିନ ସେମାନଙ୍କ ପ୍ରଥମ ଅଭିନୟ ପ୍ରଦର୍ଶନ କଲେ । ଏଇ ହିନ୍ଦୀ ଥିଏଟର ଦଳ ବିଭିନ୍ନ ନାଟକର ଅଭିନୟ ପରେ ଗୋଟାଏ ଫାର୍ସ ଦେଖାଇଥିଲେ । ‘ଅସଲ କି କସମଲ କସମଲ କି ଅସଲ୍‌ ବଜାରକା କୁତା ଗାଦିଗା ଗଧା’ ନାମକ ଫାର୍ସଟି ଅଭିନୟ ଏବଂ ହାସ୍ୟ ପରିହାସରେ ଥିଲା ଅନନ୍ୟ । ରସ ସଞ୍ଚାର ଦୃଷ୍ଟିରୁ ମଧ୍ୟ ଏହାଥିଲା ଆକର୍ଷଣର କେନ୍ଦ୍ରବିନ୍ଦୁ । (ଉତ୍କଳ ଦୀପିକା-ତା.୨୭.୦୧. ୧୮୮୩ରିଖ)

 

ମଦ୍ୟପାନ, ବେଶ୍ୟାପ୍ରୀତି ଓ ବୃଦ୍ଧ ବିବାହ- ଏ ସବୁ ବୌଦ୍ଧିକ ବିକୃତିର ନିଦର୍ଶନ । ପ୍ରାଚ୍ୟ-ପାଶ୍ଚାତ୍ୟ ଶିକ୍ଷା-ସଂଘର୍ଷ ହେତୁ ନବଭାବରେ ଉନ୍ମାଦିତ ଶିକ୍ଷିତ ଶ୍ରେଣୀ ଉତ୍କଳୀୟ ସମାଜ ଜୀବନର ଆଚାର ଆଚରଣକୁ ଖିନ୍‌ଭିନ୍‌ କରି ପକାଇଥିଲେ । ମଦ୍ୟପାନ ଓ ବେଶ୍ୟାପ୍ରୀତି ଏଇ ଶିକ୍ଷିତ ଶ୍ରେଣୀ ନିକଟରେ ଏକ ଆଧୁନିକ ଫେସନ୍‌ରେ ପରିଣତ ହୋଇଥିଲା । ସ୍ଥାଣୁ, ସ୍ଥବିର ଓ କ୍ଷୟିଷ୍ଣୁ ସମାଜ ଜୀବନରେ ବୃଦ୍ଧ ବିବାହ ଏକ ଅପଶକୁନ ମାତ୍ର । ବହୁ ପୂର୍ବରୁ ଓଡ଼ିଶାରେ ବାଲ୍ୟବିବାହ ପ୍ରଥା ପ୍ରଚଳିତ ଥିଲେ ହେଁ, ବୃଦ୍ଧ ବିବାହ ଏକ ସାମାଜିକ ସମସ୍ୟାର ରୂପ ନେଇଥିଲା । ମଦ୍ୟପାନ ଓ ବେଶ୍ୟାପ୍ରୀତି-ଏ ଦୁଇଟି ଚଳଚଞ୍ଚଳ, ଗତିଶୀଳ ତଥା ଅବ୍ୟବସ୍ଥିତ ଜୀବନର; ଅବରଦିଗରେ ବୃଦ୍ଧ-ବିବାହ ଏକ ସ୍ଥିର, ଅଥର୍ବ, ଅଚଞ୍ଚଳ ଜୀବନର ଅବଶ୍ୟମ୍ଭାବୀ ପରିଣତି । ଏହି ପରିପ୍ରେକ୍ଷୀରେ ରଚିତ ‘କଳିକାଳ’ ଓ ‘ବୁଢ଼ାବର’ ନାମକ ଦୁଇ ପ୍ରହସନ ଯଥାକ୍ରମେ ଉପରୋକ୍ତ ପ୍ରଥମ ଏବଂ ଦ୍ୱିତୀୟ ସାମାଜିକ ବ୍ୟଭିଚାରର ମୂଳୋତ୍ପାଟନ ପାଇଁ ଉଦ୍ଦିଷ୍ଟ ।

 

୧୮୮୩ ମସିହାରେ ନାଟ୍ୟକାର ରାମଶଙ୍କର ରାୟଙ୍କ ରଚିତ ଏବଂ ଅଭିନୀତ ‘କଳିକାଳ’ ପ୍ରହସନ ସାମାଜିକ ଅପଚାରର ନଗ୍ନରୂପ ଉପସ୍ଥାପନ କରିବାରେ ଏକ ମାଇଲ ଖୁଣ୍ଟ । ପ୍ରହସନର ପ୍ରାରମ୍ଭରେ ରହିଛି ଏକ ପ୍ରସ୍ତାବନା । ସୂଚନାଧର୍ମୀ ଅଭିବ୍ୟକ୍ତି ମାଧ୍ୟମରେ ନାଟ୍ୟକାର ‘କଳିକାଳ’ ସମ୍ପର୍କରେ ସୁନ୍ଦର ଚିତ୍ରଟିଏ ଉପସ୍ଥାପନ କରିଚନ୍ତି । ‘ନାନାଦି ନିଶା ସେବନ’ ଓ ‘କପଟତା ଆଚରଣ’ ସହିତ ବହୁବିଧ ଅନୀତିରେ ପୂର୍ଣ୍ଣ ହୋଇଛି କଳିକାଳ । (ରାମଶଙ୍କର ଗ୍ରନ୍ଥାବଳୀ, ପୃ-୧୬୪) କଳିକାଳଙ୍କର ଏକ ଛଦ୍ମବେଶ ଅର୍ଥାତ୍‌ ଏକ ଜ୍ୟୋତିର୍ମୟ ସନ୍ନ୍ୟାସ ରୂପରେ ନାଟକର ପ୍ରସ୍ତାବନା ପର୍ବରେ ଘଟିଛି ଆବିର୍ଭାବ । ଏଥିରେ ଏକ ପୁତ୍ରସ୍ନେହ ବିଜଡ଼ିତ ଅନ୍ଧ-ଦମ୍ପତିର କାରୁଣ୍ୟ, ଏକ ପତିସ୍ନେହ ବଞ୍ଚିତା ନାରୀର ବ୍ୟଥାତୁର ଦୀର୍ଘଶ୍ୱାସ ସର୍ବୋପରି ଏକ ଲାଳସା ପରାୟଣ ବ୍ୟକ୍ତିର ତୀବ୍ର ଭୋଗ-ସ୍ପୃହା ଜନିତ କରୁଣ ପରିଣତିର ବର୍ଣ୍ଣନା ବେଶ୍‌ ରୋମାଞ୍ଚକର ମଣ୍ଡିତ । ପ୍ରହସନରେ ପ୍ରଦର୍ଶିତ ପାରିବାରିକ ଜୀବନର ସହାନୁଭୂତି ସ୍ନିଗ୍ଧ ଉଚ୍ଛ୍ୱାସ ଏବଂ ସ୍ନେହ-ପ୍ରେମ-ମମତାରର ମଧୁର ବନ୍ଧନ ଖିନଭିନ୍‌ ହେଇ ବାସ୍ତବିକ ଏକ ଅସହନୀୟ ବେଦନୀରେ ହୋଇ ଉଠିଛି ଜର୍ଜ୍ଜରିତ । ନିଶା ଓ ବେଶ୍ୟାର ପ୍ରାଚୁର୍ଯ୍ୟ ଭିତରେ ଦିନାତିପାତ କରୁଥିବା ଏଇ ଶିକ୍ଷିତ-ଅଭିଜାତ ଗୋଷ୍ଠୀ ନିକଟରେ ନିଜ ପରିବାର ଓ ସମାଜ ପ୍ରତି କେମିତି ଗୋଟାଏ ବେପରୁୱା ଭାବ ପରିଲକ୍ଷିତ ହୋଇଥିଲା । ଏମିତି କଳଙ୍କିତ ଅପକର୍ମର ଶିକାର ହୋଇ ଉତ୍କଳୀୟ ସମାଜ-ଜୀବନ ଶ୍ୱାସରୁଦ୍ଧ ହୋଇ ଉଠିଥିଲା । ବସ୍ତୁତଃ, ସମାଜ ଜୀବନର ପବିତ୍ର ଧାରା ହୋଇଯାଇଥିଲା । ଧ୍ୱସ୍ତ ବିଧ୍ୱସ୍ତ । ବହୁ ପରିବାରର ଆଶା ଆକାଂକ୍ଷା ଭାଙ୍ଗିରୁଜି ଛାରଖାର ହୋଇଯାଇଥିଲା । ମଉଳି ଯାଇଥିଲା ହାଣ୍ଡିଶାଳ କୋଣରେ ଥିବା ସ୍ୱପ୍ନାତୁରା ଅବଗୁଣ୍ଠନବତୀର କେତେକେତେ ଖିଆଲି ଆଶା । ଆଖି ଲୋତକରେ ଭିଡ଼ୁଥିଲା ତା’ର ପଣତକାନି । ଶିକ୍ଷିତବର୍ଗ ବେଶ୍ୟାପ୍ରୀତି ଆଉ ମଦ୍ୟପାନକୁ କିନ୍ତୁ ସମ୍ଭ୍ରାନ୍ତର ଲକ୍ଷଣ ବୋଲି ଧରି ନେଇଥିଲେ । ସମାଜ ଜୀବନର ଏମିତି ବହୁ କଳଙ୍କିତ ନାୟକ ନାୟିକାଙ୍କର ଏକ ପ୍ରତୀକ ହେଉଛନ୍ତି ବାବୁ ‘ଚନ୍ଦ୍ରମଣି’ ଏବଂ କଟକ ମସ୍‌ଜିଦ୍‌ ଗଳିର ବିଖ୍ୟାତ ବାରଙ୍ଗନା ‘ଉସ୍‌ମାନତାରା’ । ଫକୀର ମୋହନଙ୍କ ‘ପେଟେଣ୍ଟ ମେଡ଼ିସିନ୍‌’ ଗଳ୍ପରେ ପୂରି ରହିଛି ଏହାର ତୀବ୍ର କଟାକ୍ଷ । ଅନୁରୂପ ରୁଦ୍ଧ ବାତାୟନ ଖୋଲି ଦେଇଛନ୍ତି ନାଟ୍ୟକାର ରାମଶଙ୍କର ‘ମଦ୍ୟପାନ’, ଚାଟଭକ୍ଷଣ, ନିଶା, ବେଶ୍ୟା, ଖାସାବ୍ରାଣ୍ଡି ଜୟ ରହେ, ହରିବୋଲ ! (ରାମଶଙ୍କର ଗ୍ରନ୍ଥାବଳୀ, ପୃ-୧୮୩) ନାଟକୀୟ ଅଭିବ୍ୟକ୍ତିରେ ଲେଖକ ହାସ୍ୟରସ ମାଧ୍ୟମରେ ସାମାଜିକ ଅପଚାରର ନଗ୍ନ ରୂପକୁ ବେଶ୍‌ ସଜୀବ କରିପାରିଛନ୍ତି । ‘କଳିକାଳ’ ପ୍ରହସନ ନାଟ୍ୟକାରଙ୍କ ସମାଜ ସଚେତନତାର ସମୁଜ୍ଜ୍ୱଳ ଦୃଷ୍ଟାନ୍ତ ।

 

ବୃଦ୍ଧ ବୟସରେ କୁତ୍ସିତ କାମବାସନା ଚରିତାର୍ଥ ପାଇଁ ସମ୍ମୋହନର କାଳ ବିଛାଇ ଏକ ତରୁଣୀ ଭାର୍ଯ୍ୟାକୁ ସାଦର ସମ୍ଭାଷଣ ଜଣାଇବା ପରିହାସପୂର୍ଣ୍ଣ ନିଶ୍ଚିତ ଭାବରେ । ଏଇ ଭାବ ଭାବନାକୁ ପାଥେୟ କରି ୧୮୯୨ ମସିହାରେ ରଚିତ ହୋଇଥିଲା ‘ବୁଢ଼ାବର’ ପ୍ରହସନ । ପ୍ରହସନଟିର ସଂକ୍ଷିପ୍ତ କଥାବସ୍ତୁ ଏମିତି :

 

ଅଶୀ ବର୍ଷର ଜନୈକ ବୃଦ୍ଧ ନଟବର । ଏକ ତରୁଣୀ ଭାର୍ଯ୍ୟା ରତିମଞ୍ଜରୀ (ସେମାନଙ୍କ କନ୍ୟା)ଙ୍କୁ ବିବାହ କରିଛନ୍ତି । ସର୍ବଶେଷରେ ରତିମଞ୍ଜରୀ ନଟବରଙ୍କ ଭୃତ୍ୟ ‘ନାଥିଆ’ ସହ ପଳାୟନ କରିଛି । କାଟାଷ୍ଟ୍ରୋଫେ ଅର୍ଥାତ ଉପସଂହାରୀୟ ବକ୍ତବ୍ୟରେ ବିବାହ ପାଗଳ ବୃଦ୍ଧ ନଟବରଙ୍କ ଅଯୌକ୍ତି ଇଚ୍ଛାର ପୂରଣ ପରିଣତି ପ୍ରହସନଟିକୁ ଏକ ଉତ୍ତରଳ ହାସ୍ୟ ପ୍ରବାହ ଭିତରକୁ ଠେଲି ନେଇଛି । ବୃଦ୍ଧସ୍ୟ ତରୁଣୀ ଭାର୍ଯ୍ୟାର ଶେଷ ପରିଣତି କେବଳ ପରିହାସର ପାତ୍ର ସାଜିବା ବ୍ୟତୀତ ଅନ୍ୟ କିଛି ନୁହେଁ । ବୃଦ୍ଧ କଣ୍ଟର ସଙ୍ଗୀତାଂଶରୁ ଏହା ସୁସ୍ପଷ୍ଟ ।

 

“ବିଭାହେଲି ବୁଢ଼ାଦିନେ ଘର ରକ୍ଷା ପାଇଁ

ଜଞ୍ଜାଳ ହୋଇଲା ଘର ଦେଲା ସେ ଭଙ୍ଗାଇ ।

ଜାଣିକି ଥିଲି ମୁଁ ହେବି ଏତେ ହଟ ହଟା

ସ୍ୱଜନ ସମ୍ପଦ ଗଲା, ଗଲା ଲୁଗାପଟା ।”

ବୁଢ଼ାଦିନେ ବିଭାହେଲେ ଫଳେ ଏହି ଫଳ

ମୋ’ ପରି ମୁରୁଖ ଆଉ କେହି ଅଛି ଲୋକର ।

କେତେ ଆଶା କରିଥିଲି ସୁଖ ଭୋଗ ଜାଣି

ସ୍ୱାଦିଲି ସୁରଙ୍ଗ ଲିମ୍ୱ ସାଧେ ତୋଳି ଆଣି ।

(ରାମଶଙ୍କର ଗ୍ରନ୍ଥାବଳୀ, ୧୯୩୦, ପୃ-୪୬୩)

 

‘କଳିକାଳ’ର ଆଙ୍ଗିକ ଏବଂ ଆତ୍ମିକ ରୂପ ବିଭବରେ ମାଇକେଲ୍‌ ମଧୁସୂଦନଙ୍କ ‘ଏକେଇକି ବଳେ ସଭ୍ୟତା’ (୧୮୬୦) ଏବଂ ଦୀନବନ୍ଧୁ ମିତ୍ରଙ୍କ ‘ସଧବାର ଏକାଦଶୀ’ (୧୮୬୬) ପ୍ରହସନ ଦ୍ୱୟର ବେଶ୍‌ ସୁସ୍ପଷ୍ଟ । ବୃଦ୍ଧ ବିବାହ ଯେ ସାମାଜିକ ଜୀବନର କଳଙ୍କ; ଏହା ରାମଶଙ୍କରଙ୍କ ପ୍ରହସନର ମର୍ମବାଣୀ । ସାମାଜିକ ଅପପ୍ରଚାର ଓ ତା’ର ପରିଣତି - ଏହି ଦୁଇ ଦିଗ ଉପରେ ପ୍ରାଧାନ୍ୟ ଦେଇ ପ୍ରହସନ ରଚିତ ହୁଏ । ପ୍ରହସନରେ ନୀତିଶିକ୍ଷା ପ୍ରାଧାନ୍ୟଲାଭ କଲେ, ତାହା ସୃଷ୍ଟି ଅପେକ୍ଷା ଅଧିକ ପ୍ରଚାରଧର୍ମୀ ହୋଇପଡ଼େ । ‘କଳିକାଳ’ ଏଇ ଦୋଷରେ, ଦୁଷ୍ଟ ବୋଲି ଅନୁମିତ ହୁଏ । ମାତ୍ର ଆଙ୍ଗିକ ଦୃଷ୍ଟିକୋଣରୁ ‘କଳିକାଳ’ ଅପେକ୍ଷା ‘ବୁଢ଼ାବର’ର ଶିଳ୍ପ ଗୌରବ ଅଧିକ ମହୀୟାନ । ୧୯୧୩ ମସିହାରେ ରଚିତ ତଥା ଅଭିନୀତ ‘ବଡ଼ଲୋକ’ ପ୍ରହସନ ମଧ୍ୟ ରାମଶଙ୍କରଙ୍କ କୃତିତ୍ୱର ଯଶୋଗାନ କରେ ।

 

ସଂସାର ଲୀପ୍ସୁ ଭିକାରୀଚରଣ ପଟ୍ଟନାୟକ (୧୮୭୮-୧୯୬୨) ଥିଲେ ନାଟ୍ୟରଥି ରାମଶଙ୍କରଙ୍କ ସୁଯୋଗ୍ୟ ଦାୟାଦ : ଫଳତଃ, ତାଙ୍କ କର୍ମକ୍ଷେତ୍ର ଏବଂ ସାହିତ୍ୟ ସୃଷ୍ଟିକ୍ଷେତ୍ର ଉଭୟ ଥିଲା ପରିପୂରକ । ତାଙ୍କ ସୃଷ୍ଟି ସମ୍ପଦର ଆଙ୍ଗିକ୍‌ ପରିପାଟୀ ରାମଶଙ୍କରୀୟ ଚେତନାରେ ହୋଇ ଉଠିଥିଲା ଦୀପ୍ତିମନ୍ତ । ଭିକାରୀଚରଣଙ୍କ ‘ଅଦ୍ଭୂତ ଆଦର୍ଶ’ (୧୯୦୯) ଏବଂ ‘ଯୌତୁକ’ (୧୯୨୪) ପ୍ରହସନ ମଧ୍ୟରେ ସଂସ୍କାର ଭାବର ମହନୀୟତା ପ୍ରକଟିତ । ‘ଅଦ୍ଭୂତ ଆଦର୍ଶ’ ମୁକୁର ପତ୍ରିକା (୩/୧୦ ସଂଖ୍ୟା)ର କଳେବର ମଣ୍ଡନ କରିଥିଲା । ‘ଯୌତୁକ’ ପ୍ରହସନ ୧୯୨୪ ମସିହାରେ ପ୍ରକାଶିତ । ଯୌତୁକ ଜନିତ ସାମାଜିକ ପରିସ୍ଥିତି ନାଟ୍ୟକାର ଭିକାରୀ ଚରଣଙ୍କ ଚିତ୍ତକୁ କରିଥିଲା ଆନ୍ଦୋଳିତ । ଦୂରଦ୍ରଷ୍ଟା ନାଟ୍ୟକାର ତାଙ୍କର ତୃତୀୟ ଭିକାରୀ ଚରଣଙ୍କ ଚିନ୍ତକୁ କରିଥିଲା ଆନ୍ଦୋଳିତ । ଦୂରଦ୍ରଷ୍ଟା ନାଟ୍ୟକାର ତାଙ୍କର ତୃତୀୟ ନୟନମେଲି ଦେଖିପାରିଥିଲେ ଯୌତୁକର ଲମ୍ବା ହାତ ହେବ ସୁଦୂର ପ୍ରସାରୀ । ବରପକ୍ଷ କନ୍ୟାପିତାଙ୍କଠାରୁ ମୋଟା ପରିମାଣର ଅର୍ଥ ଓ ଚଳନ୍ତି - ଅଟକନ୍ତି ସମ୍ପତ୍ତି ଯେଉଁ ଦାବି କରିବସେ, ସେହି କୁତ୍ସିତ ପରମ୍ପରାରେ ବିଚଳିତ ନାଟ୍ୟକାର ଯୌତୁକ ଜନିତ ନିର୍ଯାତନା ବିରୋଧରେ ସ୍ଲୋଗାନ ତୋଳିଛନ୍ତି । ସମାଜର ରକ୍ଷଣଶୀଳତା ମୂଳରେ କୁଠାରାଘାତ ପୂର୍ବକ ଏକ ସାମାଜିକ ସଂସ୍କାର ଆଳୟନ ପାଇଁ ଅତନ୍ଦ୍ରିତ ଉଦ୍ୟମ କରିବା ହେଉଛି ଯୌତୁକ ପ୍ରହସନର ମୂଳ ଲକ୍ଷ୍ୟ ।

 

ଭିକାରୀଚରଣ ସମାଜର ଏକ ଜ୍ୱଳନ୍ତ ସମସ୍ୟାକୁ ସମାଧାନ କରିବାକୁ ଏଥିରେ ପଥ ନିର୍ଦ୍ଦେଶ କରିଛନ୍ତି । ଯୌତୁକ ପ୍ରହସନର ନାୟକ ତାଙ୍କ ପିତାଙ୍କ ଇଚ୍ଛା ବିରୋଧରେ ଅନ୍ୟତ୍ର ବିବାହ କରି ଏଇ କଳଙ୍କିତ ପ୍ରଥା ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିଛି । ବରପିତା ହୋଇଯାଇଛନ୍ତି ଏକ ଯୌତୁକ ଲୋଭୀ ସାମ୍ରାଜ୍ୟର ଏକ ଛତ୍ରାଧିପତି ସମ୍ରାଟ । କୁସଂସ୍କାରଗ୍ରସ୍ତ ସମାଜ ଜୀବନର ସେ ହିଁ ଜୀବନ୍ତ ପ୍ରତିଭୁ । ଅନ୍ୟ ପକ୍ଷରେ ପ୍ରହସନର ନାୟକ ବିଦ୍ରୋହ ଜଣର ନୁହେଁ; ଗଣର । ବସ୍ତୁତଃ, ଏ ବିଦ୍ରୋହ କେବଳ ଜଣେ ଯୌତୁକ ଲୋଭୀ ପିତାର ନୀଚ ଲାଳସା ବିରୋଧରେ ନୁହେଁ; ବରଂ ଏହାକୁ ସମଗ୍ର ସାମାଜିକ ଅବ୍ୟବସ୍ଥାରୂପୀ ମହୋଦଧି ମନ୍ଥନ ବୋଲି କୁହାଯାଇପାରେ । ସମକାଳୀନ ସମାନ ଚିତ୍ର ‘ଯୌତୁକ’ ପ୍ରହସନକୁ ସାର୍ବଜନୀନ ଓ ସର୍ବକାଳୀନ କରିଦେଇଛି । କ୍ଷୟିଷ୍ଣୁ କରଣ ସମାଜର ବନ୍ଧ୍ୟ ଜାତ୍ୟଭିମାନ ସର୍ବୋପରି ପ୍ରାଚୀନ ତଥା ନବୀନ ମଧ୍ୟରେ ଚିତ୍ତ ସଂଘର୍ଷ ପର୍ବର ଚିତ୍ରଣ ଅତ୍ୟନ୍ତ ପ୍ରଭାବଶାଳୀ ।

 

ଆଲୋଚ୍ୟ ପର୍ବରେ ବିଭିନ୍ନ ଫାର୍ସ ରଚୟିତାଙ୍କ ମଧ୍ୟରେ ଗୌରୀ ବଲ୍ଲଭ ପଟ୍ଟନାୟକଙ୍କ ‘ମହାଜନ ଫାର୍ସ’ (୧୮୮୯), ବ୍ରହ୍ମଚାରୀ ପ୍ରଣୀତ ‘ଯତୋଧର୍ମ ସ୍ତତୋଜୟଃ’ (ଐତିହାସିକ ପ୍ରହସନ) ଏବଂ ରାମଚନ୍ଦ୍ର ଆଚାର୍ଯ୍ୟଙ୍କ ‘ମଲାପଣା’ (ସାମାଜିକ ପ୍ରହସନ)ର ନାମ ଉଲ୍ଲେଖଯୋଗ୍ୟ ‘ଯତୋ ଧର୍ମ ସ୍ତତୋଜୟଃ’ ପ୍ରହସନ ଉଜ୍ୱଳ ସାହିତ୍ୟ (୫/୯)ରେ ପ୍ରକାଶିତ ହୋଇଥିଲା ବେଳେ ‘ମଲାପଣା’ ଉତ୍କଳ ସାହିତ୍ୟର ୨୪/୮ ସଂଖ୍ୟାରେ ସ୍ଥାନିତ ହୋଇଥିଲା ।

 

ପରମୁଖାପେକ୍ଷିତା ଏବଂ ଅନ୍ଧାନୁକରଣ - ଏ ଦୁଇ ସୂତ୍ରରୁ ଉପଜୀବ୍ୟ ହେଉଛି ‘ରିଫାର୍ମଡ୍‌ ଲେଡ଼ି’ ପ୍ରହସନ (୧୯୧୭) । ଉଗ୍ର ଆଧୁନିକତା ନାମରେ ନାରୀଜଗତର ସ୍ୱେଚ୍ଛାଚାରିତା ବଢ଼ି ବଢ଼ି ଚଲିଛି । ନବ୍ୟା ତଥା ସଭ୍ୟା ହେବାର ଦୂରନ୍ତ ଇଚ୍ଛା ନେଇ ଭାରତୀୟ ନାରୀ ନିଜର ଐତିହ୍ୟ ଏବଂ ପରମ୍ପରା ବିସର୍ଜନ କରିଦେଇଛି । ଅନୁକରଣ ନାମରେ ସେ କରୁଛି ହନୁକରଣ । ବହୁ ଦିବା ସ୍ୱପ୍ନରେ ସେ ମସ୍‌ଗୁଲ୍‌ ହୋଇଉଠେ । ମାତ୍ର ଏମିତି ଛଳନା, ଆତ୍ମବଡ଼ିମା ଆଉ ଅନ୍ଧାନୁକରଣର କୁପ୍ରଭାବରେ ସମାଜ ହୁଏ ଦ୍ୱିଧାଗ୍ରସ୍ତ, ଦ୍ୱିଖଣ୍ଡିତ । ଅର୍ଥବ ଆଉ ପଙ୍ଗୁ ପାଲଟି ଯାଆନ୍ତି ଶାଶୁ-ଶ୍ୱଶୁରଙ୍କୁ ପରି ବହୁ ଗୁରୁ-ଗୁରୁଜନ । ସ୍ୱାମୀ ହୁଏ ଉପେକ୍ଷିତ । ଏଇ ଜ୍ୱଳନ୍ତ ସମସ୍ୟା ସହିତ ନାରୀ ସମାଜର ଭୟାବହତାକୁ ଓଖାରି ନିଖାରି ଦେଖାଇ ଦିଆଯାଇଛି ପ୍ରହସନ ମାଧ୍ୟମରେ । ଅଶ୍ୱିନୀକୁମାରଙ୍କ ‘ରିଫାର୍ମକ୍‌ ଲେଡ଼ି’ରେ ଏକ ଉପାଦେୟ ସମସ୍ୟା ରହିଛି; ଯାହା ମାନବିକ ଧର୍ମ ଓ ଯାହା ସନାତନ ଆର୍ଯ୍ୟ ସଂସ୍କୃତି; ତାକୁ ସମ୍ପୂର୍ଣ୍ଣ ସମର୍ଥନ କରାଯାଇଛି । ଏହା ଚିନ୍ମୟ । ତା’ର ବିଲୁପ୍ତି ଅସମ୍ଭବ । ଏହାର ଆଙ୍ଗିକ ଏବଂ ଆତ୍ମିକ ଲାଭ୍‌ ସମକାଳୀନ ବଙ୍ଗଳା ନାଟକ ଏବଂ ପ୍ରହସନ ଦ୍ୱାରା ପ୍ରଭାବିତ । ଏହି ଦୃଷ୍ଟିରୁ ‘ରିଫାର୍ମଡ୍‌ ଲେଡ଼ି’ ପ୍ରହସନକୁ ବଙ୍ଗଳା ପ୍ରହସନର ଏକ ସମାନ୍ତରାଳ ରୂପ ବୋଲି ନିର୍ବିବାଦରେ ଗ୍ରହଣ କରାଯାଇପାରେ । ମାତ୍ର ନାଟ୍ୟ ସମାଲୋଚକ ଡକ୍ଟର ହେମନ୍ତ କୁମାର ଦାସ ଏହାକୁ ପ୍ରହସନ ରୂପେ ଗ୍ରହଣ କରିନାହାନ୍ତି । ତାଙ୍କ ମନରେ ଏଇ ପ୍ରହସନଟି ଟ୍ରାଜିକ୍‌ ଚେତନାଯୁକ୍ତ ଏକ ସାଧାରଣ ନାଟକ ପର୍ଯ୍ୟାୟର । (ଓଡ଼ିଆ ନାଟକର ମଧ୍ୟପର୍ବ, ପୃ-୧୦୯) ।

 

‘ପ୍ରେମିକ ଛାତ୍ର’ ଅଶ୍ୱିନୀ କୁମାରଙ୍କର ଅନ୍ୟ ଏକ ପ୍ରହସନ । ପାଠ ପଢ଼ୁଥିବା ସମୟରେ ବିବାହ କଲେ ତା’ର ଫଳ କିପରି ବିଷମୟ ହୁଏ, ସେ ସମ୍ବନ୍ଧରେ ଏଥିରେ ପ୍ରକାଶ ପାଇଛି ନାଟକୀୟ ଟୀକା ଏବଂ ଟିପ୍ପଣୀ | ପ୍ରେମର ପରିଣତି ଓ ଭୟାବହତା ଉଭୟ ଦିଗନ୍ତର ପକ୍ଷ ବିସ୍ତାର ଘଟିଛି ପ୍ରହସନଟିରେ । ବିଷୟ ବସ୍ତୁର ସ୍ରୋତ ଗତିମୁଖର ହୋଇଥିଲେ ବି, ଆଙ୍ଗିକ ପରିପାଟୀ ବିଶେଷତଃ ସଂଳାପକଥନଗତ ଦୁର୍ବଳତା ନାଟ୍ୟ ପରିବେଷଣ ଏବଂ ଶୈଳୀ ଆସ୍ୱାଦନରେ କିଛିଟା ପ୍ରତିବନ୍ଧକ ସୃଷ୍ଟି କରେ ।

 

ସମକାଳୀନ ଅନ୍ୟ ଦୁଇ ଫାର୍ସ ରଚୟିତା ହେଉଛନ୍ତି ଗୋବିନ୍ଦ ଚନ୍ଦ୍ର ଶୁଭଦେଓ (୧୮୮୪-୧୯୩୯) ଏବଂ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୧୮୮୮-୧୯୫୩) । ବ୍ୟାସକବି ଫକୀର ମୋହନ ସେନାପତିଙ୍କ ‘ପେଟେଣ୍ଟ ମେଡ଼ିସିନ୍‌’ ଗଳ୍ପ ଅବଲମ୍ବନରେ ଶୁରଦେଓ ରଚନା କରିଥିଲେ ‘ଚାରାବାଈ’ ଫାର୍ସ । ଏହା ବ୍ୟତୀତ ତାଙ୍କ ଫାର୍ସ ରଚନାର ବିଭିନ୍ନ ଶୀର୍ଷକ ହେଉଛି ‘କୁଳରକ୍ଷା ଫାର୍ସ’, ‘ପାଠୋଇ ବହୁ ଫାର୍ସ’, ‘ମହନ୍ତ ଫାର୍ସ’, ‘ହସ କୌତୁକ ଫାର୍ସ’, ‘ହାଡ଼ୁବାବୁ ଫାର୍ସ’ । ଶସ୍ତା ହାସ୍ୟରସ ଓ ନିମ୍ନମାନର ସଂଳାପ ସଂଯୋଜନା ଯୋଗୁଁ ଉନ୍ନତ ଶିଳ୍ପକଳାଠାରୁ ଏହା କିଛିଟା ଦୂରେଇଯାଇଛି । ଏଗୁଡ଼ିକ ଅଧିକ ପ୍ରଚାର ସର୍ବସ୍ୱ ହୋଇପଡ଼ିଥିଲା ପରି ବି ମନେହୁଏ । ତଥାପି, ଦର୍ଶକ ସମାଜରେ ବିମଳ ହାସ୍ୟରସ ପରିବେଷଣ ସାଙ୍ଗ, ଉନ୍ନତ ରୁଚି ଓ ସଂସ୍କାର ଭାବରେ ଆଧିପତ୍ୟ ବିସ୍ତାର କରିବା ଶୁଭଦେଓଙ୍କ ଫାସଗୁଡ଼ିକର ଅନ୍ତର୍ନିହିତ ଉଦ୍ଦେଶ୍ୟ । ତାଙ୍କ ଫାର୍ସଗୁଡ଼ିକ ଯେ ଲୋକଚିନ୍ତାନୁରଞ୍ଜକ, ଏହା କହିବା ନିଷ୍ପ୍ରୟୋଜନ ।

 

କାନ୍ତକବି ଲକ୍ଷ୍ମୀକାନ୍ତ ‘ଶିକ୍ଷାନବିସ୍‌ ପ୍ରେମିକ’, ‘ପରୀକ୍ଷା ଫଳ’ ଆଦି ପ୍ରହସନ ରୂପକାର । ‘ଶିକ୍ଷା ନବିଶ ପ୍ରେମିକ’ର ଭୂମିକାରେ କାନ୍ତକବିଙ୍କ ନିଜସ୍ୱ ବକ୍ତବ୍ୟ ଏହିପରି; ଏହି ପ୍ରହସନର ଆଖ୍ୟାୟିକା ମୋର ଗୋଟିଏ ଗଳ୍ପରୁ ଗୃହୀତ । ଶ୍ରୀ ଶ୍ରୀ ଗୋପୀନାଥ ସଂଗୀତ ସମାଜ ଦ୍ୱାରା ଅଭିନୟ ନିମନ୍ତେ ଏହାର ନାଟ୍ୟରୂପ ପ୍ରଦାନ କରାଯାଇଥିଲା ।

 

ସୁଧାନିଧିବାବୁ (ଜନୈକ ଡେପୁଟି), କରୁଣିବାବୁ (ଜନୈକ ଓକିଲ), ଗୁରୁଚରଣ (ସୁଧାନିଧିବାବୁଙ୍କ ଘର ମାଷ୍ଟର), ମାଧ ଏବଂ ମଦନ (କରୁଣିବାବୁଙ୍କ ଶିଶୁପୁତ୍ର ଦ୍ୱୟ), ମାଧବୀ (ସୁଧାନିଧିବାବୁଙ୍କ ଦଶମ ବର୍ଷିୟା ଜ୍ୟେଷ୍ଠା କନ୍ୟା) ଏବଂ ସୁଧାନିଧି ବାବୁଙ୍କ ଅଷ୍ଟମ ବର୍ଷିୟା କନିଷ୍ଠା କନ୍ୟା ଆଦି ପାତ୍ର-ପାତ୍ରୀ ରୂପରେ ଏଥିରେ ଚରିତ୍ରଭୂତ । ଏ ପ୍ରହସନଟି ଲେଖିବାର କାରଣ ସମ୍ପର୍କରେ ‘କରୁଣୀ’ ମୁହଁରେ ଅଭିବ୍ୟକ୍ତି ବାଢ଼ିଛନ୍ତି ନାଟ୍ୟକାର ।

 

‘ଆଜିକାଲିକା’ ବଜାରୀ ବହିଗୁଡ଼ାକ ପଢ଼ି ଅଳ୍ପ ବୟସରୁ ପିଲାଯାକ ସବୁ କଷି ବେଳରୁ ପାଚିଯାଇ କୋଇଲିପଡ଼ା ଧରି ଯାଉଛନ୍ତି । ତେଣିକି ଏ ଏଜୁକେସନ ସିଷ୍ଟମ୍‌ରେ କ’ଣ ଅଛି କେଜାଣି, ଶତକଡ଼ା ୯୯% ଏହିପରି । ଶିକ୍ଷା ପ୍ରଣାଳୀର ଶୀଘ୍ର ପରିବର୍ତ୍ତନ ନହେଲେ ସମସ୍ତେ ଏହିତା ହେବେ । ସମାଜ ଏକାବେଳକେ ଉଚ୍ଛନ୍ନ ହୋଇଯିବ ।’ (କାନ୍ତ ସାହିତ୍ୟ ମାଳା, ୧ମ ଖଣ୍ଡ, ପୃଷ୍ଠା-୧୮୭) । ଯେଉଁ ପିଲା ପ୍ରେମ କରିବାକୁ ଯାଇ ଶେଷକୁ ଚପଲ ମାଡ଼ ଖାଇଲା, ସେ ନିଜେ ସ୍ୱୀକାର କରିଛି - “ଇଲୋ ବାବା ! ପ୍ରେମ କରିବାରେ ପୁଣି ଏମିତି ହରକତ ! ଏହା ଜାଣିଥିଲେ କଉଁ ଅହମ୍ମକ ଏଥିରେ ହାତ ଦେଇଥାନ୍ତା । ଟିକିଏ ଏକ୍ସପେରିମେଣ୍ଟ କରୁ କରୁ ତ ଏତିକି । ଆଉ ହୋଇଥିଲେ କ’ଣ ହୋଇଥାନ୍ତା କେଜାଣି..... ଭାବିଥିଲି ନାଟକୀୟ ଭାଷାରେ ଦି’ ପଦ ଚିଠି ଲେଖିଦେଇ ଗୋଟାଏ ରସିକତା କରିଦେବି । ତା’ ମଜାଟା ଏବେ ଖୁବ୍‌ ପାଇଲି ବାବା । ଜୁହାର ବାବା ଜୁହାର ।”

 

ମାଧବ ଚରିତ୍ରଟିକୁ ଉପଲକ୍ଷ୍ୟ କରି ଛାତ୍ରମାନେ କିପରି ବିଶୃଙ୍ଖଳିତ ହୋଇଯାଉଛନ୍ତି; କେମିତି ଭଲମନ୍ଦ ଜ୍ଞାନ ହରାଇ ବସୁଛନ୍ତି, ତା’ର ନମୁନା ଏଠାରେ ଦିଆଯାଇଛି । ପ୍ରହସନଟିରେ କେତୋଟି ସୁନ୍ଦରଗୀତ ଓ ପଦ୍ୟରେ ପ୍ରେମ ଚିଠି ସାହିତ୍ୟିକ ଆବହାୱା ସୃଷ୍ଟି କରିଛି । ଶିକ୍ଷାନବିଶ ମାଧବର ପ୍ରେମଚିଠି କବିଙ୍କ କଳ୍ପନାର ରୂପ ଓ ରଙ୍ଗରେ ରସାଣିତ । ମାଧବ କଣ୍ଠରେ ଯେଉଁ ଗୀତ ସବୁ ଭରି ଦିଆଯାଇଛି, ସେଠି ସ୍ୱୟଂ କାନ୍ତକବି ଓହ୍ଳାଇ ପଡ଼ିଛନ୍ତି । ପ୍ରହସନର ଅନ୍ତିମ ପର୍ବରେ ମାଧବ ଅନୁତାପ କରି ଯେଉଁ ଗୀତ ବୋଲିଛି, ସେଠାରେ ମଧ୍ୟ କାନ୍ତକବି ବିଦ୍ୟମାନ ।

 

“ପ୍ରେମ ନିଶା ମୋର ଗଲା ଛାଡ଼ି

ଝକ୍‌ ମାଇଲି, ଘୁଅ ଖାଇଲି ନାକ ଘଷି କାନ ମୋଡ଼ି ମୋଡ଼ି

ପ୍ରେମ ଦେଖିବାକୁ ଭଲ, ଭିତରେ ମଇଳା ବଲ ବଲ

ପ୍ରେମର ଦାଉ ମାରିଦେଲା ମୋର ପିଠିର ଗଲଗଲ

ପ୍ରେମ ପାଲରେ ପଡ଼ନାହିଁ ଭାଇ ଜୁହାର ହେଉଛି କରଯୋଡ଼ି ।”

(କାନ୍ତ ସାହିତ୍ୟ ମାଳା, ୧ମ ଖଣ୍ଡ, ପୃ-୧୮୭)

 

ନକଲି ପ୍ରେମିକଟି ପ୍ରୀତି ନାଁରେ ଚାନ୍ଦା ଉଠାଇ, ସେଇ ପଇସାରେ ପଲାଉ ଖାଇ ଦୁଃଖରେ ଶୋଇପଡ଼ିବ । ଏହାଦ୍ୱାରା କବି ମାଧବ ନାମକ ଉଚ୍ଛୃଙ୍ଖଳ ଯୁବକର ପ୍ରୀତିକୁ ବାହାନା ବୋଲି ଚିତ୍ରଣ କରିଛନ୍ତି । ମାଧବୀ ନାମରେ ପ୍ରେମପତ୍ର ଲେଖି ନିଜେ ଗୋଟାଏ ପ୍ରେମିକ ହୋଇପାରୁଛି କି ନା ସେ ଏକ୍ସପେରିମେଣ୍ଟ କରିଛି । ଏସବୁ ପାଗଳାମି ପାଇଁ ମାଡ଼ ହେଉଛି ପରମ ଔଷଧ । ଚପଲରେ ‘କରୁଣି’ ବାବୁ ପିଟିବା ପରେ ‘ମାଧ’ର ପ୍ରୀତିଭୋଗ ବଳେବଳେ ଛାଡ଼ିଯାଇଛି । କେବଳ ମାଧବ ନୁହେଁ, ଏହିପରି ଅସଂଖ୍ୟ ଯୁବକ ସ୍ୱେଚ୍ଛାଚାରିତାର ବଦଳରେ ପଢ଼ି ଲଗାମ ଛାଡ଼ ହୋଇଯାଇଛନ୍ତି । ସେମାନେ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ଏହାର ବଶବର୍ତ୍ତୀ ହେଲେ ମାଧବ ପରି ଜଣେ ଗୁରୁଙ୍କ ମୁହଁରେ ଏପରିକି ନିଜ ବାପାଙ୍କ ମୁହଁରେ ବି ଜବାବ ଦେଇପାରେ । ପାଶ୍ଚାତ୍ୟ ଶିକ୍ଷା ଆମକୁ ବିଜୟ ଶିଖାଏ ନାହିଁ । ଯୁବକକୁ ଉଦ୍ଭ୍ରାନ୍ତ କରେ; ସମାଜକୁ ଏକ ବିପଣୀରେ ପରିଣତ କରେ । ଆଶୁ ପ୍ରତିକାର ନହେଲେ ଏହି ଚରିତ୍ରର ଯୁବକ ସମାଜର କଳଙ୍କ ହୋଇ ଠିଆ ହୁଅନ୍ତି । ଏହାହିଁ ଶିକ୍ଷାନବିଶ ପ୍ରେମିକ ପ୍ରହସନର ମର୍ମବାଣୀ ।

 

‘ପରୀକ୍ଷା ଫଳ’ ପ୍ରହସନର ରଚନା ଓ ପୃଷ୍ଠଭୂମି ସମ୍ପର୍କରେ କାନ୍ତକବି କହନ୍ତି : “ଉତ୍କଳରେ ଦିନକୁ ଦିନ ନାଟକ ଦଳର ବୃଦ୍ଧି ହେଉଅଛି । କିନ୍ତୁ ରଙ୍ଗମଞ୍ଚୋପଯୋଗୀ ନାଟକର ଏକାନ୍ତ ଅଭାବ । ପ୍ରହସନ ବା ହାସ୍ୟରସାତ୍ମକ ନାଟ୍ୟ ନାହିଁ ବୋଇଲେ ଚଳେ । ସେ ଅଭାବ ଯୋଗୁଁ କେତେକ ବନ୍ଧୁଙ୍କ ଅନୁରୋଧରେ ମୁକୁରରେ ପ୍ରକାଶିତ ‘ପରୀକ୍ଷା ଫଳ’ ନାମକ ଗଳ୍ପ ଅବଲମ୍ବନରେ ଏ ସାମାଜିକ ପ୍ରହସନଟି ରଚିତ ହୋଇ କଟକ ରେଭେନ୍‌ସା କଲେଜ ଛାତ୍ରମାନଙ୍କ ଦ୍ୱାରା ଅଭିନୀତ ହୋଇଥିଲା ।” (କାନ୍ତ ସାହିତ୍ୟ ମାଳା, ୧ମ ଖଣ୍ଡ, ପୃ-୧୯୨) । ପ୍ରହସନର ତୃତୀୟ ଅଙ୍କ ପ୍ରଥମ ଦୃଶ୍ୟରେ କନ୍ୟା ପକ୍ଷର ପୁରୋହିତ ଏବଂ ବରପକ୍ଷ ପୁରୋହିତଙ୍କ ମଧ୍ୟରେ ବିବାଦ, କଥାକଟା କଟି ହାସ୍ୟରୋଳ ସୃଷ୍ଟି କରେ । ପୁରୋହିତ ଓ ଜ୍ୟୋତିଷଙ୍କ କୁଣ୍ଡରେ ବହୁ ଭ୍ରମାତ୍ମକ ଶ୍ଳୋକ ଉଚ୍ଚାରଣ ସହିତ ହାସ୍ୟ ବଚନିକା ରସ ସଞ୍ଚାରୀ ଏବଂ ଆହ୍ଳାଦକାରୀ (ପୃଷ୍ଠା ୧୯୮-୧୯୯) । ସେହିପରି ତୃତୀୟ ଅଙ୍କ ତୃତୀୟ ଦୃଶ୍ୟରେ ଗ୍ରାମ୍ୟ ପଥରେ ସନାମା , ଦୀନାମ ଓ ସାରିଆ ଇତ୍ୟାଦିଙ୍କର କଥୋପ କଥନ ହାସ -ପରିହାସ ବ୍ୟଞ୍ଜକ (ପୃଷ୍ଠା ୨୦୧) । ମୋଟ ଉପରେ ନାଟକର ନାୟକ ‘ଚନ୍ଦ୍ର’ ପରୀକ୍ଷାରେ ସେକେଣ୍ଡ କ୍ଳାସ ପାଇଥିଲା ବେଳେ, ଜଣେ ଅବିମୃଷ୍ୟକାରୀ ସାଙ୍ଗ ସେ ଫେଲ୍‌ ହୋଇଯାଇଛି ବୋଲି ତା’ନାରେ କୁସ୍ତାରଟନା କରିଛନ୍ତି ଏବଂ ଚନ୍ଦ୍ରର ବିବାହକୁ ଭାଙ୍ଗିଦେଇ ତା’ର ଉଦ୍ଦିଷ୍ଟା କନ୍ୟାକୁ ବିବାହ କରିବାକୁ ଷଡ଼ଯନ୍ତ୍ର ରଚନା କରିଛନ୍ତି । ଏହି କାହାଣୀ ପୃଷ୍ଠ ପୀଠିକାରେ ପ୍ରହସନଟିର ଘୂର୍ଣ୍ଣାୟମାନ ରେଖା ଏକ ସୁନ୍ଦର ନାଟ୍ୟ ବଳୟ ଅଙ୍କନ କରିଛି ।

 

ମୁକ୍ତମଞ୍ଚ ନାଟକ/ଯାତ୍ରାରେ ପ୍ରଥମେ ଫାର୍ସ ପରିବେଷଣ କରିଛନ୍ତି ସଂପ୍ରତି ଭଦ୍ରକ ଜିଲ୍ଲା ଅନ୍ତର୍ଗତ ନଳାଙ୍ଗ ନିବାସୀ ଲୋକକବି ଜଗନ୍ନାଥ ପାଣି (୧୮୩୬-୧୮୯୭) । ସମାଜର ନିମ୍ନବର୍ଗ ଓ ନିମ୍ନଜାତିର ରୂପ-ରୂପାୟନରେ ରଙ୍ଗିନ ହୋଇଉଠିଛି ତାଙ୍କ ଫାର୍ଶ ଚିତ୍ରଶାଳା । ରାଧାକୃଷ୍ଣ କୌତୁକ, ଗୋପାଳ-ଗୋପାଳୁଣୀ, ବାବୁ-ବାବୁଆଣୀ, ମାଳି-ମାଲୁନୀ, ଧୋବା-ଧୋବନୀ, କେଳା-କେଲୁନୀ, ବୈଦ୍ୟ-ରୋଗୀ, ମୋଗଲ-ଗଉଡ଼ୁଣୀ, ରଜକ-ରଜକୀ ପାଟୁଆଗୀତ ଆଦି ପ୍ରହସନ ବା ତାମସା ଏହାର ଅବିରଳ ଦୃଷ୍ଟାନ୍ତ । ସମକାଳୀନ ଗୀତାଭିନୟ ପ୍ରଣେତା ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସୋର ନିକଟବର୍ତ୍ତୀ ମଙ୍ଗଳପୁର ଗାଁର କୃଷ୍ଣକାନ୍ତ ଦାସ । ଓଡ଼ିଶାର ଲୋକନାଟକ ଜଗତରେ ସେ ଏକ ଆପାଂକ୍ତେୟ ଏବଂ ଅବହେଳିତ ପ୍ରତିଭା । ତାଙ୍କର ବହୁ ଅପ୍ରକାଶିତ ପାଣ୍ଡୁଲିପି ଉଦ୍ଧାର କରାଯାଇଛି । କେବଳ ଗୀତାଭିନୟ ଏବଂ ଲୀଳା ସ୍ରଷ୍ଟା ଭାବରେ ସେ ପରିଚିତ ନଥିଲେ । ବରଂ ସେ ଥିଲେ ଦଶଖଣ୍ଡ ଫାର୍ସର ଜନକ । ସେଗୁଡ଼ିକ ମଧ୍ୟରେ ଚୌକିଦାର ଫାର୍ସ, କାଳିଗୋରୀ, ବ୍ରାହ୍ମଣ-ବ୍ରହ୍ମଣୀ, ବୁଢ଼ା ବୁଢ଼ୀ-ରୋଗୀ-ବୈଦ୍ୟ ଆଦି ଫାର୍ସ ପ୍ରଧାନ ।

 

ଯାତ୍ରାକାର ଗୋପାଳ ଦାଶ (୧୮୭୬-୧୯୩୮), ଗଣକବି ବୈଷ୍ଣବ ପାଣି (୧୮୮୨-୧୯୫୬), ନାଟ୍ୟାଚାର୍ଯ୍ୟ ବାଳକୃଷ୍ଣ ମହାନ୍ତି (୧୯୦୦-୧୯୫୮), କୃଷ୍ଣପ୍ରସାଦ ବସୁ (୧୮୯୪-୧୯୬୮) ଆଦି ସେମାନଙ୍କ ନାଟ୍ୟଦଳ ସହ ଓଡ଼ିଶାର ବିଭିନ୍ନ ବାଦୀ ଯାତ୍ରା ମଞ୍ଚରେ ବହୁବାର ଅବତୀର୍ଣ୍ଣ ହୋଇଛନ୍ତି । ସେମାନେ କଲିକତା, ଟାଟା, ବେଙ୍ଗଲ ଆଦି ନଗରୀର ଓଡ଼ିଆ ଭାଷା-ଭାଷୀ ଅଞ୍ଚଳରେ ଯାତ୍ରା ପ୍ରଦର୍ଶନ କରି ଓଡ଼ିଆ ସଂସ୍କୃତିକୁ କରିଛନ୍ତି ଉଜ୍ଜୀବିତ । ମାତ୍ର, ସେତେବେଳେ ଜଣେ ଅନ୍ୟ ନାମରେ ଫାର୍ସ ରଚନା କରି ପରସ୍ପରର ଗୋଲ ଖୋଳାଖୋଳି ହେବାର ଦେଖାଯାଉଥିଲା । ବୈଷ୍ଣବ ପାଣି ଓ ଗୋପାଳ ଦାଶ ଉଭୟେ ତତ୍‌କାଳୀନ ଓଡ଼ିଶାର ଥିଲେ ସର୍ବାଧିକ ଖ୍ୟାତିସମ୍ପନ୍ନ ଯାତ୍ରା ଓସ୍ତାତ୍‌ । ଦୁହେଁ ସୁନାମଧନ୍ୟ କବି, ନାଟ୍ୟକାର ଏବଂ ଯାତ୍ରା ନିର୍ଦ୍ଦେଶକ । ଥରେ ନିଜ ଦଳ ସହ ଓସ୍ତାଦ୍‌ ଗୋପାଳ ଦାଶ ଓ ସୁଆଳିପୁର ନାଟ୍ୟଦଳ ସହ ନାଟ୍ୟକାର ବୈଷ୍ଣବପାଣି କଲିକତା ଯାଇଥାନ୍ତି ଯାତ୍ରା ପ୍ରଦର୍ଶନ କରିବା ପାଇଁ । କଲିକତାର ଓଡ଼ିଆ ଅଧ୍ୟୁଷିତ ଅଞ୍ଚଳ ବେଶ୍‌ ଚଳଚଞ୍ଚଳ ହୋଇଉଠିଥାଏ । ଉଭୟ ଦଳର ପରିବେଷଣ ଚାଲିଥାଏ କଲିକତାର ବିଭିନ୍ନ ଅଞ୍ଚଳରେ । ଆକସ୍ମିକ ଭାବରେ କିନ୍ତୁ ଉଭୟ ଦଳ ମଧ୍ୟରେ ଏକ ବାଦୀଯାତ୍ରାର ଆୟୋଜନ ହେଲା ଜାନବଜାରସ୍ଥ ରାଣୀ ରାସ୍‌ମଣି କୋଠରୀରେ । ଚାରି ରାତି ନାଚ ଶେଷରେ ଏକ ବାଦୀଯାତ୍ରରେ ଗୋପାଳ ବାଣ ଆଠକ ପଣକିଆକୁ ଭିତ୍ତି କରି ସ୍ତ୍ରୀ-ଲକ୍ଷଣା ଗୀତଟିଏ ବୋଲିଲେ । ଯାତ୍ରା ଶେଷରେ ନଅକ ପଣକିଆରେ ଏକ ସ୍ତ୍ରୀ-ଲକ୍ଷଣା ଗୀତ ଗାଇବାକୁ ଆହ୍ୱାନ କଲେ ପ୍ରତିପକ୍ଷ ବୈଷ୍ଣବଙ୍କୁ । ବୈଷ୍ଣବମଧ୍ୟସୁଧୀ ଦର୍ଶକମଣ୍ଡଳୀକୁ ନିଜ ସ୍ୱଭାବସୁଲଭ ବିନମ୍ର ବାଣୀରେ ଆଗାମୀ ରାତ୍ରିର ତାଙ୍କ ପ୍ରଥମ ପାଳିରେ ଏହି ସଙ୍ଗୀତ ପରିବେଷଣ କରାଯିବାର ନିର୍ଭର ପ୍ରତିଶ୍ରୁତି ପ୍ରଦାନ କଲେ । ପରଦିନ ରାତିରେ ଅଭିନୀତ ହେଲା ‘ଯଯାତି କେଶରୀ’ ଗୀତାଭିନୟ । ତା’ରି ଭିତରେ ଯଯାତି ରାଜାଙ୍କ ଉଦ୍ୟାନ ଭ୍ରମଣ ଦୃଶ୍ୟରେ ବୈଷ୍ଣବ ଗାଇଲେ ନଅକ ପଣକିଆରେ ଏକ ନାରୀ ଲକ୍ଷଣା ଗୀତ । ସଙ୍ଗୀତ ପରିବେଷଣ ପଡ଼େ ତା’ର ଅନ୍ତର୍ନିହିତ ଭାବରାଜି ଦର୍ଶକଙ୍କ ସମ୍ମୁଖରେ ସରଳ ଭାଷାରେ ଉପସ୍ଥାପନ କଲେ । ପ୍ରତିପକ୍ଷ ଗୋପାଳ ଦାଶଙ୍କ ଉପରେ ଏଥର ପଳି ପଡ଼ିଲା ଦଶକ ପଣକିଆରେ ଗୀତ ଗାଇ ଗାଇବା ପାଇଁ । ଦାଶେ ଗୀତ ବୋଲିବା ପାଇଁ ଅସମର୍ଥ ହେବାରୁ ବୈଷ୍ଣବ ପାଣି ବିଜୟୀ ହେଲେ ବୋଲି ସଭାରେ ଘୋଷଣା କରାଗଲା । ତେଣ୍ଟାକୁଡ଼ା ବାଲୁବିଶି ଗ୍ରାମର ଜନୈକ ମୁସଲମାନ ଗୁଣ୍ଡା ସର୍ଦ୍ଦାର ବାଦୀଯାତ୍ରା ପୂର୍ବରୁ ବାଜି ରହିଥିବା ଫୁଲତୋଡ଼ା ମଧ୍ୟରୁ ସୁବର୍ଣ୍ଣ ଘଣ୍ଟାକୁ ବାହାର କରି ବୈଷ୍ଣବଙ୍କ ବାମ ହାତରେ ବାନ୍ଧିଦେଲେ-। (ପାଣିକବିଙ୍କ ଆତ୍ମ କାହାଣୀ, ୧୯୫୫-ପୃ-୮୪-୮୫) । ବାଦୀ ଯାତ୍ରାରେ ‘ସମୁଦି-ସମୁଦୁଣୀ’ ଫାର୍ସ ମାଧ୍ୟମରେ ବୈଷ୍ଣବ ପାଣି ଗୋପାଳ ଦାଶଙ୍କ ପ୍ରତି ପ୍ରୟୋଗ କରିଥିଲେ ଚଟୁଳ ବ୍ୟଙ୍ଗ ରସାଣିତ ଆକ୍ଷେପୋକ୍ତି ।

 

ସମୁଦି

ଆ, ଆ, ସମୁଦୁଣୀ ଦେଖିଯିବା ନାଟ ।

ସମୁଦୁଣୀ

କହନି ସମୁଦି ହେବ କେତେ ବାଟ ।

ସମୁଦି

ରାଜାତ ଗୋପାଳ ଦାଶ, ତାକୁ ଷାଠିଏ ବରଷ ।

ସମୁଦୁଣୀ

ଦାନ୍ତ ପଡ଼ି ଓଠ ହୁଏ ଠକ ଠକ ।

ସମୁଦି

ଦେହ ତା’ର ସୁନା ତା’ର, ଦେଖିବାକୁ ମନୋହର ।

ସମୁଦୁଣୀ

ମଣି ଜେନା ତା’ର ଚାରପଟ ।

(ରଣକବି ଗୋପାଳ ଦାଶ ପଦାବଳୀ, ୧୯୮୬-ପୃ-ଙ.)

 

‘ବାବାଜୀ-ହାଡ଼ିଆଣୀ’ ଫାର୍ସରେ ବୈଷ୍ଣବ ପାଣି ନିର୍ଭୀକ ଭାବରେ ଉପସ୍ଥାପନ କରିଛନ୍ତି ବ୍ୟଙ୍ଗ ବିଦ୍ରୁପର ଚଟୁଳ ରସଚକ୍ର । ବାବାଜିଟି ସାଧୁ ପୁରୁଷ, କିନ୍ତୁ ହାଡ଼ିଆଣୀ ଅସ୍ପୃଶ୍ୟା । ସେ ନୀଚ ଜାତିର ନାରୀ । ହାଡ଼ିଆଣୀ ଜିତେନ୍ଦ୍ରୀୟ ସନ୍ନ୍ୟାସୀଙ୍କୁ ପାନ ଖାଇବା ପାଇଁ ଯାଚିଛି । ବାବାଜି କିନ୍ତୁ ଲୋକାଚାର ଦୃଷ୍ଟିରୁ ପାନଟି ଗ୍ରହଣ କରିପାରି ନାହିଁ । ମାତ୍ର ସେ ବେଶି ସମୟ ତିଷ୍ଟି ରହିପାରି ନାହାନ୍ତି । ନିଜର ଅନିଚ୍ଛା ସତ୍ତ୍ୱେ ଦୁର୍ନାମ ଭୟରେ ଶେଷରେ ଅତ୍ୟନ୍ତ ଭାବବିହ୍ୱଳ ହୋଇ ହାଡ଼ିଆଣୀକୁ କାନ୍ଧରେ ବସାଇ ସଭାସ୍ଥଳରୁ ବିଦାୟ ନେଇଛନ୍ତି ବାବାଜୀ ମହାଶୟ । ଦର୍ଶକମାନେ ଏ ଦୃଶ୍ୟ ଦେଖି ନ ହସି ରହିପାରନ୍ତି ନାହିଁ । ଏହି ଦୃଶ୍ୟ ସଂଯୋଜନା ଭିତରେ କବି ଜନତାଙ୍କୁ ହସାଇଛି ଓ ସେମାନଙ୍କ ଭିତରେ ପରିପ୍ରଚାର କରିଛନ୍ତି ସାର୍ବଜନୀନ ପ୍ରେମର ଜୟଗାନ । ପ୍ରଚ୍ଛଦପଟରେ କବିର ଉଦ୍ଦେଶ୍ୟ ହେଉଛି- ପ୍ରେମର ସାର୍ବଜନୀନତା ନିକଟରେ ସିଦ୍ଧ ପୁରୁଷ ବି କିଭଳି ପରାସ୍ତ ହୁଅନ୍ତି, ସେହି ସତ୍ୟକୁ ପ୍ରକଟିତ କରିବା । ପାଣିକବିଙ୍କ ଏକ ଚାକର ଚାକରାଣୀ ଫାର୍ସରେ ପୁରୁଷ ସଂଳାପରେ ନାରୀକୁ ଯୋଡ଼ା ଓ ପୁରୁଷକୁ ଛତା ଭାବରେ ଚିତ୍ରଣ କରାଯାଇଛି । ବାସ୍ତବତଃ ପୁରୁଷ ଚଳତ୍‌ଶକ୍ତି ବିହୀନ । ତେଣୁ ପ୍ରକୃତି ମାଧ୍ୟମରେ ସେ ହୁଏ ଗତିଶୀଳ । ପ୍ରକୃତି ସର୍ବଦା ଚାଳନ କରୁଥିବାରୁ, ତାହାକୁ ଯୋଡ଼ା ରୂପରେ ଗ୍ରହଣ କରାଯିବା ଯୁକ୍ତିସଙ୍ଗତ । ଅପରପକ୍ଷରେ, ପୁରୁଷ ତା’ର ବାହୁଛାୟା ତଳେ ପ୍ରକୃତିକୁ ଆଶ୍ରୟ ଦିଏ । ପ୍ରକୃତିର ସଂରକ୍ଷଣ ଓ ଅଭିବୃଦ୍ଧି ପାଇଁ ପୁରୁଷ ସଦାସର୍ବଦା ସହାୟତା ପ୍ରଦାନ କରେ । ବସ୍ତୁତଃ, ପ୍ରକୃତି ବ୍ୟତୀତ ପୁରୁଷର ଅସ୍ତିତ୍ୱ ପରିକଳ୍ପନା ଅସମ୍ଭବ ହୋଇପଡ଼େ । ଏହି ଦୃଷ୍ଟିରୁ ଗଣକବିଙ୍କ ଲେଖନୀରେ ପୁରୁଷ ଛତା ରୂପେ ପରିକଳ୍ପିତ । ପୁରୁଷ ଓ ପ୍ରକୃତି ଉଭୟେ ଉଭୟର ପରିପୂରକ । ଗୋଟିକୁ ଛାଡ଼ି ଦେଇ ଅନ୍ୟଟିର ସ୍ଥିତି ପରିକଳ୍ପନା କରିବା ଅସାର । ପୁରୁଷ ଓ ପ୍ରକୃତି ଗୋଟାଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ସେମାନଙ୍କର ପାରସ୍ପରିକ ନିର୍ଭରଶୀଳତା ସମ୍ପର୍କିତ ଯେଉଁ ଗୂଢ଼ ତତ୍ତ୍ୱଟି ସାଧାରଣ ଫାର୍ସ ମଧ୍ୟରେ କଥିତ ହୋଇଛି, ସେଥିରେ ସାଂଖ୍ୟ ତତ୍ତ୍ୱର ବୀଜ ନିହିତ । (ଫାର୍ସ ସାଗର, ପ୍ରଥମ ସଂସ୍କରଣ, ୧୯୨୬- ପୃ-୧୨) । ପାଣିକବିଙ୍କ ଅଧିକାଂଶ ଗୀତିନାଟ୍ୟରେ ଉପକଥାବସ୍ତୁ କ୍ରମରେ ସଂଯୋଜିତ ହୋଇଛି ଏକାଧିକ ଫାର୍ସ । ଏହି ଫାର୍ସରେ ସାଧାରଣତଃ ଦୁଇ ବା ତତୋଧିକ ଚରିତ୍ର ସମାବେଶ ଘଟିଛି । ଯେଉଁଠି ଦୁଇଟି ଚରିତ୍ରର ଆବିର୍ଭାବ ଘଟିଛି, ସେହି ଭୂମିକା ନିର୍ବାହ କରିଛନ୍ତି ପୁରୁଷ ଓ ସ୍ତ୍ରୀ-। ଫାର୍ସଗୁଡ଼ିକରେ ଭଣ୍ଡାରି-ଭଣ୍ଡାରୁଣୀ, ହାଡ଼ି-ହାଡ଼ିଆଣୀ, କେଳା-କେଲୁଣୀ, ଚାକର-ଚାକରାଣୀ ଆଦି ମୁଖ୍ୟ ଚରିତ୍ର ଭୂମିକାରେ ଅବତୀର୍ଣ୍ଣ । ଏହିପରି ଷୋଳ ଗୋଟି ଫାର୍ଶର ସମାହାରରେ ‘ଫାର୍ସ ମୂଲକ’ର କଳେବର ଗଠିତ । ଅନୁରୂପ ଭାବରେ ଅଠର ଗୋଟି ବିଭିନ୍ନ ଫାର୍ସର ସମାହାରରେ ୧୯୨୬ ମସିହାରେ ପ୍ରକାଶିତ ହୋଇଥିଲା ଫାର୍ସ ସାଗର ନାମକ ସଂକଳନ । ଫାର୍ସ ଭଣ୍ଡାର ଓ ଫାର୍ସ ଲହରୀ ମଧ୍ୟ ତାଙ୍କର ଅନୁରୂପ ଫାର୍ସ ସଙ୍କଳନ । ଏହ ଫାର୍ସଗୁଡ଼ିକରେ ଉଭୟ ଗଦ୍ୟ ଓ ପଦ୍ୟ ଅଭିବ୍ୟକ୍ତିର ରସାଳ ସମାବେଶ ଘଟିଛି । ଏତଦ୍‌ ବ୍ୟତୀତ ଫକୀରମୋହନଙ୍କ ବ୍ୟଙ୍ଗଗଳ୍ପ ପେଟେଣ୍ଟ ମେଡ଼ିସିନ୍‌ ଅବଲମ୍ବନରେ ସେ ସୃଷ୍ଟି କରିଥିଲେ ତାରାବାଈ ଫାର୍ସ । ସେହିପରି ଆରବ୍ୟ ରଜନୀର କାହାଣୀର ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ ଆଲିବାବା ଫାର୍ସ ବା ଚାଳିଶ ଚୋରଙ୍କ ପ୍ରହସନ ଏବଂ ଆବୁହୋସେନ୍‌ ଫାର୍ସ ତାଙ୍କର ସର୍ବାଧିକ ଲୋକପ୍ରିୟ ପ୍ରହସନ । ଅନ୍ୟାନ୍ୟ ଫାର୍ସଗୁଡ଼ିକ ମଧ୍ୟରେ ସୌଦାଗର ଫାର୍ସ, ଭୀମାବାୟା ଫାର୍ସ, ବେକା- ପ୍ରହସନ । ଅନ୍ୟାନ୍ୟ ଫାର୍ସଗୁଡ଼ିକ ମଧ୍ୟରେ ସୌଦାଗର ଫାର୍ସ, ଭୀମାବାୟା ଫାର୍ସ, କେଳା-କେଲୁଣୀ ଫାର୍ସ, କ୍ୟା-ପରୁଆ ଫାର୍ସ, କଲିକତିଆ ଜୋଇଁ, ମା କାହାଣୀ ପୁଅ ମଦୁଆ, ତେରଦିନିଆ ଯମ, ବୁଢ଼ାବର ଫାର୍ସ ବା ସାଙ୍ଗ ସଜନୀ କଥାବାର୍ତ୍ତା, ନୂଆ ଜୋଇଁ ଫାର୍ସ, ଶ୍ୟାମା ଅଳା ଫାର୍ସ ଇତ୍ୟାଦିର ନାମୋଲ୍ଲେଖ କରାଯାଇପାରେ । ବହୁ ଫାର୍ସରେ ବିଭିନ୍ନ ଜାତିର ଚରିତ୍ରଗତ ଦୋଷତ୍ରୁଟି ବର୍ଣ୍ଣନା କରି ସେ ହାସ୍ୟରସର ଅବତାରଣା କରିଥିଲେ ମଧ୍ୟ ତତ୍‌କାଳୀନ ଦର୍ଶକ ସମାଜ ସେଗୁଡ଼ିକୁ ଜାତି-ବର୍ଣ୍ଣ ନିର୍ବିଶେଷରେ ତଥା ବିନା ଦ୍ୱିଧାରେ ଉପଭୋଗ କରିଛନ୍ତି । ଫାର୍ସଗୁଡ଼ିକରେ ସ୍ତ୍ରୀ ଚରିତ୍ର ପୁରୁଷ ଚରିତ୍ରକୁ ବହୁ ଧିକ୍କାରବାଣୀ ସହ ବିଭିନ୍ନ ଆକ୍ଷେପୋକ୍ତି ପ୍ରୟୋଗ କରିଥିବାର ଲକ୍ଷ୍ୟ କରିହୁଏ ।

 

ପାଣକବିଙ୍କ ପ୍ରହସନଗୁଡ଼ିକ ଯେପରି ହାସ୍ୟ-କୌତୁକରେ ବିମଣ୍ଡିତ, ସେହିପରି ଏହା ମଧ୍ୟ ସମାଲୋଚନାତ୍ମକ-ଅଭିବ୍ୟକ୍ତି-ରସାଣିତ ଏକ ଏକ ପରିପୂର୍ଣ୍ଣ ଭାଣ୍ଡ । ବୈଷ୍ଣବଙ୍କ ଫାର୍ସରେ ସଂଯୋଜିତ ବଚନିକାର ଭାଷା ଅତି ସରଳ ଓ ବାଗାଡ଼ମ୍ବର ରହିତ । କଞ୍ଚା ଗାଉଁଲି ଶବ୍ଦ ବିନ୍ୟାସ ହିଁ ଏହି ଫାର୍ସଗୁଡ଼ିକର ବୈଶିଷ୍ଟ୍ୟ । ଏଥିରେ ସୃଷ୍ଟ ଚରିତ୍ରମାନଙ୍କ ମୁହଁରେ ଜାନପଦ ଭାଷାର ବ୍ୟବହାର ଫାର୍ସଗୁଡ଼ିକୁ ଜନପ୍ରିୟ କରିବା ଦିଗରେ ହୋଇଛନ୍ତି ପରମ ସହାୟକ ।

 

ବୈଷ୍ଣବ ପାଣିଙ୍କ ସମସାମୟିକ ଅନ୍ୟତମ ଗୀତିନାଟ୍ୟକାର ନାଟ୍ୟାଚାର୍ଯ୍ୟ ବାଳକୃଷ୍ଣ ମହାନ୍ତି ‘ପାଣି-ଧୋବଣୀ’ ଫାର୍ସ ମାଧ୍ୟମରେ ବୈଷ୍ଣବଙ୍କ ବ୍ୟକ୍ତିଗତ ଜୀବନ ପ୍ରତି ଯେଉଁ ଶାଣିତ ଆକ୍ଷେପ କରିଥିଲେ, ତା’ର ପ୍ରତ୍ୟୁତ୍ତରରେ ବୈଷ୍ଣବ କହିଥିଲେ – ପାଣି ଓ ଧୋବଣୀ ଅଥବା ଧୋବଣୀ ଓ ପାଣିର ସମ୍ପର୍କ ସୃଷ୍ଟିର ଶାଶ୍ୱତ ଓ ଚିର ରହସ୍ୟମୟ । ଏହି ସତ୍ୟର ବ୍ୟତିକ୍ରମ ଲକ୍ଷ୍ୟ କରିବା ହାସ୍ୟାସ୍ପଦ । ବୈଷ୍ଣବପାଣି ମଧ୍ୟ ବାଳକୃଷ୍ଣ ମହାନ୍ତିଙ୍କୁ ସମାଲୋଚନା କରି ଲେଖିଥିଲେ ‘ନାଟୁଆ ମହାନ୍ତି’ ଫାର୍ସ ।

 

ପ୍ରହସନ ଆଜି ବିଲୁପ୍ତ ପ୍ରାୟ । ତଥାପି, ସମାଜଜୀବନ ପାଇଁ ପ୍ରହସନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଭୁଲା ଏବଂ ଅଲିଭା । ଦର୍ଶକ ଓ ଶ୍ରୋତୃମଣ୍ଡଳୀକୁ ବିଶୁଦ୍ଧ ଆମୋଦ ଦେବା ସଙ୍ଗେ ସଙ୍ଗେ ସମାଜର କଳଙ୍କ ପ୍ରତି ସେମାନଙ୍କର ତୀବ୍ର ଦୃଷ୍ଟି ଆକର୍ଷଣ କରିବା ହେଉଛି ପ୍ରହସନର ଦୁଇ ମୁଖ୍ୟ ଲକ୍ଷ୍ୟ । ଏକବିଂଶ ଶତାବ୍ଦୀର ଦ୍ୱାର ଦେଶରେ ଆମେ ଆସି ପହଞ୍ଚି ପାରିଥିଲେ ବି, ଆଜି ସମାଜ ଜୀବନରୁ ବହୁ କୁତ୍ସିତ ପରମ୍ପରାର ବିଲୋପ ଘଟିପାରି ନାହିଁ । ଏବେ ବି ଆମ ମନରେ ବହୁ କୁସଂସ୍କାର କୁଜଝଟି । ଓଡ଼ିଶାର ସାମାଜିକ ଜୀବନରେ ତଥାପି ବହୁ ଅପ୍ରିୟ ସତ୍ୟ ଘଟଣାର ଉଦ୍‌ଭବ ଘଟିଚାଲିଛି । ସମାଜର ବଡ଼ପଣ୍ଡା ବୋଲାଉଥିବା କେତେକ ଅନ୍ଧବିଶ୍ୱାସ ବିଜଡ଼ିତ ବ୍ୟକ୍ତି ଏବଂ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଧାମିକ ପରମ୍ପରାରେ ଅସ୍ପୃଶ୍ୟତାର ବୀଜରୋପଣ କରିଚାଲିଛନ୍ତି । ଏହାଦ୍ୱାରା ଆମ ମନରେ ସୃଷ୍ଟି ହେଉଛି ସଂକୀର୍ଣ୍ଣ ଭାବଦ୍ୟୋତନା । ଓଡ଼ିଶାର ପୁରପଲ୍ଲୀରେ ଥିବା କେତେକ ଦେବାଦେବୀ ମନ୍ଦିରୁ ଏହାର ସତ୍ୟତା ଅନାୟାସରେ ଉପଲବ୍ଧ କରିହୁଏ । ସମାଜର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ତଥା ଶ୍ରେଣୀକୁ ସାମାଜିକ ବାସନ୍ଦ କଲାପରି ଏଯାବତ୍‌ ମନ୍ଦିରରେ ପ୍ରବେଶାଧିକାର ପାଇଁ ନିଷିଦ୍ଧ କରାଯାଇ ଆସୁଅଛି । ସବର୍ଣ୍ଣ-ଅସବର୍ଣ୍ଣ ଶ୍ରେଣୀ ସଂଘର୍ଷ ସମାଜରେ ଜ୍ୱାଳାମୟ ଆବର୍ତ୍ତ ସୃଷ୍ଟି କରୁଛି । ଜାତିପ୍ରଥା ସମାଜର ଏକ ଉତ୍କଟ ବ୍ୟାଧି । ଜାତିପ୍ରଥା ଯୋଗୁଁ ସମାଜ ହୁଏ ଦ୍ୱିଖଣ୍ଡିତ । ସମାଜରୁ ଜାତିପ୍ରଥା ଓ ବର୍ଣ୍ଣଭେଦକୁ ବିଲୋପ କରିବାର ଆନ୍ଦୋଳନ, ଆଲୋଚନା-ସମାଲୋଚନା ପର୍ବର ପରିସମାପ୍ତି ଘଟିନାହିଁ । ତଥାପି ମଣିଷ କୃତ ଏହି କୁତ୍ସିତ ପରମ୍ପରା ଆମ ସମାଜକୁ ଏକ ଅପଶକୁନ ଭଳି ତା’ର ପକ୍ଷ ଆବୋରି ବସିଛି । ସମାଜରେ ଧର୍ମ ଏବଂ ସମ୍ପ୍ରଦାୟ ଭେଦ ମଧ୍ୟ ସୃଷ୍ଟି କରେ ଏକ ବିରାଟ ଫାଟ । ସମାଜ ଜୀବନରେ କିଏ ନିଜକୁ ଖ୍ରୀଷ୍ଟିଆନ୍‌ ବୋଲି ଗର୍ବ କରେ । କିଏ ପୁଣି ନିଜର ପରିଚୟ ଦିଏ ମୁସଲମାନ ରୂପରେ । ଅଥବା କିଏ ନିଜକୁ ହିନ୍ଦୁ ବୋଲି କହି ଅନ୍ୟ ସମ୍ପ୍ରଦାୟକୁ ଘୃଣା କରେ । ଏଥିରୁ ସୃଷ୍ଟି ହୁଏ ଘୃଣ୍ୟ ସାମ୍ପ୍ରଦାୟିକତା ଓ ଧର୍ମ ବିଦ୍ୱେଷ । ମଣିଷ ମନରେ ଛୁଆଁ-ଅଛୁଆଁର ବିଷ ବୋଲି ହୋଇଯାଏ । ଏହିସବୁ ସାମାଜିକ ଅନୀତି, ଅନାଚାର, ଯୌତୁକ ପ୍ରଥା, ଯୌନ-ବ୍ୟଭିଚାର, ନିଶା ଓ ମଦ୍ୟ, ଡ୍ରଗସ ତଥା ହିରୋଇନ୍‌ ପରି ବହୁ ବିଷାକ୍ତ ପରିବେଶ ସମାଜର ପ୍ରତ୍ୟେକ ଅଙ୍ଗ-ପ୍ରତ୍ୟଙ୍ଗକୁ ଆଜି ସଞ୍ଚରି ଯାଇଛି । ନାରୀ ନିର୍ଯାତନା ଓ ନାରୀ ଧର୍ଷଣର ବୀଭତ୍ସ ଦୃଶ୍ୟ ତଥା ଲୁହଭିଜା କାହାଣୀ ସମ୍ବାଦପତ୍ରର ପୃଷ୍ଠାମଣ୍ଡନ କରୁଛି ପ୍ରତିଦିନ-। ବ୍ୟବସାୟୀଙ୍କ କଳାବଜାର ଏବଂ ଅହେତୁକ ଦରଦାମ ବୃଦ୍ଧି ଯୋଗୁଁ ଆଜି ଅଣନିଶ୍ୱାସୀ ହୋଇପଡ଼ିଛନ୍ତି ସମାଜର ପ୍ରତ୍ୟେକଟି ବ୍ୟକ୍ତି । ଆଜି ଭାରତର ଆକାଶକୁ ସତେ ଯେମିତି ଦୁର୍ନୀତିର କଳାବାଦଲ ଢାଙ୍କି ଦେଇଛି । ବୋଫର୍ସ ତୋପ କିଣା ଠାରୁ ଆରମ୍ଭ କରି ଗୋ-ଖାଦ୍ୟ ଦୁର୍ନୀତି ପର୍ଯ୍ୟନ୍ତ ବହୁ ମାମଲା ଭାରତର ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ସରକାରୀ କଳର ସର୍ବୋଚ୍ଚ କର୍ମକର୍ତ୍ତାଙ୍କ ଠାରୁ ଆରମ୍ଭ କରି ତଳଶ୍ରେଣୀର ଚପରାସୀ ପର୍ଯ୍ୟନ୍ତ ସମସ୍ତେ ପକେଟ୍‌ ଗୁଞ୍ଜା ନେବାରେ ବ୍ୟସ୍ତ । ପରିବେଶ ପ୍ରଦୂଷଣ ଓ ବେକାରୀ ସମସ୍ୟା ଭଳି ବହୁ ସମସ୍ୟା ଆମ ଆଗରେ ମୁଣ୍ଡ ଟେକି ଠିଆ ହୋଇଛି ବିରାଟ ପ୍ରାଚୀର ଭଳି ।

 

ଆମ ସମାଜ ଜୀବନରେ ଅଭିବୃଦ୍ଧି ଲାଭ କରୁଥିବା ଏଇ ଦୁଷ୍ଟ ବ୍ରଣରୁ ଗଳିତ ପୂଜ ଓ ରକ୍ତକୁ ନିଃଶେଷ କରିଦେବା ପାଇଁ ସର୍ବପ୍ରଥମ ଆବଶ୍ୟକତା ହେଉଛି ଜନସଚେତନାର ସୃଷ୍ଟି ଓ ପରିପୃଷ୍ଟି । ଏହି ଜାଗରଣ ପାଇଁ ନାଟ୍ୟକାରର କାଳି ଓ କଲମ ଦ୍ୱାରା ସୃଷ୍ଟ ପ୍ରସହନ/ବ୍ୟଙ୍କହାସ୍ୟ ରସାଣିତ ନାଟିକା ସମାଜ ସଂସ୍କାରର ସେହି ପ୍ରୟୋଗସିଦ୍ଧ ଭୂମିକା ପୁଣି ଏକ ଅନିବାର୍ଯ୍ୟ ଦାୟିତ୍ୱ ବହନ କରିପାରିବ । ମନୋରଞ୍ଜନାତ୍ମକ ଉପାଦାନ ସହିତ ସମାଜର ଅବିଗୁଣ, ବ୍ୟଭିଚାର ସର୍ବୋପରି ଅନୀତି ସମ୍ପର୍କିତ ଜନ-ଜୀବନ ସମ୍ବାଦ ପରିବେଷିତ ହେଲେ, ଅନୁପ୍ରେରଣା ମାଧ୍ୟମରେ ସମାଜରୁ ବହୁ ଉତ୍କଟ ବ୍ୟାଧିର ନିରାକରଣ ସମ୍ଭବ ହୋଇପାରିବ ।

 

ପ୍ରତ୍ୟେକ ମଣିଷର ରହିଛି କିଛି ସାମାଜିକ କର୍ତ୍ତବ୍ୟବୋଧ । ନାଟ୍ୟକାର/ପ୍ରହସନକାରୀଙ୍କର ଜଣେ ସାମାଜିକ ବ୍ୟକ୍ତିବିଶେଷ ଭାବରେ ସମାଜ ଜୀବନକୁ ସୁସ୍ଥ ଏବଂ ନିରାମୟ କରିବା ପାଇଁ ରହିଛି ଏହି ଉତ୍ତର ଦାୟିତ୍ୱ । ନାଟ୍ୟକାର/ପ୍ରହସନାକରୀଙ୍କର ଆନ୍ତରିକତା ଉଦ୍ୟମ ଏବଂ ସାମାଜିକ ଅଙ୍ଗୀକାରବଦ୍ଧତା ହିଁ ସୁସ୍ଥ ସମାଜ ଗଠନର ହେବ ଏକମାତ୍ର ସଫଳ ଚାବିକାଠି ।

 

 

ସୃଜନୀ, ଜି/ଏଲ୍‌-୩୯,

ବୀରସୁରେନ୍ଦ୍ର ସାଏ ନଗର,

ଭୁବନେଶ୍ୱର - ୪

 

***

 

 

Unknown

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ପ୍ରଥମ ଓଡ଼ିଆ ସାପ୍ତାହିକ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ର ଭୂମିକା

ଅଧ୍ୟାପକ ପ୍ରଦୀପ ମହାପାତ୍ର

 

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଓଡ଼ିଆ ସମ୍ବାଦପତ୍ର ଗୁଡ଼ିକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଓଡ଼ିଆ ଭାଷାରେ ପ୍ରଥମ ମୁଦ୍ରଣ ଖ୍ରୀଷ୍ଟୀୟ ମିଶନାରୀମାନଙ୍କ ଦ୍ୱାରା ବଙ୍ଗ ପ୍ରଦେଶର ଶ୍ରୀରାମପୁର ଠାରେ ୧୮୧୧ ମସିହାରେ ସମ୍ଭବପର ହୋଇଥିଲା ଏବଂ ଆଧୁନିକ ଓଡ଼ିଶା ମାଟିରେ ପ୍ରଥମ ମୁଦ୍ରଣ ଯନ୍ତ୍ର ସେହି ଖ୍ରୀଷ୍ଟୀୟ ମିଶନାରୀମାନଙ୍କ ଦ୍ୱାରା ୧୮୩୭ ମସିହାରେ କଟକଠାରେ ସ୍ଥାପିତ ହୋଇଥିଲା । ୧୮୪୯ ମସିହାରେ ମିଶନାରୀମାନଙ୍କ ଦ୍ୱାରା ପ୍ରଥମ ଓଡ଼ିଆ ପତ୍ରିକା ‘ଜ୍ଞାନାରୁଣ’ ଏବଂ ପରେ ‘ପ୍ରବୋଧ ଚନ୍ଦ୍ରିକା’, ‘ଅରୁଣୋଦୟ’ ପ୍ରକାଶିତ ହେଲା । ତେବେ ଏହି ମାସିକ ପତ୍ରିକାଗୁଡ଼ିକ ଖୁବ୍‌ କମ୍‌ ସମୟ ପ୍ରକାଶିତ ହୋଇ ବନ୍ଦ ହୋଇଯାଇଥିଲା ଏବଂ ଏଗୁଡ଼ିକର ପୃଷ୍ଠାରେ ସାମ୍ବାଦିକତାର ଚିହ୍ନବର୍ଣ୍ଣ ଅତ୍ୟନ୍ତ ଅସ୍ପଷ୍ଟ ମନେହୁଏ । ୧୮୬୬ ମସିହାରେ ପ୍ରଥମ ଓଡ଼ିଆ ସାପ୍ତାହିକ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ର ପ୍ରକାଶନକୁ ଓଡ଼ିଆ ସାମ୍ବାଦିକତାର ଅଙ୍କୁରୋଦ୍‌ଗମ ସହ ତୁଳନା କରାଯାଇପାରେ । ୧୮୬୬ ମସିହାରେ ନ’ଅଙ୍କ ଦୁର୍ଭିକ୍ଷର ବିବରଣୀ ଲୋକଲୋଚନକୁ ଆଣିବା ଗୁରୁଦାୟିତ୍ୱ ନେଇ ‘ଉତ୍କଳ ଦୀପିକା’ ଆତ୍ମପ୍ରକାଶ କରିଥିଲେ ହେଁ ୧୮୬୯ ମସିହାରେ ଓଡ଼ିଶାର ଇଂଲିଶ ବିଦ୍ୟାଳୟମାନଙ୍କରେ ଓଡ଼ିଆ ଓ ବଙ୍ଗଳା ଦୁଇ ଭାଷାରେ ପାଠପଢ଼ା ହେବା ପାଇଁ ସରକାରୀ ନିଷ୍ପତ୍ତି ନିଆଯିବା ପରଠାରୁ ୧୮୭୩ ମସିହା ଯାଏଁ ଦୀର୍ଘ ଚାରିବର୍ଷ ଧରି ଓଡ଼ିଆ ଶିକ୍ଷାକ୍ରମକୁ ଉଠାଇ ଦେବା ପାଇଁ କେତେକ ବଙ୍ଗୀୟ ସରକାରୀ କର୍ମଚାରୀ ଯେଉଁ ପ୍ରଚେଷ୍ଟା କରିଥିଲେ ତାହାର ମୁକାବିଲା କରିବା ନିମନ୍ତେ ‘ଉତ୍କଳ ଦୀପିକା’ ଅବିଶ୍ରାନ୍ତ ଉଦ୍ୟମ କରିଥିଲା । ଅତଏବ ‘ଉତ୍କଳ ଦୀପିକା’ ପ୍ରକାଶନ ଆରମ୍ଭ ହେବାର ମାତ୍ର ତିନିବର୍ଷ ମଧ୍ୟରେ ଓଡ଼ିଆ ଭାଷାର ସୁରକ୍ଷା ନିମନ୍ତେ ଏହାକୁ ପରବର୍ତ୍ତୀ ଚାରିବର୍ଷ ଧରି ସଂଘର୍ଷ କରିବାକୁ ପଡ଼ିଥିଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନର ବୀଜ ଏହିଠାରେ ହିଁ ବୁଣାଯାଇଥିଲା ବୋଲି କହିବାକୁ ହେବ-

 

ଓଡ଼ିଶାର ଇଂଲିଶ ବିଦ୍ୟାଳୟମାନଙ୍କରେ ଓଡ଼ିଆ ଓ ବଙ୍ଗଳା ଦୁଇ ଭାଷାରେ ପାଠପଢ଼ା ହେବାପାଇଁ ସରକାରୀ ନିର୍ଦ୍ଦେଶନାମା ପ୍ରକାଶନ ପରେ ସେ ସମୟରେ ଏହି ବିଦ୍ୟାଳୟମାନଙ୍କରେ କାର୍ଯ୍ୟରତ ବଙ୍ଗାଳୀ ଶିକ୍ଷକମାନେ ଅସନ୍ତୁଷ୍ଟ ହୋଇ ପଡ଼ିଥିଲେ । ଓଡ଼ିଆ ଭାଷାରେ ପାଠ୍ୟପୁସ୍ତକର ଅଭାବ ତଥା ଓଡ଼ିଆ ଭାଷାରେ ଶିକ୍ଷାଦାନର ଅନାବଶ୍ୟକତା ସମ୍ପର୍କରେ ସେମାନେ ପଦସ୍ଥ ବଙ୍ଗଳା ଓ ବ୍ରିଟିଶ ସରକାରୀ କର୍ମଚାରୀମାନଙ୍କୁ ପ୍ରଭାବିତ କରିବା ପାଇଁ ଉଦ୍ୟମ କରିଥିଲେ । ଏହି ଅବସରରେ ରାଜେନ୍ଦ୍ରଲାଲ ମିତ୍ରଙ୍କ ‘କଟକ ଡିବେଟିଂ ସୋସାଇଟି’ରେ ବକ୍ତୃତା, ଉମାଚରଣ ହାଲଦାରଙ୍କ ‘କଟକ ଷ୍ଟାର’ରେ ପ୍ରକାଶିତ ଦୀର୍ଘପତ୍ର, ‘ଇଣ୍ଡିଆନ ମିରର’ରେ ପ୍ରକାଶିତ ‘ଉତ୍କଳ ଶିକ୍ଷା’ ନାମକ ପ୍ରବନ୍ଧ ଓ କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟଙ୍କ ଦ୍ୱାରା ‘ଉଡ଼ିୟା ସ୍ୱତନ୍ତ୍ର ଭାଷା ନୟ’ ନାମରେ ପ୍ରକାଶିତ ପୁସ୍ତକ ଓଡ଼ିଶାର ଇଂଲିଶ ବିଦ୍ୟାଳୟମାନଙ୍କରୁ ଓଡ଼ିଆ ଭାଷାରେ ଶିକ୍ଷାଦାନ ଉଠାଇ ଦେବାପାଇଁ ସ୍ୱର ଉତ୍ତୋଳନ କରିବାବେଳେ ‘ଉତ୍କଳ ଦୀପିକା’ ତାହାର ତୀବ୍ର ପ୍ରତିବାଦ କରିଥିଲା ।

 

୧୮୬୯ ମସିହାରେ ପ୍ରଥମ ଥର ପାଇଁ ଓଡ଼ିଶାର ଇଂଲିଶ୍‌ ବିଦ୍ୟାଳୟମାନଙ୍କରେ ଓଡ଼ିଆ ଭାଷାରେ ଶିକ୍ଷାଦାନ ପାଇଁ ସରକାରୀ ନିର୍ଦ୍ଦେଶନାମା ପ୍ରକାଶନବେଳେ ରାଜେନ୍ଦ୍ର ଲାଲ ମିତ୍ର ନାମକ ଜଣେ ବଙ୍ଗଳା ପଣ୍ଡିତ ଓଡ଼ିଶାର ପ୍ରତ୍ନତତ୍ତ୍ୱ ସଂକଳନ ନିମେନ୍ତ ସରକାରୀ କାର୍ଯ୍ୟରେ ଏଠାକୁ ଆସିଥିଲେ । ସେ ‘କଟକ ଡିବେଟିଂ ସୋସାଇଟି’ରେ ବକୃତା ଦେଇ କହିଥିଲେ ଯେ, “ଉତ୍କଳ ଯଥାର୍ଥ ହିତାକାଂକ୍ଷୀ ଯେ ହେବ, ସର୍ବାଗ୍ରେ ଉତ୍କଳଭାଷା ଉଠାଇ ଦେଇ ବଙ୍ଗଳା ଭାଷା ପ୍ରଚଳନ କରିବାର ଚେଷ୍ଟା କରିବେ; କାରଣ ଯେତେକାଳ ଉତ୍କଳ ଭାଷା ଉଠିଯାଇ ନାହିଁ, ସେତେକାଳ ଯାଏ ଉତ୍କଳର ଉନ୍ନତି ହେବା ଅସମ୍ଭବ ।” ତାଙ୍କର ଯୁକ୍ତି ଥିଲା ଯେ ଦୁର୍ଭିକ୍ଷ କମିଶନରଙ୍କ ଗଣନାନୁସାରେ ଉତ୍କଳର ଲୋକସଂଖ୍ୟା କୋଡ଼ିଏ ଲକ୍ଷ ଏବଂ ଏତେ କମ୍‌ ଲୋକସଂଖ୍ୟାରେ ଗୋଟିଏ ଭାଷାକୁ ବଞ୍ଚାଇ ରଖିବା ସମ୍ଭବପର ନୁହେଁ । ସେ କହିଥିଲେ ଯେ, ସେ ସମୟରେ ତିନିମାସ ମଧ୍ୟରେ ବଙ୍ଗଳାରେ ୩୦୦ ଖଣ୍ଡ ପୁସ୍ତକ ମୁଦ୍ରିତ ହୋଇଥିଲାବେଳେ ଓଡ଼ିଆ ଭାଷାରେ ମାତ୍ର ୩/୪ ଖଣ୍ଡ ପୁସ୍ତକ ମୁଦ୍ରିତ ହୋଇଥିଲା । ଏଠାରେ ଅଳ୍ପ ଗ୍ରାହକ ଥିବାରୁ ପୁସ୍ତକ ପ୍ରକାଶନ ଶିଳ୍ପ ବଞ୍ଚି ପାରିବ ନାହିଁ । କିନ୍ତୁ ଅପର ପକ୍ଷରେ ବଙ୍ଗଳାପ୍ରଦେଶର ଲୋକସଂଖ୍ୟା ବିସ୍ତୃତ, ପୁସ୍ତକ ପ୍ରକାଶନ ଶିଳ୍ପ ସମୃଦ୍ଧ ଥିବାରୁ ଓଡ଼ିଆ ଲୋକେ ବଙ୍ଗଳା ପଢ଼ିଲେ, ଏକ ବିକଶିତ ସଂସ୍କୃତିର ଭାଗୀଦାର ହୋଇପାରିବେ । (୧)

 

ଏହାର ପ୍ରଥମ ପ୍ରତିବାଦରେ ‘ଉତ୍କଳ ଦୀପିକା’ରେ ପ୍ରକାଶ ପାଇଥିଲା, “ଆମ୍ଭେମାନେ ଜ୍ଞାନ କରିଥିଲୁଁ ଯେ ରାଜେନ୍ଦ୍ରବାବୁ ଉତ୍କଳକୁ ଆସି ଏଠାରେ ଅନେକ ବିଷୟ ଅବଗତ ହୋଇଛନ୍ତି; କିନ୍ତୁ ଉପର୍ଯ୍ୟୁକ୍ତ କଥାମାନ ତାଙ୍କର ଶୁଣି ବିସ୍ମିତ ହେଲୁଁ । ବାସ୍ତବରେ ସେ ଆପଣା ଅନ୍ତର୍ଗତ ଭାବ ବ୍ୟକ୍ତ କଲେ କିମ୍ବା ସ୍ୱଦେଶାନୁରାଗୀ ହୋଇ ମିଥ୍ୟା କାରଣ ପ୍ରଦର୍ଶନ ପୂର୍ବକ ଆପଣା ମତ ସ୍ଥାପନା କରିବାକୁ ଚେଷ୍ଟା କଲେ, ତାହା ସ୍ଥିର କରିବା କଠିନବୋଧ ହେଉଅଛି । ଯେତେବେଳେ ସେ ଉତ୍କଳର ଲୋକସଂଖ୍ୟା କହିଲେ, ସେ କ’ଣ ଜାଣୁନଥିଲେ ଯେ ଉକ୍ତ ଲୋକସଂଖ୍ୟା କେବଳ ମୋଗଲବନ୍ଦୀର ଅଟଇ ଓ ଉତ୍କଳଭାଷା ପ୍ରଚଳିତ ଥିବା ଉତ୍ତରସୀମା ମେଦିନୀପୁର, ଦକ୍ଷିଣସୀମା ଗଞ୍ଜାମ ଏବଂ ପୂର୍ବ ପଶ୍ଚିମରେ ବଙ୍ଗ ଅଖ୍ୟାତଠାରୁ ସମ୍ବଲପୁର ଯାଏଁ ବିସ୍ତୃତ ? ଯେବେ ଏକଥା ତାହାଙ୍କୁ ଜଣା ନଥିଲା, ତେବେ ସେ ଅକାରଣେ ଶ୍ରୋତାମାନଙ୍କୁ ଆପଣା ଅଜ୍ଞାନର ଭାଗୀକରି ଭାରି ଅନିଷ୍ଟ କରିଛନ୍ତି । ଯାହାର ଯେଉଁ ବିଷୟରେ ଜ୍ଞାନ ନାହିଁ, ତାହାର ସେ ବିଷୟରେ କୌଣସି କଥା କହିବା ଅନୁଚିତ ଅଟଇ । ପ୍ରକୃତରେ ଦେଖାଯାଏ ଯେ, ଉତ୍କଳ ଭାଷା ପ୍ରଚଳିତ ଥିବା ଭୂମିଖଣ୍ଡର ଆୟତନ ବଙ୍ଗଳା ପ୍ରଚଳିତ ପ୍ରଦେଶରୁ ଊଣା ନୁହଇ । ଅତଏବ ଉତ୍କଳଭାଷାର ଉନ୍ନତି ହେବାର ସମ୍ପୂର୍ଣ୍ଣ ସମ୍ଭାବନା ଅଛି । ଆଉ ପୁସ୍ତକ ମୁଦ୍ରାଙ୍କନ ବିଷୟରେ ଯାହା ଉଲ୍ଲେଖ କଲେ, ତାହା ଆହୁରି ଭ୍ରମାତ୍ମକ ଅଟଇ । ଆମ୍ଭେମାନେ ପୁନଃପୁନଃ କହିଅଛୁଁ ଯେ, ବଙ୍ଗଦେଶ ପ୍ରତି ଗଭର୍ଣ୍ଣମେଣ୍ଟଙ୍କର ଯେତେଦିନ ହେଲା ସୁଦୃଷ୍ଟି ପଡ଼ିଅଛି, ଉତ୍କଳ ପ୍ରତି ତାହା ହୋଇନାହିଁ; ସୁତରାଂ ଉତ୍କଳ ପଛକୁ ପଡ଼ି ରହିଅଛି । ଯେବେ ପ୍ରଥମରୁ ଦୁଇ ଦେଶ ପ୍ରତି ସମାନ ଦୃଷ୍ଟି ଥା’ନ୍ତା; ତେବେ ରାଜେନ୍ଦ୍ର ବାବୁଙ୍କ କଥା ଶୋଭା ପାଇଥାନ୍ତା; କିନ୍ତୁ ସେ କାଳ ଓ ଅବସ୍ଥା ପ୍ରତି ବିବେଚନା ନକରି ସମାନ ଫଳ ପାଇବାର ଆଶା କଲେ କିପରି ପୂର୍ଣ୍ଣ ହେବ ?”

 

‘ଉତ୍କଳ ଦୀପିକା’ରେ ୧୮୬୯ ମସିହା ମାର୍ଚ୍ଚ ୩ ତାରିଖରେ ପ୍ରକାଶିତ ଉପରୋକ୍ତ ଲେଖାରେ ବଙ୍ଗଦେଶ ଭଳି ଉତ୍କଳକୁ ଏକ ସ୍ୱତନ୍ତ୍ର ଦେଶ ରୂପେ ଉପସ୍ଥାପନ କରାଯାଇଛି ଏବଂ ଐତିହାସିକ ତଥା ରାଜନୈତିକ କାରଣରୁ ଏହା କିପରି ପଛୁଆ ହୋଇପଡ଼ିଛି ତାହା ଉଳ୍ଲେଖ କରାଯାଇଛି । ଉତ୍କଳ-ପ୍ରଦେଶ ଖଣ୍ଡବିଖଣ୍ଡିତ ହୋଇ ରହିଥିବା ଏବଂ ଏହାର ଏକତ୍ରୀକରଣର ଆବଶ୍ୟକତା ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଛି । ବଙ୍ଗୀୟ ବୁଦ୍ଧିଜୀବୀମାନେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଓଡ଼ିଆରେ ଶିକ୍ଷାଦାନକୁ ବିରୋଧ କରିବାରୁ ଓଡ଼ିଆ ଭାଷାର ସୁରକ୍ଷା ନିମନ୍ତେ ସମ୍ବାଦପତ୍ର ମାଧ୍ୟମରେ ହିଁ ଉଦ୍ୟମ ଆରମ୍ଭ ହୋଇଥିଲା । ତଥାକଥିତ ‘ଓଡ଼ିଆ ଭାଷା ବିଲୋପ ଆନ୍ଦୋଳନ’କୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନ ଜନ୍ମ ନେଇଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ବ୍ରିଟିଶ ପ୍ରଶାସକଙ୍କ ଦ୍ୱାରା ପ୍ରାକୃତିକ ଓଡ଼ିଶାର ମୂଳ ଭୂଖଣ୍ଡ ଅଧିକାର କରାଯିବାର ପ୍ରାୟ ପଚାଶ ବର୍ଷ ପରେ ନ’ଅଙ୍କ ଦୁର୍ଭିକ୍ଷ ଅବସରରେ ଓଡ଼ିଆମାନଙ୍କ ମଧ୍ୟରେ ଜାତୀୟ ଭାବନା ଅଙ୍କୁରିତ ହୋଇଥିଲା । ଏହି ସମୟରେ ହିଁ ‘ଉତ୍କଳ ଦୀପିକା’ ମାଧ୍ୟମରେ ଓଡ଼ିଆ ସାମ୍ବାଦିକତାର ଅୟମାରମ୍ଭ ଘଟିଥିଲା । ଓଡ଼ିଆଙ୍କ ଜାତୀୟଭାବନା କ୍ରମଶଃ ପରିପୁଷ୍ଟ ହୋଇ ଓଡ଼ିଆ ଭାଷାଭାଷୀଙ୍କ ଏକତ୍ରୀକରଣ ଦାବିରେ ପର୍ଯ୍ୟବେସିତ ହେଲା ଏବଂ ସତୁରୀ ବର୍ଷର ଉଦ୍ୟମରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ପଥ ଉନ୍ମୁକ୍ତ କରିଥିଲା । ୧୮୬୬ ମସିହାରେ ନ’ଅଙ୍କ ଦୁର୍ଭିକ୍ଷ କାଳରେ ‘ଉତ୍କଳ ଦୀପିକା’ ଆତ୍ମପ୍ରକାଶ କରିଥିଲା ଏବଂ ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ବେଳକୁ ଏହାର ପ୍ରକାଶନ ବନ୍ଦ ହୋଇଯାଇଥିଲା । ଅତଏବ ଓଡ଼ିଆ ଭାଷାଭାଷୀ ଏକତ୍ରୀକରଣର ସତୁରୀ ବର୍ଷ ଇତିହାସର ‘ଉତ୍କଳ ଦୀପିକା’ ଏକ ଜୀବନ୍ତ ସାକ୍ଷୀ ।

 

ନ’ଅଙ୍କ ଦୁର୍ଭିକ୍ଷର କରାଳଛାୟା ଓଡ଼ିଆମାନଙ୍କୁ ନିଜ ଜାତୀୟ ଦର୍ଶନ ସହ ପରିଚିତ କରାଇବାରେ ସକ୍ଷମ ହୋଇଥିଲା । ପ୍ରଶାସନିକ ଅବହେଳା ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ପ୍ରାଣହାନୀ ଓଡ଼ିଆ ପ୍ରାଣକୁ ଉଦ୍‌ବେଳିତ କରିଥିଲା । ଊନବିଂଶ ଶତାବ୍ଦୀର ଭାରତୀୟ ପୃଷ୍ଠଭୂମିରେ ରେନେସାଁ ତଥା ଶିକ୍ଷାଦୀକ୍ଷାର ପ୍ରସାର, ସାମାଜିକ ସଂସ୍କାର, ଦେଶର ବିଭିନ୍ନ ଅଞ୍ଚଳରେ ଜାତୀୟବାଦର ଉନ୍ମେଷ କରାଇବାରେ ସମର୍ଥ ହୋଇଥିଲା । ସେହି ପରିପ୍ରେକ୍ଷୀରେ ଓଡ଼ିଆମାନେ ମଧ୍ୟ ଜାଗରିତ ହେବା ସ୍ୱାଭାବିକ କଥା । ୧୯୦୫ ମସିହାରେ ବ୍ରିଟିଶ ସରକାରଙ୍କ ଦ୍ୱାରା ବଙ୍ଗଭଙ୍ଗ ପ୍ରସ୍ତାବରେ କ୍ଷୁବ୍ଧ ହୋଇ ବଙ୍ଗ ଜାତୀୟତା ପ୍ରକାଶିତ ହୋଇଥିଲା । ବଙ୍ଗବାସୀମାନେ ବ୍ରିଟିଶ ପ୍ରଶାସନରେ ଅଧିକ ସୁବିଧା ସୁଯୋଗ ପାଉଥିବା ଯୋଗୁଁ ବିହାରୀମାନେ ନିଜକୁ ବଙ୍ଗ ଶାସନରୁ ମୁକ୍ତି କରିବା ଲାଗି ଉଦ୍ୟମ କରିଥିଲେ । ଠିକ୍‌ ସେହିପରି ତେଲୁଗୁମାନେ ମାଡ୍ରାସ ପ୍ରେସିଡେନ୍ସି ଅଧୀନରୁ ନିଜକୁ ସ୍ୱାଧୀନ କରିବା ନମନ୍ତେ ଆନ୍ଦୋଳନ କରିଥିଲେ । କର୍ଣ୍ଣାଟକ, କେରଳ, ଗୁଜରାଟ ଓ ମହାରାଷ୍ଟ୍ରରେ ମଧ୍ୟ ଅନୁରୂପ ଦାବି ଉପସ୍ଥାପିତ ହୋଇଥିଲା । ଅନ୍ୟପକ୍ଷରେ କହିବାକୁ ଗଲେ ବ୍ରିଟିଶ ପ୍ରଶାସନିକଧାରାରେ ରାଜନୈତିକ ଦୃଷ୍ଟିରୁ ବିଭିନ୍ନ ଅଞ୍ଚଳର ବିଭାଗୀକରଣ ହିଁ ଆଞ୍ଚଳିକ ଜାତୀୟତା ଉଦ୍ରେକ ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତ କରିଥିଲା । ପ୍ରଶାସନିକ କେନ୍ଦ୍ରସ୍ଥଳର ସମୀପବର୍ତ୍ତୀ ଗୋଟିଏ ଜାତି ଅଧିକା ସୁଯୋଗ ସୁବିଧା ହାସଲ କରିବା ଯୋଗୁଁ ଆପାତତଃ ପ୍ରଶାସନିକ କେନ୍ଦ୍ରରୁ ଦୂରରେ ରହୁଥିବା ଅନ୍ୟ ଜାତି କ୍ଷୁବ୍ଧ ହୋଇ ନିଜ ପାଇଁ ଆଞ୍ଚଳିକ ସ୍ୱତନ୍ତ୍ରତା ଦାବି କରିଥିଲେ । ଊନବିଂଶ ଶତାବ୍ଦୀରେ ବିଭିନ୍ନ ଜାତୀୟ ଭାଷାର ବିକାଶ ଓ ପତ୍ରପତ୍ରିକା ପ୍ରକାଶନ ଆଞ୍ଚଳିକ ଜାତୀୟତାର ପ୍ରସାର ଦିଗରେ ସହାୟକ ହୋଇଥିଲା । (୨)

 

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଓଡ଼ିଆ ସାମ୍ବାଦିକତାର ଭୂମିକା ଆଲୋଚନା ନିମନ୍ତେ ଦୁଇଗୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ । ପୂର୍ବାର୍ଦ୍ଧ ୧୮୬୬ରୁ ୧୯୦୩ ମସିହା ଯାଏ ଓ ଉତ୍ତରାର୍ଦ୍ଧ ୧୯୦୩ରୁ ୧୯୩୬ ମସିହା ଯାଏଁ ପରିବ୍ୟାପ୍ତ । (୩) ପୂର୍ବାର୍ଦ୍ଧର ନେତୃତ୍ୱ ମୁଖ୍ୟତଃ ଗୌରୀଶଙ୍କର ରାୟ ତାଙ୍କରି ଦ୍ୱାରା ସମ୍ପାଦିତ ‘ଉତ୍କଳ ଦୀପିକା’ ପୃଷ୍ଠାରେ ପ୍ରାଧାନ୍ୟ ଦେଇଥିବାବେଳେ ଉତ୍ତରାର୍ଦ୍ଧରେ ‘ଆଶା’ ଓ ‘ସମାଜ’ ଏହାର ନେତୃତ୍ୱ ନେଇଥିଲେ । ଗୌରୀଶଙ୍କର ରାୟ ଏକ ପକ୍ଷରେ ବ୍ୟକ୍ତିଗତ ଭାବେ ଓଡ଼ିଆ ଭାଷାଭାଷୀଙ୍କ ଏକତ୍ରୀକରଣ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରି ସାଙ୍ଗଠନିକ ଦିଗରେ ସମ୍ପୃକ୍ତ ରହୁଥିବାବେଳେ ଅପରପକ୍ଷରେ ‘ଉତ୍କଳ ଦୀପିକା’ରେ ଏହି ଆନ୍ଦୋଳନକୁ ସୁହାଇଲା ଭଳି ଲେଖାମାନ ବରାବର ପ୍ରକାଶିତ ହେଉଥିଲା ।

 

ଗଞ୍ଜାମ ଜିଲ୍ଲାରେ ଓଡ଼ିଆ ଭାଷାଭାଷୀଙ୍କ ପ୍ରାଧାନ୍ୟ ପ୍ରତିପାଦନ କରିବାକୁ ଯାଇ ‘ଉତ୍କଳ ଦୀପିକା’ର ତା.୨୦.୧.୧୯୦୬ ସଂଖ୍ୟାରେ ପ୍ରକାଶିତ ହୋଇଥିଲା, “ଗଞ୍ଜାମ ଯଦ୍ୟପିକି ରାଜକୀୟ ବ୍ୟବସ୍ଥାରେ ଓଡ଼ିଶାରୁ ଭିନ୍ନ ହୋଇ ମାନ୍ଦ୍ରାଜ ଶାସନର ଅଧୀନ ହୋଇଅଛି ତଥାଚ ସେହି ରାଜ୍ୟଖଣ୍ଡ ପ୍ରକୃତରେ ଉତ୍କଳ ଦେଶ ଏବଂ ତହିଁର ଅନ୍ତତଃ ବାରପଣ ଅଧିବାସୀ ଉତ୍କଳୀୟ ଅଟନ୍ତି । ଗଞ୍ଜାମ ସହିତ ଓଡ଼ିଶାର ଜାତୀୟ ସମ୍ବନ୍ଧ ପୂର୍ବରୁ ରହିଅଛି ଏବଂ ଇଦାନାଂ ରେଳ ଓ ସଡ଼କ ଯୋଗେ ମିଳାମିଶାର ଅଧିକ ସୁବିଧା ହୋଇଅଛି । ଗଞ୍ଜାମବାସୀଙ୍କ ଓଡ଼ଶା ସଙ୍ଗେ ମିଶିବାର ଗାଢ଼ ଚେଷ୍ଟା ଏ ପର୍ଯ୍ୟନ୍ତ ରାଜଦ୍ୱାରରେ ସଫଳ ହୋଇନାହିଁ ସତ୍ୟ ମାତ୍ର ଭାଇ ଭାଇର ମିଳନରେ କିଛି ବାଧା ନାହିଁ ଏବଂ ହେବା ଉଚିତ ନୁହେଁ ।” ତତ୍‌ପରବର୍ତ୍ତୀ ସଂଖ୍ୟା ତା ୨୭.୧.୧୯୬୦ରେ ପ୍ରକାଶିତ ହୋଇଥିଲା “ଓଡ଼ିଆମାନେ ଅନ୍ୟାନ୍ୟ ଶ୍ରେଣୀର ପ୍ରଜାପରି ଗଭର୍ଣ୍ଣମେଣ୍ଟଙ୍କ ଠାରୁ ନ୍ୟାୟ ବିଚାର ଓ ସୁବ୍ୟବହାର ପାଇବାର ସମାନ ଅଧିକାର ଓ ସେମାନଙ୍କ ବାସସ୍ଥାନରେ ସେମାନଙ୍କୁ ଅନ୍ୟର ଅଧୀନ କରି ରଖିବା କଦାଚ ଉଚିତ ନୁହେଁ । ନିଜ ଦେଶରେ ଓଡ଼ିଆ ସରକାରୀ ଚାକିରିୟାଙ୍କ ସଂଖ୍ୟା ଦେଢ଼ପଣରୁ ଅଧିକା ନୁହେଁ ଏବଂ ଅବଶିଷ୍ଟ ସମସ୍ତ ବିଦେଶୀମାନେ ଭୋଗ କରୁଛନ୍ତି । ଏପରି ଅବସ୍ଥାରେ ଓଡ଼ିୟାମାନଙ୍କର ଉନ୍ନତି ହେବା ସୁଦୂର ପରାହତ । ଗଞ୍ଜାମ ଓଡ଼ିୟାଙ୍କର ଏହି ଦୁରବସ୍ଥା ମାନ୍ଦ୍ରାଜ ଗଭର୍ଣ୍ଣମେଣ୍ଟର ଅଖ୍ୟାତି ରଚନା କରୁଅଛି ଏବଂ ଏଥିରେ ପ୍ରତିକାର ଶୀଘ୍ର ଆବଶ୍ୟକ ।” ସେହିପରି ତା.୫.୩.୧୮୮୧ ସଂଖ୍ୟାରେ ପ୍ରକାଶ ପାଇଥିଲା, “ସମ୍ପ୍ରତି ଗଞ୍ଜାମ ଜିଲ୍ଲାରେ ଓଡ଼ିୟାମାନେ ନିତାନ୍ତ ହୀନ ଓ ଘୃଣିତ ଅବସ୍ଥାରେ ରହିଅଛନ୍ତି । ସରକାରୀ କଚେରୀମାନ ସେମାନଙ୍କର ଆଦୌ ଭରସା ନାହିଁ ଯେ କୌଣସି କାଳରେ ତାଙ୍କର ଆଧିପତ୍ୟ ହ୍ରାସ ହେବ ଓ ସେମାନେ ସରକାରୀ କର୍ମରେ ନିଯୁକ୍ତ ହେବେ । ଆମ୍ଭେମାନେ ପ୍ରତ୍ୟକ୍ଷରେ ଦେଖିଲୁ ଯେ କମା ଓ ଓଡ଼ିୟାଙ୍କ ମଧ୍ୟରେ କୌଣସି ପ୍ରକାର ସହାନୁଭୂତି ନାହିଁ । ଉଭୟଠାରେ ଘୃଣାଭାବ ସମ୍ପୂର୍ଣ୍ଣ ଜାଗ୍ରତ ରହିଅଛି । ଓଡ଼ିୟାମାନେ କମାଙ୍କୁ ପ୍ରପୀଡ଼କ ମନେ କରନ୍ତି ଏବଂ କମାମାନେ ଓଡ଼ିୟାଙ୍କୁ ନୀଚାବସ୍ଥାରେ ପକାଇ ରଖିବାକୁ ଚେଷ୍ଟା କରନ୍ତି । ସରକାରୀ କର୍ମୀମାନ କମାଙ୍କର ଏକାଧିପତ୍ୟରେ ନଥିଲେ ଏପରି ଭାବ କଦାଚ ଜାତ ହୁଅନ୍ତା ନାହିଁ । ଏଥିସକାଶେ ମଧ୍ୟ ମାନ୍ଦ୍ରାଜ ଗଭର୍ଣ୍ଣର୍ମେଣ୍ଟ ଦାୟୀ ଅଟନ୍ତି ।”

 

ସମ୍ବଲପୁର ଓଡ଼ିଶା ସହ ମିଶ୍ରଣ ନେଇ ‘ଉତ୍କଳ ଦୀପିକା’ ପୃଷ୍ଠାରେ ବହୁ ସମ୍ବାଦ ପ୍ରକାଶ ପାଇଥିଲା । ତା ୧୧.୫.୧୮୯୫ ସଂଖ୍ୟାରେ ଗୌରୀଶଙ୍କର ଲେଖିଥିଲେ, “ମଧ୍ୟପ୍ରଦେଶର ଅନ୍ୟାନ୍ୟ ବ୍ରିଟିଶ ରାଜ୍ୟରେ ୯୦ ହଜାର ଓ ଦେଶୀୟ ରାଜ୍ୟରେ ୪୦ ହଜାରରୁ ଅଧିକ ଓଡ଼ିଆ ବାସ କରନ୍ତି ଏବଂ ସେ ପ୍ରଦେଶରେ ମୋଟ୍‌ ଜନସଂଖ୍ୟା ୧ କୋଟି ୨୯ ଲକ୍ଷ । ଅତଏବ ସମ୍ବଲପୁର ହିତୈଷିଣୀ ଯଥାର୍ଥରେ କହିଅଛନ୍ତି ଯେ ମଧ୍ୟପ୍ରଦେଶର ଚିପ୍‌ କମିଶନରଙ୍କ ଏକ ଅଷ୍ଟମାଂଶ ପ୍ରଜା ଓଡ଼ିଆ ଭାଷା ବ୍ୟବହାର କରୁଥିବା ସ୍ଥଳେ ତାହାକୁ ଅଳ୍ପ ଲୋକର ଭାଷା ବୋଲି ଉପେକ୍ଷା କରାଯାଇନପାରେ ।”

 

ସେହିପରି ସିଂହଭୂମି ସମ୍ପର୍କରେ ତା ୨୮.୨.୧୯୧୪ ସଂଖ୍ୟାରେ ପ୍ରକାଶିତ ହୋଇଥିଲା, “ସିଂହଭୂମି, ସଢ଼େଇକଳା, ଖରସୁଆଁ ପ୍ରଭୃତିରେ ବିସ୍ତର ଓଡ଼ିଆ ଅଛନ୍ତି ଏବଂ ସେମାନେ ପ୍ରକୃତରେ ଓଡ଼ିଶା ଦେଶ ଥିବାରୁ, ସେଠା କଚେରୀ ଓ ବିଦ୍ୟାଳୟମାନଙ୍କରେ ଓଡ଼ିଆ ଭାଷା ପ୍ରଚଳିତ ହେବା ନିତାନ୍ତ କର୍ତ୍ତବ୍ୟ କାରଣ ତବ୍ଦ୍ୱାରା ସେଠା ଅଧିବାସୀମାନେ ଶିକ୍ଷାରେ ସମ୍ପୂର୍ଣ୍ଣ ଉନ୍ନତି ଲାଭ କରିପାରିବେ ଏବଂ ତହିଁରେ ଏକା ସେମାନଙ୍କ ଅବସ୍ଥା ଉନ୍ନତି ହେବ । ମାତୃଭାଷା ଛାଡ଼ି ବିଦେଶୀ ଭାଷା ଦ୍ୱାରା ଯେ ଉନ୍ନତି ହୋଇନପାରେ ଏହା ବୁଝାଇବା ନିଷ୍ପ୍ରୟୋଜନ ।” ମେଦିନୀପୁର ସମ୍ପର୍କରେ ତା ୨୫.୩.୧୯୧୧ରେ ପ୍ରକାଶ ପାଇଥିଲା, “ମେଦିନୀପୁର ଜିଲ୍ଲା କାନ୍ଥି ସବ୍‌ଡିଭିଜନ୍‌ରେ ବିସ୍ତର ଓଡ଼ିଆ ବାସ କରନ୍ତି । ଏଠାଭାଷା ଭଙ୍ଗା ବଙ୍ଗଳା ବା ଅଧିକ ଓଡ଼ିଆ ଅଳ୍ପ ବଙ୍ଗଳା ମିଶାମିଶି । ବିସ୍ତର ଓଡ଼ିଆଙ୍କ ବାସଯୋଗେ ବଙ୍ଗାଳି ଓଡ଼ିୟାଙ୍କ ମଧ୍ୟରେ ଅପୂର୍ବ ମିଳନ ଘଟିଅଛି । ଓଡ଼ିୟାମାନେ ସେଠା ନିବାସୀଙ୍କ ବଙ୍ଗଳା ଯେମନ୍ତ ସହଜେ ବୁଝନ୍ତି ସେମାନେ ମଧ୍ୟ ଓଡ଼ିୟାଙ୍କ କଥା ତେମନ୍ତ ସହଜରେ ବୁଝନ୍ତି । ଅନେକ ଲୋକଙ୍କ ଘରେ ଓଡ଼ିଆ ପୋଥି ଅଦ୍ୟାପି ଅଛି । ଗଭର୍ଣ୍ଣମେଣ୍ଟ ସେଠା କଚେରୀରେ ଭାଷା ବଙ୍ଗଳା କରିଦେବାରୁ ଲୋକେ ବର୍ତ୍ତମାନ ଓଡ଼ିୟା ପଢ଼ିବାକୁ ଅକ୍ଷମ ଅଥଚ ଉତ୍କଳ ଭାଷା ଓ ଓଡ଼ିୟା ଭାଗବତାଦି ପୁରାଣପ୍ରତି ଅଦ୍ୟାପି ପୂର୍ଣ୍ଣ ସହାନୁଭୂତି ଅଛି । ଯଦ୍ୟପି ବଙ୍ଗଳା ବଦଳରେ ଓଡ଼ିୟା ଭାଷା ସେଠା କଚେରୀମାନଙ୍କରେ ପ୍ରଚଳନ ହୁଏ ତାହାହେଲେ ଲୋକଙ୍କ ଶିକ୍ଷାପ୍ରତି ଅଧିକ ସାହାଯ୍ୟ ହେବ ।”

 

ଗଞ୍ଜାମ ଓ ସମ୍ବଲପୁରକୁ ଅନ୍ୟ ଓଡ଼ିୟା ଭାଷାଭାଷୀ ଅଞ୍ଚଳ ସହ ମିଶ୍ରଣ କରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆହ୍ୱାନ ଦିଆଯାଇଥିବା ଅବସରରେ ଏହା ବିରୋଧରେ ଅଳ୍ପ କେତେକ ଆପତ୍ତି ଉଠାଇଥିଲେ । ଉତ୍ତରରେ ‘ଉତ୍କଳ ଦୀପିକା’ର ତା ୬.୨.୧୯୦୪ ସଂଖ୍ୟାରେ ପ୍ରକାଶିତ ହୋଇଥିଲା, “ଗଞ୍ଜାମ ଉତ୍କଳଭାଷୀ ରାଜ୍ୟ ହେଲେ ହେଁ ସେଠାରେ ତେଲେଙ୍ଗାମାନଙ୍କ ପ୍ରତାପ ଭାରି କାରଣ ସେମାନେ ସରକାରୀ କଚେରୀ ଏବଂ ରାଜା ଜମିଦାରଙ୍କ ସିରସ୍ତାରେ ବଡ଼ ବଡ଼ ଚାକିରୀରେ ଅଛନ୍ତି । ଓଡ଼ିଶା ସଙ୍ଗେ ସେ ଜିଲ୍ଲା ମିଶିଗଲେ ସେମାନଙ୍କ ଚାକିରୀ ପାଇବା ସୁବିଧା ରହିବ ନାହିଁ ଏହାଇ ସେମାନଙ୍କର ଆଶଙ୍କା । ଏଥିପାଇଁ ସେମାନେ ନାନା କୌଶଳରେ ଶିଖାଇ ବା ଭୟ ଦେଖାଇ ସେ ଜିଲ୍ଲା ବଙ୍ଗଳା ସଙ୍ଗେ ନ ମିଶିବା ମର୍ମରେ ଦରଖାସ୍ତରେ ହସ୍ତଗତ କରାଇ ନେଉଅଛନ୍ତି । ଏତଏବ ଗଭର୍ଣ୍ଣମେଣ୍ଟ ଯେ ସ୍ୱାଧୀନ ମତ ଲୋଡ଼ୁଛନ୍ତି ତାହା ମିଳିବା ସହଜ ନୁହେଁ । କେତେକ ଶିକ୍ଷିତ ଲୋକଙ୍କର ସରକାରୀ ଚାକିରୀ ପାଇବା ଆଶା ବର୍ତ୍ତମାନ ଆନ୍ଦୋଳନର ମୂଳ ହୋଇଅଛି ।”

 

ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ତଥା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମନ୍ତେ ସାଙ୍ଗଠନିକ କାର୍ଯ୍ୟକଳାପର ବିବରଣୀ ‘ଉତ୍କଳ ଦୀପିକା’ ପୃଷ୍ଠାରେ ନିୟମିତ ପ୍ରକାଶିତ ହେଉଥିଲା । ଉତ୍କଳ ସଭା ପ୍ରତିଷ୍ଠା ଦିବସର ବିବରଣୀ ତା ୧୯.୮.୧୮୮୨ରେ ପ୍ରକାଶିତ ହୋଇଥିଲା, “ଆମ୍ଭେମାନେ ଦେଖୁଅଛୁଁ ଯେ ଏ ସଭା ବଡ଼ ଶୁଭକ୍ଷଣରେ ପ୍ରତିଷ୍ଠିତ ହୋଇଅଛି ଓ ନଗରବାସୀ ବିଦ୍ୱାନ ବହୁଦର୍ଶୀ ଏବଂ କାର୍ଯ୍ୟକ୍ଷମ ବ୍ୟକ୍ତି ପ୍ରାୟ ସମସ୍ତେ ଏଥିରେ ଯୋଗ ଦେଉଅଛନ୍ତି-। ଏପରି ସଭା ଦୀର୍ଘକାଳ ସ୍ଥାୟୀ ହୋଇ ଜନସାଧାରଣଙ୍କର ହିତକର ବ୍ରତରେ ଅହରହ ନିଯୁକ୍ତି ହେବ ଏବଂ ଏଥିପାଇଁ ସଭ୍ୟମାନେ ଯଥାସାଧ୍ୟ ଉଦ୍ୟମ ଓ ଉତ୍ସାହ ସହକାରେ ଏହାର କାର୍ଯ୍ୟକାରିତା ବିସ୍ତାର କରିବାକୁ ଯତ୍ନଶୀଳ ହେବେ ଏହି ମାତ୍ର ଆମ୍ଭମାନଙ୍କ ପ୍ରାର୍ଥନା ଅଟଇ-।” ସେହିପରି ‘ଉତ୍କଳ ସମ୍ମିଳନୀ’ ସମ୍ପର୍କରେ ଏକ ସଂବାଦ ତା ୨.୧.୧୯୦୪ରେ ପ୍ରକାଶ ପାଇଥିଲା, “ଏହି ସଭାର ଅଧିବେଶନ ଗତ ବୁଧବାର ଓ ଗୁରୁବାର ହୋଇଥିଲା । ଓଡ଼ିଶାରେ ଏହା ଗୋଟିଏ ନୂତନ ବ୍ୟାପାର । ... ଦଶଜଣ ଆନ୍ତରିକ ଶ୍ରଦ୍ଧା ଓ ଅକପଟ ହୃଦୟରେ ଏକ ମନରେ କାର୍ଯ୍ୟ କଲେ ଅସାଧ୍ୟ ସାଧନ ହୋଇପାରେ ଏ ସଭାର ସଫଳତା ଆମ୍ଭମାନଙ୍କୁ ଏହି ଶିକ୍ଷା ଦେଉଅଛି । କିଏ ଭାବିଥିଲା ଯେ ଓଡ଼ିଶାର ବହୁକାଳରୁ ବିଭିନ୍ନ ସୁହବାସୀ ଗଞ୍ଜାମ ଓ ସମ୍ବଲପୁର ଉତ୍କଳ ଭ୍ରାତାମାନେ ଆମନ୍ତ୍ରଣ ପାଇବା ମାତ୍ରେ ପ୍ରଫୁଲ୍ଲ ଚିତ୍ତରେ ମିଳନ ସକାଶେ ଏ ନଗରରେ ଅବିଳମ୍ବେ ଏକତ୍ରିତ ହେବେ ? ଏ ବନ୍ଧୁ ମିଳନରୁ ସ୍ପଷ୍ଟ ଜଣାଯାଉଛି କି ମିଳନର ଆଶାଟା ପୂର୍ବରୁ ଏକାନ୍ତ ବଳବତ୍ର ହୋଇଥିଲା ଏବଂ ଟିକିଏ ସଙ୍କେତକୁ ଚାହିଁ ବସିଥିଲେ । ଏଥିରୁ ଆଶାହେଉଅଛି ଯେ ଏହି ମିଳନର ଫଳ ଶୁଭଙ୍କର ହେବ ଏବଂ ଏତେ ଅନୁରାଗ ଓ ଉତ୍ସାହ ଶୀଘ୍ର ଶୀତଳ ହୋଇଯିବ ନାହିଁ । ତେବେ ସଭା ଦେଖି କେତେଗୁଡ଼ିକ ଭଲ କଥା ଶୁଣି ଘରକୁ ଫେରିଯାଇ ନିଶ୍ଚନ୍ତ ବସିଲେ କିଛି ହେବ ନାହିଁ । ଆଗାମୀ ସଭାରେ ଏକ ବର୍ଷର ଫଳ ଯଦି କିଛି ଦେଖାଇ ପାରିବୁଁ ତେବେ ଆନନ୍ଦର ବିଷୟ ହେବ । ନତୁବା ଅରଣ୍ୟ ରୋଦନ ପ୍ରାୟ ସମର୍ଥ ବ୍ୟର୍ଥ ହେବ ।”

 

ଊନବିଂଶ ଶତାବ୍ଦୀରେ ପ୍ରକାଶିତ ଓଡ଼ିଆ ପତ୍ରପତ୍ରିକା ମଧ୍ୟରୁ ‘ଉତ୍କଳ ଦୀପିକା’, ‘ବାଲେଶ୍ୱର ସମ୍ବାଦ ବାହିକା’, ‘ଉତ୍କଳ ଦର୍ପଣ’, ‘ଓଡ଼ିଆ ଓ ନବସଂବାଦ’ ଏବଂ ‘ସମ୍ବଲପୁର ହିତୈଷିଣୀ’କୁ ପାଞ୍ଚଗୋଟି “ବୃହତ୍ତର” ପତ୍ରିକା ରୂପେ ଚିହ୍ନଟ କରାଯାଇଛି । (୪) ‘ଉତ୍କଳ ଦୀପିକା’, ‘ବାଲେଶ୍ୱର ସମ୍ବାଦବାହିକା’ ଓ ‘ସମ୍ବଲପୁର ହିତୈଷିଣୀ’ ଊନବିଂଶ ଶତାବ୍ଦୀରେ ଲୋକମତକୁ ନିୟନ୍ତ୍ରଣ ଓ ପରିଚାଳନା କରୁଥିଲେ । ଓଡ଼ିଆ ଭାଷା ବିଲୋପ ଆନ୍ଦୋଳନ ବେଳେ ଏହି ତିନିଗୋଟି ସମ୍ବାଦପତ୍ର ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ‘ଉତ୍କଳ ଦୀପିକା’ ପ୍ରକାଶନର ଦୁଇବର୍ଷ ପରେ ‘ବାଲେଶ୍ୱର ସମ୍ବାଦ ବାହିକା’ ୧୮୬୮ ମସହିାରୁ ଜନ୍ମ ନେଇ ୧୯୨୩ ମସିହା ଯାଏଁ ଦୀର୍ଘ ୫୬ ବର୍ଷ ଧରି ପ୍ରକାଶନ ଜାରି ରଖିଥିଲା । ତତ୍‌କାଳୀନ ବାମଣ୍ଡାର ରାଜଧାନୀ ଦେବଗଡ଼ରୁ ୧୮୮୯ ମସିହାରେ ପ୍ରକାଶିତ ‘ସମ୍ବଲପୁର ହିତୈଷିଣୀ’ ୩୪ ବର୍ଷ ପ୍ରକାଶନ ପରେ ୧୯୨୩ରେ ବନ୍ଦ ହୋଇଥିଲା । ଦୀର୍ଘ ଦିନ ଧରି ପ୍ରକାଶିତ ଏହି ତିନିଗୋଟି ସାପ୍ତାହିକ ସମ୍ବାଦପତ୍ର ଓଡ଼ିଆ ଭାଷାର ସୁରକ୍ଷା, ଓଡ଼ିଆ ସାହିତ୍ୟ ସଂସ୍କୃତିର ପ୍ରସାର ଓ ସ୍ୱତନ୍ତତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନ ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତିରେ ଲାଗି ପଡ଼ିଥିଲେ । ଊନବିଂଶ ଶତାବ୍ଦୀରେ ପ୍ରକାଶିତ ପାଞ୍ଚଗୋଟି “ବୃହତ୍ତର” ପତ୍ରିକା ବ୍ୟତୀତ ତାଳଚେରରୁ ବିଂଶ ଶତାବ୍ଦୀର ପ୍ରଥମ ପାଥରେ ୧୯୦୨ ମସିହାରୁ ୧୯୩୮ ମସିହା ଯାଏଁ ଦୀର୍ଘ ୩୭ ବର୍ଷ ଧରି ପ୍ରକାଶିତ ‘ଗଡ଼ଜାତବାସିନୀ’ ‘ଉତ୍କଳ ଦୀପିକା’ର ଅନ୍ୟତମ ମୁଖ୍ୟ ସମସାମୟିକ ସମ୍ବାଦପତ୍ର । ୧୯୧୩ ମସିହାରେ ସାପ୍ତାହିକ ‘ଆଶା’ ପ୍ରକାଶିତ ହୋଇ ୧୯୨୮ ମସିହାରେ ଦୈନିକରେ ପରିଣତ ହୋଇଥିଲା । ଏହି ପନ୍ଦର ବର୍ଷ ମଧ୍ୟରେ ସାକ୍ଷୀଗୋପାଳରୁ ‘ସମାଜ’ (୧୯୧୯) ଓ ‘ପ୍ରଜାତନ୍ତ୍ର’ (୧୯୨୩) ପ୍ରକାଶ ପାଇଥିଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନର ପୂର୍ବାର୍ଦ୍ଧରେ ‘ଉତ୍କଳ ଦୀପିକା’ର ନେତୃତ୍ୱ, ଉତ୍ତରାର୍ଦ୍ଧରେ ‘ଆଶା’, ‘ଦୈନକ ଆଶା’ ଓ ‘ସମାଜ’ ଗ୍ରହଣ କରି ୧୯୩୬ ମସିହାରେ ଭାରତ ବର୍ଷର ମାନଚିତ୍ରରେ ଓଡ଼ିଆ ଭାଷାଭାଷୀ ଜନସାଧାରଣଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ପ୍ରଦେଶ ଚିହ୍ନଟ କରାଇ ପାରିଥିଲେ ।

 

ସୂଚନା ଓ ସହାୟକ ଗ୍ରନ୍ଥ ସୂଚୀ :

(୧)

ମୃତ୍ୟୁଞ୍ଜୟ ରଥ, ମୃତ୍ୟୁଞ୍ଜୟ ଗ୍ରନ୍ଥାବଳୀ, ପ୍ରଥମ ଖଣ୍ଡ (କଟକ : କଟକ ଷ୍ଟୁଡେଣ୍ଟସ୍‌ ଷ୍ଟୋର, ୧୯୭୧) ପୃ. ୩୬୬

(୨)

ନିବେଦିତା ମହାନ୍ତି, ଓଡ଼ିଶା ନେସନାଲିଜମ୍‌ : କ୍ୱେଷ୍ଟ ଫର ଏ ୟୁନାଇଟେଡ୍‌ ଓଡ଼ିଶା (ନୂଆଦିଲ୍ଲୀ : ମନୋହର ପବ୍ଲିକେସନ୍ସ, ୧୯୮୨) ଉପକ୍ରମ, ପୃ. ୧୧

(୩)

ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନସିଂହ, ଶତାବ୍ଦୀ ପୁରୁଷ (କଟକ : ଗୌରୀଶଙ୍କର ସ୍ମୃତି ସଂସଦ, ୧୯୯୧) ପୃ. ୪୯୧

(୪)

ନଟବର ସାମନ୍ତରାୟ, ଓଡ଼ିଶା ସାହିତ୍ୟର ଇତିହାସ (ଭୁବନେଶ୍ୱର : ନଟବର ସାମନ୍ତରାୟ, ୧୯୮୩) ପୃ. ୧୭୮

 

 

ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ,

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ,

ବ୍ରହ୍ମପୁର

 

***

 

ଏକାଡେମୀ ସମାଚାର

 

ଶଶିଭୂଷଣ ରଥ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଶଶିଭୂଷଣ ସାହିତ୍ୟ ସଂସଦ, ସୋରଡ଼ାଙ୍କ ମିଳିତ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲାସ୍ଥ ସୋରଡ଼ାଠାରେ ତା୧.୧.୯୯ରିଖ ପୂର୍ବାହ୍ଣ ଦଶ ଘଟିକା ସମୟରେ ବରେଣ୍ୟ ସାରସ୍ୱତ ସାଧକ ତଥା ପ୍ରବୀଣ ସାମ୍ବାଦିକ ଶଶିଭୂଷଣ ରଥଙ୍କ ଜୟନ୍ତୀ ପାଳନ କରାଯାଇଥିଲା । ଏହି ଅବସରରେ ପୂର୍ବାହ୍ଣରେ ସାହିତ୍ୟ ସଭା ଏବଂ ଅପରାହ୍ଣ ତିନି ଘଟିକା ସମୟରେ ସ୍ଥାନୀୟ କବିମାନଙ୍କୁ ନେଇ ଏକ କବିତା ପାଠୋତ୍ସବ ଆୟୋଜନ କରାଯାଇଥିଲା ।

 

ଏହି ସାହିତ୍ୟ ସଭାରେ ଏକାଡେମୀ ସାଧାରଣ ପରିଷଦର ସଦସ୍ୟ ଶ୍ରୀ ପଦ୍ମଚରଦଣ ସାହୁ ପୌରହିତ୍ୟ କରିଥିଲେ । ଶ୍ରୀ ବସନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଓଡ଼ିଶାରେ ସୁସ୍ଥ ସାମ୍ବାଦିକତା ଓ ସାହିତ୍ୟିକ ପରମ୍ପରା ସୃଷ୍ଟି ଦିଗରେ ଶଶିଭୂଷଣ ରଥଙ୍କ ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ବୋଲି ଭାଷଣ ପ୍ରସଙ୍ଗରେ କହିଥିଲେ । ଏହି ସାରସ୍ୱତ ଉତ୍ସବରେ ଡକ୍ଟର ପ୍ରଫୁଲ୍ଲ କୁମାର ମହାନ୍ତି ସମ୍ମାନିତ ଅତିଥି, ଡକ୍ଟର କୃଷ୍ଣଚନ୍ଦ୍ର ଜେନା ମୁଖ୍ୟବକ୍ତା ଏବଂ ଶ୍ରୀ ଜମ୍ମୁପାଣି ସାମନ୍ତ ସମ୍ମାନିତ ବକ୍ତାଭାବେ ଯୋଗଦାନ କରି ବରେଣ୍ୟ ସାଧକ ଶଶିଭୂଷଣଙ୍କ ନିର୍ଭୀକ ସାମ୍ବାଦିକତା, ସତ୍ୟନିଷ୍ଠତା ତଥା ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆଭାଷା, ସଂସ୍କୃତିର ସଂରକ୍ଷଣ ଦିଗରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ବ୍ରହ୍ମପୁରର ବହୁ ସାମ୍ବାଦିକ, ସାହିତ୍ୟିକ ତଥା ସଂସ୍କୃତିପ୍ରେମୀ ବ୍ୟକ୍ତି ଏହି ଉତ୍ସରେ ଯୋଗ ଦେଇ ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

 

ଗୋଦାବରୀଶ ମହାପାତ୍ର ଜୟନ୍ତୀ :

ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଗୋଦାବରୀଶ ବିଦ୍ୟାପୀଠ ପୁରାତନ ଛାତ୍ରସଂଘଙ୍କ ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ସାରସ୍ୱତ ସାଧକ “ନିଆଁଖୁଣ୍ଟା”ର ସୁଯୋଗ୍ୟ ସମ୍ପାଦକ ଗୋଦାବରୀଶ ମହାପାତ୍ରଙ୍କ ଜନ୍ମଶତବାର୍ଷିକୀ ପାଳନ ଅବସରରେ ତା ୩.୧.୯୯ ରିଖ ଅପରାହ୍ଣ ୩ ଘଣ୍ଟା ସମୟରେ ବାଣପୁର ଗୋଦାବରୀଶ ବିଦ୍ୟାପୀଠ ପରିସରରେ ଏକ ସାରସ୍ୱତ ସଭାର ଆୟୋଜନ କରାଯାଇଥିଲା ।

 

ଏହି ଉତ୍ସବରେ ଓଡ଼ିଶାର ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ସେଖ୍‌ ମତଲୁବ ଅଲ୍ଲୀ ମୁଖ୍ୟ ଅତିଥି, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀ ଭୂପିନ୍ଦର ସିଂହ ଓ ଓଡ଼ିଶା ଟାଇମ୍ସର ସମ୍ପାଦକ ଶ୍ରୀ ଆର୍‌.ପି.ଶାସ୍ତ୍ରୀ ସମ୍ମାନିତ ଅତିଥି ଏବଂ ପ୍ରଫେସର ଗୌରୀକୁମାର ବ୍ରହ୍ମା ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ । ପ୍ରଫେସର ବ୍ରହ୍ମା ତାଙ୍କ ଭାଷଣ ପ୍ରସଙ୍ଗରେ କହିଲେ ଯେ, ସ୍ୱର୍ଗତ ମହାପାତ୍ର ଏକାଧାରରରେ କବି, ଗାଳ୍ପିକ, ଔପନ୍ୟାସିକ, ଶିଶୁ ସାହିତ୍ୟିକ, ସମାଲୋଚକ, ସାମ୍ବାଦିକ, ରାଜନୈତିକ ନେତା ଓ ବ୍ୟଙ୍ଗ ବିଦ୍ରୁପମୂଳକ ରଚନାର ସଫଳ ସ୍ରଷ୍ଟା । ସମାଜର ପରିପୃଷ୍ଟ ଦୋଷ ଦୁର୍ବଳତା, ଅସଙ୍ଗତି ଓ ଅଧୋଗତିକୁ ଶାଣିତ ବ୍ୟଙ୍ଗ, ହାସ୍ୟ ଓ ବିଦ୍ରୁପ ମାଧ୍ୟମରେ ପ୍ରକାଶ କରିବାରେ ସ୍ୱର୍ଗତ ମହାପାତ୍ର ଅଦ୍ୱିତୀୟ ସ୍ରଷ୍ଟା ବୋଲି ସେ ତାଙ୍କ ଭାଷଣ ପ୍ରସଙ୍ଗରେ କହିଥିଲେ ।

 

ସ୍ଥାନୀୟ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ କଥାକାର ଡକ୍ଟର ଦେବେନ୍ଦ୍ରନାଥ ମାନସିଂହ ଉତ୍ସବରେ ପୌରୋହିତ୍ୟ କରି ଏହି ବରେଣ୍ୟ ସାଧକଙ୍କ ସୃଷ୍ଟିରେ ଗଭୀର ଦେଶପ୍ରେମ, ସାଂସ୍କୃତିକ ଜାଗରଣ, ନିର୍ଭୀକ ଚିନ୍ତାଧାରା ଓ ମାନବିକତାର ଜୟ ଜୟକାରର ପ୍ରତିଧ୍ୱନି ଶୁଣିବାକୁ ମିଳେ ବୋଲି କହିଥିଲେ । ଏହି ସାରସ୍ୱତ ଉତ୍ସବରେ ବହୁ ସାହିତ୍ୟିକ ତଥା ସାହିତ୍ୟପ୍ରେମୀ ଯୋଗଦାନ କରି ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

 

କବି ଯଦୁମଣି ଜୟନ୍ତୀ :

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଯଦୁମଣି କ୍ଲବ୍‌ର ମିଳିତ ଆନୁକୂଲ୍ୟରେ ତା ୮.୧.୯୯ ରିଖ ଅପରାହ୍ଣ ପାଞ୍ଚ ଘଟିକା ସମୟରେ ଉତ୍କଳଘଣ୍ଟ କବି ଯଦୁମଣିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଇଟାମାଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ସଭ୍ୟ ଡକ୍ଟର ନିମାଇଁ ଚରଣ ପଟ୍ଟନାୟକଙ୍କ ପୌରାହିତ୍ୟରେ ଏକ ସ୍ମୃତିସଭାର ଆୟୋଜନ କରାଯାଇଥିଲା ।

 

ଏହି ସଭାରେ ଦୈନିକ ‘ସମ୍ବାଦ’ ଓ ‘ସନ୍‌ ଟାଇମସ୍‌’ର ସମ୍ପାଦକ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି, ଶ୍ରୀ ହୃଦାନନ୍ଦ ରାୟ ସମ୍ମାନୀତ ଅତିଥି, ଶ୍ରୀ ପ୍ରଫୁଲ୍ଲ କୁମାର ପାଇକରାୟ ମୁଖ୍ୟବକ୍ତା ଏବଂ ଇଟାମାଟି ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ନାୟକ ଓ ଶ୍ରୀ ବଂଶୀଧର ସାହୁ ସମ୍ମାନିତ ବକ୍ତା ଭାବେ ଯୋଗଦାନ କରିଥିଲେ ।

 

ସମ୍ବାଦ ଓ ସନ୍‌ ଟାଇମସ୍‌ର ସମ୍ପାଦକ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ ଆଶୁକବି ଯଦୁମଣିଙ୍କ ଜୀବନ ଓ ସାରସ୍ୱତ କୃତି ସମ୍ପର୍କରେ ସମ୍ୟକ୍‌ ଆଲୋଚନା କରିଥିଲେ । ଏହି ସଭାର ସମ୍ମାନିତ ଅତିଥି ଶ୍ରୀ ହୃଦାନନ୍ଦ ରାୟ କବି ଯଦୁମଣିଙ୍କ ପାଣ୍ଡିତ୍ୟପୂର୍ଣ୍ଣ ତଥା ଚାତୁର୍ଯ୍ୟପୂର୍ଣ୍ଣ ଢଙ୍ଗରେ ହାସ୍ୟରସ ପରିବେଷଣ ଶୈଳୀ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା ବୋଲି ବର୍ଣ୍ଣନା କରି କେତେକ ହାସ୍ୟଉଦ୍ଦୀପକ ଘଟଣାର ଅବତାରଣା କରିଥିଲେ ।

 

ବ୍ୟାସକବି ଫକୀର ମୋହନ ଜୟନ୍ତୀ :

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଫକୀର ମୋହନ ସାହିତ୍ୟ ପରିଷଦଙ୍କ ମିଳିତ ଆନୁକୂଲ୍ୟରେ ତା.୧୪.୧.୯୯ରିଖ ମକର ସଂକ୍ରାନ୍ତିରେ ଯୁଗସ୍ରଷ୍ଟା କଥା ସମ୍ରାଟ ଫକୀର ମୋହନ ସେନାପତିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ତାଙ୍କର ସ୍ମୃତିପୀଠ ବାଲେଶ୍ୱରସ୍ଥ ଶାନ୍ତିକାନନଠାରେ ସନ୍ଧ୍ୟା ଛଅ ଘଟିକା ସମୟରେ ଅନୁଷ୍ଠିତ ହୋଇଥିଲା ।

 

ଲବ୍ଧପ୍ରତିଷ୍ଠ ପ୍ରାବନ୍ଧିକ ଓ ସମାଲୋଚକ ପ୍ରଫେସର ଡକ୍ଟର ଅସିତକବି ଜୟନ୍ତୀ ପାଳନ ଉପଲକ୍ଷେ ଆୟୋଜିତ ସ୍ମୃତିଆସରକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଡକ୍ଟର କବି ଫକୀର ମୋହନଙ୍କ ସ୍ମୃତିଚାରଣ ଅବକାଶରେ ତାଙ୍କୁ ଓଡ଼ିଶା ସାହିତ୍ୟର ଯୁଗସ୍ରଷ୍ଟା ବୋଲି ଅଭିହିତ କରି ବିଶ୍ୱ ସାହିତ୍ୟ ପରିପ୍ରେକ୍ଷୀରେ ତାଙ୍କର ଉଚିତ ବାସ୍ତବଧର୍ମୀ ସାମାଜିକ ଉପନ୍ୟାସ “ଛ’ମାଣ ଆଠଗୁଣ୍ଠ”ର ମୂଲ୍ୟାୟନ କରି ଏହାର ବୈଶିଷ୍ଟ୍ୟ ପ୍ରତିପାଦନ କରିଥିଲେ । ବିଶିଷ୍ଟ ସମାଲୋଚକ ଡକ୍ଟର ବିଜୟାନନ୍ଦ ସିଂହ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ଫକୀର ମୋହନଙ୍କ ରେବତୀ ଗଳ୍ପ ସମସାମୟିକ ସମାଜର ପ୍ରାଣସ୍ପନ୍ଦନ ବୋଲି ତାଙ୍କ ଭାଷଣ ପ୍ରସଙ୍ଗରେ ଉଲ୍ଲେଖ କରିଥିଲେ ।

 

ଫକୀର ମୋହନ ସାହିତ୍ୟ ପରିଷଦର ସଭାପତି ବରିଷ୍ଠ କବି ଶ୍ରୀ ବ୍ରଜନାଥ ରଥ ଏହି ସ୍ମୃତି ସଭାରେ ପୌରହିତ୍ୟ କରି ଫକୀର ମୋହନଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ବରିଷ୍ଟ ଶିଶୁ ସାହିତ୍ୟିକ ଶ୍ରୀ ନଦୀୟା ବିହାରୀ ମହାନ୍ତିଙ୍କୁ ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏକାଡେମୀର ସହ-ସଚିବ ଶ୍ରୀ ଭବାନୀପ୍ରସାଦ ସିଂହ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପରିଷଦର ସମ୍ପାଦକ ଶ୍ରୀ ସଦାନନ୍ଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ-

 

ବଳରାମ ଦାସ ଶ୍ରାଦ୍ଧୋତ୍ସବ:

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଭକ୍ତ ବଳରାମ ଦାସ ସ୍ମୃତି ସଂସଦଙ୍କ ମିଳିତ ଆନୁକୂଲ୍ୟରେ ସନ୍ଥକବି ବଳରାମ ଦାସଙ୍କ ଶ୍ରାଦ୍ଧୋତ୍ସବ ପାଳନ ଅବସରେ ପୁରୀ ଜିଲ୍ଲା ଅନ୍ତର୍ଗତ ଏରବଙ୍ଗର ଉଚ୍ଚ ବିଦ୍ୟାଳୟରେ ତା୧୭.୧.୯୯ରିଖ ଅପରାହ୍ନ ଚାରିଘଟିକା ସମୟରେ ଏକ ସ୍ମୃତିସଭାର ଆୟୋଜନ କରାଯାଇଥିଲା । ମହାମେଧାନନ୍ଦନାଥ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଡକ୍ଟର ବାସୁଦେବ ସାହୁ ମୁଖ୍ୟ ଅତିଥି, ଶ୍ରୀ ହଟକିଶୋର ସ୍ୱାଇଁ ସମ୍ମାନିତ ଅତିଥି ଏବଂ ଶ୍ରୀ ଲକ୍ଷ୍ମୀଧର ସେନାପତି ସମ୍ମାନିତ ବକ୍ତା ଭାବରେ ଯୋଗଦାନ କରି ସିଦ୍ଧସାଧକ ବଳରାମ ଦାସଙ୍କ ଆଧ୍ୟାତ୍ମିକ ଜୀବନ ତଥା ଆଧ୍ୟାତ୍ମିକ ଭବଧାରାରେ ପରିପୁଷ୍ଟ ତାଙ୍କ ଲେଖାଗୁଡ଼ିକ ଉପରେ ଆଲୋଚନା କରିଥିଲେ ।

 

ମହାମେଧାନନ୍ଦନାଥ ସରସ୍ୱତୀ ତାଙ୍କ ଭାଷଣ ପ୍ରସଙ୍ଗରେ ଏହି ଅଲୌକିକ ପ୍ରତିଭା ଓଡ଼ିଆ ସାହିତ୍ୟର ଭିତ୍ତିଭୂମି ପ୍ରତିଷ୍ଠା କରିବାରେ ଅନ୍ୟତମ ସାଧକ ବୋଲି ମତବ୍ୟକ୍ତ କରିଥିଲେ ।

 

ବ୍ରଜରାଜ ସିଂହଦେବ ଜୟନ୍ତୀ :

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଖଡ଼ିଆଳ ସାହିତ୍ୟ ସମିତିଙ୍କ ମିଳିତ ଆନୁକୂଲ୍ୟରେ କବି ବ୍ରଜରାଜ ସିଂହଦେବଙ୍କ ଜୟନ୍ତୀ ପାଳନ ଅବସରରେ ତା୨୨.୧.୯୯ରିଖ ଅପରାହ୍ଣ ତିନି ଘଟିକା ସମୟରେ ଖଡ଼ିଆଳସ୍ଥ ବୀର ବିକ୍ରମ ମଣ୍ଡପ ଠାରେ ଏକ ସ୍ମୃତିସଭା ଆୟୋଜନ କରାଯାଇଥିଲା । ଶ୍ରୀ ଉମେଶ ଚନ୍ଦ୍ର ଶତପଥୀ ଏଥିରେ ପୌରହିତ୍ୟ କରିଥିଲେ ।

 

ଏହି ସାରସ୍ୱତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶ୍ରୀ ବସନ୍ତ କୁମାର ପାଣିଗ୍ରାହୀ ତାଙ୍କ ଅଭିଭାଷଣରେ କହିଲେ ଯେ ଖଡ଼ିଆଳ ରାଜବଂଶର ବରେଣ୍ୟ କବି ବ୍ରଜରାଜ ସିଂହଦେବ ଜଣେ ଉଦାର ଗୁଣଜ୍ଞ, ବିଚାରବନ୍ତ ସମର୍ଥ ଶାସକ ଭାବରେ ଖ୍ୟାତି ଅର୍ଜନ କରିବା ସହିତ ଓଡ଼ିଆ ସାହିତ୍ୟର ଜଣେ ଏକନିଷ୍ଠ ସାଧକ ଭାବରେ ବହୁ ଯଶର ଅଧିକାରୀ ଥିଲେ । ମୁଖ୍ୟବକ୍ତା ଡକ୍ଟର ଦୁର୍ଗାମାଧବ ନନ୍ଦ ଭଞ୍ଜୀୟ କାବ୍ୟ ପରମ୍ପରା ଓ ଶୈଳୀରେ ପରିପୁଷ୍ଟ ବ୍ରଜରାଜଙ୍କ କୃତିଗୁଡ଼ିକର ଆଲୋଚନା କରିଥିଲେ । ଶ୍ରୀ ପଦ୍ମଚରଣ ସାହୁ ଏଥିରେ ସମ୍ମାନିତ ବକ୍ତା ଭାବରେ ଯୋଗଦାନ କରିଥିଲେ ।

 

ଏହି ଉତ୍ସବରେ ଶିକ୍ଷାନୁଷ୍ଠାନ, ସାହିତ୍ୟିକ, ସାଂସ୍କୃତିକ ଅନୁଷ୍ଠାନର ପ୍ରତିନିଧିମାନେ ଉପସ୍ଥିତ ରହି ଏ ଅବକାଶରେ ବରେଣ୍ୟ କବିଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

 

ଆଦିକବି ସାରଳାଦାସ ଶ୍ରାଦ୍ଧୋତ୍ସବ:

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସାରଳା ସ୍ମାରକଙ୍କ ମିଳିତ ଆନୁକୂଲ୍ୟରେ ଆଦିକବି ସାରଳାଦାସଙ୍କ ଶ୍ରାଦ୍ଧୋତ୍ସବ ଉପଲକ୍ଷେ ୨୪.୧.୯୯ରିଖ ସନ୍ଧ୍ୟାରେ ଆଦିକବିଙ୍କ ସମାଧିପୀଠ ତେନ୍ତୁଳିପଦା (ଝଙ୍କଡ଼)ଠାରେ କବିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ପୂଜ୍ୟପୂଜା ଅନୁଷ୍ଠାନର ଆୟୋଜନ କରାଯାଇଥିଲା । ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ଶ୍ରୀ ପ୍ରଭାକର ସ୍ୱାଇଁ ଏଥିରେ ପୌରୋହିତ୍ୟ କରିଥିଲେ ।

 

ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ କବି ଓ ସମାଲୋଚକ ଡକ୍ଟର ଶରତ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ସାରଳା ଦାସଙ୍କୁ ଶାରଳା ଠାକୁରାଣୀଙ୍କ ଠାରୁ ପୃଥକ୍‌ କରି ତାଙ୍କର ଅସାମାନ୍ୟ ପ୍ରଚଣ୍ଡ ପ୍ରତିଭା ସମ୍ପର୍କରେ ଏକ ଦୀର୍ଘ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ବରିଷ୍ଠ ସାରସ୍ୱତ ସାଧକ ଓ ବାଗ୍ମୀ ପ୍ରଫେସର ରଜତ କୁମାର କର ସାରଳା ସାହିତ୍ୟରେ ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଭାବ ସମ୍ପର୍କରେ ବିଭିନ୍ନ ତଥ୍ୟମୂଳକ ଉଦାହରଣ ପ୍ରଦାନ କରିଥିଲେ ।

 

ସମ୍ମାନିତ ବକ୍ତା ଭାବେ ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପକ ଡକ୍ଟର ଅଜୟ ମିଶ୍ର ଓଡ଼ିଆ ସାହିତ୍ୟର ସ୍ଥିତି ଲୋପ ପାଇଯାଉଥିବା ସମୟରେ ସାରଳା ଦାସଙ୍କ ଆବିର୍ଭାବ ଓଡ଼ିଆ ଜାତି ଓ ସାହିତ୍ୟକୁ ସଂଗଠିତ କରି ପାରିଥିଲା ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ଏହି ସଭାର ସଭାପତି ଶ୍ରୀ ପ୍ରଭାକର ସ୍ୱାଇଁ ସାରଳା ଦାସଙ୍କ ସାହିତ୍ୟକୃତି ତାଙ୍କର ଅସାଧାରଣ ପାଣ୍ଡିତ୍ୟ ପ୍ରକୃତରେ ଓଡ଼ିଆ ଜାତି ଓ ସ୍ୱାଭିମାନର ପ୍ରତୀକ ବୋଲି କହିଥିଲେ । ଶ୍ରାଦ୍ଧୋତ୍ସବ ପ୍ରାରମ୍ଭରେ ଏକାଡେମୀ ପକ୍ଷରୁ ଶ୍ରୀ ରବି ରାୟ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ସାରଳା ଦାସଙ୍କ ଅମର ଆତ୍ମାପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

 

ପଣ୍ଡିତ ଶ୍ରୀଧର ସ୍ୱାମୀ ଜୟନ୍ତୀ :

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଶ୍ରୀଧର ସ୍ୱାମୀ ସ୍ମୃତି ପରିଷଦଙ୍କ ମିଳିତ ଆନୁକୂଲ୍ୟରେ ତା ୨୪.୧.୯୯ରିଖ ଅପରାହ୍ଣ ପାଞ୍ଚ ଘଟିକା ସମୟରେ ଟୀକାକାର ପଣ୍ଡିତ ଶ୍ରୀଧର ସ୍ୱାମୀଙ୍କ ଜୟନ୍ତୀ ଅବସରରେ ଏକ ସ୍ମୃତିସଭା ରେମୁଣା ନିକଟବର୍ତ୍ତୀ କବିଙ୍କ ଜନ୍ମପୀଠ ମରେଇ ଗାଁଠାରେ ଆୟୋଜନ କରାଯାଇଥିଲା । ବିଶିଷ୍ଟ କବି ଶ୍ରୀ ବ୍ରଜନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି ସଭାରେ ପଣ୍ଡିତ ଅନ୍ତର୍ଯାମୀ ମିଶ୍ର ମୁଖ୍ୟବକ୍ତା ଏବଂ ଶ୍ରୀ ବିଜୟ କୁମାର ନାୟକ ସମ୍ମାନିତ ବକ୍ତା ଭାବରେ ଯୋଗଦାନ କରିଥିଲେ ।

 

ମୁଖ୍ୟବକ୍ତା ପଣ୍ଡିତ ଅନ୍ତର୍ଯାମୀ ମିଶ୍ର ତାଙ୍କ ଅଭିଭାଷଣରେ କହିଲେ ଯେ, ଏହି ମହାନ ଟୀକାକାରଙ୍କ ସଂସ୍କୃତ ଭାଷାରେ ଅସାଧାରଣ ପାଣ୍ଡିତ୍ୟ ଥିଲା । ବିଶିଷ୍ଟ କବି ଶ୍ରୀ ବ୍ରଜନାଥ ରଥ କହିଲେ ଯେ ଭାବାର୍ଥ ଦୀପିକା ଏବଂ ସୁବୋଧିନୀ ଟୀକାଦ୍ୱୟ ତାଙ୍କୁ ସର୍ବଭାରତୀୟ ସ୍ତରରେ ଜଣେ ଅସାଧାରଣ ସଂସ୍କୃତ ବିଦ୍ୱାନ ଭାବେ ସୁପରିଚିତ କରିପାରିଛି ।

 

ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାର ଜୟନ୍ତୀ :

ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଅଭିମନ୍ୟୁ ସାହିତ୍ୟ ପରିଷଦଙ୍କ ମିଳିତ ଆନୁକୂଲ୍ୟରେ ତା୨୪.୧.୯୯ରିଖ ଅପରାହ୍ଣ ୫ ଘଟିକା ସମୟରେ ଅଭିମନ୍ୟୁ ବାଲିଆଠାରେଏକ ସ୍ମୃତିସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଶ୍ରୀ ହୃଦାନନ୍ଦ ରାୟ ମୁଖ୍ୟ ଅତିଥି, ଡକ୍ଟର କୃଷ୍ଣଚନ୍ଦ୍ର ବେହେରା ଓ ଡକ୍ଟର ଗଙ୍ଗାଧର ନନ୍ଦ ସମ୍ମାନିତ ବକ୍ତା ଭାବରେ ଯୋଗଦାନ କରିଥିଲେ । ଏକାଡେମୀର ସଦସ୍ୟ ଡକ୍ଟର ବିଜୟାନନ୍ଦ ସିଂହ ଏଥିରେ ପୌରହିତ୍ୟ କରିଥିଲେ ।

 

ସ୍ମୃତିସଭାର ମୁଖ୍ୟ ଅତିଥି ବିଶିଷ୍ଟ ସମାଲୋଚକ ତଥା ବକ୍ତା ଶ୍ରୀ ହୃଦାନନ୍ଦ ରାୟ ଯୋଗଦାନ କରି କବିଙ୍କ ଜୀବନୀ ଓ ପ୍ରତିଭା ସମ୍ପର୍କରେ ସମ୍ୟକ୍‌ ଆଲୋଚନା କରି କବିଙ୍କ ଉପରେ ପଡ଼ିଥିବା ସଂସ୍କୃତ ବୈଷ୍ଣବ କବିଙ୍କ ପ୍ରଭାବ ବିଷୟରେ ଆଲୋକପାତ କରିଥିଲେ । ସମ୍ମାନିତ ବକ୍ତା ଡକ୍ଟର ଗଙ୍ଗାଧର ନନ୍ଦ ଏବଂ ଡକ୍ଟର କୃଷ୍ଣଚରଣ ବେହେରା ରୀତିଯୁଗୀୟ କାବ୍ୟ ଓ କାବ୍ୟକାରମାନଙ୍କ ଏକ ତୁଳନାତ୍ମକ ବିଶ୍ଲେଷଣ କରି କବିଙ୍କ କାବ୍ୟିକ ଅବଦାନ ସମ୍ପର୍କ ଆଲୋଚନା କରିଥିଲେ ।

 

ଅଚ୍ୟୁତାନନ୍ଦ ଦାସ ଜୟନ୍ତୀ :

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଶ୍ରୀ ଅଚ୍ୟୁତ ଯୁବ ପରିଷଦଙ୍କ ମିଳିତ ଆନୁକୂଲ୍ୟରେ ତା ୨୭.୧.୯୯ ରିଖରେ ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ସିଦ୍ଧସାଧକ ଅଚ୍ୟୁତାନନ୍ଦ ଦାସଙ୍କର ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଉପଲକ୍ଷେ ଏକ ସ୍ମୃତିସଭା କବିଙ୍କ ଜନ୍ମପୀଠ ତିଳକଣାଠାରେ ଆୟୋଜନ କରାଯାଇଥିଲା ।

 

ଏହି ସାରସ୍ୱତ ଉତ୍ସବରେ ଡକ୍ଟର ବ୍ରଜମୋହନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ତାଙ୍କ ଭାଷଣ ପ୍ରସଙ୍ଗରେ ଅଚ୍ୟୁତାନନ୍ଦଙ୍କୁ ମହାନଦ୍ରଷ୍ଟା, ଚିନ୍ତାନାୟକ, ସନ୍ଥଭାବରେ ବର୍ଣ୍ଣନା କରି ତାଙ୍କ ରଚନା ଆଗାମୀ ଭବିଷ୍ୟତ ପାଇଁ ଏକ ଆଚରଣ ସଂହିତା ଭାବରେ ସୁନିର୍ବାଚିତ ମାର୍ଗରେ ପଥ ପ୍ରଦର୍ଶକ ହେବ ବୋଲି ଦର୍ଶାଇଥିଲେ । ଏହି ସଭାର ମୁଖ୍ୟବକ୍ତା ବିଶିଷ୍ଟ ସାହିତ୍ୟିକ ଡକ୍ଟର ରତ୍ନାକର ଚଇନି ଅଚ୍ୟୁତାନନ୍ଦଙ୍କ ସୃଷ୍ଟିରେ ଜୀବାତ୍ମା ଓ ମହାତ୍ମା କଥା ତଥା ଶରୀର ତତ୍ତ୍ୱ ଓ ପିଣ୍ଡ ବ୍ରହ୍ମାଣ୍ଡ ରହସ୍ୟ ସମ୍ପର୍କରେ ଏକ ସାରଗର୍ଭକ ତାତ୍ତ୍ୱିକ ଭାଷଣ ପ୍ରଦାନ କରିଥିଲେ । ଉତ୍ସବରେ ସମ୍ମାନିତ ବକ୍ତା ଡକ୍ଟର ସତ୍ୟ ରାୟ ଏବଂ ପଣ୍ଡିତ କୁରାମଣି ପୀଠଶର୍ମା କବିଙ୍କ ଜୀବନ ଓ ଅଲୌକିକ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ ।

 

ଏହି ସଭାରେ ଏକାଡେମୀର ସଦସ୍ୟ ଡକ୍ଟର ବିଜୟାନନ୍ଦ ସିଂହ ପୌରହିତ୍ୟ କରି ତାଙ୍କ ଭାଷଣ ପ୍ରସଙ୍ଗରେ କହିଲେ ଅଚ୍ୟୁତାନନ୍ଦଙ୍କ ଆରାଧ୍ୟ ସୃଷ୍ଟି ସାରା ବିଶ୍ୱରେ ବିରଳ । ତାଙ୍କ ରଚିତ ମାଳିକା କବିଙ୍କ ପ୍ରଚଣ୍ଡ ପ୍ରତିଭା ସମ୍ପର୍କରେ ସୂଚନା ଦିଏ । ସଭାଶେଷରେ ଶ୍ରୀ ଅଚ୍ୟୁତ ଯୁବ ପରିଷଦ ପକ୍ଷରୁ ଶ୍ରୀ ବିଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

ସନ୍ଥକବି ଭୀମଭୋଇ ଶ୍ରାଦ୍ଧୋତ୍ସବ:

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଭୀମଭୋଇ ସାଂସ୍କୃତିକ ଅନୁଷ୍ଠାନ ଖଲିଆପାଲିର ମିଳିତ ଆନୁକୂଲ୍ୟରେ ତା.୩୦.୧.୯୯ରିଖ ଦିବା ଦଶ ଟିକାରେ ସନ୍ଥକବି ଭୀମଭୋଇଙ୍କ ସମାଧିପୀଠ ଖଲିଆପାଲିରେ କବିଙ୍କ ଶ୍ରାଦ୍ଧୋତ୍ସବ ଉପଲକ୍ଷେ ଏକ ସ୍ମୃତିସଭାର ଆୟୋଜନ କରାଯାଇଥିଲା । ଉକ୍ତ ଦିନ ସନ୍ଧ୍ୟା ଛ’ ଘଣ୍ଟା ସମୟରେ ମହାନଦୀ ସାହିତ୍ୟ ସଂସଦ ସହଯୋଗରେ ସୋନପୁର ଟାଉନ୍‌ ହଲ୍‍ଠାରେ ମଧ୍ୟ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା ।

 

ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ସଭ୍ୟ ଶ୍ରୀଯୁକ୍ତ ଗୋରଖନାଥ ସାହୁଙ୍କ ଅଧ୍ୟକ୍ଷତାରେ ଏହି ସାରସ୍ୱତ ଉତ୍ସବରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସେଖ୍‌ ମତଲୁବ ଅଲ୍ଲୀ, ସୂଚନା ଓ ଲୋକମ୍ପର୍କ ମନ୍ତ୍ରୀ ଶ୍ରୀଯୁକ୍ତ ଭୂପିନ୍ଦର ସିଂହ ଓ ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ଦେବେନ୍ଦ୍ର କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ବିଶିଷ୍ଟ କବି ଡକ୍ଟର ଫନୀ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଭୀମଭୋଇଙ୍କ ସାରସ୍ୱତବାଣୀ ତଥା ଧର୍ମବୋଧ ସମ୍ବନ୍ଧରେ ସାରଗର୍ଭକ ଆଲୋଚନା କରିଥିଲେ । ସଭାଶେଷରେ ଶ୍ରୀ ଗୋରେଖନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

ଉତ୍କଳ ଭାରତୀ କୁନ୍ତଳା କୁମାରୀ ଜୟନ୍ତୀ :

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଶା ଲେଖିକା ସଂସଦଙ୍କ ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ପ୍ରାଚୀ ହୋଟେଲ୍‌ର ସମ୍ମେଳନ କକ୍ଷରେ ତା ୮.୨.୯୯ରିଖ ସନ୍ଧ୍ୟାରେ ବିଶିଷ୍ଟ ନାରୀକବି କୁନ୍ତଳା କୁମାରୀଙ୍କ ଜୟନ୍ତୀ ପାଳନ ଅବସରରେ ଏକ ସାରସ୍ୱତ ସଭାର ଆୟୋଜନ କରାଯାଇଥିଲା ।

 

ଏହି ଉତ୍ସବରେ ବିଶିଷ୍ଟ ସମାଲୋଚକ ଡକ୍ଟର ବିଶିଷ୍ଟ ସମାଲୋଚକ ଡକ୍ଟର ଖଗେଶ୍ୱର ମହାପାତ୍ର ଏବଂ ଲବ୍ଧପ୍ରତିଷ୍ଠ ଗାଳ୍ପିକା ଶ୍ରୀମତୀ ବୀଣାପାଣି ମହାନ୍ତି ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ । ଏକାଡେମୀ ସଭାପତି ଶ୍ରୀଯୁକ୍ତ ଜାନକୀବଲ୍ଲଭ ପଟ୍ଟନାୟକ ଉତ୍ସବରେ ପୌରୋହିତ୍ୟ କରିଥିଲେ । ଓଡ଼ିଶା ଲେଖିକା ସଂସଦ ପକ୍ଷରୁ ସଂସଦର ଉପସଭାପତି ଡକ୍ଟର ଅର୍ଚ୍ଚନା ନାୟକ ତାଙ୍କର ସଂକ୍ଷିପ୍ତ ପ୍ରାକ୍‌ ଭାଷାରେ କୁନ୍ତଳା କୁମାରୀଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଅବତାରଣା କରି ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ଚିରସ୍ମରଣୀୟ କରିବ ବୋଲି ଦର୍ଶାଇଥିଲେ-

 

ବିଶିଷ୍ଟ ସମାଲୋଚିକା ଡକ୍ଟର ରେଖା ମହାନ୍ତି ମୁଖ୍ୟବକ୍ତା ଏବଂ ଡକ୍ଟର ସୁଲୋଚନା ଦାସ ସମ୍ମାନିତ ବକ୍ତା ଭାବେ ଯୋଗଦାନ କରି ଏହି ସାରସ୍ୱତ ସାଧିକାଙ୍କ କୃତି ସମ୍ପର୍କରେ ସାରଗର୍ଭକ ଆଲୋଚନା କରିଥିଲେ । ବିଶିଷ୍ଟା ଗାଳ୍ପିକା ଶ୍ରୀମତୀ ବୀଣାପାଣି ମହାନ୍ତି ଉତ୍ସବରେ ପୌରୋହିତ୍ୟ କରି କହିଲେ ଯେ ସମାଜର କୁସଂସ୍କାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ଏବଂ ନାରୀଜାତିର ପରଦାବନ୍ଧନ ଛିନ୍ନ କରିବାକୁ ସେ ବିଷୟବସ୍ତୁର ଗତି ମୁଖରତା ମଧ୍ୟରେ ଆହ୍ୱାନ ଦେଇଛନ୍ତି । ତାଙ୍କର କାବ୍ୟ କବିତାଗୁଡ଼ିକ ଗଭୀର ଜୀବନବୋଧ, ବିଭୁପ୍ରୀତି ଓ ଦେଶାତ୍ମବୋଧରେ ପରିପ୍ଲୁତ ବୋଲି ତାଙ୍କ ଭାଷଣ ପ୍ରସଙ୍ଗରେ ଦର୍ଶାଇଥିଲେ ।

 

ପରିଶେଷରେ ସଂସଦର ସମ୍ପାଦକ ଡକ୍ଟର ଶକୁନ୍ତଳା ବଳିଆରସିଂହ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଉତ୍ସବ ଆରମ୍ଭରେ ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା ।

 

ଶ୍ୟାମସୁନ୍ଦର ରାଜଗୁରୁ ଜୟନ୍ତୀ :

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସାହିତ୍ୟ ଶ୍ୱେତପଦ୍ମାଙ୍କ ମିଳିତ ଆନୁକୂଲ୍ୟରେ ପାରଳାଖେମୁଣ୍ଡିସ୍ଥ ଟାଉନ୍‌ ହଲ୍‌ରେ ତା୧୨.୨.୯୯ରିଖରେ ଶ୍ୟାମସୁନ୍ଦର ରାଜଗୁରୁଙ୍କ ଜୟନ୍ତୀ ପାଳନ କରାଯାଇଥିଲା । ଏହି ଉତ୍ସବରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ ଓଡ଼ିଆ ବିଭାଗର ପ୍ରଧ୍ୟାପକ ଡକ୍ଟର ଅଲେଖ ଚନ୍ଦ୍ର ପ୍ରଧାନ ମୁଖ୍ୟବକ୍ତା ଓ ସାହିତ୍ୟ ଶ୍ୱେତପଦ୍ମାର ସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଶ୍ରୀ ପଦ୍ମଚରଣ ସାହୁ ଏଥିରେ ପୌରୋହିତ୍ୟ କରିଥିଲେ । ସ୍ମୃତିଚାରଣ ଅବସରରେ ଅତିଥିମାନେ ଶ୍ୟାମସୁନ୍ଦରଙ୍କ ପ୍ରତି ସେମାନଙ୍କର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଶ୍ୟାମସୁନ୍ଦରଙ୍କୁ ଏକାଧାରରେ ଜଣେ ବିଶିଷ୍ଟ ପ୍ରାବନ୍ଧିକ, ସୁସାହିତ୍ୟିକ, ସୁଦକ୍ଷ ସଂଗଠକ, ଭାଷାବିଜ୍ଞାନୀ, ସଙ୍ଗୀତଜ୍ଞ ତଥା ଜଣେ ସ୍ୱୟଂ ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱ ଭାବରେ ପ୍ରତିପାଦିତ କରିଥିଲେ । ସଭାରେ ଉପସ୍ଥିତ ସୁଧୀବୃନ୍ଦଙ୍କ ମଧ୍ୟରୁ ପାରଳାଖେମୁଣ୍ଡିର ବରିଷ୍ଠ ନାଗରିକ ଶ୍ରୀ ଗୋପୀନାଥ ପାଢ଼ୀ ଓ ଉଦୟମାନ ଯୁବକବି ଶ୍ରୀ ଅଜୟ କୁମାର ତ୍ରିପାଠୀ ପାରଳାର ପୂର୍ବସୂରୀ ତଥା ପଥପ୍ରଦର୍ଶକ ଶ୍ୟାମସୁନ୍ଦରଙ୍କ ପ୍ରତି ସେମାନଙ୍କର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଶ୍ରୀ ରାଜଗୁରୁଙ୍କ ବହୁମୁଖୀ ପ୍ରତିଭାର ଆକଳନ କରିଥିଲେ । ଏକାଡେମୀର ସହକାରୀ ଶ୍ରୀ ବସନ୍ତ କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ସାହିତ୍ୟ ଶ୍ୱେତପଦ୍ମାର ସଦସ୍ୟ ଶ୍ରୀ ବଟକୃଷ୍ଣ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

 

ରାଜ୍ୟସ୍ତରୀୟ ଲେଖିକା ସମ୍ମେଳନ :

ଓଡ଼ିଶା ସାହିତ୍ୟ ଏକାଡେମୀ, ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କଲିକତା, ସଂସ୍କୃତି ବିଭାଗ, ଓଡ଼ିଶା ଏବଂ ଓଡ଼ିଶା ଲେଖିକା ସଂସଦଙ୍କ ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଲେଖିକା ସମ୍ମେଳନ ତା୧୨.୨.୯୯ ଏବଂ ୧୩.୨.୯୯ ଦୁଇଦିନ ବ୍ୟାପୀ ବ୍ରହ୍ମପୁର ଟାଉନହଲ୍‌ଠାରେ ଆୟୋଜନ କରାଯାଇଥିଲା ।

 

ତା୧୨.୨.୯୯ରିଖ ଉଦ୍‌ଘାଟନୀ ଉତ୍ସବରେ କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ତଥା ବିଶିଷ୍ଟ କବି ଶ୍ରୀ ରମାକାନ୍ତ ରଥ ମୁଖ୍ୟ ଅତିଥି ଏବଂ ଖ୍ୟାତନାମା ଗାଳ୍ପିକା ଶ୍ରୀମତୀ ବୀଣାପାଣି ମହାନ୍ତି ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ । ‘ଭାରତୀୟ ସଂସ୍କୃତି ପରିପ୍ରେକ୍ଷୀରେ ନାରୀର ଦାୟିତ୍ୱ’ ଏବଂ ‘ସମାଜ ସଂସ୍କାରରେ ଲେଖିକାର ଭୂମିକା’ ଶୀର୍ଷକ ଦୁଇଗୋଟି ପ୍ରବନ୍ଧ ଏହି ସମ୍ମେଳନରେ ଉପସ୍ଥାପନ କରାଯାଇଥିଲା ।

 

ଏହି ସମସ୍ତ ଅଧିବେଶନରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟା ଶ୍ରୀମତୀ ଅମୀୟବାଳା ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ବହୁ ନାରୀକବି ଏଥିରେ ଯୋଗଦାନ କରି ସ୍ୱରଚିତ କବିତା ପାଠ କରିଥିଲେ ।

 

ଯୁବଲେଖକ ସମ୍ମେଳନ :

ତା୨୧.୨.୯୯ରିଖରେ ପ୍ରସିଦ୍ଧ ଐତିହାସିକପୀଠ ବରୁଣେଇ ଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ମିଳିତ ଆନୁକୂଲ୍ୟରେ ଏକ ରାଜ୍ୟସ୍ତରୀୟ ଯୁବଲେଖକ ସମ୍ମେଳନ ଆୟୋଜନ କରାଯାଇଥିଲା । କବି ଶ୍ରୀ ରାଜେନ୍ଦ୍ର କିଶୋର ପଣ୍ଡା ସମ୍ମେଳନ ଉଦ୍‌ଘାଟନ ସହିତ ଏହି ଅବସରରେ ଆୟୋଜିତ “ଏକବିଂଶ ଶତାବ୍ଦୀରେ ସର୍ଜନାତ୍ମକ ସାହିତ୍ୟର ଭାଷା” ଶୀର୍ଷକ ସାରସ୍ୱତ ଆଲୋଚନା-ଚକ୍ରକୁ ମଧ୍ୟ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଲବ୍ଧପ୍ରତିଷ୍ଠ କଥାଶିଳ୍ପୀ ଶ୍ରୀ ହୃଷୀକେଶ ପଣ୍ଡା ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ । ଅନ୍ୟତମ ବିଶିଷ୍ଟ ଯୁବ କଥାକାର ଶ୍ରୀ ଗୌରହରି ଦାସ ଏହି ଆଲୋଚନାଚକ୍ରରେ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ ।

 

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଏହି ପ୍ରାକୃତିକ ପରିବେଶରେ ଆୟୋଜିତ ସମ୍ମେଳନରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପଚାଶ ଜଣ ଯୁବ ଲେଖକ ଯୋଗଦାନ କରିଥିଲେ । ଏକାଡେମୀର ସହସଚିବ ଶ୍ରୀ ଭବାନୀପ୍ରସାଦ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

 

ଆର୍ତ୍ତବଲ୍ଲଭ ମହାନ୍ତି ସ୍ମାରକୀ ବକୃତା:

ବରେଣ୍ୟ ପ୍ରଫେସର ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ପୁଣ୍ୟ ସ୍ମୃତି ଉଦ୍ଦେଶ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଭୁବନେଶ୍ୱରସ୍ଥ ପାନ୍ଥନିବାସ ସଭାକକ୍ଷରେ ତା ୧୬.୩.୯୯ରିଖ ଅପରାହ୍ଣରେ ଏକ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ବିଶିଷ୍ଟ ଲୋକତତ୍ତ୍ୱବିତ୍‌ ଡକ୍ଟର ଜବାହରଲାଲ ହାଣ୍ଡୁ ‘Folker and Indian society’ ଶୀର୍ଷକ ବକ୍ତୃତା ପ୍ରଦାନ କରିଥିଲେ ।

 

ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଶ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଉକ୍ତ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ ।

 

ଆଦିବାସୀ ଲୋକକବିତା : ଆଲୋଚନା-ଚକ୍ର

ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର କଲିକତା, ସଂସ୍କୃତି ବିଭାଗ, ଓଡ଼ିଶାଙ୍କ ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥ ପାନ୍ଥନିବାସ ସଭାକକ୍ଷରେ ତା୧୭.୩.୯୯ ଏବଂ ୧୮.୩.୯୯ରିଖରେ “ଲୋକ କବିତାର ସାର୍ବଜନୀନ ଆବେଦନ” ଓ “ଓଡ଼ିଶାର ଆଦିବାସୀ ଲୋକସାହିତ୍ୟର ସାଂସ୍କୃତିକ ଓ ସାହିତ୍ୟିକ ମୂଲ୍ୟାୟନ” ଶୀର୍ଷକ ଏକ ରାଜ୍ୟସ୍ତରୀୟ ଆଲୋଚନା-ଚକ୍ର ଆୟୋଜନ କରାଯାଇଥିଲା ।

 

ତା୧୭.୩.୯୯ରିଖରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଲବ୍ଧପ୍ରତିଷ୍ଠ କବି ଡକ୍ଟର ସୀତାକାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ତାଙ୍କର ଉଦ୍‌ଘାଟନୀ ଭାଷଣରେ ଆଦିବାସୀମାନଙ୍କ ଏକ ପରିପୂର୍ଣ୍ଣ ବିଶ୍ୱଦୃଷ୍ଟି ରହିଛି ବୋଲି କହିଥିଲେ । ବିଶିଷ୍ଟ ସାରସ୍ୱତ ସାଧକ ଶ୍ରୀ ଚିତ୍ତରଞ୍ଜନ ଦାସ ଏଥିରେ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ମହୀଶୁରସ୍ଥ ଭାରତୀୟ ଭାଷାସଂସ୍ଥାନର ଲୋକସାହିତ୍ୟ ବିଭାଗର ମୁଖ୍ୟ ବିଶିଷ୍ଟ ଲୋକତତ୍ତ୍ୱବିତ୍‌ ଡକ୍ଟର ଜବାହରଲାଲ ହାଣ୍ଡୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ଆଦିବାସୀ କବିତା ଦୈନନ୍ଦିନ ଜୀବନର ଆଲେଖ୍ୟ ବହନ କରେ ଏବଂ ଏହାର ସାର୍ବଜନୀନ ଆବେଦନ ରହିଛି ବୋଲି ସେ କହିଥିଲେ ।

 

ଏକାଡେମୀର ଉପସଭାପତି ଶ୍ରୀ ରବିସିଂ ଏହି ସମସ୍ତ ଅଧିବେଶନରେ ପୌରୋହିତ୍ୟ କରି ତାଙ୍କ ଭାଷଣ ପ୍ରସଙ୍ଗରେ ଆଦିବାସୀ ସଂସ୍କୃତିର ସୁରକ୍ଷା ଦିଗରେ ସମସ୍ତେ ଚେଷ୍ଟିତ ହେବା ପାଇଁ ଆହ୍ୱାନ ଦେଇଥିଲେ ।

 

ଆଲୋଚନା-ଚକ୍ରର ଅପରାହ୍ଣ ଅଧିବେଶନରେ ଆଲୋଚନାର ବିଷୟବସ୍ତୁ ଥିଲା “ଲୋକକବିତାର ସାର୍ବଜନୀନ ଆବଦେନ” । ଡକ୍ଟର ଖଗେଶ୍ୱର ମହାପାତ୍ର ଏହି ଆଲୋଚନା-ଚକ୍ରର ନିର୍ଦ୍ଦେଶକ ଭାବେ ଯୋଗଦାନ କରିଥିଲେ । ଏଥିରେ ଡକ୍ଟର ଜବାହରଲାଲ ହାଣ୍ଡୁଙ୍କ ସହିତ ଡକ୍ଟର ମନୋରମା ମହାପାତ୍ର ବିଶ୍ୱାଳ, ଶ୍ରୀ ହରିହର ମିଶ୍ର ଆଲୋଚକ ଭାବରେ ଅଂଶ ଗ୍ରହଣ କରି ଆଦିବାସୀ ଓ ଲୋକ ସାହିତ୍ୟର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ । ସନ୍ଧ୍ୟା ଛ’ ଘଣ୍ଟାରେ ଅନୁଷ୍ଠିତ କାବ୍ୟପାଠୋତ୍ସବରେ ଓଡ଼ିଶା ବିଭିନ୍ନ ଅଞ୍ଚଳରୁ କନ୍ଧ, କୁଟିଆ କନ୍ଧ, ସାନ୍ତାଳ, ମିର୍ଦ୍ଧା, କିଶାନ, ମୁଣ୍ଡା, ମୁଣ୍ଡାରୀ, ଭୂମିଜ ଖଡ଼ିଆ, ସଉରା, କୋୟା ଆଦି ଆଦିବାସୀ ସମ୍ପ୍ରଦାୟର କବିମାନେ ଏଥିରେ ଅଂଶଗ୍ରହଣ କରି ସ୍ୱରଚିତ କବିତାମାନ ପାଠ କରିଥିଲେ ।

 

ଦ୍ୱିତୀୟ ଦିନ ଆଲୋଚନା-ଚକ୍ରର ଆଲୋଚନାର ବିଷୟ ଥିଲା ଓଡ଼ିଶାର ଆଦିବାସୀ-ଲୋକସାହିତ୍ୟର ସାଂସ୍କୃତିକ ଓ ସାହିତ୍ୟିକ ମୂଲ୍ୟାୟନ । ଏଥିରେ ଓଡ଼ିଶାର ଶିଳ୍ପବିଭାଗ ମନ୍ତ୍ରୀ ଡକ୍ଟର ଦେବେନ୍ଦ୍ରନାଥ ମାନସିଂହ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ।

 

ଗୀତିକବି ସମ୍ମିଳନୀ, ଗ୍ରନ୍ଥାଗାର ଓ ପୁସ୍ତକମେଳା

ଓଡ଼ିଶା ସାହିତ୍ୟ ଏକାଡେମୀ, ଉତ୍କଳ ଗ୍ରନ୍ଥାଗାର ସଂଘ ଓ ଓଡ଼ିଶା ଲେଖକ ସମବାୟ ସମିତିର ସହଯୋଗରେ ତା୨୭.୩.୯୯ ଠାରୁ ୨୯.୩.୯୯ ତିନି ଦିନ ବ୍ୟାପୀ ନୟାଗଡ଼ ବ୍ରଜେନ୍ଦ୍ରନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ପୁସ୍ତକମେଳା, ଆଲୋଚନାଚକ୍ର ଓ ଗୀତିକବି ସମ୍ମିଳନୀର ଆୟୋଜନ କରାଯାଇଥିଲା ।

 

ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଶ୍ରୀ ବିଭୂତିଭୂଷଣସିଂହ ମର୍ଦ୍ଦରାଜ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବଟି ଉଦ୍‌ଘାଟନ କରିଥିଲେ । ‘ସମ୍ବାଦ’ ସମ୍ପାଦକ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଉପସଭାପତିତ୍ୱ ନୟାଗଡ଼ ବିଧାୟକ ଶ୍ରୀ ସୀତାକାନ୍ତ ମହାପାତ୍ର, ନୟାଗଡ଼ ଜିଲ୍ଲାପାଳ ଶ୍ରୀ ଅଶ୍ୱିନୀ କୁମାର ଦାସ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ । ଏକାଡେମୀ ସଚିବ ଡକ୍ଟର ହରପ୍ରସାଦ ପରିଛାପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉତ୍କଳ ଗ୍ରନ୍ଥାଗାର ସଂଘର ସାଧାରଣ ସମ୍ପାଦକ ଡକ୍ଟର ବାମନ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।

 

ତା୨୮.୩.୯୯ରିଖ ପୂର୍ବାହ୍ଣରେ ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା । ଶ୍ରୀ ପ୍ରସାଦ ହରିଚନ୍ଦନ, ରାଷ୍ଟ୍ରମନ୍ତ୍ରୀ ସାଧାରଣ ପ୍ରଶାସନ ଓ ସଂସ୍କୃତି ଓଡ଼ିଶା, ଉଦ୍‌ଘାଟକ ଭାବେ ଯୋଗଦାନ କରିଥିଲେ । ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ । ଶ୍ରୀ ପ୍ରମୋଦ କୁମାର ପଣ୍ଡା ଏବଂ ଶ୍ରୀ ଅବକାଶ ଜେନା ଏଥିରେ ସମ୍ମାନୀତ ବକ୍ତାଭାବେ ଯୋଗଦାନ କରିଥିଲେ । ଦ୍ୱିତୀୟ ଅଧିବେଶନରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଶ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ଶ୍ରୀ ସାତକଡ଼ି ହୋତା ଏବଂ ଅଧ୍ୟାପକ ନିମାଇଁ ଚରଣ ପଟ୍ଟନାୟକ ଯଥାକ୍ରମେ ମୁଖ୍ୟ ଅତିଥି ଏବଂ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ । ସଭା ଆରମ୍ଭରେ ଏକାଡେମୀ ସଚିବ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏକାଡେମୀର ସହ-ସଚିବ ଶ୍ରୀ ଭବାନୀପ୍ରସାଦ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

 

ତା୨୯.୩.୯୯ରିଖ ଉଦ୍‌ଯାପନ ଉତ୍ସବରେ ଶ୍ରୀ ଭୂପିନ୍ଦର ସିଂହ ମନ୍ତ୍ରୀ, ପୂର୍ତ୍ତ, ସୂଚନା ଓ ଲୋକସମ୍ପର୍କ ବିଭାଗ ଓଡ଼ିଶା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ନୟାଗଡ଼ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଶ୍ରୀ ନବ ମହାନ୍ତି ଏବଂ ଏକାଡେମୀ ସଚିବ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ । ଡକ୍ଟର ବାମନ ପରିଡ଼ା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ବହୁ ସାରସ୍ୱତ ପ୍ରେମୀ ସୁଧୀବୃନ୍ଦ ଏହି ଉତ୍ସବରେ ଯୋଗ ଦେଇ ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

 

ସମ୍ପାଦକଙ୍କ କଲମରୁ ....

 

ପ୍ରତିବେଶୀସୁଲଭ ସାଂସ୍କୃତିକ ଆଚରଣ ଦେଖାଅ !

ଓଡ଼ିଶା ସଂସ୍କୃତି, ଭାଷା ଏବଂ କଳା ବିରୋଧରେ ଷଡ଼ଯନ୍ତ୍ରର ଇତିହାସ ବହୁ ପୁରାତନ । ନିଜର ଯେତିକି ଅଛି ସେତିକିରେ ତୁଷ୍ଟ ନରହି ଅନ୍ୟର ଧନ ସମ୍ପଦକୁ ଚଞ୍ଚକତା ପୂର୍ବକ ଆତ୍ମସାତ୍‌ କରିବାର କୁତ୍ସିତ ପ୍ରବଣତା ଯେ କୌଣସି ବ୍ୟକ୍ତି, ଜାତି ଏବଂ ଜାତୀୟତାକୁ ଅବକ୍ଷୟ ଆଡ଼କୁ ଟାଣିନିଏ । ଏହା ଜାଣି ସୁଦ୍ଧା ସେହି କୁତ୍ସିତ ଅଧ୍ୟବସାୟକୁ ଚଳାଇ ରଖିବା ତଳେ କି ପ୍ରକାର ମାନସିକତା କାମ କରୁଛି ତାହା ଗବେଷଣା ସାପେକ୍ଷ ।

 

ଅତୀତରେ ଓଡ଼ିଆ ଭାଷା ବିରୋଧରେ ପଡ଼ୋଶୀ ଭାଷା-ସାମ୍ରାଜ୍ୟବାଦୀମାନେ ଯେଉଁ ଜଘନ୍ୟ ଧରଣର ଷଡ଼ଯନ୍ତ୍ର ସବୁ କରିଥିଲେ ତା’ ବିରୋଧରେ ଓଡ଼ିଶାର କବି, ଲେଖକ, ଓଡ଼ିଆ ଜାତିପ୍ରେମୀମାନଙ୍କର ଐତିହାସିକ ସଂଗ୍ରାମ ଇତିହାସର ବସ୍ତୁ ହୋଇଯାଇଛି । କର୍ମବୀର ଗୌରୀଶଙ୍କରଙ୍କ ଠାରୁ ଆରମ୍ଭ କରି କୁଳବୁଦ୍ଧ ମଧୁସୂଦନ, ରାଧାନାଥ, ଫକୀରମୋହନ, ଗୋପବନ୍ଧୁ, ଗୋଦାବରୀଶ ପ୍ରମୁଖ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଏବଂ କଳାର ସୁରକ୍ଷା, ଅଭିବୃଦ୍ଧି ପ୍ରସାର ଏବଂ ପ୍ରଚାର ପାଇଁ ପ୍ରାଣପାତ ଉଦ୍ୟମ କରିନଥିଲେ ଆଜି ଓଡ଼ିଶା ପ୍ରଦେଶର ଚିହ୍ନବର୍ଣ୍ଣ ନଥାନ୍ତା । ତଥାପି ବହୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳ, ବଙ୍ଗ, ବିହାର, ମଧ୍ୟପ୍ରଦେଶର ଭୌଗୋଳିକ ସୀମାଭିତରେ ରହିଯାଇଛି । ବୃହତ୍ତର ଓଡ଼ିଶାର ଭୌଗୋଳିକ ସୀମା ଭିତରକୁ ତା’ର ପୁନରାଗମନର ସମ୍ଭାବନା ଦୂରେଇ ଦୂରେଇ ଯାଉଛି । କହିବା ବାହୁଲ୍ୟ ଆମେ ସବୁବେଳେ ମତପୋଷଣ କରିଆସିଛୁ, ଭାଷା ବଞ୍ଚିଲେ ଦେଶ ବଞ୍ଚିବ, ସରକାର ତିଷ୍ଠିବ । ସାହିତ୍ୟ, ସଂସ୍କୃତି, କଳା ତା’ର ନିଜସ୍ୱ ଅସ୍ତିତ୍ୱକୁ ବଜାୟ ରଖିବ । ନବ ନବ ଉନ୍ମେଷ ଦିଗରେ ଆଗୁସାର ହେବ । ଏଠାରେ କହି ରଖିବା ଦରକାର ଓଡ଼ିଆରେ କଥାବାର୍ତ୍ତା କଲେ କେହି ଓଡ଼ିଆ ହେଇ ଯାଏନି, ଓଡ଼ିଆତ୍ୱ ଏକ ସ୍ୱତନ୍ତ୍ର ସତ୍ତା । ସେହି ସତ୍ତା ପ୍ରତି ଆମେ କେତେଦୂର ସଚେତନ ସେ କଥା ଭାବିଲେ ହତାଶ ହେବାକୁ ପଡ଼େ । ଓଡ଼ିଆ ଭାଷାର ଚର୍ଚ୍ଚା, ତା’ର ଅଭିବୃଦ୍ଧି ଓ ବିକାଶ ପାଇଁ ବିତର୍କ ପ୍ରାୟ ଆଜି ଦେଖାଯାଉ ନାହିଁ । ସାମ୍ପ୍ରତିକ ପିଢ଼ିର ଓଡ଼ିଆ ଯୁବକ ଯୁବତୀମାନେ ଭବିଷ୍ୟତର ଜାତୀୟ ନେତୃତ୍ୱ ନେବାକଥା ଉଠିଲେ ସେମାନେ ଉତ୍ତର ଦିଅନ୍ତି ସେମାନେ ହାକିମ, ଆଇ.ଏ.ଏସ୍‌ ଅଫିସର, ଡାକ୍ତର, ଇଞ୍ଜିନିୟର ଇତ୍ୟାଦି ହେବେ । କେହି କେବେ କହିବାର ଶୁଣାଯାଏ ନାହିଁ ଯେ ଜାତି ପାଇଁ, ଦେଶ ପାଇଁ, ଭାଷା ପାଇଁ ଆତ୍ମୋସର୍ଗ ପୂର୍ବକ ଜୀବନ ତମାମ୍‌ କାମ କରିବ । ଜଗତକୁ ଉଦ୍ଧାର କରିବା ପାଇଁ ନିଜକୁ ନରକରେ ପକାଇବା ଲାଗି ମହାକବି ଭୀମଭୋଇମାନଙ୍କ କୁଳ ପ୍ରାୟ ବୁଡ଼ିଗଲାଣି । କେହି ଆଜି କିଛି ହରାଇବାର ଦୀକ୍ଷାରେ ଦୀକ୍ଷିତ ହେବା ସେମାନଙ୍କର ବ୍ରତ ହୋଇପଡ଼ିଛି କହିଲେ ଚଳେ । ଗୋଟାଏ ଜାତିର ଭାଗ୍ୟକୁ ବଦଳାଇବା ପାଇଁ, ତାକୁ ଉନ୍ନତତର ପର୍ଯ୍ୟାୟ ଆଡ଼କୁ ଘେନି ଯିବା ପାଇଁ ଯେଉଁ ଦଧୀଚିମାନଙ୍କର ହାଡ଼ର ପ୍ରୟୋଜନ ସେ ଦଧୀଚିମାନେ କେବଳ ପୁରାଣ ପୃଷ୍ଠାରେ ଜୀବତ ଅଛନ୍ତି ସିନା ମାତ୍ର ଜାତୀୟ ଓ ସାମାଜିକ ଜୀବନର ସେମାନଙ୍କୁ ଦେଖିବାକୁ ମିଳୁନି । ଆଜି ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିପନ୍ନମୁଖୀ । ଏହି ପରିସ୍ଥିତିକୁ ଅଧିକ ଶୋଚନୀୟ କରି ତୋଳନ୍ତି ଆମ ସଂସ୍କୃତିବନ୍ତ ବ୍ୟକ୍ତି, ଶକ୍ତି, କବି, ଲେଖକ ଏବଂ କଳାକାରମାନଙ୍କ କୂପମଣ୍ଡୁକତ୍ୱ ଏବଂ ଜନବିଚ୍ଛିନ୍ନତା । ଏ ପରିପ୍ରେକ୍ଷୀରେ ଜାତିର ସାଂସ୍କୃତିକ ମେରୁଦଣ୍ଡରେ ଯେଉଁ ଦୌର୍ବଲ୍ୟ ଦେଖାଦେବା ଅବଧାରିତ ତା’ର ସୁଯୋଗ ପଡ଼ୋଶୀ ଭାଷା ସାମ୍ରାଜ୍ୟବାଦୀମାନେ ନେଉଛନ୍ତି ଏବଂ ନେବେ ।

 

ଏବେ ଗୋଟିଏ ନିର୍ଦ୍ଦିଷ୍ଟ ଏବଂ ସାଂଘାତିକ ଘଟଣା ଯୋଗୁ ଏତେ କଥାର ଅବତାରଣା କରିବାକୁ ପଡ଼ିଛି । ଘଟଣାଟି ହେଲା ଓଡ଼ିଶାର ଚିରାୟତ ବା କ୍ଲାସିକ୍‌ ଓଡ଼ିଶୀ ନୃତ୍ୟକୁ ବଙ୍ଗ ସଂସ୍କୃତିର ସମ୍ପଦ ବୋଲି କହିବା ପାଇଁ ଏକ ଉଦ୍ୟମ ଆରମ୍ଭ ହୋଇଥିବା ଘଟଣା ଯେ କୌଣସି ଓଡ଼ିଆ ଲୋକଙ୍କୁ ବ୍ୟଥିତ ଏବଂ ଉତ୍ତ୍ୟକ୍ତ କରିବ । ଗତ ଜୁନ୍‌ ମାସରେ କଲିକତାରୁ ପ୍ରକାଶିତ ବହୁଳ ପ୍ରଚାରିତ ବଙ୍ଗଳା ‘ଦେଶ୍‌’ ପତ୍ରିକାରେ ଜଣେ ଗବେଷିକା ମହୁଆ ମୁଖୋପାଧ୍ୟାୟ “ଧ୍ରୁପଦୀ ନୃତ୍ୟରେ ଗୌଡ଼ୀୟ ଯୋଗସୂତ୍ର” ଶିରୋନାମାରେ ଏକ ଦୀର୍ଘ ପ୍ରବନ୍ଧ ପ୍ରକାଶ କରିଛନ୍ତି । ସେଥିରେ ଉଲ୍ଲେଖ କରାଯାଇଛି ଯେ, ବଙ୍ଗ ଦେଶର ଗୌଡ଼ୀୟ ନୃତ୍ୟ ହେଉଛି ଭାରତୀୟ ଶାସ୍ତ୍ରୀୟ-ମଣିପୁରୀ, ଓଡ଼ିଶୀ, କୁଚିପୁଡ଼ୀ ଓ କଥକଳୀର ଉତ୍ସ । ସେ ଲେଖିଛନ୍ତି ‘ଯୁକ୍ତି ସଂଗତ ଗର୍ବର ସହିତ କୁହାଯାଇପାରେ ଯେ ମଣିପୁରୀ, ଓଡ଼ିଶୀ, କୁଚିପୁଡ଼ୀ ଏବଂ କଥକଳୀ ଏହି ଚାରି ପ୍ରଧାନ ଧ୍ରୁପଦୀ (ଶାସ୍ତ୍ରୀୟ) ପଦ୍ଧତିର ମୂଳରେ ପ୍ରଧାନ ଜନ୍ମଦାତା ଭାବରେ ଅଥବା ପାଶ୍ୱର୍ବର୍ତ୍ତୀ ନବଜାଗରଣର ପ୍ରଧାନ ସଞ୍ଚାଳିକା ଶକ୍ତି ହିସାବରେ ଗୌଡ଼ୀୟ ନୃତ୍ୟକଳା କାର୍ଯ୍ୟ କରିଛି ।’ ବାଚାଳମାନଙ୍କର ସମସ୍ତ କଥାର ଉତ୍ତର ଦେବା ପାଇଁ କେହି ବାଧ୍ୟ ନୁହଁନ୍ତି, “ଉଡ଼ିୟା ଏକ ସ୍ୱତନ୍ତ୍ର ଭାଷା ନୟ” ବୋଲି ଅତୀତରେ ଏହି ବାତାଳମାନେ ଓଡ଼ିଶାର ସାଂସ୍କୃତିକ ହୃତ୍‌ପିଣ୍ଡ କଟକ ନଗରୀ ଟାଉନ୍‌ହଲ୍‌ ଠାରେ କହିଥିଲେ । ସେମାନେ ଜାଣିନଥିଲେ ବା ଜାଣିନାହାନ୍ତି ଯେ ଓଡ଼ିଆ ଭାଷା ଯେତେବେଳେ ତା’ର ଉତ୍କର୍ଷ ତୁଙ୍ଗଶିଖର ଆରୋହଣ କରିଥିଲା ସେତେବେଳେ ବଙ୍ଗ ଭାଷାର ଜନ୍ମ ମଧ୍ୟ ହୋଇନଥିଲା । ବଙ୍ଗଳାର ପ୍ରଥମ ଭାଗବତକାର ବିପ୍ରସନାତନ ଦାସ ଗୋସ୍ୱାମୀ ଅତିବଡ଼ୀ ଜଗନ୍ନାଥଦାସଙ୍କ ଓଡ଼ିଆ ଭାଗବତର କେତୋଟି ସ୍କନ୍ଧ ବଙ୍ଗଳା ଅକ୍ଷରରେ ଓଡ଼ିଆ ଉଚ୍ଚାରଣ ସମେତ ନିଜ ଭାଗବତରେ ସଂଯୋଜିତ କରି ଆପଣାର ‘ପାରିଲାପଣ’ ପ୍ରଦର୍ଶିତ କରିଥିଲେ ।

 

‘କୋଣାର୍କ’ ସୂର୍ଯ୍ୟ ମନ୍ଦିରକୁ ‘ଆମରା ତଇରି କୋରେଛିଲାମ୍‌” ବୋଲି ଏହି ବାଚାଳମାନେ ପ୍ରଚାର କଲାବେଳେ ମନୀଷୀ ପଣ୍ଡିତ ନୀଳକଣ୍ଠ ବିଦ୍ରୂପ କରି କହିଥିଲେ “ଯଦି ସେମାନେ ତାହା ତିଆରି କରିଥିଲେ ତା’ହେଲେ ତାଙ୍କୁ ଦେଇଦିଅ ସେ ଶଗଡ଼ରେ ପକାଇ କଲିକତା ନେଇ ଯା’ନ୍ତୁ ।” ଓଡ଼ିଶୀ ନୃତ୍ୟକୁ “ଆମୋଦର ଓଡ଼ିଶୀ” ବୋଲି କହିବା ଉଦ୍ୟମ ସମ୍ପର୍କରେ ସଂଗୀତ ନାଟକ ଏକାଡେମୀର ପୂର୍ବତନ ସମ୍ପାଦକ ଶ୍ରୀ ଧରେନ୍ଦ୍ର ନାଥ ପଟ୍ଟନାୟକ ଗତ ଅଗଷ୍ଟ ପନ୍ଦର ତାରିଖର ଦୈନିକ ‘ପ୍ରଜାତନ୍ତ୍ର’ରେ ଆଲୋକପାତ କରି ସେ ଯୁକ୍ତିର ଅସାରତା ପ୍ରତିପାଦନ କରିଥିବା ଅତ୍ୟନ୍ତ ଆନନ୍ଦର ବିଷୟ । ମହାନ ଓଡ଼ିଆ କବି ଜୟଦେବଙ୍କୁ ବଙ୍ଗାଳୀ ବୋଲି ପ୍ରତିପାଦନ କରିବା ପାଇଁ ବଙ୍ଗ ବିଦ୍ୱାନମାନଙ୍କର ଉଦ୍ୟମର ପଟ୍ଟାନ୍ତର ନାହିଁ ଆଉ ତାକୁ ସମର୍ଥନ କରିବାର ଆତ୍ମଘାତୀ ଭୂମିକା ଆମ ଓଡ଼ିଆ କବିମାନେ ନେଇଥିବା ମଧ୍ୟ ଅତ୍ୟନ୍ତ ପରିତାପର ବିଷୟ । ଆମେ ପ୍ରତିଟି ପ୍ରାନ୍ତୀୟ ଭାଷାର ସାହିତ୍ୟ, ସଂସ୍କୃତି ଓ କଳାକୁ ସମ୍ମାନ କରୁ, କାହାରି ପ୍ରତି ଆମର କୌଣସି ଅନୁସୂୟା ବା ବିଦ୍ୱେଷ ନାହିଁ । ରହିବ ବା କାହିଁକି କିନ୍ତୁ ଯେତେବେଳେ ସେମାନଙ୍କ ତରଫରୁ ଆମ ଭାଷା, ସାହିତ୍ୟ, ସଂସ୍କୃତି ଓ କଳା ବିରୁଦ୍ଧରେ ଷଡ଼ଯନ୍ତ୍ର ଆରମ୍ଭ ହେଉଛି । ସେତେବେଳେ ଆମେ ନୀରବ ହୋଇ ବସିବା ମୋଟ ସମ୍ଭବ ନୁହେଁ ।

 

ଓଡ଼ିଶୀ ନୃତ୍ୟକୁ ଗ୍ରାସ କରିବା ପାଇଁ ଏଇ ଯେଉଁ ଉଦ୍ୟମ ଆରମ୍ଭ ହୋଇଛି ଏହା ବିରୁଦ୍ଧରେ ଓଡ଼ିଶାର ସଂସ୍କୃତିବନ୍ତ କଳାପ୍ରେମୀ ଓ ସଂସ୍କୃତିପ୍ରେମୀ ବିଦ୍ୱାନମାନେ ଆଗେଇ ଆସି ଏକ ପ୍ରାଦେଶିକ ବିତର୍କ ଆରମ୍ଭ କରିବାକୁ ହେବ । ନିକଟରେ ‘କଲିକତା’ ଶବ୍ଦ ବଙ୍ଗ ଭାଷାଭାଷୀମାନଙ୍କୁ ଭଲ ନ ଲାଗିବାରୁ ତାକୁ ସେମାନେ ‘କୋଲକତା’ ବୋଲି ପ୍ରଚଳନ କରିବାକୁ ଲାଗିଲେ । ଟିକେ ଭାବିବା ଦରକାର ଓଡ଼ିଆମାନଙ୍କୁ ‘ଓଡ଼େ’ ‘ଭେଡ଼େ’ ବୋଲି କହିଲେ ସେମାନଙ୍କୁ କିପରି ଲାଗୁଥିବ । ଅନ୍ୟର ବେଦନାକୁ ଯେଉଁମାନେ ଅନୁଭବ କରିବା ଭଳି ଚେତନା ହରାଇ ବସିଛନ୍ତି ସେମାନଙ୍କୁ କିଛି କହିବାର ଭାଷା ଆମର ନାହିଁ । ଆମେ ଆଶା କରୁ ସୁଧୀବଙ୍ଗୀୟ ବିଦ୍ୱାନମାନେ ଓଡ଼ିଶା ପ୍ରତି ପ୍ରତିବେଶୀସୁଲଭ ସାଂସ୍କୃତିକ ଆଚରଣ ପ୍ରଦର୍ଶନ କରିବା ଲାଗି ଭବିଷ୍ୟତରେ ଯତ୍ନବାନ ହେବେ ।

 

 

‘କୋଣାର୍କ’ ପ୍ରକାଶନର ନିୟମାବଳୀ

୧.

ପ୍ରତିବର୍ଷ ‘କୋଣାର୍କ’ ଚାରିଗୋଟି ସଂଖ୍ୟା ନିୟମିତ ଭାବେ ପ୍ରକାଶିତ ହେବ । ପ୍ରତି ସଂଖ୍ୟାର ମୂଲ୍ୟ ଟ. ୧୫/- ରହିବ । ବାର୍ଷିକ ଗ୍ରାହକ ଦେୟ ଟ.୬୦- ହେବ ।

୨.

‘କୋଣାର୍କ’ରେ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ସୃଜନଶୀଳ ଏବଂ ଆଲୋଚନାତ୍ମକ ରଚନା ସ୍ଥାନ ପାଇବ । ଓଡ଼ିଆ ସାହିତ୍ୟ ଛଡ଼ା ଅନ୍ୟ ଭାରତୀୟ ବା ବିଶ୍ୱର ତୁଳନାତ୍ମକ ସାହିତ୍ୟ ସମ୍ପର୍କିତ ନିବନ୍ଧମାନ ଏଥିରେ ସ୍ଥାନ ପାଇବ ।

୩.

ନିବନ୍ଧଗୁଡ଼ିକ ନୀତିଦୀର୍ଘ ହେବା ଆବଶ୍ୟକ, ଯେପରି ଏହି ରୟାଲ୍‌ ୧/୮ ଆକାର ବିଶିଷ୍ଟ ‘କୋଣାର୍କ’ର ୮ ପୃଷ୍ଠା ମଧ୍ୟରେ ସୀମିତ ରଖାଯାଇପାରିବ ।

୪.

‘କୋଣାର୍କ’ରେ ପ୍ରକାଶନ ପାଇଁ ପ୍ରେରିତ ଲେଖାଗୁଡ଼ିକର ନକଲ ଲେଖକ / ଲେଖିକାମାନେ ନିଜ ପାଖରେ ରଖିବା ପାଇଁ ଅନୁରୋଧ । କାରଣ, ଅମନୋନୀତ ଲେଖାଗୁଡ଼ିକ ଫେରସ୍ତ ଦେବାର ବ୍ୟବସ୍ଥା ନାହିଁ । ଲେଖାଗୁଡ଼ିକ କାଗଜର ଗୋଟିଏ ପାଶ୍ୱର୍ରେ ପରିଷ୍କାର ହସ୍ତାକ୍ଷରରେ ଲିଖିତ ହେବା ଆବଶ୍ୟକ । ଜେରକ୍ସ କିମ୍ବା କାର୍ବନ କପି ପଠାଇବେ ନାହିଁ । ଫୁଲସ୍କେପ୍‌ ଅଧାକାଗଜରେ ଏକ ଚତୁର୍ଥାଂଶ ହାସିୟା ରହିଥିବା ଆବଶ୍ୟକ ।

୫.

‘କୋଣାର୍କ’ରେ ପ୍ରକାଶିତ ଲେଖକ ଓ ସମାଲୋଚକମାନଙ୍କ ମତାମତ ଓଡ଼ିଶା ସାହିତ୍ୟ ଏକାଡେମୀର ଆନୁଷ୍ଠାନିକ ମତାମତ ରୂପେ ଗୃହୀନ ନହୋଇ ତାହା କେବଳ ସେମାନଙ୍କ ବ୍ୟକ୍ତିଗତ ମତାମତ ରୂପେ ବିବେଚିତ ହେବ ।

୬.

‘କୋଣାର୍କ’ ସମ୍ପର୍କୀୟ ସମସ୍ତ ଯୋଗାଯୋଗ ଏକାଡେମୀ ସମ୍ପାଦକଙ୍କ ସହିତ କରାଯିବ ।

 

***